Unknown

 

 

 

 

 

 

 

 

 

 

 

ସପ୍ତ-ପ୍ରଦୀପ

ବ୍ରଜମୋହନ ମହାନ୍ତି

 

ପ୍ରାକ୍‌ କଥନୀ :

 

ପୂଜ୍ୟପୂଜା ଗୋଟିଏ ଜାତିର ସାଂସ୍କୃତିକ ଜୀବନକୁ ବଳିଷ୍ଠ କରେ । ଓଡ଼ିଶାରେ ଅନେକ ମହାନ୍‌ ବ୍ୟକ୍ତି ଜନ୍ମ ହୋଇ ସାହିତ୍ୟ, ଅନୁବାଦ, ଗବେଷଣା, ଚାରୁକଳା, ସଙ୍ଗୀତ, ନୃତ୍ୟ, ଅଭିନୟ, ସ୍ଥାପତ୍ୟ ଶିଳ୍ପ, ଜନସେବା ଏବଂ ବିଜ୍ଞାନ କ୍ଷେତ୍ରରେ ଏହି ରାଜ୍ୟ ପାଇଁ ଆନ୍ତର୍ଜାତୀୟ ସମ୍ମାନ ଅର୍ଜନ କରି ଏକ ଏକ ଜୀବନ୍ତ ଅନୁଷ୍ଠାନରେ ପରିଣତ ହୋଇ ପାରିଥିଲେ, ସେମାନଙ୍କର ଜୀବନୀ–ପରିଚୟ, କୃତୀ-ଆଲେଖ୍ୟ ପାଇବା ଦୁଷ୍କର ହୋଇପଡ଼ୁଛି ।

 

ତେଣୁ ଉତ୍କଳ ପାଠକ ସଂସଦ ପୂଜ୍ୟପୂଜାର ପରମ୍ପରା ରକ୍ଷା ପାଇଁ ଜୀବିତ ପ୍ରତିଭାମାନଙ୍କୁ କେବଳମାତ୍ର ମାନପତ୍ର ଖଣ୍ତିଏ ଖଣ୍ତିଏ ଦେଇ ସନ୍ତୁଷ୍ଟ ହୋଇ ପାରିବନାହିଁ । ସେଥିପାଇଁ ପର୍ଯ୍ୟାୟକ୍ରମେ ଉତ୍କଳର ମହାନ୍‌ ବ୍ୟକ୍ତିମାନଙ୍କୁ ସମ୍ମାନିତ କରି ସେହିମାନଙ୍କର ଜୀବନକୁ ପୁସ୍ତକ ଆକାରରେ ପ୍ରକାଶ କରି ଆସୁଛି । ଏହି ସଂସ୍ଥା ତରଫରୁ ପ୍ରକାଶିତ ‘ପ୍ରତିଭା ପରିଚୟ’ ପୁସ୍ତକରେ ସାହିତ୍ୟ ସାଧକ କାଳିନ୍ଦୀଚରଣ ପାଣିଗ୍ରାହୀ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ନାଟ୍ୟକାର କାର୍ତ୍ତିକ କୁମାର ଘୋଷ, ସାହିତ୍ୟିକ–ସାମ୍ୱାଦିକ ଉଦୟନାଥ ଷଡ଼ଙ୍ଗୀ, ମଞ୍ଚଗୁରୁ ମାଷ୍ଟର ରାମଚନ୍ଦ୍ର ମାଣିଆ, ସ୍ୱରସାଧକ ନିମାଇଁ ଚରଣ ହରିଚନ୍ଦନ, ପ୍ରକାଶକ ଅନନ୍ତ ମିଶ୍ର ପ୍ରମୁଖ ସାତଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ଓ କୃତି ଆଲୋଚିତ ହୋଇଛି ।

 

ତତ୍‌ପର ବର୍ଷ ‘ସପ୍ତରଶ୍ମି’ ପୁସ୍ତକରେ ଓଡ଼ିଆ ସମ୍ୱାଦ ସାହିତ୍ୟର ଜନକ ଡକ୍ଟର ରାଧାନାଥ ରଥ, ଜ୍ଞାନପୀଠ ପୁରସ୍କାର ବିଜେତା ଔପନ୍ୟାସିକ ଗୋପୀନାଥ ମହାନ୍ତି, ଶିଳ୍ପୀ ବିପିନବିହାରୀ ଚୌଧୁରୀ, ଅନୁବାଦକ ଲାଲା ନଗେନ୍ଦ୍ର କୁମାର ରାୟ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଭାରତୀଭୂଷଣ ସତ୍ୟନାରାୟଣ ରାଜଗୁରୁ ଏବଂ ପ୍ରକାଶକ ଗୋକୁଳଚନ୍ଦ୍ର କରଙ୍କ ଜୀବନୀ ଓ କୃତି ପ୍ରକାଶିତ ହୋଇଛି ।

 

ପର୍ଯ୍ୟାୟକ୍ରମେ ଗତବର୍ଷ ପ୍ରକାଶ ପାଇଥିବା ‘ସପ୍ତଶିଖା’ ପୁସ୍ତକରେ ଅଭିନେତା ଯତୀନ ଦାସ, ସ୍ୱାଧୀନତା ସଂଗ୍ରାମର ପ୍ରଥମ ରାଜବନ୍ଦୀ ରାଜକୃଷ୍ଣ ବୋଷ, କଳାକୁଞ୍ଜ ଯାଦୁକର ମୁରଲୀଧର ଟାଲି, ସାମ୍ୱାଦିକ ଶ୍ରୀହର୍ଷ ମିଶ୍ର, କଥାସାହିତ୍ୟ–ଶିଳ୍ପୀ ସୁରେନ୍ଦ୍ର ମହାନ୍ତି, ସଙ୍ଗୀତଜ୍ଞ ଶ୍ୟାସୁନ୍ଦର ଧୀର ଏବଂ ରୁଚିବନ୍ତ ପ୍ରକାଶକ ଗୋବିନ୍ଦଚରଣ ପାତ୍ର ପ୍ରମୁଖ ସାତ ଜଣ ସାଧକଙ୍କର ସାଧନାପୂର୍ଣ୍ଣ ଜୀବନୀ ସନ୍ନିବେଶିତ ହୋଇପାରିଛି ।

 

ଆମେ ଆଶାକରୁ, ଆମର ଏ ଉଦ୍ୟମ ଓଡ଼ିଶାର ଅଗଣିତ ପାଠକ ପାଠିକାଙ୍କୁ ଆନନ୍ଦ ଦେଇ ପାରିବ ।

 

ଆମେ ମନେକରୁ, ଏ ଉଦ୍ୟମ ତଥାପି ସମ୍ପୂର୍ଣ୍ଣ ନୁହେଁ । ଆହୁରି ଅନେକ କିଛି କରାଯାଇପାରିବ । କିନ୍ତୁ ଆମର ବିଶ୍ୱାସ ଯେ, ଏ କ୍ଷେତ୍ରରେ ଅନ୍ୟାନ୍ୟ ଉଦ୍‌ଯୋଗୀମାନଙ୍କ ପାଇଁ ଏହା ଅବଶ୍ୟ ଆଲୋକ ବର୍ତ୍ତିକା ହେବ ।

 

।। ଇତି ।।

ସଂକଳକଗଣ

Image

 

ଛଉନୃତ୍ୟ-ଗୁରୁ ଶ୍ରୀ ଚନ୍ଦ୍ରଶେଖର ଭଞ୍ଜ

ଶ୍ରୀ ଆନନ୍ଦ ବର୍ଦ୍ଧନ

 

ଚଇତ ମାସ । ଆକାଶରେ ମେଘ ନାହିଁ । ଡହଡ଼ହ ଖରାରେ ପୃଥିବୀ ଝଲମଲ କରୁଚି-। ମଝିରେ ମଝିରେ ଦକ୍ଷିଣା ପବନ ବୋହି ଆସୁଚି । ମହୁଲ, କୁସୁମ ସବୁ ଫୁଟିଗଲେଣି । ଆମ୍ୱ ଗଛରେ ଆମ୍ୱକଷି ଧରିଲାଣି । ବଉଳର ମହକରେ ଦିଗବିଦିଗ ଚହଟି ଯାଉଛି । ଚାରିଆଡ଼େ ହାଲ୍‌କା ହାଲ୍‌କା ଭାବ । ମନେ ହେଉଚି, ନୀଳ ଆକାଶଟି ଯେମିତି ଦୂରକୁ ଦୂରକୁ ଉଡ଼ିଯିବ-

 

ଏବେ ଚଇତ୍ର ପର୍ବ ଆସିବ ପରା ! ମୟରଭଞ୍ଜର ରାଜଧାନୀ, ବାରିପଦା ସହରର ପ୍ରତିଟି ସାହି, ଗଳି କନ୍ଦି, ଘରେ ଘରେ ନୂଆ ଉତ୍ସାହ, ଉନ୍ମାଦନା । ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣି ଆଉଥରେ ଚଇତ୍ରପର୍ବ ଆସୁଛି... । ଚଇତ୍ରପର୍ବ ମୟରଭଞ୍ଜର ଜାତୀୟ ପର୍ବ । ଏ ପର୍ବର ପ୍ରଧାନ ଆକର୍ଷଣ ହେଉଛି ଛଉନାଟ । ରାଜା ରାଜୁଡ଼ା ଅମଳ । ଛଉନାଟ ପାଇଁ ସବୁବେଳେ ସେମାନଙ୍କର ଲକ୍ଷ୍ୟଥାଏ । ଛଉ ନାଟୁଆମାନଙ୍କର ଦୁଇଟି ଦଳ—ଉତ୍ତର ସାହି ଓ ଦକ୍ଷିଣ ସାହି । ଦୁଇ ସାହି ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲେ । ଯେଉଁ ସାହି ବିଜୟୀ ହୁଏ, ସେ ପୁରସ୍କୃତ ହୁଏ । ନିଜେ ମହାରାଜା ବିଚାର କରନ୍ତି । ତେଣୁ ଦୁଇସାହି ପ୍ରାଣପଣେ ଲାଗି ପଡ଼ିଥାନ୍ତି । କିଏ ଜିତିବ—ସମସ୍ତଙ୍କ ମନରେ ଥାଏ ସେଇ ଗୋଟିଏ ଅଭିଳାଷ !

 

ଆଖଡ଼ାରେ ଜମା ହୋଇଛନ୍ତି ଦଳଦଳ ନାଟୁଆ । ଦିନରାତି ସେମାନଙ୍କର ବିଶ୍ରାମ ନାହିଁ-। ବର୍ଷାଦିନ ଆସିବା ଆଗରୁ ପିମ୍ପୁଡ଼ିପଲ ଯେପରି ତତ୍ପର ହୋଇ ଉଠନ୍ତି, ନାଟୁଆମାନେ ସେହିପରି ନୃତ୍ୟ ଅଭ୍ୟାସରେ ଲାଗିପଡ଼ିଛନ୍ତି । ଆଖଡ଼ାହିଁ ତାଙ୍କର ଘରଦ୍ୱାର ସବୁକିଛି । ଚଇତ୍ରପର୍ବର ମାସକ ପୂର୍ବରୁ ସେମାନେ ନିଜ ନିଜ ଘରକୁ ଆଉ ଫେରନ୍ତିନି । ଖିଆ, ପିଆର ସବୁ ବନ୍ଦୋବସ୍ତ ଆଖ୍‍ଡ଼ାରେ ହୋଇଥାଏ । ରାଜାଙ୍କର ଆଦେଶ—ନାଟୁଆମାନଙ୍କର ଯେପରି କୌଣସି ଅସୁବିଧା ନହୁଏ । ରାନ୍ଧୁଣୀ, ଚାକର, ପୂଜାରୀମାନଙ୍କର ଫୁରସତ ନେବାର ବେଳନାହିଁ । ରାଜା ମଧ୍ୟ ନିଜେ ଆସି ସମୟ ସମୟରେ ତଦାରଖ କରନ୍ତି । ଏବର୍ଷ ନୂଆ କିଛି ନାଟ ଦେଖାଇବେ–ଏ ଚିନ୍ତାରେ ନାଟୁଆମାନଙ୍କୁ ନିଦନାହିଁ ।

 

ଦିନେ ଦକ୍ଷିଣ ସାହିର ମେନେଜର ଦିବାକର ଭଞ୍ଜ କହିଲେ, ‘‘ଚାଲ ଏଥରକ ନୂଆ ଗୋଟିଏ ନାଟ ତିଆରି କରିବା—ଏମିତି ନାଟ କରିବା ଯେ, ପୁରାଣରେ କି ମହାଭାରତରେ କି ରାମାୟଣରେ କେଉଁଠି ନଥିବ । ଆଚ୍ଛା, ପିଲାମାନେ ତୁମ୍ଭେମାନେତ ତାସ ଖେଳୁଚ ! ଏ ତାସ ଖେଳ ଉପରେ ତୁମକୁ ଏଥର ନାଚ ଦେବାକୁ ପଡ଼ିବ’’ । ସମସ୍ତଙ୍କ ମନକୁ କଥାଟା ପାଇଲା । କିଚକେଶ୍ୱରୀ ଭଞ୍ଜ ନାଟର ଥିମ୍‌ ଠିକ୍‌ କଲେ । ଗୋଟିଏ ପୁରୁଣା ଗୀତ ମଧ୍ୟ ତାଙ୍କର ମନେ ପଡ଼ିଗଲା । ତା’ରି ସୁରଟି ଯୋଡ଼ି ଦିଆଗଲା । ନାଟଟି ଠିକ୍‌ ହୋଇଗଲା, ଆଉ ଜୋରସୋରରେ ରିହାରସେଲ୍‌ ବିଚାଲିଲା । ଏ ଘଟଣା ସମ୍ୱନ୍ଧରେ ଆଉ କେହି କିଛି ଜାଣିପାରିଲେନି । ‘କି ନାଚ ଦକ୍ଷିଣସାହି ଏ ବର୍ଷ ପରିବେଷଣ କରିବେ’—ସମସ୍ତେ କେବଳ ଆଗ୍ରହର ସହିତ ଅପେକ୍ଷା କରି ରହିଲେ । ମଝିରାତି ଯାଏଁ ଆଖଡ଼ାରେ ରିହାରସେଲ ଚାଲେ । ଖରାଦିନର ନିଶଦ୍ଧ ରାତିରେ ଦୂରରୁ ଢୋଲ, ଧୁମ୍‌ସା ଆଉ ମହୁରୀର ସ୍ୱର ଲହରେଇ ଲହରେଇ ଭାସି ଆସେ । ବାରିପଦାର ଆଗ୍ରହୀ ଜନତା ଅର୍ଦ୍ଧସୁପ୍ତ ହୋଇ କଳ୍ପନା କରନ୍ତି—ଚଇତ୍ରପର୍ବ ଆଉ କେତେଦିନ ବାକି ରହିଲା ?

 

ସେଦିନ ଥାଏ ବହୁ ଆକାଂକ୍ଷିତ ଚଇତ୍ରପର୍ବ ନାଟୁଆ ପିଲାମାନେ ପ୍ରସ୍ତୁତ ହୋଇ ସାରିଥାନ୍ତି । ସେମାନେ ସକାଳୁ ମାଜଣା ଘାଟରେ ଗାଧୋଇ, ନୂଆ ଲୁଗା ପିନ୍ଧି ଭୈରବଙ୍କୁ ପୂଜା କରିବାପାଇଁ ଯାଆନ୍ତି । ଭୈରବ ହେଲେ ଛଉ ନାଟୁଆମାନଙ୍କର ଆରାଧ୍ୟ ଦେବତା । ଛଉ ନାଟୁଆମାନେ ଭୈରବଙ୍କୁ ଛଉ ପେଣ୍ତାଲରେ ଆଣି ପୁଣି ପ୍ରତିଷ୍ଠା କରନ୍ତି । ସେ କାଳରେ ରାଜନବର ଭିତରେ ନାଟ ହେଉଥିଲା । ପେଣ୍ତାଲ ସମ୍ମୁଖରେ ପ୍ରଥମ ଧାଡ଼ିରେ ମହାରାଜା ବସିଥାନ୍ତି-। ସାଙ୍ଗରେ ବସିଥାନ୍ତି ତାଳଚେର, ପୁରୀ, ନୀଳଗିରି, ଖଣ୍ତପଡ଼ା ଓ କପ୍ତିପଦାର ରାଜାମାନେ । ଅନ୍ୟାନ୍ୟ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ମଧ୍ୟ ଉପସ୍ଥିତ ଥାନ୍ତି । ସୁସଜ୍ଜିତ ପେଣ୍ତାଲ ଉପରେ ଉତ୍ତର ସାହି ଓ ଦକ୍ଷିଣ ସାହିର ସ୍ଥାନ ନିର୍ଦ୍ଦିଷ୍ଟ ଥାଏ ।

 

ନୃତ୍ୟ ଆରମ୍ଭ ହେବାର ସୂଚନା ଦେଇ ରଙ୍ଗ ବାଜା ବାଜି ଉଠିଲା । ପ୍ରଥମେ ଦକ୍ଷିଣସାହି ସେମାନଙ୍କ ନୃତ୍ୟ ପରିବେଷଣ କରିବେ । ହଠାତ୍‌ ଦକ୍ଷିଣସାହି ପଟରୁ ବାଣ ଫୁଟିଲା ଓ ତା ସଙ୍ଗେ ସଙ୍ଗେ ଷ୍ଟେଜ୍‌ ଉପରୁ କିଛି ଧୂଆଁ ଓ ନୀଳ ନାଲି ରଙ୍ଗର ଆଲୁଅ ଜଳି ଉପରକୁ ଉଠିଗଲା । ଦର୍ଶକମାନେ ଆଶ୍ଚର୍ଯ୍ୟ ହେଲେ । ସିନ୍‌ ଉଠିଲା । ଦେଖାଗଲା, ତାସର ଜୋକର ପରି ଜଣେ ଜୋକର । ଦର୍ଶକମଣ୍ତଳୀ ଖୁସିରେ ପାଟିକରି ଉଠିଲେ । ତାପରେ ଜୋକରଟି ନାନା ଗାଳି ଗୁଲଜ କରି ସେମାନଙ୍କୁ ଚୁପ୍‌ କରାଇଦେଲେ । ଏ ପ୍ରକାର ଅଭଦ୍ରାମିରେ କେତେକ ଉତ୍‌କ୍ଷିପ୍ତ ହୋଇ ଉଠିଲେ । ଜଣେ ଭଦ୍ରଲୋକ ମହାରାଜାଙ୍କ ପାଖକୁ ଅଭିଯୋଗ କରିବା ପାଇଁ ଉଠିଗଲେ । ମାତ୍ର ଏ କଣ ? ଜୋକର ହଠାତ୍‌ ମହାରାଜାଙ୍କ ପାଖକୁ ଚାଲି ଆସିଲେ ଓ ଭଦ୍ରବ୍ୟକ୍ତିଙ୍କ ସମେତ ମହାରାଜା ଓ ତାଙ୍କର ଅତିଥିମାନଙ୍କୁ ମଧ୍ୟ ବ୍ୟଙ୍ଗ କରିବାକୁ ଲାଗିଲେ । ଚାରିଆଡ଼ ହସରେ ଫାଟି ପଡ଼ିଲା । ଭଦ୍ରଲୋକ ବିଚରାଙ୍କୁ ମହାରାଜା ନିଜେ ବୁଝାଇ ଦେଲେ ଓ ସେ ତୁନି ତାନି ହୋଇ ନିଜ ସ୍ଥାନକୁ ଫେରି ଆସିଲେ । ଜୋକରର ଛଦ୍ମ ଅଭିନୟ ଭିତରେ କିଏ ଏପ୍ରକାର ଦୁଃସାହସ କରିଛି ? ଘଟଣାଟିକୁ ସମସ୍ତେ ଉପଭୋଗ କଲେ । କିନ୍ତୁ ଜୋକରଟିର ଅସଲ ପରିଚୟ କେହି ଅନୁମାନ କରିପାରିଲେ ନାହିଁ । ଏକ ରହସ୍ୟମୟ ପ୍ରଶ୍ନବାଚୀ ଭାବରେ ଜୋକରଟି ସମସ୍ତଙ୍କ ଆଖି ଆତୁଆଳରେ ରହିଗଲେ । ନାଟ ଆରମ୍ଭ ହେଲା । ନାଟୁଆମାନେ ତାସ ଖେଳରେ ସାହେବ–ବିବି–ଗୋଲାମ ପରି ବେଶ ହୋଇ ନାଟ ଆରମ୍ଭ କରିଦେଲେ । ଜୋକର ଖେଳ ଖେଳାଇଲେ । ସେ ଗାଉଥିଲେ —

 

‘‘ମେରା ଦିଲକୋ ବିଗାନା ଶୋଚନା ଶୁନିଏ ମହାରାଜ

ଷୋଲା ତାସ୍‌କା ବିନ୍‌ତି ଖେଲା ଲିଜିଏ ସରକାର୍‌

ଇସ୍‌ମେଁ ଜବ୍‌କୋଇ ଭୁଲ୍‌ ନିକାଲେ ଆଜୟ ମେରା ପାଶ୍‌

ଶୁନିଏ ସରକାର୍‌... ।’’

 

ଠିକ ଯେମିତି ତାସ ଖେଳରେ ବିନ୍‌ତି ଖେଳ ଚାଲେ, ସେମିତି ନାଟ ହେଲା । ଜୋକର ନାନା ବିକୃତ ଭାବ–ଭଙ୍ଗୀରେ ଅଭିନୟ ସହ ନୃତ୍ୟ କରି ଖେଳ ପରିଚାଳନା କରୁଥାନ୍ତି । ନାଟ ଶେଷ ହେଲା । କର ତାଳିରେ ଚାରିଦିଗ ଫାଟି ପଡ଼ିଲା । ଏପ୍ରକାର ଅଭୁତ ନାଟ ଦେଖି ସମସ୍ତେ ବିସ୍ମିତ ଓ ମୁଗ୍‌ଧ ହେଲେ । ଜୋକର ସର୍ବାଧିକ ନମ୍ୱର ପାଇଲେ ଓ ଦକ୍ଷିଣ ସାହିକୁ ବିଜୟୀ ବୋଲି ଘୋଷଣା କରାଗଲା । ପରଦିନ ମହାରାଜା ଦକ୍ଷିଣ ସାହିର ମେନେଜର ଦିବାକର ବାବୁଙ୍କୁ ଏକାନ୍ତରେ ଡାକି ପଚାରିଲେ—ଆଚ୍ଛା, ସେହି ଜୋକର ଜଣକ କିଏ ? ଦିବାକର ବାବୁ ଖୁବ୍‍ ଜୋକର ମହାଶୟଙ୍କୁ ଡାକି ରାଜାଙ୍କୁ ଚିହ୍ନାଇ ଦେଲେ । ରାଜା ଆଶ୍ଚର୍ଯ୍ୟ ହୋଇ କହିପକାଇଲେ–‘‘ଆମ ଚନ୍ଦ୍ରୁବାବୁ କିହୋ !’’

 

ସେଦିନରେ ସେ କାର୍ଡ୍‍-ଡାନ୍‍ସର ମୁଖ୍ୟ ନାୟକ ଚନ୍ଦ୍ରୁବାବୁ ହେଲେ ଛଉର ଗୁରୁ ଶ୍ରୀ ଚନ୍ଦ୍ରଶେଖର ଭଞ୍ଜ । ଛଉନୃତ୍ୟର ଜଣେ ବିଶିଷ୍ଟ କଳାକାର ଓ ଓସ୍ତାତ୍‌ ଭାବରେ ସେ ସୁପରିଚିତ । ଦୀର୍ଘଦିନ ଧରି ସେ ନାଚି ଆସୁଛନ୍ତି । ତାଙ୍କର ଏହି କଳା-ନୈପୁଣ୍ୟ ଯୋଗୁଁ ୧୯୭୩ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମି ତାଙ୍କୁ ପୁରସ୍କୃତ କଲେ । ଏ ଅବସରରେ ରାଜ୍ୟପାଳ ତାଙ୍କୁ ଯେଉଁ ମାନପତ୍ରଟି ଦେଇଥିଲେ, ତାହା ତାଙ୍କ କଳାକାର ଜୀବନର ପ୍ରକୃଷ୍ଟ ପରିଚୟ ଦିଏ —

 

‘‘ମୟୂରଭଞ୍ଜର ପ୍ରଖ୍ୟାତ କଳା ‘ଛଉନୃତ୍ୟ’ର ଆପଣ ଜଣେ ପ୍ରଧାନ ସାଧକ । ପାରିବାରିକ ପରମ୍ପରା ଅନୁସରଣ କରି ଛଉ ନୃତ୍ୟ ସାଧନାରେ ବାଲ୍ୟକାଳରୁ ବ୍ରତୀହୋଇ ଆପଣ ଜଣେ କୃତୀ ନୃତ୍ୟ-ଶିଳ୍ପୀ ଭାବରେ ବହୁବର୍ଷ ଧରି ବିଦଗ୍‌ଧ ଦର୍ଶକମାନଙ୍କୁ ମୁଗ୍‌ଧ କରି ଆସିଛନ୍ତି । ଛଉ ନୃତ୍ୟର ବିଭିନ୍ନ ଭୂମିକାରେ ଆପଣଙ୍କର ଅନବଦ୍ୟ ନୃତ୍ୟ ଅଭିନୟ ଏବେ ମଧ୍ୟ ନୃତ୍ୟଶିଳ୍ପୀଙ୍କୁ ପ୍ରେରଣା ଯୋଗାଇଛି । ନୂତନ ନୃତ୍ୟ କଳ୍ପନାରେ ମଧ୍ୟ ଆପଣଙ୍କର ଅବଦାନ ଉଲ୍ଲେଖର୍ନୟ ।

 

ଜଣେ ସୁଦକ୍ଷ ନୃତ୍ୟଶିଳ୍ପୀ ଭାବରେ ମୟୂରଭଞ୍ଜର ଛଉ ନୃତ୍ୟକୁ ଆପଣଙ୍କର ଅନବଦ୍ୟ ଅବଦାନ ନିମନ୍ତେ ଏହି ଶୁଭ ଅବସରରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।’’

 

ମୟୂରଭଞ୍ଜ କଳାର ପୀଠ । ମେଘମୌଳୀ ମେଘାସନ ଓ ଶିମିଳିପାଳର ଘଞ୍ଚ ଅରଣ୍ୟର ଧାରେ ଧାରେ ମୟୂରଭଞ୍ଜ ଜିଲ୍ଲା ଅବସ୍ଥିତ । କେଉଁ ଷୋଡ଼ଶୀ-ପାଦର ସରୁ ଅଳତାଗାର ପରି ବଳଙ୍ଗ ବୋହି ଯାଇଛି । ଆଉ ବିଛାଡ଼ି ପଡ଼ିଚି ପ୍ରକୃତିର ଅସରନ୍ତି ଶୋଭା ସମ୍ପଦ । ଏ ବିରାଟ ସୌନ୍ଦର୍ଯ୍ୟରାଶି ମୂକ କଣ୍ଠରେ ସୁର ଭରିଦିଏ, କ୍ଳୀବର ତନୁରେ ଜଗାଏ ଛନ୍ଦ । ମୟୂରଭଞ୍ଜ ମାଟିରେ କି ବୁଢ଼ା କି ପିଲା ସମସ୍ତେ ଗୀତ ଗାଆନ୍ତି, ମନର ଖିଆଲରେ ନାଚି ଯାଆନ୍ତି । ଏ ପ୍ରକାର ପ୍ରାକୃତିକ ପରିବେଶରେ ନୃତ୍ୟଗୁରୁ ଶ୍ରୀ ଚନ୍ଦ୍ରଶେଖର ଭଞ୍ଜଙ୍କର ଜନ୍ମ ହୁଏ, ୧୯୧୦ ସାଲରେ । ପିତା ସ୍ୱର୍ଗୀୟ ବିଶ୍ୱେଶ୍ୱର ଭଞ୍ଜ ଛଉ ନୃତ୍ୟର ଜଣେ ବିଶିଷ୍ଟ ଓସ୍ତାତ୍‌ ଥିଲେ । ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ସମୟରେ ଯେଉଁ War Dance କଲିକତାରେ ସମ୍ରାଟ୍‌ ପଞ୍ଚମଜର୍ଜଙ୍କ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା, ବିଶ୍ୱେଶ୍ୱର ଭଞ୍ଜ ଥିଲେ ତହିଁରେ ଜଣେ ମୁଖ୍ୟ ନାଟୁଆ । କଲିକତାରେ ଆଉଥରେ ଛଉନୃତ୍ୟ ହେଉଥାଏ । ବଙ୍ଗୀୟ କୁଳବଧୂମାନେ ସେମାନଙ୍କର ଅବଗୁଣ୍ଠନ ଖୋଲି ଦଉଡ଼ିଯାଇଥିଲେ ନୃତ୍ୟରତ ମହାଦେବଙ୍କ ପାଖକୁ । ‘‘ସାକ୍ଷାତ୍‌ ଶିବ, ଏଯେ ଆମାର ସାକ୍ଷାତ୍‌ ଶିବ’’ କହି ତାଙ୍କୁ ଗଳାରୁ ହାର ଓ ଅଳଙ୍କାରମାନ ପିନ୍ଧାଇ ଦେଇଥିଲେ । ‘ମହାଦେବ’ ନୃତ୍ୟରେ ବିଶ୍ୱେଶ୍ୱର ଭଞ୍ଜ ଯେତେବେଳେ ନାଚୁଥିଲେ, ସେତେବେଳେ ମନେହେଉଥିଲା, କୈଳାସ ଭୂମିରେ ସ୍ୱୟଂ ଶିବ ନବରସରେ ଉନ୍ମତ୍ତ ହୋଇ ନୃତ୍ୟ କରୁଛନ୍ତି ! ମୟୂରଭଞ୍ଜ ଛଉ ନୃତ୍ୟର ଆଉ ଏକ ଗୌରବୋଜ୍ଜ୍ୱଳ ସ୍ମୃତି—ରାଜଗୋପାଳଚାରୀ ଥରେ ବିଶ୍ୱେଶ୍ୱର ଭଞ୍ଜଙ୍କ ‘ମହାଦେବ’ ନୃତ୍ୟରେ ମୁଗ୍‌ଧ ହୋଇ ତାଙ୍କୁ କୁଣ୍ଢାଇ ପକାଇଥିଲେ । କହିଥିଲେ–‘‘ଗୁରୁଜୀ, ଇସ୍‌କୋ ଛୋଡ୍‌ ଯାଇୟେ ।’’ ଚନ୍ଦ୍ରଶେଖର ଭଞ୍ଜଙ୍କର ପିତାମହ ସ୍ୱର୍ଗୀୟ ସାରଙ୍ଗଧର ଭଞ୍ଜ, ରାଜା ଯଦୁନାଥ ଭଞ୍ଜଙ୍କ ସମୟରେ ଜଣେ ବିଖ୍ୟାତ ଛଉ ନାଟୁଆ ଥିଲେ । ମାମୁଁ ଶ୍ରୀ କିଚକେଶ୍ୱରୀ ଭଞ୍ଜ ମଧ୍ୟ ଛଉର ଜଣେ ଓସ୍ତାତ୍‌ ଓ ସୁରକାର ଥିଲେ । ଛଉନୃତ୍ୟର ଅନେକ ସୁର ଦେଇଛନ୍ତି ସେ । ମାତା ଲକ୍ଷ୍ମୀପ୍ରିୟା ଥିଲେ ଭାବମୟୀ । ଭାବଗତ ପଢ଼ିଲାବେଳେ ଭକ୍ତି-ଗଦ୍‌ଗଦ ହୃଦୟରେ ସେ ନିମଜ୍ଜିତ ହୋଇଯାନ୍ତି । ଆଖିରୁ ତାଙ୍କର ଧାର ଧାର ଲୁହ ବୋହିଯାଏ । ପିଲାଦିନରୁ ଗୁରୁ ଶ୍ରୀ ଚନ୍ଦ୍ର ଶେଖର ଭଞ୍ଜଙ୍କ ଉପରେ କଳାର ପ୍ରଭାବ ଅତି ନିବିଡ଼ଭାବରେ ପଡ଼ିଥିଲା । ରକ୍ତରେ ରକ୍ତରେ ଯାହାର ଛଉନୃତ୍ୟ, ସେ ଯେ ଭବିଷ୍ୟତରେ ଜଣେ ବିଖ୍ୟାତ ନାଟୁଆ ହେବେ, ଏଥିରେ ସନ୍ଦେହ ନଥିଲା । ଗୁରୁ ଶ୍ରୀ ଚନ୍ଦ୍ର ଶେଖର ଭଞ୍ଜଙ୍କର ସାନ ଭାଇ ଶ୍ରୀ ରାଧାକୃଷ୍ଣ ଭଞ୍ଜ ମଧ୍ୟ ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଓ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଓ ସୁରକାର । ଏହିପରି ଏକ ଉନ୍ନତ କଳାର ପରମ୍ପରା ନେଇ ଗୁରୁ ଶ୍ରୀ ଚନ୍ଦ୍ରଶେଖର ଭଞ୍ଜ ଅତି ପିଲାକାଳରୁ ଛଉନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ।

 

ନିର୍ଲ୍ଲଜ ଗାଏ, ସଲ୍ଲଜ ବାଏ, ଅତି ବେହିୟା ନାଚି ନାଚି ଯାଏ । ଯେ ନାଚେ, ତାକୁ ମାନ ମହତ ସବୁ ଛାଡ଼ିବାକୁ ହୁଏ । ନଟରାଜ ଶିବଙ୍କର ତ ଲାଜଲଜ୍ଜ୍ୟା ନାହିଁ । ସେଥିପାଇଁ ସେ ଦିଗମ୍ୱର-। ନାଟୁଆ କୃଷ୍ଣ ତ ବେହିୟା ଶିରୋମଣି । ‘ନଷ୍ଟସ୍ୟ କାନ୍ୟାଗତି’—ନ୍ୟାୟରେ ଯାହାର ସବୁ ସରିଯାଏ, ଯେ ଜୀବନରେ ଚାରିଦଉଡ଼ି କାଟି ପକାଏ, ସେ’ହିଁ ଠିକ୍‌ ନାଚିପାରେ । ସେତେବେଳେ ୧୯୨୫-୨୬ ସାଲ ହେବ । ଘର ପାଖରେ ଆଖୁଡ଼ା ହେଉଥାଏ । ଚନ୍ଦ୍ରଶେଖର ଭଞ୍ଜ ସ୍କୁଲରେ ପଢ଼ୁଥାନ୍ତି । ପାଠପଢ଼ାରେ ଆଦୌ ମନ ଲାଗେନି । ସ୍କୁଲ ଯିବା ବାହାନାରେ ଘରୁ ବହିପତ୍ର ଧରି ଆସି ଆଖଡ଼ାଘରେ ଆଡ୍‌ଡ଼ା ହୁଏ । ଶିକ୍ଷକମାନେ ସବୁବେଳେ ଶୁଭାକାଂକ୍ଷୀ । ଭାବିଲେ ପିଲାଟା ବିଗିଡ଼ିଗଲା । ପିଲାଟିକୁ ସୁଧାରିବା ପାଇଁ କେତେ ଯେ ବେତ ଭାଙ୍ଗିଗଲା, ତାର ହିସାବ ନାହିଁ । ସେତେବେଳେ ବାରିପଦା ସ୍କୁଲର ହେଡ଼ମାଷ୍ଟର ଶଚ୍ଚିବାବୁ । ସେ ବହୁ ଗାଳିଗୁଲଜ କଲେ । ହେଲେ, କେଉଁଥିରେ କିଛି ଫଳ ହେଲା ନାହିଁ । ଘରେ ସମସ୍ତେ ଭାବନ୍ତି ପିଲାଟି ଆମର ବେଶ୍‌ ପାଠ ପଢ଼ୁଛି । କିନ୍ତୁ ଅସଲ ପାଠପଢ଼ା ଚାଲେ ଆଖଡ଼ା ଘରେ । ସବୁଦିନ ସ୍କୁଲରେ ଅନୁପସ୍ଥିତ ରହିବାରୁ ଶେଷରେ ସ୍କୁଲରୁ ମଧ୍ୟ ନାମ କଟିଗଲା । ପୋଥିରେ ଚିରଦିନ ପାଇଁ ଡୋର ବନ୍ଧାଗଲା । ଆଉ ବାଧା ନାହିଁ, ବନ୍ଧନ ନାହିଁ । ଚଢ଼େଇଟି ପିଞ୍ଜରାରୁ ମୁକ୍ତ ହୋଇଗଲା । ଏଣିକି ସେ ମନ ଖୁସିରେ ନିଜ ବସାକୁ ଉଡ଼ି ଉଡ଼ି ଯିବା ପାଇଁ ପ୍ରସ୍ତୁତ ।

 

ଆଖଡ଼ାଘରେ ଜୋରସୋରରେ ରିହାଲସେଲ ଚାଲିଥାଏ । ପିଲାଟି ନାଚ ଶିଖିନାହିଁ । କିନ୍ତୁ ଦେଖି ଦେଖି ସବୁ ନାଟଗୁଡ଼ିକ ଯେପରି ନିଜ ଦେହ ଭିତରେ ପିଇଯାଇଛି । ସବୁ ଦିନ ଆସେ-। ଏକ ଲୟରେ ସବୁ ନାଟୁଆମାନଙ୍କୁ ନାଚ ଶିଖିବାର ଦେଖେ । ମନରେ ଭାବିଲା ମୁଁ ବି’ତ ବେଶ୍‌ ନାଚି ପାରିବି । ମୁହଁସଞ୍ଜ ବେଳ । ରାଜବାଟୀ ପାଚେରି ପାଖ ଗୋଟିଏ ଅନ୍ଧାରୁଆ ଯାଗା ଠିକ୍‌ କଲା-। ନାଃ, କେହି କୁଆଡ଼େ ନାହାନ୍ତି । ଏତେବେଳେ ଟିକେ ନାଚିପକାଏ—ଭାବି, ପିଲାଟି ଯେମିତି ଦୁଇ ତିନିଟା ପଲ୍‌ଟା ମାରିଛି, ଢ଼ୋ’କରି ମୁଣ୍ତଟି ପାଚେରି କାନ୍ଥରେ ବାଡ଼େଇ ହୋଇଗଲା । ପିଲାଟି ତଳେ ପଡ଼ିଗଲା । ଚାରିଆଡ଼କୁ ଚାହିଁ ଦେଖିଲା କେହି କୁଆଡ଼େ ନାହାନ୍ତି । ମୁଣ୍ତ ଫାଟି ଯାଇଛି । ଧୀରେ ଧୀରେ ଉଠି ଧୂଳି ଝାଡ଼ିହୋଇ ପିଲାଟି ଦୌଡ଼ି ପଳାଇଲା ଓ ନିଜର ଦୁର୍ଦ୍ଦଶାରେ ହସି ପକାଇଲା । ନାଚିବାର ଏକ ପ୍ରବଳ ଆତ୍ମପ୍ରତ୍ୟୟ ସତେ ଯେପରି ପିଲାଟି ଭିତରେ ଜାଗି ଉଠୁଥିଲା-! ଦିନେ ଆଖଡ଼ାର ଗୁରୁ ରଘୁନାଥ ସିଂ ଚୌହାନ (କାନ୍ଦରାବାବୁ) ପିଲାଟିକୁ ଡ଼ାକି କହିଲେ ‘‘ତୁମେ ମୋ ପାଖକୁ ଆସ । ମୁଁ ତୁମକୁ ନାଟ ଶିଖାଇବି ।’’ ସେତେବେଳେ ପିଲାର ମନ ହେଉଥାଏ, ସେ ଯେପରି ସବୁ ନାଟଗୁଡ଼ାକ ନାଚି ପକାଇବ । କାନ୍ଦରା ବାବୁ କହିଲେ–‘ଛଉନାଟରେ ଦେହରେ ଶକ୍ତି ଦରକାର । ନାଚିବା ଆଗରୁ ଦେହକୁ ମଜଭୂତ କରି ଗଢ଼ିବାକୁ ହେବ । ଚଉକ, ଚାଲି, ଉଫଲି ଆଦି ଅଭ୍ୟାସ କରି ସାରିଲେ ଯାଇ ନାଟ ଆରମ୍ଭ କରାଯିବ’ । ଏସବୁ ଶିଖିବା ପୂର୍ବରୁ ସେ ଦଣ୍ତ, ବୈଠକ, ନୁଣଝୁଲି, ଗଜଦୁମ୍‌, ପେଟମାଦା ଇତ୍ୟାଦି ଦୈହିକ ବ୍ୟାୟାମଗୁଡ଼ିକ ଶିକ୍ଷାଦେଲେ । ତଥାପି ପିଲାଟିର ମନରେ ଶାନ୍ତି ନଥାଏ । ଭାବେ, ଆଉ କଣ ଅଧିକ ଶିଖନ୍ତା । ପରେ ଚନ୍ଦ୍ରମୋହନ ତରେଇ ଓସ୍ତାତଙ୍କ ପାଖକୁ ନାଟ ଶିଖିବାକୁଗଲା । ଚନ୍ଦ୍ରମୋହନ ତରେଇ ଦଣ୍ତୀ, ମହାଦେବ ଓ କୃଷ୍ଣ ପ୍ରଭୃତି ଲଳିତ ନାଟଗୁଡ଼ିକରେ ପାରଙ୍ଗମ ଥିଲେ । ତାଙ୍କ ପାଖରେ କିଛି ଦିନ ଏସବୁ ନାଟ ସେ ଶିଖିଲା । ତା ପରେ ମହମ୍ମଦ୍‌ ରାଜା ଖାଁ ବୋଲି ଜଣେ ଓସ୍ତାତ ପିଲାଟିକୁ ଡାକି ଶିକ୍ଷା ଦେଲେ । ତାଙ୍କଠାରୁ ମଧ୍ୟ ସେ ନୃତ୍ୟ କୌଶଳ ଆୟତ୍ତ କଲା ।

 

ପିତ ଶ୍ରୀ ବିଶ୍ୱେଶ୍ୱର ଭଞ୍ଜ ଛଉ ନାଟରେ ଜଣେ ପୁରୁଣା ଓସ୍ତାତ୍‌ ଥିଲେ । ପିଲାଟିର ପଢ଼ା ବନ୍ଦ ହେବା ଓ ଛଉନାଟ ଶିଖିବାରେ ସେ ବିଶେଷ ବିରକ୍ତ ହୋଇ ନଥିଲେ । କହିଲେ—‘ନାଟ ଶିଖୁଛି ଯଦି ଶିଖୁ ମନାନାହିଁ, ହେଲେ, ଓସ୍ତାତ ପାଖରେ ଶିଖୁ ।’ ସେତେବେଳେ ମୟୂରଭଞ୍ଜରେ ତିନିଜଣ ସବୁଠାରୁ ବଡ଼ ଓସ୍ତାତ୍‌ ଥିଲେ । ସୀତାରାମ ଦାସ, ଭବାନୀ ଜିତ୍‌ ଓ ବିଶ୍ୱେଶ୍ୱର ଭଞ୍ଜ ନିଜେ-। ମାତ୍ର ପିତା ପୁତ୍ରର ସମ୍ପର୍କ ହେତୁ କାଳେ ନାଚ ଶିଖିବାରେ ଅସୁବିଧା ହେବ, ସେ ପିଲାଟିକୁ ଭବାନୀ ଜିତ୍‌ଙ୍କ ପାଖକୁ ପଠାଇ ଦେଲେ । ୧୯୩୧ ସାଲଠାରୁ ଚନ୍ଦ୍ରଶେଖର ଭଞ୍ଜ ଭବାନୀ ବାବୁଙ୍କ ଠାରୁ ବିଧିବଦ୍ଧ ଭାବରେ ଛଉ ଶିଖିବାକୁ ଲାଗିଲେ ।

 

୧୯୩୧ ସାଲ ପୂର୍ବରୁ ଅବଶ୍ୟ ଚନ୍ଦ୍ରଶେଖର ଭଞ୍ଜ ଷ୍ଟେଜରେ ନାଚି ସାରିଥାଆନ୍ତି । ତାହା କିନ୍ତୁ ଗ୍ରୁପ୍‌ ନାଚ ଥିଲା । ୧୯୨୫ ସାଲରେ ବିନା ଶିକ୍ଷାରେ ସେ ଷ୍ଟେଜ୍‌ରେ ଗ୍ରୁପ୍‌ ନାଚରେ ନାଚିଥିଲେ । ୧୯୨୬ରେ ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କ ସମ୍ୱର୍ଦ୍ଧନା ପାଇଁ ରାଣୀ-ଅନ୍ତଃପୁର ଆଗରେ ସେ ଗଣେଶ୍ୱର ବିଶୋଇ, ଶ୍ୟାମଦାସ୍‌, ମୋହନ ମହାପାତ୍ର, ଅନନ୍ତଚରଣ ସାଇ, ନରେଶ ଭଞ୍ଜ, ସୁର ଦାସ ଓ ଜଗନ୍ନାଥ ମହାନ୍ତି ପ୍ରଭୃତି ନାଟୁଆମାନଙ୍କ ସଙ୍ଗରେ ନାଚିଥିଲେ । ନାଟଟି ଶିଖାଇଥିଲେ ମହମ୍ମଦ ରାଜା ଖାଁ । ୧୯୨୭ ସାଲରେ ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କର ଦେହାନ୍ତ ହେଲା । ପୂର୍ଣ୍ଣଚନ୍ଦ୍ରଙ୍କ ସମୟରେ କିଛିଦିନ ଛଉନାଟ ଧିମେଇ ଯାଇଥିଲା ।

 

କୌଣସି କାରଣରୁ ମହାରାଜା ଜଣେ ନାଟୁଆଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଛଉନୃତ୍ୟ ପ୍ରତି ବୀତସ୍ପୃତ ହୋଇ ପଡ଼ିଥିଲେ । ସେତେବେଳେ କାଳିବାବୁଙ୍କ ଥିଏଟର ପାର୍ଟି ପୂର୍ଣ୍ଣଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ଗଢ଼ିଉଠିଥାଏ । ଛଉ ଧିମେଇ ଯିବାରୁ ଚନ୍ଦ୍ରଶେଖର ଭଞ୍ଜ କାଳିବାବୁଙ୍କ ଥିଏଟର ପାର୍ଟିରେ ଯୋଗ ଦେଇ ଅଭିନୟ ଶିକ୍ଷା କଲେ । ସେ କହନ୍ତି—‘‘ଅନେକ ଦିନର କଥା ହେଲାଣି, ମୋର ଯାହା ମନେଅଛି, ଥିଏଟରରେ ମୁଁ କୃଷ୍ଣ-ସୁଦାମା ନାଟକରେ ସୁଦାମା ପାର୍ଟ ନେଇଥାଏ । ‘ଦୌଡ଼ିଆସ ଭାଇ ଦେଖ ଚନ୍ଦ୍ରମା ମୁଖ’ ବୋଲି ଗୀତଟିଏ ମୁଁ ଅଭିନୟରେ ଗାଇଥିଲି-। ସେ କଥା ଆଜି କିଛି କିଛି ମନେଅଛି ।’’ ତା’ପରେ କାଳିବାବୁଙ୍କର ଥିଏଟର ପାର୍ଟି ଭାଙ୍ଗିଗଲା ଓ ତାଙ୍କୁ ମୟୂରଭଞ୍ଜ ଛାଡ଼ିବାକୁ ପଡ଼ିଲା । କାଳିବାବୁ ‘ହାଲ୍‌ ଫେସନ’ ନାମକ ବହିଟିଏ ଲେଖିଥିଲେ । ହାଲ୍‌ ଫେସନ ବହିଟିର ଗୀତ ଗୁଡ଼ିକ ବ୍ୟଙ୍ଗାତ୍ମକ । ମହାରଜାଙ୍କୁ ସେଥିରେ ଥଟ୍ଟା-ନକଲ କରାଯାଇଛି ବୋଲି କେତେଜଣ ଆପତ୍ତି କଲେ । ଶେଷରେ କାଳିବାବୁଙ୍କୁ ମୟୂରଭଞ୍ଜ ଛାଡ଼ିବାକୁ ପଡ଼ିଲା । କାଳିବାବୁ ଏସବୁ କଥା ନିଜେ ତାଙ୍କ ଆତ୍ମଜୀବନୀ ‘କୁମ୍ଭାର ଚକ’ ବହିରେ ସ୍ପଷ୍ଟ ଲିପିବଦ୍ଧ କରି ଯାଇଅଛନ୍ତି । ହେଲେ, ସେ ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କର ଜ୍ଞାନ, ରାଜ୍ୟ ଶାସନରେ ଦକ୍ଷତା, ସତ୍ୟ ନିଷ୍ଠା ଓ କଳାନୁରାଗର ଭୁରି ଭୁରି ପ୍ରଶଂସା କରି ଯାଇଅଛନ୍ତି ।

 

ଥିଏଟରପାର୍ଟି ଭାଙ୍ଗିଯିବା ପରେ ଚନ୍ଦ୍ରଶେଖର ଭଞ୍ଜ ପୁଣି ଥରେ ବେକାର ହୋଇ ପଡ଼ିଲେ । ଚଇତ୍ରପର୍ବ ଦିନ ବିଧି ରକ୍ଷା କରିବା ପାଇଁ ଯାହା ନାଟ ହେଉଥିଲା । କିନ୍ତୁ ଆଖଡ଼ା ସବୁ ବନ୍ଦ ହୋଇ ଯାଇଥାଏ । ଯେ ନାଟୁଆ ସେ ନାଟ ତାମସା ଛାଡ଼ି ବଞ୍ଚିବ କିପରି ? ସେ ସମୟରେ ବାରିପଦାରେ ଢାକାର ଜଣେ ଶାଢ଼ୀ ବେପାରୀ ବଙ୍ଗଳା ଥିଏଟର ପାର୍ଟି ଗଢ଼ିଲା । ଶାଢ଼ୀ ବେପାରୀର ନାଁ ଫକୀରା । ସେ ହେଲା ଓସ୍ତାତ୍‌ । ବଙ୍ଗଳା ଭାଷାରେ ଥିଏଟର ଆରମ୍ଭ ହେଲା । ଚନ୍ଦ୍ରୁବାବୁ କହନ୍ତି ‘ମୁଁ ଶିଶୁ ଭୂମିକାରେ ଅଭିନୟ କରିଥିଲି—‘ସୋନା ଟୁପୁର ମାଥାଏ କରେ କର୍‍ତେ ଯାବ ବିୟେ ।’

 

ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କ ପରେ ପ୍ରତାପଚନ୍ଦ୍ର ଭଞ୍ଜ ରାଜା ହେଲେ । ପ୍ରତାପଚନ୍ଦ୍ର ଭଞ୍ଜ ଇଚ୍ଛାକଲେ ପୁଣି ଥରେ ଛଉର ଉନ୍ନତି କରିବାପାଇଁ । ସେ କଳାପ୍ରିୟ ଓ ପଣ୍ତିତ ଥିଲେ । ରଘୁନାଥ ସିଂ ଚୌହାନ୍‌ ମଧ୍ୟ ଦିନେ ଯାଇ ପ୍ରତାପଚନ୍ଦ୍ରଙ୍କ ପାଖରେ ଗୁହାରି କଲେ—‘‘ମୁଁ କେତେକ ଛଉ ପିଲାଙ୍କୁ ତିଆରି କରିଥିଲି । ଛଉ ଆଖଡ଼ାଗୁଡ଼ିକ ଭାଙ୍ଗି ଯିବାରୁ ସେମାନେ ଥିଏଟର କରୁଛନ୍ତି । ଆପଣ ଇଚ୍ଛାକଲେ ଆମର ଜାତୀୟ ନୃତ୍ୟର ଆଉ ଥରେ ପୁନରୁତ୍‌ଥାନ ହେବ ।’’ ମହାରାଜା ପ୍ରତାପଚନ୍ଦ୍ରଙ୍କ କାଳରେ ପୁଣି ଛଉ ଆଖଡ଼ା ଗୁଡ଼ିକ ଗଢ଼ିଉଠିଲା । ନିଜେ ମହାରାଜା ମଧ୍ୟ ଛଉନୃତ୍ୟର ଉନ୍ନତି ପାଇଁ ଯଥେଷ୍ଟ ସକ୍ରିୟ ଥିଲେ ।

 

ଇତ୍ୟବସରରେ ଗୁରୁ ଭବାନୀ ଜିତ୍‌ଙ୍କର ଦେହାନ୍ତ ହୋଇ ଗଲାଣି । ଯୋଗେନ୍ଦ୍ର କୁଅଁର ସମ୍ପର୍କୀୟ ଭାଇ ହେବେ । ତାଙ୍କୁ ଗୁରୁ କରି ଚନ୍ଦୁବାବୁ ପୁଣି ଥରେ ଉଫୁଲି ଟବ୍‌କାଗୁଡ଼ିକ ଭଲ ଭାବରେ ଶିକ୍ଷା କଲେ । ଛଉରେ ନାଚିବା ବଡ଼ କଥା ନୁହେଁ । ଉଫୁଲି ଟବ୍‌କାଗୁଡ଼ିକ ଅଭ୍ୟାସ କରିବା ପରେ ଚନ୍ଦ୍ରୁବାବୁଙ୍କୁ ଦକ୍ଷିଣ ସାହିର ଜଣେ ଭଲ ନାଟୁଆ ଭାବରେ ଗ୍ରହଣ କରାଗଲା । ତାପରେ ଆରମ୍ଭ ହେଲା ତାଙ୍କର କଳାକାରର ଜୀବନ । ବହୁ ବିଜ୍ଞ ପ୍ରବୀଣ ଗୁରୁଙ୍କ ପାଖରୁ ସେ ଯାହା ଶିଖିଥିଲେ, ତାର ପରିଚୟ ସେ ନିଜର କଳାକାର ଜୀବନରେ ଦେଲେ । କଠୋର ଅଧ୍ୟବସାୟ ଓ ନିଷ୍ଠାର ଉପଯୁକ୍ତ ମୁଲ୍ୟ ମିଳିଲା । ଏତେଦିନ ଧରି ବହୁ କଷ୍ଟ କରି ସେ ଯେଉଁ ଚାରା ଗଛଟିକୁ ପାଣି ସିଞ୍ଚି ସିଞ୍ଚି ବଢ଼ାଇ ଆଣିଲେ, ସେଥିରେ ଦିନେ ସୁନ୍ଦର ଫୁଲଟିଏ ଫୁଟିଲା ।

 

‘‘ଧାଁ ଦାଁ ଢେଦା ଢେନି

ଧାଁ ଦାଁ ଢେଦା ଢେନି

ଧାଁ ଧାଁ ଢେଦାଢ଼େନି ତାଢ଼ିନ୍‌ ତାଢ଼ିନ୍‌.... ।’’

 

ରଙ୍ଗପଣ୍ତା ନାଟର ତାଳେ ତାଳେ ଜଣେ ନୂଆ ନାଟୁଆ ନାଚୁଛି । ବାଦ୍ୟକାରମାନେ ଢୋଲ, ଧୁମ୍‌ସା ଆଦି ବଜାଇଚାରେ ମାତି ଉଠିଛନ୍ତି । ଆଖିରେ ପଲକ ପଡ଼ୁନି । ରଙ୍ଗପଣ୍ତା ବାଦ୍ୟର ତାଳେ ତାଳେ ନାଚି ଚାଲିଛି । କଳ୍ପିତ ଶତ୍ରୁମାନଙ୍କୁ ସେ କେତେବେଳେ ହାଣି ପକାଉଛି, କାଟି ପକାଉଛି । କେତେବେଳେ ହାରିଯାଇ ପଛ ଘୁଞ୍ଚା ଦେଉଛି ତ, ପୁଣି ସାହସ ବାନ୍ଧି ଆଗକୁ ମାଡ଼ି ଯାଉଛି । ତାର ବୀରତ୍ୱର ଆସ୍ଫାଳନରେ ଚତୁର୍ଦ୍ଦିଗ ପ୍ରକମ୍ପିତ । ହଣାକଟା, ଡିଆଁକୁଦା ଯୋଗୁଁ ପାଦତଳୁ ଧୂଳି ଉଠି ଚାରିଆଡ଼ ମେଘପରି ଘୋଟି ଯାଇଛି । ମନେହେଉଛି ଐରାବତ ହସ୍ତୀ ମଦମତ୍ତ ହୋଇ କୋମଳ ପଦ୍ମବନକୁ ଦଳି ପକାଉଛି । କିମ୍ୱା ବନ ଶୂକର ଗୋଟିଏ ଭୟଙ୍କର ରବ କରି ଦୌଡ଼ି ଯାଉଛି ଓ ଫେରିଆସୁଛି । କିମ୍ୱା ସମୁଦ୍ରରେ ପ୍ରବଳ ଝଡ଼ ଉଠିଛି, ନୌକାଟିର ପାଲ ଫୁଲି ଫୁଲି ଉଡ଼ି ଯାଉଛି କେଉଁ ଦୂର ଦିଗ୍‌ବଳୟକୁ, ପୁଣି ଘୁର୍ଣ୍ଣାବର୍ତ୍ତ ଘୁରି ଘୁରି ଭାଙ୍ଗିରୁଜି ଚୁରମାର ହୋଇ ଯାଉଛି ।

 

କିଏ ଏହି ବୀର ରଙ୍ଗପଣ୍ତା ? ୧୯୩୨ ସାଲ । ଚନ୍ଦ୍ରଶେଖର ଭଞ୍ଜ ପ୍ରଥମଥର ପାଇଁ ଷ୍ଟେଜ୍‌ରେ ରଙ୍ଗପଣ୍ତା ନାଚ ନାଚିଲେ । ପୂର୍ବରୁ ଯେ ରଙ୍ଗପଣ୍ତା ନାଚୁଥିଲେ, ସେ ଏହି ନୂଆ ନାଟୁଆଙ୍କ ଠାରୁ ପରାସ୍ତ ହୋଇ ରଙ୍ଗପଣ୍ତା ନାଚିବା ଛାଡ଼ିଦେଲେ । ସେହିଦିନଠାରୁ ରଙ୍ଗପଣ୍ତା କହିଲେ ଚନ୍ଦ୍ରଶେଖର ଭଞ୍ଜଙ୍କୁହିଁ ବୁଝାଏ । ସେ ଏହି ନାଚଟିରେ ଗୁରୁମାନଙ୍କ ଠାରୁ ଯାହା ଶିଖିଥାଏ, ତାହା ସହିତ ନିଜର ସ୍ୱତନ୍ତ୍ର ନୃତ୍ୟ କୌଶଳ ଓ ଅଭିନୟ ପ୍ରୟୋଗ କରିଥିବାରୁ ନାଚଟି ଅଦ୍ୱିତୀୟ ହୋଇଥିଲା । ଉପଦେଷ୍ଟା ଥିଲେ ମାମୁଁ କିଚକେଶ୍ୱରୀ ଭଞ୍ଜ । ସେ କାଳରେ ଛଉର ତାଳ ବାନ୍ଧୁଥିଲେ ଗୁରୁ ମାହେନ୍ଦ୍ରୀ ଧଡ଼ା । ଜାତିରେ ହରିଜନ, କିନ୍ତୁ ଅଧିକାଂଶ ଛଉନୃତ୍ୟର ତାଳ ସେ ବାନ୍ଧିଛନ୍ତି । ଛଉ ନୃତ୍ୟର ଜଣେ ବିଶିଷ୍ଟ କଳାକାର ଓ ଗୁରୁଭାବରେ ସେ ଚିରସ୍ମରଣୀୟ ହୋଇ ରହିବେ । ରଙ୍ଗପଣ୍ତା ନୃତ୍ୟଟିରେ ହାଣିବା, କାଟିବାର ସୂକ୍ଷ୍ମ କୌଶଳଗୁଡ଼ିକ ମାହେନ୍ଦୀଙ୍କ ଠାରୁ ଉପଦେଶ ପାଇଥିଲେ । ସେହିଦିନଠାରୁ ରଙ୍ଗପଣ୍ତା ନାଟରେ ଚନ୍ଦ୍ରଶେଖର ଭଞ୍ଜ ଅଦ୍ୱିତୀୟ ହୋଇ ଆସିଛନ୍ତି । ରଙ୍ଗପଣ୍ତା ହେଉଛି । ଆସର ଉପରେ ତାଙ୍କର ପ୍ରଥମ ଏକକ ନୃତ୍ୟ । ଦ୍ୱିତୀୟ ବର୍ଷ ସେ ଜମ୍ୱେବ, ରଙ୍ଗପଣ୍ତା ଓ ଋତୁରାଜ—ଏହି ତିନୋଟି ନାଟ ତିନି ରାତିରେ ନାଚିଥିଲେ । ତୃତୀୟ ବର୍ଷ ପୁଣି ସେ କୁମ୍ଭକର୍ଣ୍ଣ ନାଚିଲେ । ଅଳ୍ପ କିଛିଦିନ ଭିତରେ ନାଟୁଆମାନଙ୍କ ଭିତରେ ସେ ପ୍ରଥମ ଶ୍ରେଣୀର ବୋଲି ଗଣ୍ୟ ହେଲେ ।

 

ଥରେ ଦକ୍ଷିଣ ସାହିରେ ‘ଦ୍ୱାପରଲୀଳା’ ନାମକ ଏକ ନୂଆ ନାଟ ହେବାର ସ୍ଥିର ହେଲା । ଦ୍ୱାପରଲୀଳାରେ କୃଷ୍ଣ ଗୋପୀମାନଙ୍କ ସଙ୍ଗେ ବିହାର କରୁଥାନ୍ତି । ଗଛରେ ବସିଥିବା ମାଙ୍କଡ଼ମାନଙ୍କୁ ଦେଖି ଗୋପୀମାନଙ୍କ ମନରେ କୌତୁହଳ ଜାତ ହେଲା । ‘ତ୍ରେତୟା ଯୁଗରେ ଭଗବାନ୍‌ କିପରି ରାମରୂପରେ ମାଙ୍କଡ଼ମାନଙ୍କ ସହ ଲୀଳା କରିଥିଲେ ଗୋପୀମାନେ ଦେଖିବାକୁ ଇଚ୍ଛାକଲେ । ତାପରେ ଆରମ୍ଭହେଲା ନୃତ୍ୟର ବିଷୟବସ୍ତୁ । ଏ ନାଟଟି ମାଙ୍କଡ଼ମାନଙ୍କ ଉପରେ ହିଁ ଆଧାରିତ ଥିଲା । ମାଙ୍କଡ଼ ବିଷୟବସ୍ତୁ ନେଇ ନୃତ୍ୟରେ ନୂଆ କଣ କରାଯାଇପାରିବ ଚନ୍ଦ୍ରୁବାବୁ ଚିନ୍ତା କରୁଥାନ୍ତି । କାରଣ ପୂର୍ବରୁ ମାଙ୍କଡ଼ ସମ୍ୱନ୍ଧୀୟ ନୃତ୍ୟ ଛଉରେ ଥିଲା । ଶିମିଳିପାଳର ଜଙ୍ଗଲ ଭିତରେ ମାଙ୍କଡ଼ିଆ ନାମକ ଏକ ଜାତିର ଆଦିମ ଅଧିବାସୀ ରହନ୍ତି । ସେମାନେ ମାଙ୍କଡ଼ ମାଂସ ଖାଆନ୍ତି ଓ ମାଙ୍କଡ଼ ପରି ଜୀବନ ଧାରଣ କରନ୍ତି । ସେମାନଙ୍କର ଗତି, ବିଧି, ଚାହାଣୀ ଅବିକଳ ମାଙ୍କଡ଼ମାନଙ୍କ ପରି । ଥରେ ଚନ୍ଦ୍ରୁବାବୁ ଶିମିଳିପାଳରେ କେତେକ ମାଙ୍କଡ଼ିଆ ସ୍ତ୍ରୀଲୋକଙ୍କୁ ଭେଟିଲେ । ସେମାନେ ମାଙ୍କଡ଼ ମାଂସ ଖାଉଥାଆନ୍ତି । ତରକାରୀରେ ତାଙ୍କର ମାଙ୍କଡ଼ ମୁଣ୍ତ ପଡ଼ିଥାଏ । ଚନ୍ଦ୍ରୁବାବୁ ଲୁଚି ଲୁଚି ସବୁ ଦେଖୁଥାନ୍ତି । ସେମାନଙ୍କ ନିକଟରେ କିଛିଦିନ ରହି ତାଙ୍କର ଗତିବିଧି ସବୁ ଅନୁକରଣ କରି ସେ ଘରକୁ ଫେରିଆସିଲେ ।

 

ବାରିପଦା ଭୈରବଥାନାଠାରେ ଦିନେ ଆଖ୍‍ଡ଼ା ଚାଲିଥାଏ । ଠିକ୍‌ ନାଟ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରୁବାବୁ ଗୋଟିଏ ଅନୁଚ୍ଚ ଗଛ ଡ଼ାଳରେ ମାଙ୍କଡ଼ପରି ବସିଥାନ୍ତି । ସେଦିନ ନାଟ ଦେଖିବା ପାଇଁ ରାଜଜେମା ଆସିଥାନ୍ତି । ଜେମା ଛୋଟ ପିଲା ଥିଲେ । ହଠାତ୍‌ ଗଛ ଉପରେ ଚନ୍ଦ୍ରୁବାବୁଙ୍କୁ ଦେଖି ‘ବନ୍ଦର୍‌’ ‘ବନ୍ଦର୍‌’ ବୋଲି ପାଟି କରି ଉଠିଲେ । ଚନ୍ଦ୍ରୁବାବୁ ମଧ୍ୟ ମାଙ୍କଡ଼ ପରି ରଡ଼ିକରି ତଳକୁ ଡିଆଁଟିଏ ମାରି ନାଟ ଆରମ୍ଭ କରିଦେଲେ । ଜେମା ଭୟରେ ଚିତ୍କାର କରି ତାଙ୍କ ପାଖରେ ଥିବା ଜଗୁଆଳିକୁ କୁଣ୍ଢାଇ ଧରିଲେ । ଚନ୍ଦ୍ରୁବାବୁ ମନେ ମନେ ଭାବିଲେ, ତାଙ୍କ ଅଭିନୟ ସଫଳ ହୋଇଛି-। ସେବର୍ଷ ‘ଦ୍ୱାପରଲୀଳା’ ନାଟରେ ଚନ୍ଦ୍ରୁବାବୁଙ୍କର ମାଙ୍କଡ଼ ଭୂମିକାରେ ନୃତ୍ୟ ଅପୂର୍ବ ସଫଳତା ଲାଭକଲା ।’

 

ଆଉ ଥରକର କଥା । ‘ଜାମ୍ୱେବ’ (ଜାମ୍ୱୁବାନ୍‌) ନାଟରେ ଭାଲୁର ଭୂମିକାରେ ନାଚିବାକୁ ହୁଏ । ଚନ୍ଦ୍ରୁବାବୁ ଜାମ୍ୱେବ୍‌ ନାଚୁଥିଲେ । ମାତ୍ର ସେବର୍ଷ ଉତ୍ତରସାହି ‘ଜମ୍ୱେବ’ ନାଟରେ ବିଜୟୀ ହେଲେ । ଚନ୍ଦ୍ରୁବାବୁ ଠିକ୍‌କଲେ ପରବର୍ଷ ସେ ନିଜେ ଜାମ୍ୱେବ ନାଚି ତାଙ୍କର ଜଣେ ଶିଷ୍ୟକୁ ଶିଖାଇ ବିଜୟୀ କରାଇବେ । ମନରେ ତାଙ୍କର ସବୁବେଳେ ଚିନ୍ତା କିପରି ସେ ନିଜର ପ୍ରତିଜ୍ଞା ପୂରଣ କରିବେ । ଥରେ ସେ ‘ତିତିରି’ ପକ୍ଷୀ ଶିକାର କରିବା ପାଇଁ ବଣକୁ ଯାଇଥିଲେ । ଗୋଟିଏ ପଥରହୁଡ଼ି ଦେଖି ତା ପାଖରେ ସେ ଫାଶ ବସାଇ ଲୁଚି ବସିଲେ । ପୋଷା ତିତିରି ପକ୍ଷୀଟିକୁ ମଧ୍ୟ ଛାଡ଼ି ଦେଇଥାନ୍ତି । ପୋଷା ଚଢ଼େଇଟିର ଡାକରେ ପଲ ପଲ ତିତିର ପକ୍ଷୀରବ କରି ଆସିବାକୁ ଲାଗିଲେ । ନିଶୁନ ଜଙ୍ଗଲଟି ତିତିରିମାନଙ୍କ ରାବରେ ଭରିଉଠିଲା । ଚନ୍ଦ୍ରୁବାବୁ ମନେ ମନେ ଖୁସି ହୋଇ ଅପେକ୍ଷା କରି ବସିଥାନ୍ତି । ହଠାତ୍‌ କୁଆଡ଼ୁ କିଛିନାହିଁ, ଚଢେଇ ଗୁଡ଼ାକ ଚୁପ୍‌ ହୋଇଗଲେ, ଆଉ ଦେହକୁ ଜାକିଜୁକି ଧୀରେ ଧୀରେ ପଳାଇବାକୁ ଲାଗିଲେ । ପୋଷା ତିତିରି ପକ୍ଷୀଟି ମଧ୍ୟ ଭୟରେ ଆଖି ବୁଜି ପକାଉଥାଏ । ମୁହୂର୍ତ୍ତକ ଭିତରେ ସବୁ ନିଶୂନ ହୋଇଗଲା । ଚାରିଆଡ଼କୁ ଚାହିଁ ସେ ଦେଖିଲେ କେହି କୁଆଡ଼େ ନାହିଁ । ହଠାତ୍‌ ଗଛ ଉହାଡ଼ରୁ ସଡ଼୍‍ସାଡ଼୍‌ ଶବ୍ଦ ଶୁଣାଗଲା । ଦେଖିଲାବେଳକୁ ଦୁଇଟି ବଡ଼ ବଡ଼ ଭାଲୁ । ପୋଷା ଚଢ଼େଇଟିକୁ ଓ ଫାଶଟିକୁ ଧୀରେ ଟାଣି ଆଣି ଚନ୍ଦ୍ରୁବାବୁ ଚୁପ୍‌ ଚୁପ୍‌ ପ୍ରାଣ ବିକଳରେ ହୁଡ଼ି ପଛରେ ଆରମ୍ଭ କରିଦେଲେ । ପାଖ ଚାରକୋଳି ଗଛଟିରେ ପେନ୍ଥା ପେନ୍ଥା ଚାରକୋଳି ଲଦି ହୋଇଥାଏ । ଭାଲୁ ଯୋଡ଼ିକ ଗଛକୁ ଉଠି ଡାଳ ଝାଡ଼ି କୋଳି ଖାଇବାରେ ଲାଗିଲେ । ଏଣେ ଚନ୍ଦ୍ରୁବାବୁ ଜୀବନ ବିକଳରେ ପଳାଇବେ କଣ ନା, ସବୁକିଛି ଭୁଲିଯାଇ ଭାଲୁ ଦୁଇଟିର ଖେଳ କୌତୁକ ଦେଖିବାରେ ଲାଗିଲେ । ମନେ ମନେ ସେଗୁଡ଼ିକ ଅନୁକରଣ କରି ଘରକୁ ଫେରିଆସିଲେ । ଶିଷ୍ୟ ଶମ୍ଭୁନାଥ ଜେନାଙ୍କୁ ନିଜେ ଶିଖି ଆସିଥିବା ଭାଲୁର ଅଭିନୟ ଶିଖାଇଲେ । କାଣ୍ତଶରକୁ ଗଛ କରି ତହିଁରେ ଉଠିବାର ଓ ଡ଼ାଳ ଝାଡ଼ି କୋଳି ଖାଇବାର ଅଭିନୟ ମଧ୍ୟ ଶିଖାଇଲେ । ସେବର୍ଷ ଶମ୍ଭୁନାଥ ଜେନା ‘ଜମ୍ୱେବ’ ନାଟରେ ଜୀବନ୍ତ ଅଭିନୟ କରି ପୁରୀ ରାଜାଙ୍କ ଠାରୁ ‘ସ୍ୱର୍ଣ୍ଣପଦକ’ ପାଇଲେ । ଗୁରୁଚନ୍ଦ୍ରଶେଖର ଭଞ୍ଜଙ୍କର ପଣ ରକ୍ଷା ହେଲା ।

 

ଏସବୁ ପରେ ଚନ୍ଦ୍ରଶେଖର ଭଞ୍ଜ ଅତିଶୀଘ୍ର ଜଣେ ବିଶିଷ୍ଟ ନାଟୁଆ ଭାବରେ ପରିଗଣିତ ହେଲେ । ତାଙ୍କର ନୃତ୍ୟ-କୁଶଳତା ଯୋଗୁ ତାଙ୍କୁ ଏସିଷ୍ଟେଣ୍ଟ ଓସ୍ତାତ୍‌ ମଧ୍ୟ କରି ଦିଆଯାଇଥିଲା । ଅତି ଅଳ୍ପ ବୟସରେ ସେ ନିଜର ଗୁରୁମାନଙ୍କର ସହଯୋଗୀ ଭାବରେ କାମକଲେ । ପୂର୍ବରୁ ଶବରଟୋକା ବୋଲି ଗୋଟିଏ ନାଚ ଥିଲା । ଶବର ଟୋକା କିପରି ଜଙ୍ଗଲ ଯାଇ, ବାଘ ମାରି ଘରକୁ ଆନନ୍ଦରେ ଫେରିଛି—ଏ ହେଲା ତା’ର ବିଷୟ । ଚନ୍ଦ୍ରୁବାବୁ ‘ବଗାଳିଆ ଟୋକା’ ନାମକ ଏକ ନୂଆ ନାଟ ତିଆରି କଲେ । ବଗାଳିଆ ଟୋକାଟି କିପରି ଗାଈ ଚରେଇବାକୁ ଯାଇଛି, ପୁଣି କେତେବେଳେ ଅଠାକାଠି ଦ୍ୱାରା ଚଡ଼େଇ ଧରୁଛି, ପୁଣି ନିର୍ଜନ ବେଳାରେ କିପରି ବଂଶୀ ଫୁଙ୍କୁଛି—ଏ ହେଲା ନାଟର ବିଷୟ ବସ୍ତୁ । ବଗାଳିଆ ଟୋକା ନାଟଟି ଉଚ୍ଚ ପ୍ରଶଂସିତ ହେଲା । ପରେ ଚନ୍ଦ୍ର ବାବୁ, ଛଉର ଜଣେ ମୁଖ୍ୟ ଓସ୍ତାତ୍‌ ଭାବରେ ମଧ୍ୟ ଶିକ୍ଷା ଦେଲେ । ‘ଧ୍ୱଜାତାଳ’, ‘ନିଶିଥ ମିଳନ’ ପ୍ରଭୃତି ନାଟ ଓ ଅନ୍ୟାନ୍ୟ ବହୁ ନାଟ ତିଆରି କରିବାରେ ସେ ମୁଖ୍ୟ ଅଂଶ ଗ୍ରହଣ କରୁଥିଲେ । ‘War Dance’ରେ ସର୍ବଦା ମୁଖ୍ୟ ନାୟକ ଭାବରେ ରହି ଯୁଦ୍ଧ ପରିଚାଳନା କରୁଥିଲେ । ଶାସ୍ତ୍ରୀୟ ନୃତ୍ୟରେ ଯେପରି ତାଣ୍ତବ ଓ ଲାସ୍ୟ, ଦୁଇ ପ୍ରକାର Aesthetic Mood ରହିଛି, ଛଉରେ ସେହିପରି ‘କଲିଭଙ୍ଗା’, ‘କଲିକଟା’, ‘ହତିଆରଧର’ ଏ ତିନିଗୋଟି ଭାବ ଅଛି । ‘କଲି’ ଶଦ୍ଧର ଅର୍ଥ ‘ମୁକୁଳ’ । ‘କଲିଭଙ୍ଗା’ର ଅର୍ଥ ମୁକୁଳଟିକୁ ଭାଙ୍ଗିଦେବା । ଏହା କୋମଳ ପ୍ରକୃତିର, ତେଣୁ ଲାସ୍ୟ ଶ୍ରେଣୀର ଅନ୍ତର୍ଗତ । ‘କଲିକଟା’ର ଅର୍ଥ କଲିଟିକୁକାଟିବା । ତେଣୁ ଏହା ଅପେକ୍ଷାକୃତ କଡ଼ା ଧରଣର ନାଚ । ମାତ୍ର ‘ହତିଆରଧରା’ ହେଉଛି ସବୁଠାରୁ କଡ଼ା; ତେଣୁ ତାଣ୍ତବ ଶ୍ରେଣୀର ନୃତ୍ୟ । ଛଉରେ ‘ହତିଆରଧରା’ ଅଂଶଗୁଡ଼ିକରେ ଚନ୍ଦ୍ରୁବାବୁ ଶ୍ରେଷ୍ଠ ଥିଲେ । ଆଜିଯାଏଁ ହତିଆରଧରାରେ ଚନ୍ଦ୍ରୁବାବୁହିଁ ଶ୍ରେଷ୍ଠ ନାଟୁଆ ଭାବରେ ପରିଗଣିତ ହୋଇ ଆସିଛନ୍ତି । ଛଉରେ ଛଅ (୬) ପ୍ରକାର ଚାଲି ଓ ୩୬ (ଛତିଶ) ପ୍ରକାର ଉଫୁଲି ଅଛି । ଏହି ଚାଲି ଓ ଉଫୁଲିଗୁଡ଼ିକ ସେ କଠୋର ସାଧନା ଦ୍ୱାରା ସମ୍ପୂର୍ଣ୍ଣରୂପେ ଆୟତ୍ତ କରି ପାରିଛନ୍ତି । ଚନ୍ଦ୍ରୁବାବୁଙ୍କର ବିଶେଷତ୍ୱ ହେଲା ନାଚିଲାବେଳେ ସେ ସମ୍ପୂର୍ଣ୍ଣ ନାଟଟିକୁ ୩ କିମ୍ବା ୩୪ ଫୁଟ ଉଚ୍ଚତା ଭିତରେହିଁ ନାଚି ଥାଆନ୍ତି । ଅଭିନୟରେ ମଧ୍ୟ ସେ ମୟୂରଭଞ୍ଜ ଛଉରେ ଶ୍ରେଷ୍ଠ । କାରଣ ବହୁ ସମୟରେ ରାଜାଙ୍କ ସହିତ ଶିକାରରେ ଯୋଗଦେଇ ଜୀବଜନ୍ତୁମାନଙ୍କୁ ଅନୁକରଣ କରିବାର ସୁଯୋଗ ପାଇଥିଲେ ।

 

୧୯୪୭ ମସିହା ପରେ ମହାରାଜା ପ୍ରତାପଚନ୍ଦ୍ର ରାଜ୍ୟ ଛାଡ଼ିଲେ । ପୃଷ୍ଠ–ପୋଷକତା ଅଭାବରୁ ଛୁଉ ଧୀରେ ଧୀରେ ପୂର୍ବ ଗୌରବ ହରାଇଲା । ଦେଶ ସ୍ୱାଧୀନ ହେବା ପରେ ନାଟୁଆମାନେ ନାଚିବାର ବା ନାଚ ଦେଖାଇବାର ଅବକାଶ ପାଇେଲେ ନାହିଁ । ମାତ୍ର ଯେତେବେଳେ ମୟୂରଭଞ୍ଜ ଛଉ ବାହାରେ ପ୍ରଦର୍ଶିତ ହୋଇଛି, ଚନ୍ଦ୍ରଶେଖର ଭଞ୍ଜ ସେଥିରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଅଥବା ନିଜଦଳକୁ ବିଜୟୀ କରିବାରେ ସହାୟତା କରିଛନ୍ତି । ୧୯୫୫ ସାଲରେ ବାରାବାଟୀ ଷ୍ଟାଡ଼ିୟମ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେ ସିଲ୍‌ଡ଼ ଓ କପ୍‌ ହାସଲ କରିଛନ୍ତି । କଲିକତାରେ ମଧ୍ୟ ଓଡ଼ିଆ କନ୍‌ଫରେନ୍‌ସରେ ଛଉ ନାଚି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପୁରୀରେ ରାଜଗୋପାଳାଚାରୀ ତାଙ୍କର ନୃତ୍ୟ ଦେଖି ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ-। ଭୁବନେଶ୍ୱର ଜାତୀୟ ଉତ୍ସବମାନଙ୍କରେ ସେ ବହୁବାର ନୃତ୍ୟ ଦେଖାଇଛନ୍ତି । ଛଉର ସମସ୍ତ ସେମିନାରଗୁଡ଼ିକରେ ସେ ଯୋଗଦେଇ ଆଲୋଚନା ଓ Demonstration ରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ।

 

ଚନ୍ଦ୍ରଶେଖର ନିଜର ନାଟୁଆ ଜୀବନରେ ରଙ୍ଗପଣ୍ତା, ରାମଶୋକ, ଜମ୍ୱେବ, ବଗାଳଟୋକା, ହରଗୌରୀ, ବରାହ ବାଲ୍‌କିଶନ୍‌, ଋତୁରାଜ, ଜୋକର୍‌, କୁମ୍ଭକର୍ଣ୍ଣ ପ୍ରଭୃତି ଦଶଗୋଟି ସୋଲୋନାଚ ଓ ରସଲତା, ଜୟପୁର ବଜାର, କିରାତଅର୍ଜ୍ଜୁନ, ରାହାସ, War dance, ରଙ୍ଗି ଆକୃଷ୍ଣ, ଓଡ଼ିଆ ପ୍ରଭୃତି ବହୁତ, ଗ୍ରୁପ୍‌ ନାଚରେ ସେ ନାଚିଛନ୍ତି । ଆଜି ତାଙ୍କର ଜୀବନ କାହାଣୀ ଭିତରେ ଛଉ ନାଚର ଇତିହାସ ଗୁମ୍ଫିତ ହୋଇ ରହିଛି । ଛଉ ନୃତ୍ୟର ବହୁ ଉତ୍‌ଥାନପତନ, ଭଙ୍ଗାଗଢ଼ା, ସୃଷ୍ଟି ଓ କ୍ଷୟକୁ ସେ ଅଙ୍ଗେ ନିଭେଇଛନ୍ତି । ‘ଛଉ’ ନୃତ୍ୟ ଭିତରେ ସେ ବଡ଼ ହୋଇଛନ୍ତି, ଛଉକୁ ମଧ୍ୟ ସେ ବଡ଼ କରାଇଛନ୍ତି । ଛଉ ସମ୍ୱନ୍ଧରେ ବହୁ ପୁରୁଣା କଥା ଆଜି ବି ତାଙ୍କ ମୁହଁରୁ ଶୁଣିବାକୁ ମିଳେ । ଜଣେ ବହୁ ପୁରୁଣା ଓସ୍ତାତ୍‌ ଭାବରେ ଚନ୍ଦ୍ରୁବାବୁଙ୍କର ଦାନ ଓଡ଼ିଶାର ଛଉ ନୃତ୍ୟ ଇତିହାସରେ ଉଲ୍ଲେଖଯୋଗ୍ୟ ।

 

ମୟୂରଭଞ୍ଜର ଛଉନାଟ ଅତି ପ୍ରାଚୀନ । ରାଜା ମହାରାଜାମାନେ ଏନାଟକୁ ଗ୍ରାମ୍ୟ ସ୍ତରରୁ ଆଣି ଏହାର ବହୁ ଉନ୍ନତି କରାଇଛନ୍ତି । ମୟୂରଭଞ୍ଜ ପରି ଷଢ଼େଇକଳା ଓ ପୁରୁଲିଆରେ ମଧ୍ୟ ଛଉନାଟ ହୁଏ । ଏହି ତିନୋଟି ରାଜ୍ୟ ବହୁ ପୂର୍ବରୁ ଓଡ଼ିଶାରେ ଥିଲା । ଷଢ଼େଇକଳା ଏବେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଛି । ଷଢ଼େଇକଳା ର ଛଉନୃତ୍ୟ ମଧ୍ୟ ରାଜାମହାରାଜାମାନଙ୍କ ଦ୍ୱାରା ଖୁବ୍‌ ଉଚ୍ଚ ସ୍ତରକୁ ଆସି ପାରିଥିଲା । ମୟୂରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଷଢ଼େଇକଳା ଛଉର ନାମ ଶୁଣି ଗୁପ୍ତ ଭାବରେ ଷଢ଼େଇକଳା ଯାଇ ନାଚ ଦେଖୁଥିଲେ । ସେ ସଙ୍ଗରେ ଷଢ଼େଇକଳାରୁ ବନମାଳୀ ଦାସ, ଉପେନ୍ଦ୍ର ବିଶ୍ୱାଳ ଏହି ଦୁଇ ଜଣ ଗୁରୁଙ୍କୁ ଆଣି ସେମାନଙ୍କୁ ମୟୂରଭଞ୍ଜରେ ଲଖରାଜି ଦେଇ ରଖାଇ ଥିଲେ । ଗୁରୁ ଚନ୍ଦ୍ରଶେଖର ଭଞ୍ଜଙ୍କର ପିତାମହ ସାରଙ୍ଗଧର ଭଞ୍ଜ ଯଦୁନାଥ ଭଞ୍ଜଙ୍କ ଶାସନ କାଳରେ ଜଣେ ପ୍ରସିଦ୍ଧ ଛଉ ନାଟୁଆ ଥିଲେ । ମୟୂରଭଞ୍ଜର ରାଜାମାନେ ନିଜର ନୃତ୍ୟ ଶୈଳୀକୁ ଅକ୍ଷୁଣ୍‍ଣ ରଖି ଯେଉଁଠାରୁ ଯାହା ଭଲ ଜିନିଷ ପାଉଥିଲେ, ତାହା ଆଣି ପ୍ରୟୋଗ କରୁଥିଲେ ।

 

ଏପରିକି, ପରବର୍ତ୍ତୀ କାଳରେ ଜଣେ କଥାକଲିର ଗୁରୁ ମଧ୍ୟ ଛଉନାଟୁଆଙ୍କୁ କେତେକ ବିଶେଷ ମୁଦା ଓ ଭଙ୍ଗୀ ଶିକ୍ଷା ଦେବ ପାଇଁ ଆସିଥିଲେ । ୟୁରୋପର ବିଭିନ୍ନ ନୃତ୍ୟ ସମ୍ପ୍ରଦାୟରୂ ନୃତ୍ୟ ଭଙ୍ଗୀମାନ ଆଣି ଛଉରେ ପ୍ରୟୋଗ କରାଯାଇଥିଲା । ସ୍ଥଳବିଶେଷରେ, ଇଂଲିଶ Music ଓ ବାଦ୍ୟଯନ୍ତ୍ରର ମଧ୍ୟ ବ୍ୟବହାର କରାଯାଉଥିଲା । ବାରିପଦାରେ ରଜନୀକାନ୍ତ ପାଳ ଓ କାର୍ତ୍ତିକେଶ୍ୱର ପାଳ ନାମରେ ଦୁଇ ଭାଇ ବେଣ୍ତ ମାଷ୍ଟର (Band Master) ଭାବରେ ନିଯୁକ୍ତ ଥିଲେ । ସେମାନେ ମଧ୍ୟ ଛଉର ସଙ୍ଗୀତରେ ଅଂଶ ଗ୍ରହଣ କରୁଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଦେବଙ୍କ ସମୟରେ ଯଦୁ ରାୟ ନାମକ ଜଣେ ଭାରତ ପ୍ରସିଦ୍ଧ ଧ୍ରୁପଦ ଓ ଧାମାରିଆନ ମୟୂରଭଞ୍ଜରେ ନିଯୁକ୍ତ ଥିଲେ । ସେ ମଧ୍ୟ ଛଉର ଅନେକ ସ୍ୱର ଓ ତାଳ ସୃଷ୍ଟି କରିଛନ୍ତି । ଯାହା ଗ୍ରହଣୀୟ, ତାହା ଗ୍ରହଣ କରି ନୃତ୍ୟ କଳାର ଉନ୍ନତି କରାଇବା ରାଜାମାନଙ୍କର ଲକ୍ଷ୍ୟ ଥିଲା । ମୟୂରଭଞ୍ଜରେ ଝୁମର ଓ କୀର୍ତ୍ତନର ଚାଲ୍‌ ବେଶି । ଛଉର ଅଧିକାଂଶ ସ୍ୱରରେ ଝୁମର ଓ କୀର୍ତ୍ତନର ସ୍ୱର ରହିଛି । ସେତେବେଳେ ମୟୂରଭଞ୍ଜରେ ଉଜ୍ଜଳ ଦାସ ଓ ଅଭୟ ଦାସ ନାମକ ଦୁଇଜଣ ବଡ଼ କୀର୍ତ୍ତନିଆ ଆସି ରହିଥିଲେ । ଏହିପରି ଭାବରେ ମୟୂରଭଞ୍ଜର ରାଜା ମହାରାଜାମାନେ ବହୁ ପରୀକ୍ଷା ନିରୀକ୍ଷା କରି ଛଉର ବିକାଶ କରାଇ ଥିଲେ । ଷଢ଼େଇକଳା ଓ ପୁରୁଲିଆର ଛଉ ଅପେକ୍ଷା ମୟୂରଭଞ୍ଜର ଛଉ ବୀରତ୍ୱବ୍ୟଞ୍ଜକ ଓ ଭାବପୂର୍ଣ୍ଣ । ଷଢ଼େଇକଳା ଗୁରୁମାନଙ୍କର ଭଲ ନାଟଗୁଡ଼ିକ ଗ୍ରହଣ କରାଯାଇଥିଲା । କିନ୍ତୁ ସେମାନଙ୍କର ଅଧିକାଂଶ ନାଟ ମୟୂରଭଞ୍ଜରେ ଆଦୃତ ହୋଇପାରି ନଥିଲା-। ଗୁରୁ ଚନ୍ଦ୍ରଶେଖର ଭଞ୍ଜ କହନ୍ତି—‘‘ଷଢ଼େଇକଳାରୁ ଆସିଥିବା କେତେଗୁଡ଼ିଏ ନାଚ, ସ୍ୱର ଓ ତାଳ ମୟୂରଭଞ୍ଜରେ ଚାଲିଲା ନାହିଁ । ଯଥା— ଠୁଳି-ଜଙ୍ଗ୍‌ ବୋଲି ଗୋଟିଏ ନାଟ ମୟୂରଭଞ୍ଜରେ ଅଳ୍ପ କିଛି ଦିନ ହୋଇଥିଲା, ପରେ ବନ୍ଦ ହୋଇଗଲା ।’’

 

‘ତୁଲ ତୁଲ ବାଜେରେ ଷଢ଼େଇକଳାର ଢୋଲଟା

ଢୁଲଟା ଶୁନିଲେ ମନଟା ମାନେଇ ସୁଖେଯାବେ ଦିନ୍‌ଟା

ଦେଖିଯିବି ବୋଲି ଗୋ ମୁଁ ସାଜି ଅଛି ଗୋ

ନ ଛାଡ଼ି ଦେଲେ ମୁଁ ଗୋ ମରିଯିବି ଗୋ ।

X X X

‘ଗଙ୍ଗାଧରର ମାଆରେ ବାଇନଧରର ମାଆରେ

ପକିଟି ଫଡ଼ିଙ୍ଗ୍‌ଟି ବାଛି ବାଛି ଖାଆରେ’

‘ତିତିଗ୍‌ ତିତିଗ୍‌ ତିକତା

ତାଗଢ଼େଳା ଢ଼େନ୍‌ ଢେଡ଼େନ୍ଦା ଢେନ୍ଦା ତେନ୍‌ ଖିଟକ୍‌ ତା

ଦାତେନ୍‌ ଢେଙ୍ଗଦା ଧିନିକତା ।।’

 

ଏସବୁ ନାଟ, ସ୍ୱର ଓ ତାଳଗୁଡ଼ିକ ମୟୂରଭଞ୍ଜରେ ଲୋକେ ଆଦର କଲେ ନାହିଁ । ମୟୂରଭଞ୍ଜ ନିଜସ୍ୱ କଳାରେ ସମୃଦ୍ଧହୋଇ ଛଉର ବିକାଶ କରିବାକୁ ସକ୍ଷମ ହୋଇଥିଲା । ଷଢ଼େଇକଳାର ବହୁ ଲୋକ ମୟୂରଭଞ୍ଜ ଆସି ମୟୂରଭଞ୍ଜ ଛଉର ଭୂୟସୀ ପ୍ରଶଂସା କରି ଯାଇଛନ୍ତି-। ଷଢ଼େଇକଳା ଓ ପୁରୁଲିଆରେ ମୁଖା ବ୍ୟବହାର କରାଯାଏ । ମୟୂରଭଞ୍ଜ ଛଉରେ ମୁଖା ବ୍ୟବହାର ନଥିବାରୁ ନାଟୁଆମାନଙ୍କର ଗତି ଓ ଅଭିନୟରେ ସ୍ୱାଧୀନତା ମିଳେ । ମୟୂରଭଞ୍ଜର ଛଉ ଗତିଶୀଳ ଓ ଓଜପୂର୍ଣ୍ଣ । ଏଠାରେ ଗ୍ରୁପନାଚର ପ୍ରଚଳନ ବେଶୀ ଓ Choreography ମଧ୍ୟ ଉନ୍ନତ ଧରଣର ।

 

କଳା ସବୁବେଳେ ସଜନାତ୍ମକ ଓ ଗତିଶୀଳ । ନିଜର ସ୍ୱତନ୍ତ୍ରତା ବଜାୟରଖି ଯେଉଁ କଳା ବିକାଶ ଲାଭକରେ, ତାହା ଉତ୍କୃଷ୍ଟ ଧରଣର କଳାରୂପେ ବିବେଚିତ ହୁଏ । ଯେଉଁ କଳା ଗତିକରି ପାରେନା, ତାହା ସ୍ଥାଣୁ । ମୟୂରଭଞ୍ଜ ଛଉନୃତ୍ୟରେ ଛ’ ଚାଲି ଛତିଶ ଉଫୁଲି ଓ କେତେକ ଭଙ୍ଗୀ ରହିଛି । ଅଭିନୟ ପାଇଁ ଛଉରେ କୌଣସି ଧରାବନ୍ଧା ନିୟମ ନାହିଁ । ଏଣୁ ମୟୂରଭଞ୍ଜର ଛଉରେ ପରୀକ୍ଷା ନିରୀକ୍ଷା କରିବାର ସୁବିଧା ଯଥେଷ୍ଟ ଅଛି । ପୂର୍ବରୁ ଛଉନୃତ୍ୟ ଗ୍ରାମ୍ୟ ସ୍ତରରେ ଥିଲା । ଗାଁ ଗହଳିର ଲୋକେ ଓ ଆଦିବାସୀମାନେ ବିଭିନ୍ନ ପର୍ବପର୍ବାଣୀମାନଙ୍କରେ ଛଉନୃତ୍ୟ କରୁଥିଲେ । ପ୍ରଥମେ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ସାନଭାଇ ଶ୍ରୀ ଦାମଚନ୍ଦ୍ର ଭଞ୍ଜ (ରାଉତରାୟ ସାହେବ) ଛଉର Grammar ତିଆରି କଲେ । ନାଣ୍ତୁ ଓ ସ୍ରାତଙ୍କ ସାହାଯ୍ୟରେ ସେ ଛଉକୁ ଛ’ ଚାଲି ଓ ଛତିଶ ଉଫଲିର ଧାରାରେ ପକାଇଲେ । ଛ’ ରାଗ ଛତିଶ ରାଗିଣୀ ନ୍ୟାୟରେ ଏଗୁଡ଼ିକ ବନ୍ଧା ଯାଇଥିଲା । ନିଜେ ରାଉତରାୟ ସାହେବ ଏକାଧାରରେ ଜ୍ଞାନୀ, ପଣ୍ତିତ, ସଙ୍ଗୀତଜ୍ଞ ଓ ନତ୍ୟବିତ୍‌ ଥିଲେ । ସେ ଛଉରେ ‘ନଟରାଜ’ ପ୍ରଭୃତି କେତେଗୁଡ଼ିଏ ନୃତ୍ୟ ବାନ୍ଧିଥିଲେ । ଛଉଦଳକୁ ଉତ୍ତରସାହି ଓ ଦକ୍ଷିଣସାହିରେ ବିଭକ୍ତ କରିବାର ଏକ ଉଦ୍ଦେଶ୍ୟ ଥିଲା । ଏହି ଦୁଇସାହି ଭିତରେ ପ୍ରତିଯୋଗିତା ହେଉଥିବାରୁ ବହୁ ଉତ୍କୃଷ୍ଟ ଧରଣର ନାଟ ଏବଂ ନାଟୁଆ ତିଆରି ହେଉଥିଲେ ।

 

ମୟୂଭଞ୍ଜର ରାଜାମାନେ ଶୈବ ଥିଲେ । ଚୈତ୍ର ମାସରେ ମୟୂରଭଞ୍ଜରେ ଉଡ଼ାପର୍ବ ହୁଏ । ଭକ୍ତାମାନେ ଶିବଙ୍କୁ ଉପାସନା କରନ୍ତି । ଛଉନୃତ୍ୟ ମଧ୍ୟ ଚୈତ୍ର ମାସରେ ହୁଏ । ଛଉନୃତ୍ୟ ଶେଷଦିନ ଅର୍ଦ୍ଧରାତ୍ରିରେ ଛଉ ପେଣ୍ତାଲକୁ ‘ନିଶାଘଟ’ ଆସେ । ଭକ୍ତମାନେ ଯେଉଁ ଘଟ ଆଣନ୍ତି, ତାହାକୁ ‘ଯାତ୍ରା ଘଟ’ କହନ୍ତି । ମାତ୍ର ଭକ୍ତାପର୍ବ ସହିତ ଛଉନୃତ୍ୟର ସମ୍ପର୍କ କିଛି ନାହିଁ । ଶୈବ ରାଜାମାନେ ଏହାକୁ ଯୋଡ଼ି ଦେଇଛନ୍ତି । ପ୍ରକୃତରେ ଦଶହରା ସମୟରୁ ଛଉର ଦେବତା ଭୈରବଙ୍କୁ ପ୍ରତିଷ୍ଠା କରି ନାଟୁଆମାନେ ପୂଜା କରନ୍ତି । ବସନ୍ତ ପଞ୍ଚମୀଠାରୁ ପୁଣି ସେମାନଙ୍କର ଆଖଡ଼ା ଆରମ୍ଭ ହୁଏ ଏବଂ ଚୈତ୍ର ପର୍ବଦିନ ନୃତ୍ୟ ହୋଇ ଏହା ଶେଷହୁଏ ।

 

ବାରିପପଦାକୁ ଛାଡ଼ିଦେଲେ ମୟୂରଭଞ୍ଜର ରାଇରଙ୍ଗପୁର, ବହଳଦା, ଖିଚିଙ୍ଗ୍‌, ପ୍ରତାପପୁର ପ୍ରଭୃତି ବହୁ ଅଞ୍ଚଳମାନଙ୍କରେ ଛଉ ନାଚହୁଏ । ବାରିପଦା ଛଉରପରି ଏଗୁଡ଼ିକ ଏତେ ଉନ୍ନତ ନୁହେଁ । ମାତ୍ର ଏଥିରୁ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଯେ ଛଉନୃତ୍ୟ ଥିଲା ତାହାର ପ୍ରମାଣ ମିଳେ । ପୂର୍ବରୁ ବାରିପଦାରେ ମଧ୍ୟ ନାଟୁଆମାନେ ଗାଉଁଲି ଲୋକ ଓ ଆଦିବାସୀମାନଙ୍କ ପରି ନାଚୁଥିଲେ । ସେମାନେ ଖଣ୍ତା, ଧନୁଶର, ଡାଳପତ୍ର ଧରି ନାଚୁଥିଲେ । ଭୁଟଖଡ଼ି, କାଇମାଟି ଓ ନାନା ପ୍ରକାର ରଙ୍ଗ ମଧ୍ୟ ସେମାନେ ଦେହରେ ବ୍ୟବହାର କରୁଥିଲେ । ପୋହଳାମାଳ, କଉଡ଼ି, କଣ୍ଠିମାଳ ପ୍ରଭୃତି ବ୍ୟବହାର କରାଯାଉ ଥିଲା । ଅଣ୍ଟାରେ ଝଲାଟଲ, ପାଦରେ ଘୁଙ୍ଗୁର ମଧ୍ୟ ବାନ୍ଧୁଥିଲେ । ପୂର୍ବ କାଳରେ ବେଶି ଏକଣିଆ (Solo), ଯୋଡ଼ି (Duet) ନାଚ ଥିଲା । ପୁରୁଣା ନାଟ ଭିତରେ ଦଣ୍ତୀ, ମହାଦେବ, ଧୁନ୍ଦୁପେଞ୍ଚା, ଛଲକଛଣ୍ତୀ, ଉଦ୍ଦାମଚଣ୍ତୀ, ଯମୁନାଦାସୀ, ବାବୁତାଳ, ଛଇଳାହଟନାଗର, ବିଦ୍ୟାସୁନ୍ଦର ପ୍ରଭୃତି ନାଟ ପ୍ରସିଦ୍ଧ ଥିଲା । ଗତ ଦୁଇଶହ ବର୍ଷ ଭିତରେ ଛଉ ବହୁତ ଉନ୍ନତି କରିଯାଇଛି ଏବଂ ଏହା ପୃଥିବୀର ଏକ ଶ୍ରେଷ୍ଠ ନୃତ୍ୟ କଳାର ସ୍ଥାନ ହାସଲ କରିପାରିଛି ।

 

ଗୁରୁ ଶ୍ରୀ ଚନ୍ଦ୍ରଶେଖର ଭଞ୍ଜ କହନ୍ତି....

 

....କର୍ପୂର ଉଡ଼ିଯାଇଛି, କନାଖଣ୍ତକ ପଡ଼ିରହିଛି ମାତ୍ର । ଆମ ଅମଳରେ ଯେଉଁ ନାଟ ହେଉଥିଲା, ଏବେକାର ନାଟ ତାହାର ଶହେ ଭାଗରୁ ଭାଗେ । ପୃଷ୍ଠପୋଷକତା ଅଭାବରୁ ଛଉନାଟ ତାର ପୂର୍ବଗୁଣ ହରାଇଛି । ଭାରତ ସ୍ୱାଧୀନ ହେଲା । ରାଜା ରାଜୁଡ଼ାମାନେ ଦେଶରୁ ଚାଲିଗଲେ । ମୟୂରଭଞ୍ଜର ସୌଭାଗ୍ୟ ଯେ, ମୟୂରଭଞ୍ଜର ରାଜାମାନେ ସୁଶାସକ, ବିଦ୍ୱାନ ଓ କଳାପ୍ରେମୀ ଥିଲେ । ସେମାନେ କେବଳ ମୟୂରଭଞ୍ଜ କାହିଁକି, ନବ ଉତ୍କଳ ଗଠନରେ ମଧ୍ୟ ସହଯୋଗ କରିଛନ୍ତି-। ଓଡ଼ିଶାର ସାହିତ୍ୟ-ସଂସ୍କୃତି ପ୍ରତି ସେମାନଙ୍କର ଅବଦାନ ସମସ୍ତେ ଜାଣନ୍ତି । ଛଉକୁ ସେମାନେ ନିଜର ପିଲାଠାରୁ ଅଧିକ ସ୍ନେହ ଆଦର କରି ବଢ଼ାଇ ଆଣିଲେ । ନିଜେ ରାଜା ଓ ତାଙ୍କର ପରିବାରବଗି ନୃତ୍ୟରେ ଅଂଶ ଗ୍ରହଣ କରୁଥିଲେ । ରାଉତରାୟ ସାହେବ ଜଣେ ବଡ଼ ଓସ୍ତାତ ଥିଲେ । ମୋର ପିତା ବିଶ୍ୱେଶ୍ୱର ଭଞ୍ଜ ମଧ୍ୟ ଜଣେ ବଡ଼ ନାଟୁଆ ଥିଲେ । ମୁଁ ନିଜ ଆଖିରେ ଦେଖିଛି, ଥରେ ମୋର ପିତା ନାଚିନାଚି ଥକିଯାଇଥିଲେ । ରାଉତରାୟସାହେବ ନିଜେ ତାଙ୍କ ଗୋଡ଼ରେ ତେଲମାରି ଘଷି ଦେଇଥିଲେ । ରାଉତରାୟ ସାହେବ ନାଟୁଆମାନଙ୍କୁ ପାଖରେ ଶୋଇବାର ଅଧିକାର ମଧ୍ୟ ଦେଇଥିଲେ । ରାଜା ମଧ୍ୟ ନାଟୁଆମାନଙ୍କର ହାନିଲାଭ, ଭଲମନ୍ଦ, ହସକାନ୍ଦରେ ଭାଗ ନେଉଥିଲେ । ସେମାନଙ୍କର ଅଭାବ, ଅସୁବିଧାରେ ରାଜା ମୁକ୍ତ ହସ୍ତରେ ଦାନ କରୁଥିଲେ । ଜମିବାଡ଼ି ଜାଗିରି ମଧ୍ୟ ଦେଇଥିଲେ । କେବଳ ବୈଷୟିକ ସମ୍ପତ୍ତି ନୁହେଁ, ନାଟୁଆମାନଙ୍କୁ ସବୁଠାରୁ ବଡ଼ ଜିନିଷ ସ୍ନେହ, ଆଦର, ଉତ୍ସାହ ଦେଉଥିଲେ । ଚୈତ୍ର ପର୍ବର ମାସେ ଆଗରୁ ନାଟୁଆମାନେ ଘରକୁ ଆଉ ଫେରୁ ନଥିଲେ । ରାଜା ସେମାନଙ୍କର ଖିଆପିଆର ସମସ୍ତ ବନ୍ଦୋବସ୍ତ କରଥିଲେ । ଅତି ଉତ୍କୃଷ୍ଟ ଧରଣର ଖାଦ୍ୟର ବ୍ୟବସ୍ଥା କରାଯାଉଥିଲା । ଛଉ ନାଚିବାପାଇଁ ଦେହରେ ଶକ୍ତି ଦରକାର । ରାଜା ଏସମ୍ୱନ୍ଧରେ ବିଶେଷ ଯତ୍ନବାନ ଥିଲେ । ଆମ୍ଭେମାନେ ରାତି ତିନିଟାରୁ ଉଠି ପ୍ରତ୍ୟହ ଉଫଲି, ଚଉକ ଚାଲି ପ୍ରଭୃତି ଅଭ୍ୟାସ କରିବାକୁ ଯାଉଥିଲୁ । ଏସବୁ ପରେ ଦେହକୁ ଫୁର୍ତ୍ତି କରିବା ପାଇଁ ଗୁଡ଼ାଏ ବାଟ ଦୌଡ଼ୁଥିଲୁ । ଆଜିକାଲି ଛଉ ଅତି ସହଜ ଭାବରେ ଶିକ୍ଷା ଦିଆଯାଉଛି । ପୁରୁଣା ଉଫଲି ଓ ଭଙ୍ଗୀଗୁଡ଼ିକ କ୍ରମଶଃ ଲୋପ ପାଇଗଲାଣି । ଆଜିକାଲିକା ନାଟ ଦେଖିଲେ ଆମ ପୁରୁଣା ଲୋକମାନଙ୍କୁ ହସ ଲାଗେ । ପୁରୁଣା ନାଟଗୁଡ଼ିକ କ୍ରମଶଃ ଲୋପପାଇଲେ ଛଉ ତାର ମୌଳିକତା ହରାଇ ବସିବ । ପୁରୁଣାଲୋକେ ଚାଲିଗଲେ ଛଉର, ପୁରୁଣା ନାଟଗୁଡ଼ିକୁ ଭବିଷ୍ୟତ ବଂଶଧରମାନଙ୍କୁ ଶିଖାଇବା ପାଇଁ ମଧ୍ୟ କେହି ରହିବେ ନାହିଁ ।

 

ଓଡ଼ିଶା ଦିନେ କଳାର କ୍ଷେତ୍ର ଥିଲା । ଏହି ଓଡ଼ିଶାରେ ଓଡ଼ିଶୀ ଓ ଛଉ ଭଳି ଦୁଇଟି ଉଚ୍ଚାଙ୍ଗ ନୃତ୍ୟକଳା । ରହିଛି । ଏବେ ଓଡ଼ିଶୀର ଯଥେଷ୍ଟ ପ୍ରସାର ହେଲାଣି । ମାତ୍ର ମୟୂରଭଞ୍ଜ ଛଉର ଅନୁରୂପ ଭାବରେ ପ୍ରସାର ହୋଇନାହିଁ । ବିହାର ସରକାର ଷଢ଼େଇକଳା ଛଉର ବିକାଶ ପାଇଁ ଯଥେଷ୍ଟ କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡ଼ିଶାରେ ମୟୂରଭଞ୍ଜ ଛଉ ପ୍ରତି ସେପରି କିଛି ପଦକ୍ଷେପ ନିଆଯାଇ ନାହିଁ । ଆମ ବୟସର ଆଉ ଚାରିପାଞ୍ଚଜଣ ଲୋକ ଅଛନ୍ତି, ଏମାନେ ଚାଲିଗଲେ ଛଉ ଚାଲିଯିବ । ତେଣୁ ସରକାର ‘ଛଉ’ ଭଳି ପରମ୍ପରାଗତ କଳାକୁ ବଞ୍ଚାଇ ରଖିବେ ବୋଲି ଆଶା କରାଯାଏ । ମୟୂରଭଞ୍ଜରେ ଗୋଟିଏ ଛଉ କଲେଜ କରି ସେଥିରେ କିଛି ଗୁରୁଙ୍କୁ ଉପଯୁକ୍ତ ଦରମା ଦେଇ ରଖିବା ଆବଶ୍ୟକ । ବାହାରେ ଜଣେ ଦୁଇଜଣ ଗୁରୁ ରହି ଛଉ ଶିଖାଉଛନ୍ତି । ଏହା ଆନନ୍ଦର କଥା; ମାତ୍ର ‘ଛଉ’ ଶିକ୍ଷା ଜଣେ ଗୁରୁଙ୍କ ଦ୍ୱାରା ହୋଇପାରିବା ସମ୍ଭବ ନୁହେଁ । କାରଣ ଛଉର ଗୋଟିଏ ଗୋଟିଏ ବିଶିଷ୍ଟ ଢଙ୍ଗରେ ଜଣେ ଜଣେ ଦକ୍ଷ । କଲିଭଙ୍ଗା ଯେଉଁ ଗୁରୁଙ୍କର ସାଧ୍ୟ ହୋଇଛି, ସେ ହତିଆର ଧରା ଶିଖାଇ ପାରିବେ ନାହିଁ ପୁଣି ଯେ ‘ହତିଆର ଧରା’ ରେ ଓସ୍ତାତ୍‌, ସେ ‘କଲିଭଙ୍ଗା’ ଶିଖାଇ ପାରିବେ ନାହିଁ । ମାତ୍ର ତିନି ଚାରିଜଣ ଗୁରୁ ଏକ ସ୍ଥାନରେ ରହି ଶିକ୍ଷାଦେଲେ ଯାଇ, ପ୍ରକୃତଶିକ୍ଷା ହୋଇ ପାରନ୍ତା ଓ ବହୁ ନୂତନ ନାଟ ସୃଷ୍ଟି ହୋଇ ପାରନ୍ତା । ପୁଣି କଥାରେ ଅଛି–‘‘ଯେ ମୟୂରଭଞ୍ଜ ମାଟିରେ ନାଚିନାହିଁ ସେ କି ଛଉ ନାଚିବ’’ ?

 

ଏହାର ଅର୍ଥ ହେଉଛି—ମୟୂରଭଞ୍ଜର ପାଣିବ ପବନ, ଗଛବୃଚ୍ଛ, ପୁଣି ଆଦିବାସୀ ସଙ୍ଗତି ନକଲେ ଛଉର ମର୍ମ ବୁଝି ହେବ ନାହିଁ । ତେଣୁ ମୟୂରଭଞ୍ଜ ହିଁ ଛଉ କଲେଜ ପାଇଁ ପ୍ରକୃଷ୍ଟ କ୍ଷେତ୍ର । ବର୍ତ୍ତମାନ ଆମଭିତରେ କାଦୁବାବୁ, ମଦନବାବୁ, କୃଷ୍ଣବାବୁ, ଶମ୍ଭୁନାଥ ଜେନା ପ୍ରମୁଖ କେତେଜଣ ପୁରୁଣା ନାଟୁଆ ଅଛନ୍ତି । ସୁର ଓ ତାଳପାଇଁ ଓସ୍ତାଦ୍‌ ନାଲୁବାବୁ ମଧ୍ୟ ଅଛନ୍ତି । ଦୁଇ ତିନିଜଣ ଭଲ ଢୋଲିଆ ମଧ୍ୟ ବିଭିନ୍ନ ସ୍ଥାନରେ ଅଛନ୍ତି । ଏବେ ସମୟ ଆସିଛି । ଏ ସମସ୍ତଙ୍କୁ ଏକତ୍ର କରି ଛଉର କଲେଜଟିଏ ଖୋଲିଲେ ପରମ୍ପରାକୁ ରକ୍ଷା କରାଯାଇ ପାରନ୍ତା । ପୁଣି ଯେଉଁମାନେ ଛଉ ଶିକ୍ଷା କରିବେ, ସେମାନଙ୍କୁ ଉପଯୁକ୍ତ ବୃତ୍ତି ମଧ୍ୟ ଦିଆଯାଆନ୍ତା । ଆଜି ଯେଉଁମାନେ ଛଉ ଶିଖିଛନ୍ତି ସେମାନଙ୍କର ଅବସ୍ଥା ସ୍ୱଚ୍ଛଳ ନୁହେଁ । ଦିନରେ କିଏ କିଏ ରିକ୍‌ସା ଟାଣନ୍ତି, ମୂଲ ମଜୁରୀ ଖଟନ୍ତି । ରାତି ହେଲେ ନାଚ ଶିଖିବାକୁ ଆସନ୍ତି । ଭୋକ ଉପାସରେ ରୋଗ ମଡ଼କରେ ତାଙ୍କ ପିଲାମାନେ ସଢ଼ନ୍ତି । ଘରେ ଦୁଇଓଳି ଚୁଲୀ ଜଳେନି । ସେଥିରେ ପୁଣି ବର୍ଷକରେ ଥରେ ଛଉନାଟ ପୂର୍ବରୁ କେବଳ ଶିକ୍ଷା ଦିଆଯାଏ । ମାସକୁ ଯେ କୋଡ଼ିଏ ଟଙ୍କା ପାଇବ, ତା ଦେହରୁ ବା’ କି ଛନ୍ଦ ବାହାରିବ ? ଆଜି ନାଟୁଆର ଗୋଡ଼ରେ ଶକ୍ତି ନାହିଁ, ଢୋଲ ତାଳରେ ବାଜୁନି, ମହୁରୀର ସ୍ୱର ବେସୁରା ହୋଇ ଯାଉଛି । ସେମାନେ ଦାରିଦ୍ର୍ୟ ଅଶିକ୍ଷାର ଅନ୍ଧକାରରେ ସଢ଼ୁଛନ୍ତି । ଭଲ ଘରର ପିଲାମାନେ ଓ ଶିକ୍ଷିତ ପିଲାମାନେ ଛଉ ଶିଖିବାକୁ ନାକ ଟେକୁଛନ୍ତି । ବରଷକରେ ରାଜଧାନୀମାନଙ୍କରେ ଥରେ ଦୁଇଥର ଛଉ ନାଚ ହେଉଛି । ହାତତାଳିରେ ଏୟର୍‌କଣ୍ତିସନ ଘର ଗୁଡ଼ିକ ଫାଟି ପଡ଼ୁଛି । କଳାପ୍ରେମୀମାନେ ଆଖି ଓଦା କରି ଫେରି ଆସୁଛନ୍ତି । ପ୍ରତିବର୍ଷ ସେହି ପୁରୁଣା କଥାର ପୁନରାବୃତ୍ତି ହେଉଛି ମାତ୍ର । ମାତ୍ର ଛଉର ମଙ୍ଗଟି ଧୀରେ ଧୀରେ ଅତଳତଳ ଦରିଆ ଭିତରେ ବୁଡ଼ି ଯାଉଛି । ଯେଉଁମାନେ ଛଉ ଶିଖିବାକୁ ଆସିବେ, ସେମାନଙ୍କ ମନରେ ପ୍ରଶ୍ନ ଆସୁଛି—ଛଉ ନାଚି ସେମାନଙ୍କ ଭବିଷ୍ୟତ କଣ ହେବ ? ଯେଉଁଠି ଢୋକେ ପିଇ ଦଣ୍ତେ ଜୀଇଁବା କଷ୍ଟ; ସେଠାରେ ଗୋଟିଏ ପରମ୍ପରାକୁ ତୋଳିଧରିବା ପାଇଁ ଆଗ୍ରହ ଆସିବକି ? ଯଦି ସରକାର ଛଉର ଉନ୍ନତି ପାଇଁ କିଛି ଖର୍ଚ୍ଚ କରନ୍ତେ, ଛଉର ଦଳଟିଏ ସଂଗଠିତ ହୋଇ ପାରନ୍ତା । ବିଦେଶରୁ ଏହି ଦଳ ପ୍ରଭୂତ ଅର୍ଥ ଉପାର୍ଜନ କରିପାରନ୍ତେ । ରାଜାମହାରାଜାଙ୍କ ସମୟରେ ଯେଉଁ କଳା କୁଶଳତା ଥିଲା ଓ ଯେଉଁ ଶୃଙ୍ଖଳା ଥିଲା, ଆଜି ମଧ୍ୟ ତାହା ଫେରିଆସିବା ସମ୍ଭବ ହୁଅନ୍ତା । ସୁଖର କଥା, ଆଜି ମୟୂରଭଞ୍ଜ ଛଉ ପାଇଁ ସରକାର ତଥା ଗୁଣୀଜନମାନେ ଗଭୀର ଭାବେ ଚିନ୍ତା କରୁଛନ୍ତି-

 

ଆଜି ମୁଁ ଜୀବନର ସାୟାହ୍ନରେ ପଛକୁ ଫେରିଚାହିଁ ଅତୀତର ଗୌରବକୁ ମନେପକାଉଛି । ପୁରୁଣା କଥା ଗୋଟି ଗୋଟି ହୋଇ ଆଖି ଆଗରେ ଭାସି ଯାଉଛି । ସତେ କଣ ଛଉର ସୁଦିନ ଫେରି ଆସିବ ? ଆମ ଭିତରୁ ଯେଉଁ କେତେଜଣ ପୁରୁଣା ଲୋକ ଅଛନ୍ତି, ସେମାନଙ୍କର ସମୟ ମଧ୍ୟ ବେଶୀ ନାହିଁ । ମୁଁ ମଧ୍ୟ ଆଜି ଜୀବନର ଶେଷ ପାହାଚରେ ଥାଇ ସମସ୍ତଙ୍କୁ ଗୁହାରି କରୁଚି, ମନରେ ଆଶା ଆଉ ଭରସା ରଖି, ମୋ ଜାତିର ଅମୂଲ୍ୟ ସମ୍ପଦଟିକୁ ବଞ୍ଚାଇ ରଖିବା ପାଇଁ । ପୂର୍ବପରି ଆଜି ବି ଚଇତ ଆସୁଚି । ମହୁଲ, କୁସୁମ ଫୁଟୁଚି । ଆମ୍ୱ ବଉଳରେ ଦିଗବିଦିଗ ଭାରି ହୋଇଯାଉଛି । ଛଉ ନାଟ ବି ହେଉଛି । ସବୁ ଠିକ୍‌ ସେହିପରି ଅଛି । ଖାଲି ପ୍ରାଣରେ ସ୍ପନ୍ଦନ ନାହିଁ । ହୃଦୟରେ ଭାବ ନାହିଁ, ଗତିରେ ତରଙ୍ଗ ନାହିଁ । ଆଜି ବି ରାତି ଅଧରେ କେବେ କେମିତି ଢୋଲ, ଧୁମ୍‌ସା, ମହୁରୀର ସ୍ୱର ଭାସି ଭାସି ଆସେ । ଦେହର ଶିଥିଳ ଗ୍ରନ୍ଥି ସବୁ ଟାଣ ହୋଇଯାଏ । ପାଦ ଦୁଇଟି ଚଳଚଞ୍ଚଳ ହୋଇଉଠେ । ମହାଶୂନ୍ୟରେ ନଟରାଜ ଶିବଙ୍କ ପରି ନାଚିବାକୁ ମନ ହୁଏ । ପର ମୁହୂର୍ତ୍ତରେ ମୁଁ ପୁଣି ଆତ୍ମସ୍ଥ ହୁଏ, ଆଉ ମନେ ମନେ ଖୋଜିବାରେ ଲାଗେ ମୋ ଦେଶର ପ୍ରତିଟି ଗଳିକନ୍ଦି, ଜନବସତି । ପ୍ରତିଟି ଆଖିରେ ଆଖି ମିଳାଇ ମୁଁ ଖୋଜେ । ମୋ ଜାତିର ଶ୍ରେଷ୍ଠ ସମ୍ପଦଟିକୁ କାହା ହାତରେ ମୁଁ ସମର୍ପି ଯିବି ? ମୋ ଦେଶ କଣ ମୋର ଗଭୀର ଅର୍ନ୍ତବେଦନା ବୁଝିବ ?’’

Image

 

ଶିଳ୍ପୀ ହରିଶରଣ ମହାପାତ୍ର

ଅଧ୍ୟାପକ ଧୁନ ଖୁଣ୍ଟିଆ

 

ସ୍ୱତନ୍ତ୍ର ପ୍ରଦେଶ ଭାବରେ ଏକ ବିକୃତ ରୂପରେଖ ନେଇ ଓଡ଼ିଶାର ପୁନର୍ଜନ୍ମ ଘଟିବାର ଠିକ ବର୍ଷକ ପରେ । ଅର୍ଥାତ୍‌ ୧୯୩୭ ମସିହା । ଡେଲାଙ୍ଗରେ ଗାନ୍ଧୀ ସେବାସଂଘର ଏକ ଅଧିବେଶନ ଅନୁଷ୍ଠିତ ହୋଇଥାଏ । ସେ ସ୍ମରଣୀୟ ଅନୁଷ୍ଠାନରେ ପଦାର୍ପଣ କରିଥାନ୍ତି ମହାମାନବ ମହାତ୍ମା ଗାନ୍ଧି । ଅଜସ୍ର ଉଲ୍ଲାସ ଓ ଉନ୍ମାଦନା ମଧ୍ୟରେ ଉତ୍କଳର ଚାରୁ ଚିତ୍ରକଳା, କୁଟୀରଶିଳ୍ପ ପ୍ରଭୃତିର ଏକ ମନୋରମ ପ୍ରଦର୍ଶନୀ ଏଇ ଅଧିବେଶନ ଉପଲକ୍ଷେ ଆୟୋଜିତ ହୋଇଥାଏ । ତତ୍‌କାଳୀନ ଓଡ଼ିଶାର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଥିଲା ମହାତ୍ମାଗାନ୍ଧି ତଥା ତାଙ୍କ ସହିତ ଆସିଥିବା ଭାରତର ନେତୃବୃନ୍ଦଙ୍କୁ ଉତ୍କଳର କଳାର ଉତ୍କର୍ଷତା ବିଷୟରେ ଅବଗତ କରାଇବା । ଏଇ ପ୍ରଦର୍ଶନୀରେ ସେମାନଙ୍କ କୃତି ପ୍ରଦର୍ଶନ କରାଇବା ପାଇଁ ଯୋଗ ଦେଇଥାନ୍ତି ଅନେକ କୃତୀଶିଳ୍ପୀ । ଏକଦା ଯେଉଁ ଖାଣ୍ଟି ଓଡ଼ିଆ ଅଞ୍ଚଳ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପୂର୍ବରୁ ଓଡ଼ିଶାର ବୋଲି ଇତିହାସ–ସ୍ୱୀକୃତ ହୋଇ ଆସିଥିଲା, ଅଥଚ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେସବୁ ଅଞ୍ଚଳକୁ ଓଡ଼ିଶା ସହିତ ଅନ୍ତର୍ଭକ୍ତ କରାଗଲା ନାହିଁ, ସେ ଅଞ୍ଚଳରୁ ମଧ୍ୟ ଆସିଥାନ୍ତି ଅନେକ ଓଡ଼ିଆ ଶିଳ୍ପୀ । ସମସ୍ତେ ଯେପରି ଉଗ୍ର ଉତ୍କଳୀୟତାର ଆଲୋକ ସ୍ରୋତରେ ଜାଗ୍ରତ ଓ ଦୀପ୍ତିମନ୍ତ । ଉଦ୍ଦେଶ୍ୟ, ଜାତିର ଜନକଙ୍କୁ ସେମାନ ଜଣାଇ ଦେବେ ଯେ ଓଡ଼ିଶା ଠାରୁ ସେମାନେ କେବେ ଭିନ୍ନ ନୁହନ୍ତି । ଓଡ଼ିଶାର ସାଂସ୍କୃତିକ ଚେତନା ଓ ଐତିହ୍ୟର ଅହଙ୍କାର ଯେ ସେମାନଙ୍କର ରକ୍ତଗତ, ତେବେ କାହିଁକି ତାଙ୍କୁ ଉତ୍କଳ ଜନନୀର କୋମଳ ଆଶ୍ଳଷ ଓ ସୁଧାସ୍ନାତ ସ୍ନେହରୁ ବଞ୍ଚିତ କରାଗଲା ?

 

ସେଦିନ ବାପୁଜୀ ବେଶ୍‌ ପ୍ରଫୁଲ୍ଲ ଥାଆନ୍ତି । ହସ ସହ ବଦନରେ ସେ ଓଡ଼ିଶାର ଶିଳ୍ପ କଳାର ପ୍ରଶଂସା କରି କରି ପ୍ରଦର୍ଶନୀ ମଣ୍ତପ ସବୁ ବୁଲି ବୁଲି ଦେଖୁଥିବାବେଳେ ହଠାତ୍‌ ଏକ ଚିତ୍ରକଳା ମଣ୍ତପରେ ଏକ ସୁନ୍ଦର ଜୀବନ୍ତ ତୈଳଚିତ୍ର ଦେଖି ସେ ବିସ୍ମିତ ହୋଇ ଅଟକି ଗଲେ । ମଣ୍ତପଟି ବିଭିନ୍ନ ଚିତ୍ରରେ ସୁସଜ୍ଜିତ ହୋଇଥାଏ । ସେଠାରେ ଠିଆ ହୋଇଥାନ୍ତି ଅତି ନମ୍ରଭାବରେ ଏଇ ଚିତ୍ରକଳାର ଶିଳ୍ପୀ ସତର ବର୍ଷର ତରୁଣଟିଏ । ଗାନ୍ଧିଜୀଙ୍କର ଏତାଦୃଶ ତନ୍ମୟ ଭାବ ଦେଖି କିଏ ଜଣେ ଧୀର କଣ୍ଠରେ କହିଲେ, ‘‘ବାପୁଜୀ ! ଏଇ ପିଲାଟି ହେଉଛି ଏ ଚିତ୍ର ସବୁର ଚିତ୍ରକର । ଇଏ ମଧ୍ୟ ଏକକାଳୀନ ଦୁଇ ହାତରେ ଦୁଇଖଣ୍ତ ଚକ୍‌ ଧରି ଆଖି ବୁଜି ଦୁଇଟି ଏକାପରି ବା ଭିନ୍ନ ଚିତ୍ର ଅଙ୍କନ କରିପାରେ । ଏପରିକି ପାଦ ଆଙ୍ଗୁଠିରେ, ପାଟିରେ ଓ କହୁଣୀରେ ମଧ୍ୟ ଚକ୍‌ ଧରି ବିଭିନ୍ନ ଚିତ୍ର ଆଙ୍କିବା ଏହା ପକ୍ଷରେ କଷ୍ଟକର ନୁହେଁ ।’’

 

ପୁଲକିତ ବାପୁ ହସ ହସ ହୋଇ କେତେ କ’ଣ ପ୍ରଶଂସା ବାଣୀ ମୁଖରେ ଫୁଟାଇ ତାଙ୍କର ପବିତ୍ର ସ୍ନେହ କୋମଳ ହାତ ଅତି ଶ୍ରଦ୍ଧାରେ ତରୁଣଟିର ମୁଣ୍ତରେ କେତେଥର ବୁଲାଇ ଆଣି ଆଶୀର୍ବାଦ କଲେ । ତରୁଣ ଶିଳ୍ପୀ ନଇଁପଡ଼ି ବାପୁଙ୍କର ପାଦଧୂଳି ଆଣି ମୁଣ୍ତରେ ମାରିଲା । ଅନ୍ୟ ନେତୃବୃନ୍ଦଙ୍କ ଆଖିର ଆଲୋକରେ ସେଇ ଗୋଟିଏ କଥା ! କିଏ କହେ ଉତ୍କଳରୁ କଳା ବିଲୁପ୍ତ ହୋଇଛି ବୋଲି ! ଉତ୍କଳ କଳାର ଦେଶ । ଏକଦା ବିଶ୍ୱବିଖ୍ୟାତ ଓଡ଼ିଆ ଶିଳ୍ପୀଙ୍କର ପ୍ରତିଭା ପରମ୍ପରାକ୍ରମେ ତାଙ୍କରି ବଂଶଧରଙ୍କର ତୂଳୀରେ ଏଯାବତ ବି ରୂପାୟିତ ହୋଇ ଆସୁଛି ।

 

ସେଦିନର ସେଇ ତରୁଣ ଶିଳ୍ପୀଟି ଆଜିର ପ୍ରଖ୍ୟାତ ଚିତ୍ରକର ଶ୍ରୀ ହରିଶରଣ ମହାପାତ୍ର । ସଂପ୍ରତି ସେ ଗଞ୍ଜାମ ଜିଲ୍ଲାର ଆସିକାରେ ବାସ କରୁଥିଲେ ମଧ୍ୟ ସେତେବେଳେ ତାଙ୍କର ନିଜ ଘର ଥିଲା ମଞ୍ଜୁଷା । ଯେଉଁ ମଞ୍ଜୁଷା, ତରଳା, ଟେକଲି, ବୁଡ଼ାରସିଂ, ଜଳନ୍ତର ପ୍ରଭୃତି ଅଞ୍ଚଳ ଏକଦା ଓଡ଼ିଶାର ସମୃଦ୍ଧ ଅଞ୍ଚଳ ଭାବରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲା । କିପରି ଏକ ଅବଦମିତ ତାରୁଣ୍ୟର ଉନ୍ମାଦନାରେ ସେଇ ସୁଦୂର ମଞ୍ଜୁଷାରୁ ସେ ଧାଇଁ ଆସିଥିଲେ ଡେଲାଙ୍ଗ ମହାମାନବ ମହାତ୍ମା ଗାନ୍ଧିଙ୍କ ଆଶୀଷ ଓ ଉତ୍ସାହ ଲାଭ, କରିବା ପାଇଁ । ତାହା ସେ ପାଇଲେ । ଆଉ ସେଇଦିନଠାରୁ ସେ ନିଜର ଉତ୍ତର ଜୀବନକୁ ସାମଗ୍ରୀକ ଭାବରେ କଳା ସାଧନାରେ ଉଜେଇଁ ଦେଇ ଆଗେଇ ଆସିଛନ୍ତି । ଆଜି ପର୍ଯ୍ୟନ୍ତ ସେ କେତେ ଯେ ଅପୂର୍ବ ଚିତ୍ର ସୃଷ୍ଟିକରି ଆସିଛନ୍ତି, ତାର କଳନା ନାହିଁ ଏବଂ ନିଜକୁ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ସେ ଅନେକ ଚିତ୍ରଶିଳ୍ପୀ ମଧ୍ୟ ଓଡ଼ିଶାରେ ସୃଷ୍ଟିକରି ଉତ୍କଳୀୟ ଚିତ୍ରକଳାର ଶ୍ରୀ ଓ ସମୃଦ୍ଧି ସମ୍ପାଦନ କରିଛନ୍ତି ।

 

ବିଶ୍ୱବିଖ୍ୟାତ ଶିଳ୍ପୀ ପିକାଶୋ ଯେପରି ଜନୈକ କଳାଶିକ୍ଷକଙ୍କ ସନ୍ତାନ ଥିଲେ, ଶିଳ୍ପୀ ହରିଶରଣ ମଧ୍ୟ ଥିଲେ । ତତ୍‌କାଳୀନ ମଞ୍ଜୁଷା ମହାରାଜାଙ୍କ ଉଚ୍ଚ ଇଂରାଜୀ ବିଦ୍ୟାଳୟର ସ୍ୱନାମଧନ୍ୟ ଶିଳ୍ପୀଗୁରୁ ମଧୂସୂଦନ ମହାପାତ୍ରଙ୍କ ଦ୍ୱିତୀୟ ପୁତ୍ର । ତାଙ୍କର ଜନ୍ମ ୧୯୧୯ ମସିହା ଅକ୍ଟୋବର ଚାରି ତାରିଖ । ପିଲାଟି ଦିନରୁ ଶିଳ୍ପୀଙ୍କର ଚିତ୍ରବିଦ୍ୟା ପ୍ରତି ଆଗ୍ରହ ଦେଖି ପିତା ମଧୁସୁଦନ ଆନନ୍ଦରେ ଅଧୀର ହୋଇ ଉଠିଥିଲେ । ବେଳେ ବେଳେ ବାପାଙ୍କଠାରୁ ଦେଖି ହରିଶରଣ କୌଣସି ଛବି ଅଙ୍କା ବଙ୍କା କରି ଆଙ୍କୁଥିବାବେଳେ ମାତା ପାର୍ବତୀ ଦେବୀ ତାଙ୍କୁ ହସି ହସି ଉତ୍ସାହିତ କରୁଥିଲେ ।

 

ସେତେବେଳେ ଶିଳ୍ପୀଙ୍କୁ ମାତ୍ର ପାଞ୍ଚବର୍ଷ । ସେ ପଢ଼ୁଥାନ୍ତି ପ୍ରଥମ ଶ୍ରେଣୀରେ । ଦିନେ ମଧୁସୂଦନ ସଭାରୁ ଫେରି ଆସିଲାବେଳକୁ ପାର୍ବତୀ ଦେବୀ ହଠାତ୍‌ କହିଲେ, ‘‘ହଇହୋ ଦେଖୁଛ ! ଆମ ହରି କିପରି ତାରୁ (ଆଲକାତରା) ରେ ବାଘ ମୁଣ୍ତଟାଏ କାନ୍ଥରେ ଆଙ୍କିଛି !’’ ମଧୁସୂଦନ ଯାଇ ପୁଅର କୃତିତ୍ୱରେ ବିସ୍ମିତ ହୋଇଗଲେ । ଏଡ଼ିକି ଛୋଟ ପିଲାଟିଏ, ଅଥଚ ତା’ ଅଙ୍କନରେ ଏତେ ଜୀବନ ? ସାଙ୍ଗେ ସାଙ୍ଗେ ମଧୂସୂଦନ କହିଲେ ‘‘ତୁମେ କେବେହେଲେ ହରିର ଏ ଚିତ୍ରଟିକୁ ଲିଭାଇବ ନାହିଁ । ଏ ହେଉଛି ତା’ର ଶିଳ୍ପୀ ଜୀବନର ପ୍ରଥମ ଜୀବନ୍ତ କୃତୀ ।’’ କୁଆଡ଼େ ହଜିଗଲେଣି ଶିଳ୍ପୀ ମଧୁସୂଦନ ଓ ମାତା ପାର୍ବତୀ ଦେବୀ । କିନ୍ତୁ ଅଦ୍ୟାବଧି ଶିଳ୍ପୀଙ୍କର ମଞ୍ଜୁଷାସ୍ଥିତ ଘର କାନ୍ଥରେ ସେ ଚିତ୍ରଟି ସେମିତି ରହିଛି ଏକ ଶାଶ୍ୱତ ସ୍ମାରକୀ ହୋଇ ।

 

ହରିଶରଣଙ୍କ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତାଙ୍କର ବିଭୁଦତ୍ତ ପ୍ରତିଭା ସତେ ଯେପରି ସ୍ୱତଃ ବିକଶିତ ହେବାକୁ ଲାଗିଲା । ପିତା ମଧୁସୂଦନ କହୁଥାନ୍ତି, ‘‘ହରିରେ ! ଯେତେ ପାରୁଛୁ ଆଙ୍କିଯା । ହାତ ସିଦ୍ଧ ହେବ । ରେଖା ଓ ରଙ୍ଗରେ ଜୀବନ କିପରି ସୃଷ୍ଟି ହୁଏ, ତାହା ମନକୁମନ ଜାଣି ହୋଇଯିବ’’ । ଏତକ କହିବା ସଙ୍ଗେ ସଙ୍ଗେ ଚିତ୍ର ବିଦ୍ୟାର ପ୍ରାଥମିକ କୌଶଳ ଓ ମୌଳିକ ତତ୍ତ୍ୱ ସେ ତାଙ୍କୁ ଅତି ଚତୁରତାର ସହିତ ଶିକ୍ଷା ଦେଉଥାନ୍ତି ଏବଂ ହରିଶରଣଙ୍କ କଳାକ୍ଷେତ୍ରରେ ସିଦ୍ଧହସ୍ତତା ଉଷାର ଆଲୋକ ଧୀରେ ଧୀରେ ଉଜ୍ଜ୍ୱଳ ହେଲାପରି ସ୍ୱାଭାବିକ ସାବଲୀଳ ଭାବରେ ସ୍ଫୁଟ ହୋଇ ଉଠୁଥାଏ । କିଶୋର ଶିଳ୍ପୀର ଏପ୍ରକାର ଦକ୍ଷତାରେ ସହପାଠୀ ତଥା ସାଧାରଣ ବ୍ୟକ୍ତିମାନେ ବିସ୍ମୟବିମୂଢ଼ ହୋଇ ଉଠୁଥାନ୍ତି । ଏହା ସଙ୍ଗେ ସଙ୍ଗେ ଚାରିଆଡ଼େ ପ୍ରଚାରିତ ହେଉଥାଏ । ଶିଳ୍ପୀଙ୍କର ଶୈଳ୍ପିକ ଚାତୁର୍ଯ୍ୟର ଯାଦୁକରୀ ବୃତ୍ତାନ୍ତ । ଏସମୟରେ ମଧ୍ୟ ତାଙ୍କ ଚିତ୍ରକଳାର ପ୍ରଦର୍ଶନ ପାଇଁ ଆସେ ନାନା ସଭା ଓ ସମ୍ମିଳନୀରୁ ଡକରା । ଶିଳ୍ପୀ ସେସବୁରେ ଯୋଗଦେଇ ପାଆନ୍ତି ଅନେକ ପ୍ରଶଂସାପତ୍ର ଓ ପୁରସ୍କାର । ସମ୍ୱାଦପତ୍ରଗୁଡ଼ିକ ମଧ୍ୟ ଶିଳ୍ପୀଙ୍କର ଚିତ୍ରକଳାର ପ୍ରଶଂସାରେ ସେତେବେଳେ ମୁଖର ହୋଇ ଉଠିଥାନ୍ତି ।

 

୧୯୨୯ ମସିହା । ସେ ବର୍ଷ ଗଞ୍ଜାମ ଜିଲ୍ଲା ସରକାରୀ ପ୍ରଶିକ୍ଷଣ ବିଦ୍ୟାଳୟର ଗୁରୁଛାତ୍ର ସଂଘ ଶିଳ୍ପୀଙ୍କୁ ସମ୍ମାନିତ କଲଷ ସ୍ୱର୍ଣ୍ଣପଦକ ଦେଇ । ଠିକ୍‌ ସେଇ ବର୍ଷ ସେ ଏକ ସୁନ୍ଦର ତୈଳଚିତ୍ର ଅଙ୍କନ କରିଥାନ୍ତି ତତ୍‌କାଳୀନ ମଞ୍ଜୁଷା ମହାରାଜା ଶ୍ରୀନିବାସ ରାଜମଣି ରାଜଦେବଙ୍କର-। ଶିଳ୍ପୀ, କଳାକାର ଓ ସାହିତ୍ୟକମାନଙ୍କୁ ନାନା ଉପାୟରେ ଉତ୍ସାହିତ କରିବା ସେତେବେଳକାର ରାଜା ମହାରାଜାଙ୍କର କେବଳ ଯେ ଏକ ସ୍ୱାଭାବିକ ପ୍ରବୃତ୍ତି ଥିଲା ତାହା ନୁହେଁ, ବରଂ ଏହା ଥିଲା ରାଜତ୍ୱର ଏକ ମହନୀୟ ପରମ୍ପରା । କେତେ ସ୍ରଷ୍ଟା ଯେ ସେତେବେଳେ ଏମାନଙ୍କ ଅନୁଗ୍ରହରେ ଓଡ଼ିଆ ସାହିତ୍ୟ ତଥା ଶିଳ୍ପକଳାର ଉନ୍ନତି କରିଛନ୍ତି, ତା’ର ଇୟତ୍ତା ନାହିଁକି ପଟାନ୍ତର ନାହିଁ । ତରୁଣ ଶିଳ୍ପୀର କଳାକୌଶଳ ଓ ଶୈଳ୍ପିକ ଚାତୁର୍ଯ୍ୟରେ ବିମୁଗ୍‌ଧ ହୋଇ ରାଜା ଶ୍ରୀନିବାସ ରାଜମଣି ରାଜଦେବ ମଧୁସୂଦନଙ୍କୁ କହିଲେ ଯେ, ଯେତେ ଅର୍ଥ ଖର୍ଚ୍ଚ ହେଉ ପଛକେ ସେ କିନ୍ତୁ ଏ ଅପୂର୍ବ ପ୍ରତିଭାର ଉପଯୁକ୍ତ ପରିସ୍ଫୁଟନ ପାଇଁ ଏବଂ ତରୁଣି ଶିଳ୍ପୀଙ୍କୁ ଆହୁରି ଚିତ୍ରକୁଶଳୀ କରିବା ପାଇଁ ତାଙ୍କୁ ବିଦେଶକୁ ପଠାଇବେ । ବିଦେଶରେ ହରିଶରଣ ଚିତ୍ର ବିଦ୍ୟାରେ ଉଚ୍ଚଶିକ୍ଷା ପାଇ ଆସିଲେ ଏ ଦେଶର ନାଆଁ ରହିବ । କିନ୍ତୁ କଳାକାରଙ୍କର ବିଧି ଥିଲା ଅନ୍ୟ ପ୍ରକାର ।

 

ଠିକ୍‌ ଏହାର କିଛିଦିନ ପରେ ମଞ୍ଜୁଷାର ରାଜା ପରାଲୋକ ଗମନ କଲେ । ଶିଳ୍ପୀଙ୍କର ବିଦେଶ ଯିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ଏବଂ ଏହାର ଦୁଇବର୍ଷ ପରେ ତାଙ୍କର ସ୍ନେହମୟୀ ଉତ୍ସାହଦାତ୍ରୀ ମାଆ ମଧ୍ୟ ଇହଧାମ ପରିତ୍ୟାଗ କଲେ । ଶିଳ୍ପୀଙ୍କର ମାଆ ମରିବା ପରେ ପିତା ମଧୁସୂଦନ କିପରି ଉଦାସ ହୋଇ ଉଠିଲେ । ସେ ଭାର ଚଳାଇବେ କିପରି ? କିପରି ବା ନିଜର ଦୁଃଖକୁ ଲାଘବ କରିବେ ? ସ୍ତ୍ରୀ ବିଚ୍ଛେଦକୁ ପାଶୋରିବା ପାଇଁ ମଧୁସୂଦନ ଏକାଗ୍ର ହୋଇପଡ଼ନ୍ତି ଶିଳ୍ପସାଧନାରେ । ଏଣେ ହରିଶରଣ ମଧ୍ୟ କିପରି ଅନ୍ୟମନସ୍କ ହୋଇ ଉଠନ୍ତି । କିଛିଦିନ ପରେ ମଧୁସୂଦନ ସଚେତନ ହୋଇ ଉଠି ଦେଖିଲେ ସେ ଏହାଭିତରେ ଚିତ୍ରବିଦ୍ୟା ବିଷୟରେ ହରିଶରଣଙ୍କୁ ପଦଟିଏ ହେଲେ କହି ନାହାନ୍ତି । କିନ୍ତୁ ଆଉ ସେ ଏ ଦାୟିତ୍ୱ ନେବାକୁ କିପରି ବୀତସ୍ପୃହ ହୋଇ ଉଠିଲେ ।

 

ଠିକ୍‌ ଏହି ସମୟରେ ଚାରୁକଳା ଶିଳ୍ପ କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥାନ୍ତି ମଞୁଷା ନିବାସୀ ଶିଳ୍ପୀ ଦାଶରଥି ମହାରଣା । ତୈଳଚିତ୍ର, କାଠ, ପଥର, ହାତୀଦାନ୍ତ ପ୍ରଭୃତିରେ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ସେ ସେତେବେଳେ ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତରେ ପ୍ରଖ୍ୟାତ ହୋଇ ଉଠିଥାନ୍ତି । ମଧୁସୂଦନ ଶେଷକୁ ହରିଶରଣଙ୍କ ତାଲିମ ଦାୟିତ୍ୱ ଛାଡ଼ିଦେଲେ ଦାଶରଥିଙ୍କ ହାତରେ । ହରିଶରଣ ଦାଶରଥିଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ପରେ ପରେ ତାଙ୍କର ଚିତ୍ର-ଚାତୁର୍ଯ୍ୟ ଆହୁରି ପରିସ୍ଫୁଟିତ ହୋଇଉଠିଲା ।

 

୧୯୩୮ ମସିହାରେ ସୁରଙ୍ଗୀ ରାଜା ସାହେବ ଶିଳ୍ପୀଙ୍କୁ ତାଙ୍କରି ଦ୍ୱାରା ପରିଚାଳିତ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କଳାଶିକ୍ଷକ ରୂପେ ନିଯୁକ୍ତ କଲେ । ବେଶ୍‌ ଜଣେ ଛାତ୍ରବତ୍ସଳ ଶିକ୍ଷକ ହୋଇ ଉଠିଲେ ହରିଶରଣ । ସମସ୍ତଙ୍କ ମୁହଁରେ ତରୁଣ ଶିକ୍ଷକ ହରିଶରଣଙ୍କ ପ୍ରଶଂସା । ଖଲିକୋଟ ଓ ଆଠଗଡ଼ର ରାଜାଙ୍କ ଦ୍ୱାରା ସେତେବେଳକୁ ଶିଳ୍ପୀ ସମ୍ମାନିତ ତଥା ପୁରସ୍କୃତ ହୋଇ ଥାଆନ୍ତି ମଧ୍ୟ । ଏହାର କିଛିଦିନ ପରେ ତତ୍‌କାଳୀନ ଗଞ୍ଜାମ ଜିଲ୍ଲା ବୋର୍ଡ଼ର ସଭାପତି ଦିବାକର ପଟ୍ଟନାୟକଙ୍କ ଦୃଷ୍ଟିପଡ଼େ ହରିଶରଣଙ୍କ ଉପରେ । ସେତେବେଳକୁ ଶିଳ୍ପୀ ନବବିବାହିତ । ନବ ନବ ଉନ୍ମାଦନାରେ ସେ ସୃଷ୍ଟି କରୁଥାନ୍ତି ଅପୂବଂ ଚିତ୍ର ସମ୍ଭାର ଦିବାକର ବାବୁ ସ୍ୱତଃପ୍ରବୃତ୍ତ ହୋଇ ହରିଶରଣଙ୍କୁ ନେଇ ଆସିଲେ ମଞ୍ଜୁଷାରୁ ଆସିକା । ଶିଳ୍ପୀ ଆସିକା ହରିହର ହାଇସ୍କୁଲର କଳାଶିକ୍ଷକ ରୂପେ ନିଯୁକ୍ତ ହେଲେ ।

 

ଆସିକାରେ ହରିଶରଣଙ୍କ ପ୍ରତିଭା ଅନ୍ୟ ମୋଡ଼ ନିଏ । ସେତେବେଳକୁ ସେ ବେଶ୍‌ ସୁପ୍ରତିଷ୍ଠିତ । ଏଣିକି ତାଙ୍କର ଅଭିଳାଷ ଜାଗିଲା ସେ କିପରି ତାଙ୍କ ପରି ଅନେକ ସ୍ରଷ୍ଟା ସୃଷ୍ଟି କରିବେ । ତାଙ୍କରି ଉଦ୍ୟମରେ ଗଠିତ ହେଲା ଏଇ ବିଦ୍ୟାଳୟର ‘କଳାମନ୍ଦିର’ । ଉଦ୍ଦେଶ୍ୟ, ଚିତ୍ରକଳାର ପ୍ରଚାର ଓ ପ୍ରସାର । ଏଥିରେ ତାଙ୍କୁ ବିଶେଷଭାବରେ ଉତ୍ସାହିତ କଲେ ସେତେବେଳର ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଫଳରେ ତାଙ୍କରି ତାଲିମରେ ଅନେକ ଛାତ୍ର ଚିତ୍ରବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ । ହରିଶରଣ ଅନେକ ଛାତ୍ରଙ୍କୁ ଉତ୍ସାହିତ କରି ପଠାଇଲେ ଖଲିକୋଟ ଆର୍ଟ ସ୍କୁଲକୁ । ଏବେ ଶିଳ୍ପୀଙ୍କର ଅନେକ ଛାତ୍ର ବିଭିନ୍ନ ବିଦ୍ୟାଳୟରେ କଳାଶିକ୍ଷକରୂପେ ନିଯୁକ୍ତ ହୋଇ ଓ କେତେକ ସ୍ୱାଧୀନ ଭାବରେ ଜୀବୀକା ନିର୍ବାହ କରି ଶିଳ୍ପୀଙ୍କର ସୁନାମ ବଜାୟ ରଖିଛନ୍ତି ।

 

ଅନ୍ୟ ଚିତ୍ର ଅପେକ୍ଷା ତୈଳଚିତ୍ର ଅଙ୍କନରେ ଶିଳ୍ପୀ ଅପୂର୍ବ ପାରଦର୍ଶିତା ଲାଭ କରିଛନ୍ତି । ଓଡ଼ିଶାର ବଡ଼ ବଡ଼ ଅନୁଷ୍ଠାନରେ ସ୍ଥାପିତ ବିଖ୍ୟାତ ମନୀଷୀମାନଙ୍କର ତୈଳଚିତ୍ରଗୁଡ଼ିକ ପ୍ରାୟ ସମସ୍ତ ହରିଶରଣଙ୍କ ଦ୍ୱାରା ଅଙ୍କିତ । ଏହି ଚିତ୍ରଗୁଡ଼ିକ ଶିଳ୍ପୀଙ୍କର କଳାନୈପୁଣ୍ୟର ଅମ୍ଳାନ ନିଦର୍ଶନ-। କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଅନେକ ସୁନ୍ଦର ଜୀବନ୍ତ ତୈଳଚିତ୍ର ଶିଳ୍ପୀଙ୍କର ଶୈଳ୍ପିକ ପ୍ରତିଭାର ସ୍ୱାକ୍ଷର ବହନ କରେ ।

 

ସଂପ୍ରତି ହିଞ୍ଜିଳିକାଟୁ ବିଜ୍ଞାନ କଲେଜରେ ଶିଳ୍ପୀଙ୍କଦ୍ୱାରା ଅଙ୍କିତ କବିସୂର୍ଯ୍ୟଙ୍କର ଯେଉଁ ପ୍ରତିକୃତି ରହିଚି, ସେ ବିଷୟରେ ଏ ଲେଖକ କିଛି ଜାଣିବା ପାଇଁ ତାଙ୍କୁ ଯେତେବେଳେ ପ୍ରଶ୍ନ ପଚାରିଲା, ସେ ହସିଲେ । ଆଉ କହିଲେ ଯେ, ସେ ଚିତ୍ରଟି ପ୍ରଥମତଃ ତାଙ୍କର ମାନସ-ପ୍ରତିମା । କାରଣ କବିସୂର୍ଯ୍ୟଙ୍କର କୌଣସି ଛବି ସେତେବେଳେ ନଥିଲା ଏବଂ ସେ କବିସୂର୍ଯ୍ୟଙ୍କର ପଣନାତି ଗଣେଶ ରଥଙ୍କ ଠାରୁ କିଛି ନିର୍ଦ୍ଦିଷ୍ଟ ସୂଚନା ଓ ଅମର ପ୍ରେସ୍‌ର ବାଳକୃଷ୍ଣ ପଟ୍ଟନାୟକଙ୍କ ଦ୍ୱାରା ସଂଗୃହୀତ କେତେକ ତାଳପତ୍ର ପୋଥିରୁ ତଥ୍ୟକୁ ନେଇ ସେ ଏ ପ୍ରତିକୃତି ଅଙ୍କନ କରିଛନ୍ତି । ପ୍ରକୃତରେ ଏଥିରୁ ଶିଳ୍ପୀଙ୍କର ପ୍ରତିଭାର ବୈଶିଷ୍ଟ୍ୟ ସହଜେ ପ୍ରତିପାଦିତ ହୁଏ ।

 

କେବଳ ଚିତ୍ର ଅଙ୍କନରେ ନୁହେଁ, ସିମେଣ୍ଟର ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ମଧ୍ୟ ଶିଳ୍ପୀଙ୍କର ଦକ୍ଷତା ରହିଛି । ଏସବୁ କଳାତ୍ମକ ପାରଦର୍ଶିତା ପାଇଁ ଶିଳ୍ପୀ ୧୯୬୯ ସାଲ ସାଧରଣତନ୍ତ୍ର ଦିବସରେ କୃତୀ କଳାଶିକ୍ଷକ ହିସାବରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲେ ।

 

ଶିଳ୍ପୀ ନାଟକ ଓ ଏକାଙ୍କିକା ରଚନା କରିବାରେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି । ତାଙ୍କର ପୌରାଣିକ ନାଟକ ଭାବରେ ‘ବଂଧୁ’ ‘ହରିଶ୍ଚନ୍ଦ୍ର’ ଓ ସାମାଜିକ ନାଟକ ଭାବରେ ‘ଛାତ୍ର ପ୍ରବେଶ’ ‘ମଣିଷ କିଏ’ ହାସ୍ୟରସାତ୍ମକ ଏକାଙ୍କିକା ଭାବରେ ‘ଜୋଗ୍ରାଫିଆ’ ‘ରତନାମାଳତୀ’ ପ୍ରଭୃତି ପ୍ରଧାନ । ତାଙ୍କର ପ୍ରଥମ ନାଟକ ‘ଧ୍ରୁବ’ ମଞ୍ଚସ୍ଥ ହୁଏ ୧୯୪୨ ମସିହାରେ । ହାସ୍ୟରସାତ୍ମକ ସଙ୍ଗୀତ ରଚନା କରିବାରେ ମଧ୍ୟ ସେ ଧୂରନ୍ଧର । ତାଙ୍କର ପ୍ରତ୍ୟେକ ଲେଖା ସମାଜସଂସ୍କାର ପ୍ରତି ଉଦ୍ଦିଷ୍ଟ । ତାଙ୍କର ଏକ ସଙ୍ଗୀତ—

 

‘‘କିହେଲା ହୋ, ଧରମ ମୁଣ୍ତରେ ଠେଙ୍ଗା

ଅଣ୍ଟାଭିଡ଼ି ଠିଆ ହେଲା ଅଧରମ

ଧରମ ମୁହଁରେ ବେଙ୍ଗା ।’’

 

ଶିଳ୍ପୀ ଜଣେ ମଧ୍ୟ ଦକ୍ଷ ଅଭିନେତା ଭାବରେ ସୁପରିଚିତ । ଏପରି ଅନେକ କଳାତ୍ମକ ପ୍ରତିଭାର ସମାହାରରେ ତାଙ୍କର ଅପୂର୍ବ ବ୍ୟକ୍ତିତ୍ୱ । ସେ ଦୀର୍ଘ ୩୯ ବର୍ଷ ଶିକ୍ଷକତା କରିସାରିବା ପରେ ଗତ ୭୭ ମସିହା ଜାନୁଆରୀ ମାସରେ ଅବସର ଗ୍ରହଣ କରିଛନ୍ତି । ଏବେ ସେ ଅନେକ ଜଞ୍ଜାଳ ମଧ୍ୟରେ ବ୍ୟତିବ୍ୟସ୍ତ । ଏବେ ମଧ୍ୟ ସେ କହନ୍ତି । ‘‘ଜୀବନରେ ଅନେକ ଝଡ଼ର ସାମନା କରି କରି ମୋର ପ୍ରତିଭା ସାମଗ୍ରିକ ଭାବରେ ପରିସ୍ଫୁଟିତ ହୋଇ ପାରିଲା ନାହିଁ । ଏଯୁଗରେ କିଏ ବା ଦୁସ୍ଥ କଳାକାରର ଅବସ୍ଥା ବୁଝୁଛି ?’’

 

ତାଙ୍କର ଏ ଖେଦୋକ୍ତି ଓଡ଼ିଶାର ପୂଜ୍ୟପୂଜା ପଦ୍ଧତିକୁ ସ୍ମରଣ କରାଏ । କବି ତଥା କଳାକାର ବଞ୍ଚିବା ସମୟରେ କେହି ତାର ଜୀବନର ମୂଲ୍ୟ ବୁଝନ୍ତି ନାହିଁ, କିନ୍ତୁ ଅଭାବରେ ସଢ଼ି ସଢ଼ି ସେ ସଂସାରରୁ ବିଦାୟ ନେଲା ପରେ ଆମ୍ଭେମାନେ ସଭାସମିତି କରି ବହୁତ କାନ୍ଦୁ । ସେ କାନ୍ଦଣା ପରଲୋକ ଗତ କଳାକାରର ସ୍ମୃତିର ରୋମନ୍ଥନ ପାଇଁ ନୁହେଁ, ବରଂ ତାହା କେବଳ ଆମର ଆତ୍ମ ବିଜ୍ଞାପନ ପାଇଁ—ନିଜକୁ ଜଣେ ଦରଦୀ ଓ ଗୁଣଗ୍ରାହୀ ବ୍ୟକ୍ତି ହିସାବରେ ସର୍ବସାଧାରଣଙ୍କ ଆଗରେ ସାବ୍ୟସ୍ତ କରି ବାହାବା ନେବାପାଇଁ ।

 

ସେ ଯାହାହେଉ, ଏତେ ଶାରୀରିକ ଓ ମାନସିକ ଅସୁସ୍ଥତା ମଧ୍ୟରେ ବି ଶିଳ୍ପୀଙ୍କର ତୂଳି ମୂକ ହୋଇନି । ଅଦ୍ୟାବଧି ଅନେକ ରଙ୍ଗର ଛୁଆଁରେ ତାହା ସୃଷ୍ଟି କରି ଚାଲିଛି ଚିତ୍ରପଟ ଉପରେ କମନୀୟ କବିତା ସମ୍ଭାର ।

Image

 

ସଙ୍ଗୀତ-ସାଧକ ଜଗବନ୍ଧୁ ସାହୁ

ଶ୍ରୀ ଅପୂର୍ବ ରଞ୍ଜନ ରାୟ

 

ଓଡ଼ିଶାର ସଙ୍ଗୀତ କ୍ଷେତ୍ରରେ ନୀରବ ସାଧକ ସଙ୍ଗୀତାଚାର୍ଯ୍ୟ ଜଗବନ୍ଧୁ ସାହୁଙ୍କର ଅବଦାନ ଚିରସ୍ମରଣୀୟ । ଆଜୀବନ ସେ ହେଉଛନ୍ତି ସଙ୍ଗୀତ ସାଧକ । ଏହି ସାଧନାରୁ ସେ ଜୀବନର ପରମ ଆନନ୍ଦ ଅନୁଭବ କରନ୍ତି । ସଙ୍ଗୀତ ପାଇଁ ସେ ଜୀବନର ସକଳ ମୋହ ମାୟା ଓ ଭୋଗବିଳାସକୁ ତୁଚ୍ଛ ମନେ କରିଛନ୍ତି । ଅନେକ ଝଡ଼ଝଞ୍ଜା ଭିତରେ ମଧ୍ୟ, ସେ କେବେ ବିବ୍ରତ ହୋଇନାହାନ୍ତି । ନିଷ୍ଠାପର ସାଧନା । ତାଙ୍କୁ ଦାରିଦ୍ର୍ୟ ଓ ଅନାଟନ ପାଇଁ ଚିନ୍ତାକରିବାକୁ ସୁଯୋଗ ଦେଇ ନାହିଁ । ସବୁ ସବୁ ଦୁଃଖ ଯନ୍ତ୍ରଣାକୁ ସେ ସଙ୍ଗୀତର ସ୍ୱର ଲହରୀ ଭିତରେ ଭସାଇ ଦେଇଛନ୍ତି-। ସକଳ ବାଧାବିଘ୍ନ ମଥାପାତି ସହ୍ୟକରି, ସେ ଜୀବନର ଲକ୍ଷ୍ୟ ସାଧନରେ ବ୍ରତୀ ହୋଇଅଛନ୍ତି । ସେଥିପାଇଁ ନିଃସ୍ୱ, ଦରିଦ୍ର ଜଗବନ୍ଧୁ ଆପଣାକୁ ସଙ୍ଗୀତ ଜଗତରେ ପ୍ରତିଷ୍ଠିତ କରିପାରିଛନ୍ତି ଏବଂ ନିଜର ପ୍ରତିଭାକୁ ଜନ-ସମାଜରେ ପ୍ରକାଶକରି ଯଶସ୍ୱୀ ହୋଇଛନ୍ତି ।

 

ଏହି ସଙ୍ଗୀତ ରସିକ ବାଲେଶ୍ୱର ଜିଲ୍ଲା ଭଦ୍ରକ ସବ୍‌ଡ଼ିଭିଜନ ଅନ୍ତର୍ଗତ ପୀରହାଟ ନିକଟବର୍ତ୍ତୀ ଚନ୍ଦ୍ରକାଟବିନ୍ଧା ଗ୍ରାମରେ ୧୯୧୪ ମସିହା ଜାନୁୟାରୀ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱର୍ଗୀୟ ଗୋବିନ୍ଦଚନ୍ଦ୍ର ସାହୁଙ୍କର ଜୀବନ ଯାତ୍ରା ସ୍ୱଚ୍ଛଳ ଅବସ୍ଥାରେ ନଥାଏ । ସେ ସାଧାରଣ ଜଣେ ବ୍ୟବସାୟୀ ଭାବରେ ବ୍ୟବସାୟ କରି ଜୀବିକାର୍ଜନ କରୁଥାଆନ୍ତି । ସେତକ ତାଙ୍କ ପରିବାର ଚଳାଇବା ପକ୍ଷରେ ଯଥେଷ୍ଟ ହୁଏନାହିଁ । ଦିନକୁ ଦିନ ଜିନିଷ ପତ୍ରର ମୂଲ୍ୟବୃଦ୍ଧି ହେଲା । ମାତ୍ର ଗୋବିନ୍ଦଚନ୍ଦ୍ରଙ୍କର ଆୟବୃଦ୍ଧି ହେଲାନାହିଁ । ଫଳରେ ଆର୍ଥିକ ଅଭାବ ଦେଖାଦେଲା । ବ୍ୟବସାୟ ଦ୍ୱାରା ସଂସାର ଭରଣ ପୋଷଣ ଆଦୌ ସମ୍ଭବ ହେଲାନାହିଁ । ଏହି ସମୟରେ ଦେଶରେ କାଳ ପଡ଼ିଲା । ଠିକ୍‌ ନ’ଅଙ୍କ ଦୁର୍ଭିକ୍ଷର ପରଘଟଣା । ତା’ପରେ ଆଉ ଗୋଟିଏ ଦୁର୍ଭିକ୍ଷ ପଡ଼ି ସାଧାରଣ ଜନ ଜୀବନକୁ ପ୍ରବଳ ଭାବରେ ଆକ୍ରମଣ କଲା । ଖାଇବାକୁ ମିଳିଲା ନାହିଁ । ଏହି ପରିସ୍ଥିତିରେ ଦରିଦ୍ର ଗୋବିନ୍ଦଚନ୍ଦ୍ରଙ୍କର ଅବସ୍ଥା କହିଲେ ନସରେ ! ସେତେବେଳେ ଯେଉଁ ଦୁର୍ଦ୍ଦିନ ଭିତରେ ତାଙ୍କ ପରିବାର ଗତି କରିଛି, ତାହା କହି ବସିଲେ ଆଖିରେ ଲୁହ ରହେ ନାହିଁ । କେତେଦିନ ଉପବାସ ରହିବାକୁ ପଡ଼ିଛି । ଆଉ କେଉଁଦିନ ସମ୍ଭବହେଲେ ଜଗବନ୍ଧୁଙ୍କ ମା ବାଡ଼ିରୁ ଓଲୁଓ, ଅମୃତଭଣ୍ତା ଆଣି ସିଝାଇ ଖାଇବାକୁ ଦିଅନ୍ତି । କେତେଦିନ ବା ଏପରି କଟିପାରିବ ? ସେଦିନର ଦୁଃଖ କଥା ଆଜି ସଙ୍ଗୀତ ସାଧକ ଜଗବନ୍ଧୁ କହି ବସିଲେ ଶ୍ରୋତାର ଆଖିରୁ ସ୍ୱତଃ ଲୁହ ଗଡ଼ିପଡ଼େ । ଜୀବନଟି ପ୍ରତି ସମବେଦନା ଜାତହୁଏ ।

 

ଏହି ଦୁର୍ଦ୍ଦିନ ଭିତରେ ସଂସାର ପୋଷିବା ଯାହାଙ୍କ ପକ୍ଷରେ ଦୁଃସାଧ୍ୟ ବ୍ୟପାର, ସେ ବା ପିଲାର ପାଠ ପଢ଼ାଇବାପ୍ରତି ଦୃଷ୍ଟି ଦେଇ ପାରିବେ କିପରି ? ତଥାପି ଜଗବନ୍ଧୁ ଗାଁ ବିଦ୍ୟାଳୟରେ ପ୍ରବେଶ କଲେ । ମାତ୍ର ଆର୍ଥିକ ଅସ୍ୱଚ୍ଛଳତା ତାଙ୍କୁ ସେ ଦିଗରେ ଅଗ୍ରସର ପାଇଁ ସୁଯୋଗ ଦେଲାନାହିଁ । ଈଶ୍ୱରଦତ୍ତ ପ୍ରତିଭାକୁ ସମ୍ୱଳକରି ଜଗବନ୍ଧୁ ନିଜ ସାଧନା ପଥରେ ଆଗେଇ ଗଲେ । ଏହି ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ତତ୍‌କାଳୀନ ସଙ୍ଗୀତ ବିଶାରଦ ସ୍ୱର୍ଗୀୟ ମନମୋହନ ସାବତଙ୍କ ଅବଦାନ ସ୍ମରଣଯୋଗ୍ୟ । ସେ ଯଦି ସହଜାତ ସଦୟ ଦୃଷ୍ଟି ନିକ୍ଷେପ କରି ନଥାଆନ୍ତେ, ତେବେ ଜଗବନ୍ଧୁ କେବେହେଲେ ନିଜର ଅସାଧାରଣ ପ୍ରତିଭାକୁ ଜନ-ସମାଜରେ ପ୍ରକାଶ କରିବାକୁ ସକ୍ଷମ ହୋଇ ନଥାଆନ୍ତେ । ପ୍ରକୃତରେ ସେଦିନର ଗାଈଜଗୁଆଳ ଅପରିଚିତ ‘ଜଗୁ’ ଆଜି ବିଶେଷ ଖ୍ୟାତିସଂପନ୍ନ ସଙ୍ଗୀତଜ୍ଞ ଜଗବନ୍ଧୁ ସାହୁ ।

 

ସଙ୍ଗୀତଜ୍ଞ ମନମୋହନ ସାବତଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିବା ପାଇଁ ଧନୀ ଲୋକମାନେ ତାହାଙ୍କୁ ସେମାନଙ୍କ ଘରକୁ ଡ଼ାକି ଆଣନ୍ତି । ସଙ୍ଗୀତ ଶିକ୍ଷକ ଭାବରେ ମନମୋହନ ଧନୀ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦିଅନ୍ତି । ଜଗବନ୍ଧୁ ସଙ୍ଗୀତ ଶିକ୍ଷା ପାଇଁ ଆଗ୍ରହୀ ହେଲେ । କିନ୍ତୁ ତାଙ୍କୁ ଏ ସୁଯୋଗ ଦେଉଛି ବା କିଏ ? ଗରିବ ଘରର ପିଲା ଭାଗ୍ୟରେ ସଙ୍ଗୀତ ଶିକ୍ଷା ପାଇଁ ଟଙ୍କା କେଉଁଠୁ ବା ଆସିବ ! ସେ ମନମୋହନଙ୍କଠାରୁ ସଙ୍ଗୀତ ଶିଖିବା ଉଦ୍ଦେଶ୍ୟରେ ଲୁଚି ଛପି ତାଙ୍କ ସଙ୍ଗୀତକୁ ଲକ୍ଷ୍ୟ କରନ୍ତି । ଅଦ୍‍ଭୂତ ପ୍ରତିଭାଧାରୀ ଜଗବନ୍ଧୁ ଥରେମାତ୍ର ଯେଉଁ ସଙ୍ଗୀତ ଶୁଣନ୍ତି, ତାହକୁ ସେ ଅବିକଳ ଭାବରେ ଆୟତ୍ତ କରି ନିଅନ୍ତି । ଏତେ ପିଲା ବୟସରୁ ଏପରି ସ୍ମରଣ ଶକ୍ତି ସାଧାରଣତଃ କ୍ୱଚିତ୍‍ ଦେଖାଯାଇଥାଏ । ସେହି ଗୀତସବୁକୁ ସେ ଏପରି ଶିଖି ଯାଆନ୍ତି ଯେ, ନିଜେ ସ୍ୱର ଧରି ଗାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଗୀତ ସବୁ ଶିଖାଇ ପାରନ୍ତି । ଅନ୍ୟ ସାଙ୍ଗ ପିଲାମାନେ ବାଳକ ଜଗବନ୍ଧୁଙ୍କ ଗୀତ ଶୁଣି ଏତେ ମୁଗ୍‌ଧ ହୁଅନ୍ତି ଯେ, ଗୋଟିକ ପରେ ଗୋଟିଏ ଗୀତ ଏହିପରି ଅନେକ ଗାଇବା ପାଇଁ କହନ୍ତି ।

 

ଦିନେ ଗୋଟିଏ ଘଟଣା ଘଟିଲା । ଗାଁ ପିଲା କେତେଜଣ ନିଛାଟିଆ ପଡ଼ିଆ ପାଖରେ ଗୋଟିଏ ନଦୀରୁ ମାଛ କଙ୍କଡ଼ା ଧରୁ ଥାଆନ୍ତି । ସମସ୍ତେ ମଧ୍ୟ ଲଙ୍ଗଳା ହୋଇ ପାଣି କାଦୁଅରେ ପଶୁ ଥାଆନ୍ତି । ଏହି ସମୟରେ ଜଗବନ୍ଧୁ ଗୀତ ଗାଇ ପିଲାମାନଙ୍କୁ ଶୁଣାଉଥାଆନ୍ତି । ଏତେ ଲଳିତ କଣ୍ଠରେ ଗୀତ ବୋଲୁଥାଆନ୍ତି ଯେ, ବାଟରେ ଯାଉଥିବା ଲୋକେ ତାହା ଶୁଣି ଦଣ୍ତେ ଠିଆ ନହୋଇ ଯାଇ ପାରନ୍ତି ନାହିଁ । ସେତେବେଳେ ସଞ୍ଜ ହୋଇ ଆସୁଥାଏ । ମନମୋହନ ସାଂଧ୍ୟ ଭ୍ରମଣରେ ଆସି ଥାଆନ୍ତି । ତାଙ୍କ କାନରେ ସେହି ସୁକଣ୍ଠ ଗାୟକ ଜଗବନ୍ଧୁଙ୍କ ସଙ୍ଗୀତର ସ୍ୱର ବାଜିଗଲା । ସେ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ । ଏପରି ସୁକଣ୍ଠ ଗାୟକ ଯେ ପଲ୍ଲୀ ଅଞ୍ଚଳରେ ଅଛନ୍ତି, ତାହା ସେ ହଠାତ୍‌ ବିଶ୍ୱାସ କରି ପାରିଲେ ନାହିଁ । ସଂଧ୍ୟା ମସୟରେ ଯେତେବେଳେ ସଙ୍ଗୀତ ଆସର ଆରମ୍ଭ ହେଲା, ସେତେବେଳେ ମନମୋହନ ଅତି ଆଗ୍ରହରେ ଜଗବନ୍ଧୁଙ୍କୁ ଡକାଇ ପଠାଇଲେ ।

 

ସେତେବେଳକୁ ତାଙ୍କର ବୟସ ମାତ୍ର ସାତ ବର୍ଷ । ଛୋଟ ପିଲାଟିଏ । କେହି ତାଙ୍କୁ ଗଣନାରେ ନିଅନ୍ତି ନାହିଁ । ସମସ୍ତେ ଗୀତ ଗାଇ ସାରିଲା ପରେ ତାଙ୍କ ନାମ ଶେଷକୁ ପଡ଼ିଲା । ଗୋଟିଏ ମାତ୍ର ଗୀତ ପ୍ରଥମେ ଗାଇ ସାରିଲା ପରେ, ତାହା ଏତେ ଆକର୍ଷଣୀୟ ହେଲା ଯେ, ଆହୁରି ଆହୁରି ଗାଇବାପାଇଁ ସେଠାରେ ଉପସ୍ଥିତ ଗାଁ ଲୋକମାନେ ଓ ଶିକ୍ଷକ ମନମୋହନ ନିଜେ ମଧ୍ୟ କହିଲେ । ଜଗବନ୍ଧୁଙ୍କ ଗୀତ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମାଷ୍ଟର ମନମୋହନ କହିଲେ—‘‘ମୁଁ କି ଓସ୍ତାଦ୍‌ ହୋଇଛି । ମୋତେତ ଏ ପିଲା ବଳିଗଲା ।’’ ମନମୋହନ ସାବତ ସେତେବଳେ ବାଲେଶ୍ୱର ଜିଲ୍ଲାରେ ଏକମାତ୍ର ସଙ୍ଗୀତଜ୍ଞ । ତାଙ୍କର ଅପୂର୍ବ ସଙ୍ଗୀତ ସାଧନାରେ ସେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ । ସେତେବେଳକୁ ସେ ତୃତୀୟ ଶ୍ରେଣୀରେ ପଢ଼ୁଥାଆନ୍ତି । ମନମୋହନ ସେହି ପ୍ରଥମ ସାକ୍ଷାତରେ ଜଗବନ୍ଧୁଙ୍କ ପ୍ରତିଭା ଦେଖି ଏତେ ଖୁସି ହୋଇଗଲେ ଯେ, ତାଙ୍କୁ ସେ ଆଉ ପାଖରୁ ଛାଡ଼ିଲେ ନାହିଁ । ନିଜ ପାଖରେ ରଖି ସଙ୍ଗୀତ ଶିକ୍ଷା ଦେବାପାଇଁ ଆଗ୍ରହ ପ୍ରକାଶ କଲେ । ଓସ୍ତାଦ୍‌ ସିନା ଶିକ୍ଷା ଦାନ ଲାଗି ସମ୍ମତି ଜଣାଇଲେ, କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଲେ । ତାହା ହେଲା—୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ଉପରେ ବାପ ମାଆଙ୍କର କୌଣସି ଅଧିକାର ରହିବ ନାହିଁ । ବାପା ମାଆ ଏହି ସର୍ତ୍ତ ଉପରେ ଏକମତ ହେଲେ । ସେହିଦିନଠାରୁ ଜଗବନ୍ଧୁ ଶିଷ୍ୟଭାବରେ ଗୁରୁ ମନମୋହନଙ୍କ ପାଖରେ ରହିଲେ । ଗୁରୁଙ୍କଠାରୁ ଶିକ୍ଷା କରିବାର ପ୍ରବଳ ଆଗ୍ରହ ଜଗବନ୍ଧୁଙ୍କୁ ଜଣେ ଏକନିଷ୍ଠ ଶିଷ୍ୟର ଆସନ ଦେଇ ପାରିଥିଲା ।

 

ଜଗବନ୍ଧୁ ଗୁରୁଙ୍କ ପାଖରେ ରହି ସଙ୍ଗୀତ ଶିକ୍ଷା କଲେ । ଏହି ରହଣିକାଳ ଭିତରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଯେଉଁ ଅନାବିଳ ପ୍ରୀତି ସଂପର୍କ ଗଢ଼ିଉଠିଲା, ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଲେ । ଜଗବନ୍ଧୁଙ୍କର ପ୍ରଗାଢ଼ ଗୁରୁଭକ୍ତି ଦେଖି ଲୋକେ ତାଙ୍କୁ ପ୍ରଶଂସା ନକରି ରହି ପାରିଲେ ନାହିଁ । ସବୁବେଳେ ଶିଷ୍ୟ ଗୁରୁଙ୍କ ପାଖରେ ରହି ଥାଆନ୍ତି । ଗୁରୁଙ୍କର ସେବା ଶୁଶ୍ରୂଷାରେ ଯେପରି ସାମାନ୍ୟ ତ୍ରୂଟି ମଧ୍ୟ ନହୁଏ, ସେଥିପ୍ରତି ଜଗବନ୍ଧୁ ଦୃଷ୍ଟି ଦେଇ ଥାଆନ୍ତି । ଏହି ସମୟ ଭିତରେ ଜଗବନ୍ଧୁଙ୍କର ସଙ୍ଗୀତ ଶିକ୍ଷା ପ୍ରତି ଆହୁରି ଅଧିକ ଆଗ୍ରହ ବୃଦ୍ଧି ପାଇଲା । ଗୁରୁଙ୍କର ଉତ୍ସାହ ଓ ପ୍ରେରଣା ଏଦିଗରେ ତାଙ୍କୁ ଉଦ୍‌ବୁଦ୍ଧ କଲା । ସେ ଗୁରୁଙ୍କ ଠାରୁ ଜ୍ଞାନ ଆହରଣର ସୁଯୋଗ ଖୋଜିଲେ । ଗୁରୁଙ୍କଠାରୁ ସାହାଯ୍ୟ ପାଇବା ପାଇଁ ବ୍ୟାକୁଳ ହୁଅନ୍ତି । ଏକ ଲୟରେ ମନମୋହନଙ୍କୁ ସେ ଅନୁକରଣ କରନ୍ତି । ନିଜର ତ୍ରୁଟି ପାଇଁ ଯେତେ ଯାହା ଅପମାନ ଦେଲେ ମଧ୍ୟ, ନିନ୍ଦା କଲେ ସୁଦ୍ଧା, ଶିକ୍ଷା ଲାଭ ପାଇଁ ଆଗ୍ରହୀ ଜଗବନ୍ଧୁ ସେସବୁକୁ ଆଦୌ ଦୃଷ୍ଟି ଦିଅନ୍ତି ନାହିଁ । ଅଭାବ ଅସୁବିଧା ଗାଳି ଅପମାନ ସବୁକୁ ସେ ପାଦରେ ଦଳି ଦେଇ ଲକ୍ଷ୍ୟ ହାସଲରେ ଧାଇଁ ଥାଆନ୍ତି । ସଙ୍ଗୀତଜ୍ଞ ଗୁରୁ ମନମୋହନ ଯେପରି ସାଧନା କରି ପରିଛନ୍ତି, କିପରି ସେ ତାଙ୍କର ଜଣେ ଶିଷ୍ୟ ହୋଇ ତାହା ତାଙ୍କଠାରୁ ହାସଲ କରି ପାରିବେ, ଏହି ମନୋବୃତ୍ତି ଜଗବନ୍ଧୁଙ୍କର ରହିଥାଏ । ସେଥିପାଇଁ ସେ ଦୁନିଆର ଅନ୍ୟ ସବୁ କଥା ଭୁଲି ଯାଇଥାଆନ୍ତି ।

 

ଦୀର୍ଘ ୧୦ବର୍ଷ ପରେ ଜଗବନ୍ଧୁ ଗୁରୁଙ୍କ ପାଖରୁ ପଳାଇ ଆସିଲେ । ମନମୋହନ ମଧ୍ୟ ଆଉ ଓଡ଼ିଶାରେ ରହିଲେ ନାହିଁ । ଉଚ୍ଚତର ଶିକ୍ଷା ପାଇଁ ସେ କଲିକତା ଚାଲିଗଲେ । ସେତେବେଳେ ଜଗବନ୍ଧୁ ଜଣେ ଜଣାଶୁଣା ସଙ୍ଗୀତ ଗାୟକ ଭାବରେ ପରିଚିତ ହୋଇ ଗଲେଣି । ତାଙ୍କର ମଧ୍ୟ ସଙ୍ଗୀତ ବିଷୟରେ ଆହୁରି ଜ୍ଞାନ ଆହରଣ ପାଇଁ ଇଚ୍ଛା ହେଲା । ସେ ଗୁରୁଙ୍କୁ ସ୍ମରଣ କରି କଲିକତା ଯାତ୍ରା କଲେ । ଦରିଦ୍ର ଜଗବନ୍ଧୁଙ୍କ ପକ୍ଷେ ବିଦେଶ ଯାତ୍ରା ଏକ ହାସ୍ୟାସ୍ପଦ କଥା ହେଲେ ସୁଦ୍ଧା, ମନର ଯେଉଁ ପ୍ରବଳ ଆଗ୍ରହ ତାହା ତାଙ୍କୁ ଏତେଦୂର ନେଇ ଯାଇପାରିଥିଲା ।

 

କଲିକତା ଯିବା ପୂର୍ବରୁ ବାଲେଶ୍ୱର ଜିଲ୍ଲା ଗୁଆମାଳ (ନାଉପାଳ) ବୀଣାପାଣି କ୍ଲବ ଥିଏଟର ପାର୍ଟିରେ ୨ମାସ, ତାଳପଦା (କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନିଜ ଗାଁ) ରେ ୪ବର୍ଷ ଓ ନିଜ ଗାଁ ଥିଏଟର ପାର୍ଟିରେ ଜଗବନ୍ଧୁ ୩ ବର୍ଷ ରହିଛନ୍ତି । ବୀଣାପାଣି ଥିଏଟରରେ ମନମୋହନ ଗୀତ ଓସ୍ତାଦ୍‌ ଥାଆନ୍ତି । ଗୁରୁଙ୍କ ମାଧ୍ୟମରେ ସେ ସେଠାରେ ପରିଚିତ ହେଲେ । ଯେତେବେଳେ ମନମୋହନ ଯେଉଁଠାକୁ ନିମନ୍ତ୍ରଣ କ୍ରମେ ଗୀତ ଶିଖାଇବା ପାଇଁ ଯାଆନ୍ତି, ଜଗବନ୍ଧୁ, ମଧ୍ୟ ତାଙ୍କ ସାଥିରେ ଯାଆନ୍ତି । ଏହିପରି ଯିବା ଦ୍ୱାରା ସମସ୍ତଙ୍କ ସହିତ ଜଗବନ୍ଧୁଙ୍କର ସମ୍ପର୍କ ସ୍ଥାପିତ ହେଲା ଏବଂ ତାଙ୍କ ପ୍ରତିଭା ମଧ୍ୟ ବିକଶିତ ହେଲା । ଲୋକେ ତାଙ୍କୁ ଜାଣି ପାରିଲେ । ତାହାପରେ ସେ ତାଳପଦାରେ ଅବସ୍ଥାନ କଲେ । ସେଠାରେ କାନ୍ତକବିଙ୍କ ପ୍ରଚେଷ୍ଟାରେ ‘ଗୋପୀନାଥ ସଙ୍ଗୀତ ସମାଜ’ ଗଢ଼ି ଉଠିଥାଏ । ସେହି ସଙ୍ଗୀତ ସମାଜରେ ମନମୋହନ ସାବତ ଥିଲେ ଶିକ୍ଷକ । ଜଗବନ୍ଧୁ ତାଙ୍କ ସାଥିରେ ଯାଇ ସେହି ଅନୁଷ୍ଠାନ ସହ ପରିଚିତ ହୋଇଥିଲେ । କାନ୍ତକବି ମଧ୍ୟ ସୁକଣ୍ଠ ଗାୟକ ଜଗବନ୍ଧୁଙ୍କର ସ୍ୱର ସାଧନ ଓ ବାଦ୍ୟଯନ୍ତ୍ର ଚାଳନାରେ ଅତ୍ୟନ୍ତ ମୁଗ୍‌ଧ ହୋଇ ଥାଆନ୍ତି । ସଙ୍ଗୀତ ରସିକ ଲକ୍ଷ୍ମୀକାନ୍ତ ମହାପାତ୍ର ଜଗବନ୍ଧୁଙ୍କ ଠାରୁ ଗୀତ ଶୁଣିବା ପାଇଁ ଆଗ୍ରହୀ ହୁଅନ୍ତି । ଏକଦା ‘ଜୀବନ ସଙ୍ଗୀତ’ର ସଂଗୀତ ଗୁଡ଼ିକୁ ସୁଗାୟକ ଜଗବନ୍ଧୁ ଲଳିତ ସ୍ୱରରେ ଗାନ କରି କବିଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ସେ ଏକାଧାରରେ ଅଭିନେତା ଓ ଗାୟକ ଥିଲେ । ‘ଗୋପୀନାଥ ସଂଗୀତ ସମାଜ’ର ଅଭିନୟ ଓ ସଂଗୀତ ଗାନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରି ନିଜର କୃତିତ୍ୱ ପ୍ରଦଶନ କରିଥିଲେ । ତାଙ୍କୁ କବି ଲକ୍ଷ୍ମୀକାନ୍ତ ମୁହୂର୍ତ୍ତେ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରନ୍ତିନାହିଁ । ତାଙ୍କ ଅନୁପସ୍ଥିତିରେ କୌଣସି ନାଟକ ଓ ସଂଗୀତ ପରିବେଷଣ ସଫଳ ହୁଏ ନାହିଁ । କାନ୍ତକବିଙ୍କ ସଂସ୍ପର୍ଶରେ ଆସି ଜଗବନ୍ଧୁ ନିଜକୁ ଧନ୍ୟ ମନେକରିଥିଲେ । ସେ କବିଙ୍କ ପରିବାର ସହ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଯାଇଥିଲେ । କବିଙ୍କଠାରୁ ସେ ସଂଗୀତସାଧନା ପାଇଁ ଯଥେଷ୍ଟ ଉତ୍ସାହ ପାଇଛନ୍ତି ବୋଲି ମଧ୍ୟ ନିଜେ ସ୍ୱୀକାର କରନ୍ତି । ଏହିପରି ଗୁରୁଙ୍କ ଦୟାରୁ ସେ ସେଠାରେ ଯେପରି ପରିଚିତ ହୋଇପାରିଥିଲେ, ସେହି ଦୟା ଓ ଆଶୀର୍ବାଦକୁ ସମ୍ୱଳ କରି ତାଳପଦାରେ ଦୀର୍ଘ ଚାରିବର୍ଷ ବିତାଇ ଦେଇଥିଲେ । ନିଜ ଗାଁ ଥିଏଟର ପାର୍ଟିରେ ସଂଗୀତଜ୍ଞ ମନମୋହନ ଓସ୍ତାଦ୍‌ ଥାଆନ୍ତି । ପ୍ରଥମେ ତାଙ୍କରି ପ୍ରେରଣାରେ ସେଠାରେ ଯୋଗଦେଲେ । ଭଲ ଅଭିନୟ କରି ପାରୁଥିବାରୁ ଅଭିନେତା ଭାବରେ ସେ ସେଠାରେ ସୁନାମ ଅର୍ଜନ କଲେ । ଗାୟକ ଓ ଅଭିନେତା ଭାବରେ କଳାପ୍ରେମୀ ଜଗବନ୍ଧୁ ସେହି ଅନୁଷ୍ଠାନ ସହ ନିଜକୁ ଦୀର୍ଘ ୩ବର୍ଷ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ କରିଦେଲେ । ଏହିସବୁ ଥିଏଟର ପାର୍ଟି ସହ ସେ ସଂପୃକ୍ତ ହେବା ଦିଗରେ ଗୁରୁ ମନମୋହନହିଁ ଦାୟୀ ।

 

କଲିକତାରେ ମନମୋହନ ଥିବା ସମୟରେ ସେ ବଡ଼ ବଡ଼ ଓସ୍ତାଦ୍‌ମାନଙ୍କ ଠାରୁ ସଂଗୀତ ଶିଖୁ ଥାଆନ୍ତି । ଏ ଖବର ଜଗବନ୍ଧୁ ପାଇଁ ସେଠାକୁ ଯିବା ପାଇଁ ମନ କରନ୍ତି । ମାତ୍ର ସୁଯୋଗ ପାଆନ୍ତି ନାହିଁ । ବଡ଼ ଓସ୍ତାଦ୍‌ମାନେ ଭଲ ଶିଖିଲାବାଲା ଛାତ୍ରଙ୍କୁ ପାଖରେ ବସାଇ ଦିଅନ୍ତି ନାହିଁ । କାଳେ ସେ ସେଠାକୁ ଆସିଛନ୍ତି, ଏକଥା ଗୁରୁ ଜାଣିଯିବେ, ସେଥିପାଇଁ ଲୁଚିଛପି ଶୁଣି ଶୁଣି ଗୀତ ଶିଖନ୍ତି । ଲୁଚି ରହି କାଗଜରେ ଲେଖି ନେଇ ଆଲୁଅରେ ସେହି ଗୀତ ଓ ତାଳକୁ ପଢ଼ନ୍ତି । କଲିକତାକୁ ହାତରେ ଟଙ୍କା ଧରି ଯାଇନଥାଆନ୍ତି । ତେଣୁ ଚିହ୍ନାଜଣା ଓଡ଼ିଆଙ୍କ ଘରେ ଜଗବନ୍ଧୁ ଅତିଥି ହୁଅନ୍ତି । ଓଡ଼ିଆମାନେ ତାଙ୍କୁ ସେତେବେଳେ ବହୁ ସାହାଯ୍ୟ କରିଛନ୍ତି । ନିଜ ଘରେ ରଖାଇ, ଖାଇବା ଓ ଶୋଇବା ଆଦି ଚର୍ଚ୍ଚାରେ ଆଦୌ ତ୍ରୁଟି କରି ନାହାନ୍ତି ।

 

ସେ ଏହି ସମୟ ଭିତରେ ସୀତାର ଓସ୍ତାଦ୍‌ ଜିତେନ୍ଦ୍ର ମୁଖାର୍ଜୀ ଓ ତାଙ୍କ ପୁଅ ଲକ୍ଷ୍ମଣ ବାବୁ, ବଙ୍ଗଳାର ବିଶିଷ୍ଟ ଗାୟକ ସାତକୋଡ଼ି ମାଲାଙ୍କର (ଅନ୍ଧ) ଓ ପାଟଣାର ମୁରାରୀବାବୁଙ୍କ ଠାରୁ ଶୁଣି ଶୁଣି ଗୀତ ଓ ତାରଯନ୍ତ୍ର ଶିକ୍ଷା କରିଥିଲେ । ଦିନେ ମନମୋହନ ତାଙ୍କୁ କହିଲେ ‘ମୋର ଜଣେ ଗୁରୁ ବଡ଼ ଓସ୍ତାଦ । ତାଙ୍କ ପାଖକୁ ତୁମକୁ ନେଇଯିବି । ଦେଖିବ, କେଡ଼େ ବଡ଼ ସଙ୍ଗୀତ ସାଧକ ସେ-।’ ଜଗବନ୍ଧୁ ଖୁସି ହେଲେ । ସେ’ତ କଲିକତା ଯାଇଥାଆନ୍ତି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିବା ପାଇଁ । ଗୁରୁ ମନମୋହନଙ୍କ ସାଥିରେ ସେ ସେଦିନ ସଂଧ୍ୟା ସମୟରେ ସେଠାକୁ ଗଲେ ।

 

ମନମୋହନଙ୍କ ଗୁରୁ ସାତକଡ଼ି ମାଲାଙ୍କର ସେତେବେଳେ ଜଣେ ପ୍ରତିଷ୍ଠିତ ସଙ୍ଗୀତଜ୍ଞ । ଜଗବନ୍ଧୁ ଓ ତାଙ୍କ ଗୁରୁ ମନମୋହନ ଯାଇ ସେଠାରେ ପହଞ୍ଚିବା ମାତ୍ରେ, ମନମୋହନ କହିଲେ–‘ଆଜ୍ଞା, ଆଜି ମୋର ଜଣେ ଛାତ୍ର ଆସିଛି, ସେ ଆପଣଙ୍କୁ କିଛି ଗୀତ ଶୁଣାଇବ ।’ ମାଲାଙ୍କର ନିଜେ ଗୀତ ଗାଇ ଶୁଣାଇବା ପରେ, ଜଗବନ୍ଧୁ ଗୀତ ଆରମ୍ଭ କଲେ । ଯେଉଁ ଦୁଇଟି ଖେୟାଲ ମାଲାଙ୍କର ଗାଇଥିଲେ, ସେହି ଖେୟାଲକୁ ଅବିକଳ ନକଲ କରି ନିଜ କଣ୍ଠରେ ସେ ଗାଇଦେଲେ । ଏହା ଶୁଣି ମାଲାଙ୍କର ରାଗି ଉଠି ମନମୋହନଙ୍କୁ କହିଲେ ‘‘ତୋତେ ଶୁଣାଇ ଶୁଣାଇ ଯାହା ହେଉନାହିଁ, ସିଏ ଥରେ ମାତ୍ର ଶୁଣି ତାହା ଶିଖିଗଲା । ସିଏତ ଗୋଟ ଭଲ ଗାଇଲାବାଲା, କହୁଛି କଣନା ଛାତ୍ର !’’ ପ୍ରକୃତରେ ଯେଉଁ ତାନଗୁଡ଼ିକୁ ଆୟତ୍ତ କରିବା ପାଇଁ କେବେ ବଡ଼ ବଡ଼ ଶିଳ୍ପୀଙ୍କୁ କେତେ ଦିନ ଲାଗି ଯାଉଛି, ତାହା ବି ହେଉନାହିଁ, ସେହି ତାନକୁ ଜଗବନ୍ଧୁ ଥରେ ମାତ୍ର ଶୁଣି ଆୟତ୍ତ କରିବା ବଡ଼ ଅଦ୍‍ଭୁତ କଥା ଏହା ଯେ ଶକ୍ତିଶାଳୀ ପ୍ରତିଭାସାପେକ୍ଷ, ଏଥିରେ ସନ୍ଦେହ ନାହିଁ । ଏହି ଅସମ୍ଭବ ଅନୁକରଣ ଶକ୍ତି ଦେଖି ଗୁରୁ ମନମୋହନ ମଧ୍ୟ ସମୟେ ସମୟେ ଜଗବନ୍ଧୁଙ୍କ ପାଖରେ ନୂତନ ତାନ ପ୍ରକାଶ କରିବାକୁ ଆଗ୍ରହୀ ହୁଅନ୍ତି ନାହିଁ । ନୂତନ ସାଙ୍ଗୀତିକ କୌଶଳକୁ ଜଗବନ୍ଧୁ ହଠାତ୍‌ ଅନୁକରଣ କରି ଆୟତ୍ତ କରି ନିଅନ୍ତି ।

 

ଜୀବନରେ ସେ ବହୁ କଷ୍ଟ ସ୍ୱୀକାର କରିଛନ୍ତି । ମାତ୍ର କେବେ ସେ ଅଧୈର୍ଯ୍ୟ ହୋଇ ନାହାନ୍ତି । କଲିକତାରେ ଅବସ୍ଥାନ ସମୟରେ ସେ ଯେପରି ଧୈର୍ଯ୍ୟର ସହ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଯାଇଛନ୍ତି, ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ । ରାତିରେ ଫେରିବା ସମୟରେ କଳ ପାଣି ପିଇ କ୍ଷୁଧା ନିବାରଣ କରିଛନ୍ତି । ନିଃସ୍ୱ ଜଗବନ୍ଧୁଙ୍କ ପକ୍ଷେ କଲିକତାରେ ରହି ଚଳିବା ସହଜ ନୁହେଁ । ସଙ୍ଗୀତ ଶିକ୍ଷାର ନିଶାରେ ସେ ସେଠାକୁ ଚାଲିଗଲେ ସିନା, ହେଲେ ସେଠି ଚଳିବେ ବା କିପରି ? ତେଣୁ ଯେଉଁଠାକୁ ଯିବାକୁ ହେଲେ ସେ ପର ପାଖରେ ହାତ ପାତନ୍ତି । କେଉଁଠାକୁ ନ ଗଲେତ ନହେବ ! ସଙ୍ଗୀତ ସମ୍ମିଳନୀ ଓ ସଙ୍ଗୀତ ଆସର ଆଦିକୁ ଯିବା ପାଇଁ ଗାଡ଼ିଭଡ଼ା ତାଙ୍କ ପାଖରେ ନଥାଏ । କିନ୍ତୁ ସେ ସବୁ ସ୍ଥାନକୁ ନଯାଇ ରହି ପାରନ୍ତି ନାହିଁ । ଶୁଣିବାମାତ୍ରେ ମନ ଅସ୍ଥିର ହୁଏ । କୌଣସି ପ୍ରକାରେ ଯାଇ ସେଠାରେ ଯୋଗ ଦିଅନ୍ତି । ଗାଡ଼ିଭଡ଼ା ପାଇଁ ପର ପାଖରେ ଠିଆ ହେବାକୁ ହୁଏ । କେତେ କାକୁତି ମିନତି ହୋଇ ଟଙ୍କା ମାଗିବାକୁ ପଡ଼େ । କିଏ ଦେଉ ନଦେଉ, ତାହା ଉପରେ ସେ ଗୁରୁତ୍ୱ ଦିଅନ୍ତି ନାହିଁ । କେହି ବି ଯଦି ବିରକ୍ତ ହୁଅନ୍ତି, ସେଥିପାଇଁ ମଧ୍ୟ ସେ ଆଦୌ ବିଚଳିତ ହୁଅନ୍ତି ନାହିଁ । ସେହି ସମୟ ଭିତରେ ପ୍ରବାସୀ ଓଡ଼ିଆମାନଙ୍କଠାରୁ ସେ ଯଥେଷ୍ଟ ସାହାଯ୍ୟ ପାଇଛନ୍ତି ବୋଲି ନିଜେ ବି ସ୍ୱୀକାର କରନ୍ତି । ଯାହାହେଉ, ଏହିପରି ଦୁଃଖ କଷ୍ଟ ଭିତରେ ଗତି କରି ସେ ସୀତାର, ତବଲା, ବେହେଲା, ହାରମୋନିୟମ, ପଖାଓଜ (ମର୍ଦ୍ଦଳ), ବଂଶୀ, ଖୋଳ, ଏସରାଜ ଆଦି ସବୁ ଶିକ୍ଷା କରି ନେଇଥିଲେ । ଏ ଦିଗରେ ଭଗବାନଙ୍କର ଅସୀମ କରୁଣା ରହିଥିଲା । ତେଣୁ ସେ ଅଳ୍ପ ପରିଶ୍ରମରେ ସେସବୁକୁ ଅୟତ୍ତ କରି ପାରିଥିଲେ । ଏଥିପାଇଁ ତାଙ୍କୁ ଜୀବନରେ ବେଶୀ ଅଥ ଖର୍ଚ୍ଚ କରିବା ପାଇଁ ପଡ଼ିନାହିଁ । ସେ ବା ଅର୍ଥ କେଉଁଠୁ ଆଣି ଥାଆନ୍ତେ !

 

ପୂର୍ବରୁ ମୁଁ ଜଗବନ୍ଧୁଙ୍କ ଅସୀମ ଧୈର୍ଯ୍ୟ ଶକ୍ତି ବିଷୟରେ ସୂଚନା ଦେଇଛି । ପୁଣି ଏଠାରେ ଆଉ ଗୋଟିଏ ଉଦାହରଣ ବି ଦିଆଯାଇପାରେ । ସଙ୍ଗୀତଜ୍ଞ ମନମୋହନ କଲିକତାରୁ ଉଚ୍ଚତର ସଙ୍ଗୀତ ଶିକ୍ଷା ଶେଷ କରି ଫେରିବା ପରେ କିଛିକାଳ ବାଲେଶ୍ୱରଠାରେ ଅବସ୍ଥାନ କରିଥିଲେ । ଏହି ସମୟରେ ସେ ସେଠାକର ଧନୀ ବ୍ୟକ୍ତିମାନଙ୍କର ପିଲାପିଲିଙ୍କୁ ସଙ୍ଗୀତ ଶିକ୍ଷା ଦେଇ ଅର୍ଥ ଉପାର୍ଜନ କରୁ ଥାଆନ୍ତି । ଜଗବନ୍ଧୁ କଲିକତାରୁ ଫେରି ଆସି ଭଦ୍ରକରେ ରହୁଥାଆନ୍ତି । କଲିକତାରୁ ଯଥେଷ୍ଟ ସଙ୍ଗୀତ ବିଦ୍ୟା ଶିକ୍ଷା କରିଥିଲେ ହେଁ ସେତିକି ଜ୍ଞାନରେ ଜଗବନ୍ଧୁ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ଆହୁରି ଅଧିକରୁ ଅଧିକ ଶିକ୍ଷା ପାଇଁ ତାଙ୍କ ମନ ଅସ୍ଥିର ହେଲା । ଅଧିକ ଉଚ୍ଚାଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ଆଦ୍ୟ ଗୁରୁ ମନମୋହନଙ୍କଠାରୁ ସେ ଶିକ୍ଷା କରିବା ପାଇଁ ଇଚ୍ଛାପୋପଣ କଲେ । ସେଥିପାଇଁ ବାଲେଶ୍ୱର ଯିବାକୁ ସିଦ୍ଧାନ୍ତ କଲେ । ମାତ୍ର ମନମୋହନ ସବୁ ସମୟରେ ବିଦ୍ୟାଦାନ ପାଇଁ କୁଣ୍ଠା ପ୍ରକାଶ କରନ୍ତି । ଏପାଇଁ ଜଗବନ୍ଧୁ ଗୋଟିଏ କଥା ଚିନ୍ତା କଲେ । ସେ ଗୁରୁଙ୍କ ଅଜଣାରେ ଲୁଚି ଛପି ସଙ୍ଗୀତ ଶିକ୍ଷା କରିବା ପାଇଁ ଠିକ୍‌ କଲେ । ସେତେବେଳକୁ ଭାରତ ସ୍ୱାଧୀନ ହୋଇ ନଥାଏ । ସ୍ୱାଧୀନତାର ସାତ କି ଆଠ ବର୍ଷ ପୂର୍ବର କଥା । ସେହି ସମୟରେ ଆମ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତର ବିଶେଷ ପ୍ରଚଳନ ହୋଇନଥାଏ । ସେହି ସଙ୍ଗୀତ ପ୍ରତି ଆମ ଲୋକମାନଙ୍କର ଆଗ୍ରହ ନଥିଲା । ସେପରି ସ୍ଥଳେ ଏହି ସଙ୍ଗୀତର ଚର୍ଚ୍ଚା କିପରି ବା ସମ୍ଭବ ହେବ ! ଏହା ଅଗ୍ରଗତି କରିପାରିନଥାଏ ।

 

ସେ ସମୟରେ ଭଦ୍ରକରୁ ବାଲେଶ୍ୱର ଯିବା ପାଇଁ ଏକମାତ୍ର ରେଳ ହିଁ ଲୋକମାନଙ୍କୁ ସାହାଯ୍ୟ କରେ । ଦୀର୍ଘ ୪୨ ମାଇଲ ପଥ କିପରି ବା ସେ ଚାଲି ଚାଲି ଯାଇ ପାରିବେ ? କୌଣସି ପ୍ରକାରେ ରେଳଗାଡ଼ିରେ ଭଦ୍ରକରୁ ଯାଆନ୍ତି । ଲୁଚି ଲୁଚି ଯାଇ ବାଲେଶ୍ୱର ଷ୍ଟେସନରୁ ମନମୋହନଙ୍କ ବାସସ୍ଥାନରେ ପହଞ୍ଚନ୍ତି । ସେଠାରେ ତାଙ୍କ ଘର ବାରଣ୍ତାରେ ଲୁଚି ରହି ବସନ୍ତି । କାଳେ ମନମୋହନ ଦେଖିନେବେ, ସେଥିପାଇଁ ଜଗବନ୍ଧୁ ଲୋକମାନଙ୍କ ଅଜ୍ଞାତରେ ରହନ୍ତି । ରାତିରେ ମନମୋହନଙ୍କର ସଙ୍ଗୀତଚର୍ଚ୍ଚା ଶୁଣି ରାତିଟି ସେହି ବାରଣ୍ତାରେ କଟାଇ ପୁଣି ରାତିପାହିବାମାତ୍ରେ ବାଲେଶ୍ୱର ଷ୍ଟେସନରୁ ଗାଡ଼ି ଚଢ଼ନ୍ତି । ରାତିରେ ଅନ୍ଧାର ଭିତରେ ବାରଣ୍ତାରେ ପଡ଼ିରହି ଅନେକ ଯନ୍ତ୍ରଣା ପାଆନ୍ତି । ମଶା ମାଛିଙ୍କର ଆକ୍ରମଣ ତାଙ୍କୁ ସହ୍ୟ କରିବାକୁ ହୁଏ । ମଶା ଖାଉଥିବା ସମୟରେ ଶବ୍ଦକରି ମଶାକୁ ସେ ଘଉଡ଼ାଇ ଦିଅନ୍ତି ନାହିଁ । ଏହି ଶଦ୍ଦହେଲେ କାଳେ ଗୁରୁ ମନମୋହନ ଶୁଣିପାରିବେ ଏବଂ ତାଙ୍କ ପାଖକୁ ଚାଲିଆସିବେ, ଏହି ଭୟରେ ମଶା ଖାଉଥିବା ସମୟରେ ନିଜ ହାତରେ ଧୀରେ ଧୀରେ ନିଜ ଦେହ ସହିତ ମଶାକୁ ଦଳି ଦିଅନ୍ତି । ଏହି ଯିବାଆସିବା ସମୟରେ କିଛିଟିକେ ଖାଇପାରନ୍ତି ନାହିଁ । ଶରୀରକୁ କଷ୍ଟଦେବା ଫଳରେ ଦୁରାରୋଗ୍ୟ ଶ୍ୱାସର ଶିକାର ହେଲେ । କେହି ତାଙ୍କୁ ଯେପରି ଦେଖି ନପାରିବେ, ସେଥିପାଇଁ ଜଗବନ୍ଧୁ ଦିନେ ଦିନେ ବାଲେଶ୍ୱର ଷ୍ଟେସନରୁ ଗାଡ଼ି ନଚଢ଼ି, ଦୁଇ ତିନିଟି ଷ୍ଟେସନ ଚାଲିଚାଲି ଆସି ସେଠାରୁ ଗାଡ଼ି ଚଢ଼ନ୍ତି । ଗୁରୁଙ୍କଠାରୁ ଶିକ୍ଷା କରିବାର ଏପରି ପ୍ରବଳ ଆଗ୍ରହ ଖୁବ୍‌ କମ୍‌ ଛାତ୍ରଙ୍କ ପାଖରେ ଦେଖିବାକୁ ମିଳେ । ରାତିରେ ଲୁଚି ଲୁଚି ଯାଇ ପୁଣି ତା’ପରଦିନ ସକାଳେ ପରବର୍ତ୍ତୀ ଗାଡ଼ିରେ ଆସିବା ଯେପରି ତାଙ୍କର ଅଭ୍ୟାସରେ ପରିଣତ ହୋଇ ଯାଇଥାଏ ।

 

କଲିକତାରୁ ଆସିଲାପରେ ସେ ସଙ୍ଗୀତ ଟିଉସନକରି ଜୀବନ ବିତାଇଲେ । କିଛିବର୍ଷ ଯିବାପରେ, ଭଦ୍ରକ ହାଇସ୍କୁଲରେ ସଙ୍ଗୀତ ଶ୍ରେଣୀ ଖୋଲିଲା । ସେତେବେଳେ ଭଦ୍ରଲୋକ ପରିବାରର ବ୍ୟକ୍ତିମାନେ ସଙ୍ଗୀତ ଶିକ୍ଷାକୁ ଘୃଣା କରୁଥାନ୍ତି । ୧୯୪୨ ମସିହାର କଥା । ସେ ସେଠାରେ ନିଯୁକ୍ତି ହେଲେ । ମାତ୍ରଟ୧୫-୦୦ ଦରମା । ଏହି ସମୟରେ ତାଙ୍କର ବିବାହ ସଂପନ୍ନ ହେଲା । ଘରକୁ ସେଥିରୁ କିଛି ପଠାଇ, ନିଜେ ଚଳନ୍ତି । ଟିଉସନ ବି କରୁଥାଆନ୍ତି । କଟକରେ ଯେତେବଳେ ଆକାଶବାଣୀ ଖୋଲିଲା, ସେତେବେଳେ ତାଙ୍କୁ ଷ୍ଟାଫ୍‌ ଆର୍ଟିଷ୍ଟ ଭାବରେ ନିଯୁକ୍ତି ଦିଆଯାଇଥିଲା । ବେହେଲା ବାଦନ ପାଇଁ ମୁଖ୍ୟତଃ ସେ ନିଯୁକ୍ତ ହୋଇଥିଲେ । କିନ୍ତୁ ଶ୍ୱାସରୋଗ ତାଙ୍କୁ ସେଠାରେ ବେଶୀଦିନ ରଖାଇ ଦେଲାନାହିଁ । ମାତ୍ର ୩ମାସରହି ସେଠାରୁ ପଳାଇ ଆସିଲେ। ସେତେବେଳେକୁ ଗଳା ସାଧନାକରି ଏବଂ ଉପଯୁକ୍ତ ଖାଦ୍ୟ ଅଭାବରୁ ତାଙ୍କୁ ଶ୍ୱାସରୋଗ ଭୀଷଣ ଭାବରେ ଆକ୍ରମଣ କଲାଣି । ଏଥିପାଇଁ ବହୁ ଚିକିତ୍ସା ଆରମ୍ଭ ହେଲା । ମାତ୍ର ଆଦୌ ଭଲ ହେଲା ନାହିଁ । ଏବେବି ଏହା ଭଲ ହୋଇ ନାହିଁ । ଭଦ୍ରକ ହାଇସ୍କୁଲରୁ ଛୁଟି ନେଇ ସେ ଆକାଶବାଣୀକୁ ଯାଇଥିଲେ । ପୁଣି ଆସି କାର୍ଯ୍ୟରେ ଯୋଗଦେଲେ ।

 

ଓଡ଼ିଆ ଭାଷାରେ ସଙ୍ଗୀତର ରାଗ ରାଗିଣୀ ସଂପର୍କରେ ପୁସ୍ତକର ଅଭାବ ଥାଏ । ଜଗବନ୍ଧୁ ବାବୁ ଏହି ଅଭାବି ଦୂର କରିବା ପାଇଁ ‘ସଙ୍ଗୀତ ସହଚର’ (୧ମ ଓ ୨ୟ ଭାଗ) ରଚନା କରିଥିଲେ । ତାହା ସଙ୍ଗୀତଛାତ୍ରଙ୍କ ପାଖରେ ବହୁ ଆଦର ଲାଭ କରିଛି । ପୁସ୍ତକଟି ଶାସ୍ତ୍ରୀୟ ସଙ୍ଗୀତ ଚର୍ଚ୍ଚା ଦିଗରେ ବହୁ ସାହାଯ୍ୟ କରିଥାଏ । ରାଗରାଗିଣୀର ଲକ୍ଷଣ ଏଥିରେ ସରଳ ଭାବରେ ଲିଖିତ ହୋଇଛି ।

 

ଅଦ୍‍ଭୁତ ତାଙ୍କର ପ୍ରତିଭା ! ଅଦ୍‌ଭୁତ ତାଙ୍କର ସ୍ମରଣ ଶକ୍ତି ! ୧୧ ବର୍ଷ ବୟସ ବେଳକୁ ସେ ୧୦୦୦ ଗୀତ ଶିଖି ସାରିଥିଲେ । କେବଳ ଶିଖିଥିଲେ ତାହା ନୁହେଁ; ସେଗୁଡ଼ିକୁ ସେ ଠିକ୍‌ ଭାବରେ ମଧ୍ୟ ଗାଇ ପାରୁଥିଲେ । ୧୯୩୮ ମସିହାରେ ଜଗବନ୍ଧୁ ନିଖିଳ ବଙ୍ଗ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେ ଏଥିରେ ବହୁ କୃତିତ୍ୱର ସହ ‘କୀର୍ତ୍ତନ’ ପରିବେଷଣ କରି ସୁନାମ ଅର୍ଜନ କରି ପାରିଥିଲେ । କୀର୍ତ୍ତନ ବଙ୍ଗାଳୀମାନଙ୍କର ନିଜସ୍ୱ । ଏହା ଅନ୍ୟ କାହାରି ଦ୍ୱାରା ଆୟତ୍ତ ହୋଇ ପାରିବ ନାହିଁ । ଏହି ଚିନ୍ତାଧାରା ସେତେବେଳେ ବଙ୍ଗାଳୀମାନଙ୍କର ରହିଥିଲା । ମାତ୍ର ଏକମାତ୍ର ଓଡ଼ିଆ ହେଉଛନ୍ତି ଜଗବନ୍ଧୁ, ଯେ କି ଏହି ବଦ୍ଧମୂଳ ଧାରଣାକୁ ପରିବର୍ତ୍ତନ କରି ପାରିଥିଲେ । ଏଗୌରବ ଆଉ କୌଣସି ଓଡ଼ିଆଙ୍କ ଭାଗ୍ୟରେ ଆସି ନାହିଁ । ପାଟଣାରେ ସେ କିଛିଦିନ ସଙ୍ଗୀତ ଶିକ୍ଷା କରିଥିଲେ ଓ ସେଠାରେ ମଧ୍ୟ ସଙ୍ଗୀତ ଶିକ୍ଷକ ଭାବରେ ଶିକ୍ଷାଦାନ କରିବାର ସୁଯୋଗ ପାଇଥିଲେ ।

 

ତାଙ୍କର ସଙ୍ଗୀତ ପ୍ରତିଭା ଆଲୋଚନା କରି ବସିଲେ ଜଣାଯାଏ ଯେ, ତାହା ବହୁମୁଖୀ । ଶାସ୍ତ୍ରୀୟ ସଙ୍ଗୀତ ଯେପରି ସେ ସାଧନ କରି ପାରିଛନ୍ତି, ସେପରି ଅନ୍ୟ କାହାଠାରେ ସାଧାରଣତଃ ଦେଖିବାକୁ ମିଳେ ନାହିଁ । ସେ ଯେପରି ଭାବରେ ଗୀତ ଗାଇ ପାରନ୍ତି, ସେପରି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ମଧ୍ୟ ଚାଳନ କରି ପାରନ୍ତି । ଆଉ ନିଜେ ଆକର୍ଷଣୀୟ ନୃତ୍ୟ ବି ପରିବେଷଣ କରି ଦର୍ଶକର ମନ ଚହଲାଇ ଦିଅନ୍ତି । ସେ ଖେୟାଲ, ଠୁମୁରୀ, କୀର୍ତ୍ତନ ଓ ଭଜନ ଗାଇବାରେ ପାରଦର୍ଶିତା ପ୍ରଦର୍ଶନ କରି ପାରିଛନ୍ତି । ସୀତାର, ଏସ୍‌ ରାଜ, ବେହେଲା ଓ ସ୍ୱରୋଦ ପ୍ରଭୃତି ସମସ୍ତ ପ୍ରକାରର ତାରଯନ୍ତ୍ର ଦକ୍ଷତାର ସହ ବଜାଇ ପାରନ୍ତି । ତବଲା ଓ ହାରମୋନିୟମ ଆଦି ନିପୁଣତାର ସହ ଚାଳନ କରି ପାରନ୍ତି ।

 

ବାଲେଶ୍ୱର ସଙ୍ଗୀତ ସମ୍ମିଳନୀରେ ସଙ୍ଗୀତାଚାର୍ଯ୍ୟ କାଳିଦାସ ନାଗଙ୍କ ଠାରୁ ସେ ପୁରସ୍କାର ପାଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ତାଙ୍କ ସଙ୍ଗୀତ ସାଧନାରେ ମୁଗ୍‌ଧହୋଇ ତାଙ୍କୁ ‘ସଙ୍ଗୀତ କଳାକାର’ ଉପାଧିରେ ଭୂଷିତ କରିଥିଲେ । ଭଦ୍ରକରେ ୧୯୫୪ରେ ମନମୋହନ ସାବତଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ‘ମନମୋହନ ସଂଗୀତ ପରିଷଦ’ ଗଠିତ ହେଲା । ଏହି ଅନୁଷ୍ଠାନରେ ଅଧ୍ୟକ୍ଷ ଭାବରେ ସେ ପ୍ରଥମେ କାର୍ଯ୍ୟଭାର ବହନ କରିଥିଲେ । ଏହିମାତ୍ର ଅଳ୍ପ କେତେ ବର୍ଷ ହେଲା ନିଜର ଶାରୀରିକ ଅସୁସ୍ଥତା ପାଇଁ ସେ ସେପଦରୁ ଅବ୍ୟାହତି ନେଇ ଉପଦେଷ୍ଟା ଭାବରେ ରହିଛନ୍ତି ।

 

ସେ ନିର୍ଦ୍ଦିଷ୍ଟ ଭାବରେ କୌଣସି ସଙ୍ଗୀତ ବିଦ୍ୟାଳୟ ବା ମହାବିଦ୍ୟାଳୟରୁ ସଂଗୀତ ଶିକ୍ଷା କରିନଥିଲେ ହେଁ, ତାଙ୍କର ପ୍ରତିଭା ଓ ସାଧନା ବଳରେ ସେ ସଂଗୀତ ଚର୍ଚ୍ଚାର ସର୍ବୋଚ୍ଚ ସ୍ଥାନକୁ ଯାଇ ପାରିଥିଲେ । ବିଭିନ୍ନ ସ୍ଥାନରେ ସେ ବହୁ ସଙ୍ଗୀତ ଅନୁଷ୍ଠାନରୁ ନିଜର କୃତିତ୍ୱ ପାଇଁ ପୁରସ୍କତ ହୋଇଛନ୍ତି ।

 

ସଙ୍ଗୀତ ଚର୍ଚ୍ଚାରୁ ସେ ଅସୀମ ଆନନ୍ଦ ଅନୁଭବ କରନ୍ତି । ଏହି ସଙ୍ଗୀତ ସାଧନାରେ ସେ ଆଜୀବନ ବତୀ ହୋଇଛନ୍ତି । ଏହି ସାଧନା ପାଇଁ ଜୀବନର ସବୁ ସୁଖ ସମ୍ଭୋଗ ଓ ଅର୍ଥ ଉପାର୍ଜନର ମୋହକୁ ଭୁଲି ଯାଇଛନ୍ତି । ସେ ସଂଗୀତ ଶିକ୍ଷା ଦାନ କରନ୍ତି—ଟିଉସନ କରନ୍ତି । ମାତ୍ର ଅର୍ଥ ଉପାର୍ଜନ ହୋଇ ପାରେନା । ପରିଶ୍ରମ ତୁଳନାରେ ବିଶେଷ ଅର୍ଥ ସେ ପାଇ ପାରନ୍ତି ନାହିଁ । ତଥାପି ଦୁଃଖ ନଥାଏ । ସଂଗୀତ ଚର୍ଚ୍ଚା ଓ ଶିକ୍ଷା ଦାନରେ ତାଙ୍କର ତୃପ୍ତି । ଏହାହିଁ ତାଙ୍କର ବ୍ରତ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗୀତପ୍ରେମୀ ଛାତ୍ରଛାତ୍ରୀମାନେ ତାଙ୍କ ନିକଟକୁ ଆସନ୍ତି । ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଜଗବନ୍ଧୁ ନିଜକୁ ହଜାଇ ଦିଅନ୍ତି । ଏପର୍ଯ୍ୟନ୍ତ ଅସଂଖ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଲେଣି । ନିଷ୍ଠା ଓ ଆନ୍ତରିକତା ସହକାରେ ଶିକ୍ଷାଦାନ କରନ୍ତି । ଦୁରାରୋଗ୍ୟ ଶ୍ୱାସ ରୋଗରେ ପୀଡ଼ିତ ହୋଇ ମଧ୍ୟ ସେ କେବେହେଲେ ଛାତ୍ରଛାତ୍ରୀମାନଙ୍କୁ ନିରାଶ କରନ୍ତି ନାହିଁ । ସେମାନଙ୍କ ଆଗ୍ରହ ଦେଖି ଗୁରୁ ଜଗବନ୍ଧୁ ଆନନ୍ଦିତ ହୁଅନ୍ତି । ଜଣେ ଛାତ୍ର କି ଛାତ୍ରୀ ତାଙ୍କ ଠାରୁ ଶିକ୍ଷା ପାଇଁ ସୁନାମ ଅର୍ଜନ କରୁ, ଏହା ହେଉଛି ତାଙ୍କର ଉଦ୍ଦେଶ୍ୟ । ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିଷ୍ୟ ଭାବରେ ସେ ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି, ତାହା ଫଳରେ ଜୀବନରେ ଜଣେ ପ୍ରତିଷ୍ଠିତ ସଂଗୀତ ଶିକ୍ଷକଙ୍କର ଆସନ ସେ ପାଇ ପାରିଛନ୍ତି ।

 

ଜୀବନକାଳ ଭିତରେ ଅନେକ ସମ୍ମାନର ଅଧିକାରୀ ସେ ହୋଇ ପାରିଛନ୍ତି । ବିଭିନ୍ନ ସଂଗୀତ ଅନୁଷ୍ଠାନରେ ସେ ଆଚାର୍ଯ୍ୟ ପଦରେ ଅଧିଷ୍ଠିତ ହୋଇଛନ୍ତି । ସଂଗୀତ ସମ୍ମିଳନୀ ଓ ସଂଗୀତ ପ୍ରତିଯୋଗିତାରେ ନିଜର ଅସାଧାରଣ ଜ୍ଞାନ ପାଇଁ ବିଚାରକ ଆସନ ପାଇଛନ୍ତି । ବହୁ ବର୍ଷ ଧରି ସେ ମଧ୍ୟ ପ୍ରବେଶିକା ସଙ୍ଗୀତ ପରୀକ୍ଷାରେ ପରୀକ୍ଷକ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି ।

 

ଏବେ ସେ ୬୫ ବର୍ଷରେ ପଦାର୍ପଣ କରିଛନ୍ତି । ସାଂଘାତିକ ଶ୍ୱାସ ରୋଗରେ ଆକ୍ରାନ୍ତହୋଇ ସାଧନା ତାଙ୍କର ଶିଥିଳ ହୋଇଯାଇଛି । ଶରୀର କ୍ରମଶଃ ଦୁର୍ବଳ ହୋଇ ଆସୁଛି । କିନ୍ତୁ ମନୋବଳ ଦୁର୍ବଳ ହୋଇନାହିଁ । ସେପାଇଁ ଏବେ ସୁଦ୍ଧା ଏହି ଅବସ୍ଥାରେ ସଙ୍ଗୀତ ଚର୍ଚ୍ଚାରୁ ସେ ସଂପୂର୍ଣ୍ଣ ଦୂରେଇ ଯାଇ ନାହାନ୍ତି । ରୋଗ-ଯନ୍ତ୍ରଣା ପଥରେ ସେ ସଂଗ୍ରାମ କରି ଚାଲିଛନ୍ତି । ଛାତ୍ରୀଛାତ୍ରୀମାନଙ୍କୁ ସଙ୍ଗୀତ ଶିକ୍ଷା ଦେଇ ଆନନ୍ଦ ଲାଭ କରୁଛନ୍ତି ।

Image

 

Unknown

ବିଚ୍ଛିନ୍ନାଞ୍ଚଳରେ ସାହିତ୍ୟ ସୃଷ୍ଟି

(ଶ୍ରୀ ଜଗନ୍ନାଥଦେବ ବର୍ମାଙ୍କ ସ୍ରଷ୍ଟା-ମାନସ)

ଡକ୍ଟର କୃଷ୍ଣଚରଣ ବେହେରା

 

ଏହି ଲେଖକ ନିଜର ବିଭିନ୍ନ ଲେଖାରେ ତଥା ସଭାସମିତିରେ ବାରମ୍ୱାର ମତପ୍ରକାଶ କରିଛି ଯେ—ଓଡ଼ିଆ ସାହିତ୍ୟ କେବଳ କଟକ, ଭୁବନେଶ୍ୱରର ସାହିତ୍ୟ ନୁହେଁ । ସୃଷ୍ଟି ତଥା ପଠନ ଦିଗରୁ ବିଚାର କଲେ, ଏହା ସମଗ୍ର ଓଡ଼ିଆ ଭାଷା-ଭାଷୀଙ୍କର ସାହିତ୍ୟ—ସେହି ଓଡ଼ିଆ ଭାଷାଭାଷୀମାନେ ବାସରେ ଅଥବା ପ୍ରବାସରେ ଥାଆନ୍ତୁ, ସାଂପ୍ରତିକ ସୀମାଞ୍ଚଳରେ ଅଥବା ବିଚ୍ଛିନ୍ନାଞ୍ଚଳରେ ଥାଆନ୍ତୁ ! କଟକ-ଭୁବନେଶ୍ୱରରେ ଯେପରି ସାହିତ୍ୟକର୍ମ ଚାଲିଛି, ରାଜ୍ୟର ଉତ୍ତର, ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ମଧ୍ୟ ସେହିପରି ଚାଲିଥିବାର ଦେଖାଯାଉଛି । କଲି-ତା, କାଳିମାଟି କିମ୍ୱା ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ତାହା ମଧ୍ୟ ଊଣାନୁହେଁ । କିନ୍ତୁ କଟକ-ଭୁବନେଶ୍ୱରର ସାହିତ୍ୟକର୍ମ ତୁଳନାରେ ଅନ୍ୟାନ୍ୟ ଅଞ୍ଚଳର ସାହିତ୍ୟକର୍ମ ଅଧିକ ନଜରରେ ପଡ଼ୁନାହିଁ । ତାହାର ଏକ ବଡ଼ କାରଣ-ପ୍ରଚାର ଓ ପ୍ରସାରରେ ସୁବିଧା ସୁଯୋଗର ଅଭାବ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ଅଫିସର ଯଦି ଫୁଲବାଣୀରେ ଥାଆନ୍ତା, ‘ସମାଜ’ ‘ପ୍ରଜାତନ୍ତ୍ର’ ଯଦି ବଲାଙ୍ଗୀର ବା ସମ୍ୱଲପୁରରୁ ପ୍ରକାଶ ପାଉଥାଆନ୍ତେ, ଓଡ଼ିଶାରେ ଆକାଶବାଣୀର ପ୍ରଧାନ କେନ୍ଦ୍ର ଯଦି କେଉଁଝର ବା ରାଉରକେଲାଠାରେ ଥାଆନ୍ତା, ଯଦି କକଟରେ ବଡ଼ ବଡ଼ ପୁସ୍ତକ ବିକ୍ରେତା ଓ ପ୍ରକାଶକ କୋରାପୁଟ ବା ବାରିପଦାରେ ବ୍ୟବସାୟ ବିପଣୀ ଖୋଲନ୍ତେ, ତାହାହେଲେ ସାହିତ୍ୟକର୍ମର ଦିଗ ଦିଗନ୍ତ କଣ ପରିବର୍ତ୍ତିତ ହୋଇଯାଆନ୍ତା ନାହିଁ ?

 

ପୂର୍ବଦିଗକୁ ଛାଡ଼ିଦେଲେ, ଏବର ରାଜ୍ୟ ସୀମାର ଅନ୍ୟ ତିନି ଦିଗରେ ବିଚ୍ଛିନ୍ନ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳମାନ ରହିଛି, ଯେଉଁଠି ସାହିତ୍ୟକର୍ମ ବରାବର ଊଣାଧିକେ ଚାଲିଥିବାର ଦେଖାଯାଏ । ଆମ ମଧ୍ୟରୁ କେତେଜଣ ତାହାର ଖବର ରଖନ୍ତି ? ଆମର କେତେଜଣ ସମୀକ୍ଷକ ବିଚ୍ଛିନ୍ନାଞ୍ଚଳର ସାହିତ୍ୟ ସୃଷ୍ଟ ସମ୍ପର୍କରେ ଆଲୋଚନା ଚର୍ଚ୍ଚା କରନ୍ତି ? ଉତ୍ତରରେ ମେଦିନୀପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟର ପଠନ-ପାଠନ ଚାଲିଥିବା କଥା ଅନେକ ଜାଣନ୍ତି । ଊନବିଂଶ ଶତାବ୍ଦୀରେ ମେଦିନୀପୁରସ୍ଥ ଦୀପଲ୍‌ ଗ୍ରାମ–ନିବାସୀ କୃପାସିନ୍ଧୁ ମିଶ୍ର ବିଭିନ୍ନ ସୁଆଙ୍ଗ, ଗୀତାଭିନୟ ଲେଖି ଏବଂ ସେଗୁଡ଼ିକର ଅଭିନୟ କରାଇ ଓଡ଼ିଆ ଗଣନାଟ୍ୟ ପରମ୍ପରାକୁ ସମୃଦ୍ଧ କରିଛନ୍ତି । ଏବେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ବିଷୟ ଘେନି ‘ଲଲିତା ପାଲା’ ଉତ୍ତର ବାଲେଶ୍ୱର ଓ ଦକ୍ଷିଣ ମେଦିନୀପୁର ଅଞ୍ଚଳରେ ଅଭିନୀତ ହେଉଥିବାର ଦେଖଯାଏ । ରାଜ୍ୟର ପଶ୍ଚିମରେ ବା ଉତ୍ତରପଶ୍ଚିମରେ ଥିବା ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳରେ ସେହିପରି ସାରସ୍ୱତ କାର୍ଯ୍ୟକ୍ରମର ଭଟ୍ଟା ପଡ଼ିନାହିଁ । କାଳିମାଟି, ଖରସୁଆଁ, ଷଢ଼େଇକଳା, ରାଞ୍ଚି, ରାୟଗଡ଼, ବସ୍ତର, ଫୁଲଝର ପ୍ରଭୃତି ସ୍ଥାନରେ ଓଡ଼ିଆ ସାହିତ୍ୟର ପଠନ–ପାଠନ ଚାଲିଛି ଏବଂ କେତେକ ସ୍ରଷ୍ଟା ସୃଷ୍ଟି କର୍ମରେ ନିୟୋଜିତ ଅଛନ୍ତି । ମଧ୍ୟପ୍ରଦେଶସ୍ଥ ରାୟଗଡ଼ର କବି ଲୋଚନପ୍ରସାଦ ପାଣ୍ତେୟଙ୍କ ନାମ ଏହି ପ୍ରସଙ୍ଗରେ ଉଲ୍ଲେଖନୀୟ ।

 

ପାଣ୍ତେୟଙ୍କର ‘କବିତା କୁସୁମ’ (୧୯୦୯) ଆମ୍ଭମାନଙ୍କ ନିକଟରେ ବେଶ୍‌ ପରିଚିତ । ଏଥିରେ ଅଳ୍ପ କେତୋଟି ଅନୁଦିତ କବିତା ସମେତ ବିଭିନ୍ନ ବିଷୟକ ତିରିଶଗୋଟି କବିତା ସନ୍ନିବେଶିତ ହୋଇଛି ଏବଂ ଏହି କବିତାଗୁଡ଼ିକରେ ରହିଛି କବି ଗଙ୍ଗାଧର ମେହେରଙ୍କର ସଂଶୋଧନୀ ସ୍ୱାକ୍ଷର । ସେହିପରି ଦକ୍ଷିଣରେ ଥିବା ଟିକିଲି, ଲାଞ୍ଚିଗଡ଼, ମଞ୍ଜୁଷା, ଇଚ୍ଛାପୁର ପ୍ରଭୃତି ବିଚ୍ଛିନ୍ନାଞ୍ଚଳରେ ସାହିତ୍ୟ-କର୍ମ ବରାବର ଚାଲି ଆସିଛି । ଏବର ଦକ୍ଷିଣ ଓଡ଼ିଶା—ବିଶେଷତଃ ଗଞ୍ଜାମଜିଲ୍ଲା ଦୀର୍ଘକାଳ ବିପର୍ଯ୍ୟସ୍ତ ହୋଇ ରହିଲାପରେ, ୧୯୩୬ ମସୀହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲାବେଳେ ତାହା ସହିତ ମିଶି ଏକ ଶାସନାଧୀରେ ରହିଲା । ପୂର୍ବରୁ ଗଞ୍ଜାମ ତଥା ତାହାର ଦକ୍ଷିଣରେ ଥିବା ଓଡ଼ିଆ ଭାଷା ଭାଷୀ ବିଚ୍ଛିନ୍ନାଞ୍ଚଳ ସାହିତ୍ୟ-ସଂସ୍କୃତିର ଏକ ବିଶିଷ୍ଟ ପୀଠ ଥିଲା । ପ୍ରାଚୀନ ଓ ଆଧୁନିକ ଯୁଗର ବହୁ ପ୍ରତିଭାଧର କବି ଓ ଲେଖକ ଏହି ଅଞ୍ଚଳରେ ସାରସ୍ୱତ ସାଧନାର ଧାରା ଅବ୍ୟାହତ ରଖିଥିଲେ । ଯଥାର୍ଥତଃ ଏହି ଅଞ୍ଚଳରେହିଁ ପ୍ରଥମେ ୧୯୦୩ ମସୀହାରେ ଦେଶମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ନିର୍ମିତ ହୋଇଥିଲା ସୁପରିଚିତ ‘ଉତ୍କଳ ସମ୍ମିଳୀ’ର ସୂତିକାଗୃହ । ଆଜିପର୍ଯ୍ୟନ୍ତ ମଧ୍ୟ ଗଞ୍ଜାମ ତଥା ଏଥିସଂଲଗ୍ନ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା-ସାହିତ୍ୟର ବିଭିନ୍ନ କାର୍ଯ୍ୟକ୍ରମ ଅନୁସୃତ ହେଉଥିବାର ଦେଖାଯାଏ ।

 

ଦକ୍ଷିଣ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଥିବା ଟିକିଲି (ଟିକାଲୀ ବା ଟେକ୍‌କାଲୀ) ରାଜ୍ୟ ବିଷୟ ଏହି ପ୍ରସଙ୍ଗରେ ବିଶେଷ ଉଲ୍ଲେଖଯୋଗ୍ୟ । ଏହା ସଂପ୍ରତି ଆନ୍ଧ୍ର ପ୍ରଦେଶସ୍ଥ ଶ୍ରୀକାକୁଲମ ଜିଲ୍ଲାରେ ଅବସ୍ଥିତ । ଟିକିଲିର ରାଜପରିବାରରେ ସାହିତ୍ୟ-ସାଧନାର ଏକ ଗୌରବୋଜ୍ଜଳ ପରମ୍ପରା ପରିଲକ୍ଷିତ ହୁଏ । ରାଜା ପଦ୍ମ ନାଭ ଦେବ (୧୭୮୦-୧୮୩୨) ରଚନା କରିଥିବା ‘ଭାବବତୀ’ କାବ୍ୟ ଓଡ଼ିଆ ରୀତି-ସାହିତ୍ୟର ଏକ ଉଲ୍ଲେଖନୀୟ ସଂଯୋଜନ । ୧୯୧୯ ମସୀହାରେ ଏହା ଅପୂର୍ଣ୍ଣତଃ (ମାତ୍ର ପନ୍ଦରଗୋଟି ଛାନ୍ଦ) ପ୍ରକାଶ ପାଇଥିଲା । ଅନ୍ତ୍ୟାନୁପ୍ରାସ ବା ଉପଧାମିଳନ ଏହି କାବ୍ୟର ଏକ ବିଶିଷ୍ଟ ବିଭାବ । କବି ରାଧାନାଥ ଆପଣା କାବ୍ୟ କବିତାରେ ଉପଧାମିଳନ ପ୍ରବର୍ତ୍ତନ କରିବା ପୂର୍ବରୁ ପଦ୍ମନାଭ ଦେବ ତାହାର ଏକ ଆଦର୍ଶ ଆମ ସାହିତ୍ୟରେ ଥୋଇ ଯାଇଥିଲେ । ‘ଭାବବତୀ’ର ପ୍ରତ୍ୟେକ ଛାନ୍ଦର ପୁଣି ବିଭିନ୍ନ ନାମକରଣ ହୋଇଛି, ଯଥା–ପ୍ରଥମଛାନ୍ଦ: କୁମାରଜନ୍ମ ବିବରଣ, ତୃତୀୟଛାନ୍ଦ: ନବଯୌବନପ୍ରାପ୍ତି ବର୍ଣ୍ଣନ, ସପ୍ତମଛାନ୍ଦ: ନୂତନପ୍ରୀତି, ଚତୁର୍ଦ୍ଦଶଛାନ୍ଦ: ପୂର୍ବାନୁରାଗ, ଇତ୍ୟାଦି । ରୀତିଯୁଗର ସାଧାରଣ କାଳ୍ପନିକ କାବ୍ୟ ସଦୃଶ ଏଥିରେ ରସାନନ୍ଦ–ଭାବବତୀଙ୍କର ପ୍ରଣୟ କାହାଣୀ ବର୍ଣ୍ଣିତ ହୋଇଛି । କାବ୍ୟରୁ କିୟଦଂଶର ଉଦାହରଣ ।

 

ଏ ପ୍ରବନ୍ଧବୃତ୍ତି ବାମାପରି ରସିକରେ

କରିବ ଉଲ୍ଲାସ ଛଳ ଶ୍ଳେଷମାନଙ୍କରେ ଯେ ।।

ରୂପକରେ ବ୍ୟକ୍ତ ନାନା ଅଳଙ୍କାରଯୁତ

ସୁମନମୋହିନୀ ଦ୍ରାକ୍ଷାଗିରରେ ସଂଯୁତ ଯେ ।।

ସରସ ଜନ ସାରସ ସମ ବୁଦ୍ଧିମାନ

ରସକ୍ଷୀର ପରି ଜାଣେ ଗୁଣ ଦୋଷମାନ ଯେ ।।

ଏଣୁ ଜାଣୁ ସାଧୁଜନ ମନ ହରଷରେ

କରୁଅଛି ପ୍ରବନ୍ଧ ମୁଁ ଅତି ସରସରେ ଯେ ।। —ପ୍ରଥମଛାନ୍ଦ ।

 

‘ଭାବବତୀ’ ବ୍ୟତୀତ ପଦ୍ମନାଭ ଦେବ ‘ମହାରାସଲୀଳା’ ନାମକ ଆଉ ଖଣ୍ତିଏ କାବ୍ୟ ରଚନା କରିଥିବାର ଜଣାପଡ଼େ । କବି ବୈଷ୍ଣବ ଧର୍ମାବଲମ୍ୱୀ ଥିବାରୁ ଶ୍ରୀକୃଷ୍ଣଙ୍କ ରାସଲୀଳା ବିଭିନ୍ନ ସଂସ୍କୃତ ବୃତ୍ତବଦ୍ଧରେ ଲେଖିବାର ସୂଚନା କବିଙ୍କ ଜୀବନୀକାର ପଣ୍ତିତ ଗୋପବନ୍ଧୁ ବିଦ୍ୟାଭୂଷଣ ଦେଇଛନ୍ତି । ଓଡ଼ିଆ କାବ୍ୟ କବିତାରେ ସଂସ୍କୃତ ଛନ୍ଦ ପ୍ରୟୋଗରେ କବି ପଦ୍ମନାଭ ଦେବ ଅଗ୍ରଣୀ ଥିବାର ମନେହୁଏ ।

 

ସେହି ଟିକିଲି ରାଜବଂଶରେ ଗୋପୀନାଥ ହରିଚନ୍ଦନ ଜଗଦ୍ଦେବ (୧୮୮୬-୧୯୪୯?) ଏବଂ ଲକ୍ଷ୍ମୀନାରାୟଣ ହରିଚନ୍ଦନ ଜଗଦ୍ଦେବ (୧୮୯୪-୧୯୫୩) ମଧ୍ୟ ସାହିତ୍ୟ ସାଧନା କରିଯାଇଛନ୍ତି । କବି ଗୋପୀନାଥଙ୍କର ‘ଋତୁଗୁଚ୍ଛ’ (୧୯୧୭), ‘‘ବାତଦୂତ’’ (୧୯୨୮), ‘ପୁରୁଷୋତ୍ତମ ସାଗର’ (୧୯୨୯) ପ୍ରଭୃତି କ୍ଷୁଦ୍ର କ୍ଷୁଦ୍ର କାବ୍ୟଗ୍ରନ୍ଥ ହେଲେହେଁ, ତହିଁରେ ପ୍ରତିଭାର ସ୍ୱାକ୍ଷର ଅଙ୍କିତ ହୋଇଛି । ଶେଷୋକ୍ତ ଗ୍ରନ୍ଥ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରି କବି ଗଙ୍ଗାଧର ମେହେର ଲେଖିଛନ୍ତି ‘ଗଞ୍ଜାମର ରାଜକୂଳ ବାଣୀଆରାଧନାରେ ଚିର ପ୍ରସିଦ୍ଧ । ଶ୍ରୀମନ ଗୋପୀନାଥ ଦେବ ଏହି ପଦ୍ୟ ରଚନାର ସ୍ଥାନେ ସ୍ଥାନେ ଯେଉଁ କବିତ୍ୱଛଟା ଦେଖାଇଅଛନ୍ତି, ତହିଁରେ ମୋର ମନ ରଞ୍ଜିତ ହୋଇଅଛି ।’’ ‘ପୁରୁଷୋତ୍ତମସାଗର’ରେ ଏକ ବୃହତ ଜଳାଶୟର କବିତାପୂର୍ଣ୍ଣ ବର୍ଣ୍ଣନା ସ୍ଥାନଲାଭ କରିଛି । ‘ଋତୁଗୁଚ୍ଛ’ ଓ ‘ବାତଦୂତ’ ଯଥାକ୍ରମେ କାଳିଦାସଙ୍କର ‘ଋତୁସଂହାର’ ଓ ‘ମେଘଦୂତ’ ଅନୁସରଣରେ ରଚିତ ହୋଇଥିଲେହେଁ ସ୍ଥଳବିଶେଷରେ କବିଙ୍କର ସ୍ୱକୀୟତା ପରିଲକ୍ଷିତ ହୁଏ । ସେହିପରି କବି ଲକ୍ଷ୍ମୀନାରାୟଣ ‘ମୁକ୍ତାହାର’ (୧୯୩୦), ‘ହରି ଓ ହର ଜଣାଣ’ (୧୯୫୨) ପ୍ରଭୃତି ମୌଳିକ କାବ୍ୟସଞ୍ଚୟନ ସହିତ କାଳିଦାସଙ୍କର ‘ମାଳବିକାଗ୍ନି ମିତ୍ର’ ନାଟକର ଅନୁବାଦ (୧୯୨୮) ପ୍ରକାଶ କରି ଯାଇଅଛନ୍ତି । ‘ମୁକ୍ତାହାର’ ଉତ୍କଳଭାରତୀଙ୍କ ଗଳାରେ ଭୂଷଣ ହେବାର ଯୋଗ୍ୟ; ଏଥିରେ ଅଣତିରିଶଗୋଟି କବିତା ସନ୍ନିବେଶିତ ହୋଇଛି । ‘ଏକତା’ କବିତାରେ ଲକ୍ଷ୍ମୀନାରାୟଣ ସେହି ପରାଧୀନ କାଳରେ ହୃଦୟଙ୍ଗମ କରିଛନ୍ତି—

 

ନଗଣ୍ୟ ଜଗତେ ତୃଣରାଶି, ହୋଇ

ବହୁତର ଏକୀଭାବ

ମଦମତ୍ତ ମହା ମତଙ୍ଗଜ ଦୃଢ଼

ବନ୍ଧେ ଦର୍ଶାଏ ପ୍ରଭାବ ।।

ଶ୍ରଦ୍ଧା ସମନ୍ୱିତ ଭାବନା ନିକର

କୂଟସ୍ଥ କାଳେ ସଂକଳ୍ପ

ହୋଇଯାଏ ସିଦ୍ଧ ଦେଖାଯାଏ ଏହା

ଭବେ ମାନବେ ଅନଳ୍ପ ।।

 

ପ୍ରଚଳିତ ଗତାନୁଗତିକ ଧାରଣା ବିପକ୍ଷରେ ଯାଇ କବି ‘ସ୍ୱର୍ଗ ଓ ନରକ’ କବିତାରେ ଗାଇଛନ୍ତି—

 

କଳ୍ପନା ଜଗତେ ତାର ସ୍ଥିତି କହେ ବେଦ

ଏ ମର୍ତ୍ତ୍ୟ ମଣ୍ତଳେ ନାହିଁ, ଏହାହିଁ ପ୍ରଭେଦ ।

ନାହିଁ କିପାଁ, ଅଛି ପୁଣି ଧରି ରୂପାନ୍ତର

ଯାର ନାମେ ଯଶ ଖ୍ୟାତ ତାର ସ୍ୱର୍ଗେ ଘର ।

ଐହିକ ଅନନ୍ତ ସୁଖ କରେ ଉପଭୋଗ

ପରେ ଶାନ୍ତିନିକେତନେ ଲଭଇ ସୁଯୋଗ ।

ରଟଇ ଯା ନାମେ ନିନ୍ଦା ଐହିକ ଜଗତ

ନରକେ ନିବାସ ଅଟେ ତାହାର ନିୟତ ।

ପ୍ରତିଫଳ ଭଞ୍ଜେ କୃତ ପାପନିଚୟର

ନ ଭୁଲଇ ବିଧି କେବେ ନିୟତି ନରର ।

 

ସଂପ୍ରତି କବି ଜଗନ୍ନାଥଦେବ ବର୍ମା ଟିକିଲି ରାଜବଂଶୀୟ ସାଂସ୍କୃତିକ ପରମ୍ପରାର ସାର୍ଥକ ଦାୟାଦ । ସାହିତ୍ୟସ୍ରଷ୍ଟାର ସଜହାତ ପ୍ରତିଭା ସେ ପିତୃପୁରୁଷଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇଥିବାର ମନେହୁଏ ।

 

୧୯୨୭ ମସୀହାରେ ଟିକିଲି ରାଜପ୍ରସାଦରେ ତାଙ୍କର ଜନ୍ମ—ଯେଉଁ ରାଜପ୍ରାସାଦ ଯଥାର୍ଥତଃ ‘ବୁଧ ହଂସ ପ୍ରାସାଦ’ ଅଭିଧାରେ ଚିହ୍ନିତ । ଆବଶ୍ୟକ ଶିକ୍ଷାଲାଭ କରିବା ସଂଗେ ସଂଗେ ଜଗନ୍ନାଥ, ସାହିତ୍ୟ ସୃଷ୍ଟି ଓ ସଙ୍ଗୀତ ସାଧନାରେ ମନୋନିବେଶ କରିଥିଲେ । ୧୯୪୫ ମସୀହାରେ ସାହିତ୍ୟକା ସୁରତରଂଗିଣୀ ଦେବୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ମାତ୍ର ଦୁଇଟି ବର୍ଷର ଦାମ୍ପତ୍ୟ ଜୀବନ ଅତିବାହିତ କଲାପରେ ତାଙ୍କୁ ପତ୍ନୀବିୟୋଗ ସହ୍ୟ କରିବାକୁ ପଡ଼ିଥିଲା । ଜୀବନର ଏହି ଦୁଃଖ ଓ ବେଦନା ତାଙ୍କର ସାହିତ୍ୟ ସୃଷ୍ଟିକୁ ପ୍ରଭାବିତ କରିଥିବାର ଦେଖାଯାଏ । ୧୯୪୪ ମସୀହାରୁ ମାଡ୍ରାସ୍‌ ବେତାରକେନ୍ଦ୍ର ଏବଂ ୧୯୪୮ ମସୀହାରୁ ବେଜଓ୍ୟାଡ଼ା ବେତାର କେନ୍ଦ୍ର ସହିତ ଜଗନ୍ନାଥ, ସଂଗୀତଶିଳ୍ପୀ ହିସାବରେ ସଂପୃକ୍ତ ହୋଇ ରହିଛନ୍ତି-। କଟକ ବେତାର କେନ୍ଦ୍ରରେ ମଧ୍ୟ ସେ ବେଳେ ବେଳେ ସଂଗୀତ ପରିବେଷଣ କରିଥାଆନ୍ତି । ଯନ୍ତ୍ର ସଂଗୀତ ବେହେଲା ବାଦନରେହିଁ ତାଙ୍କର କୃତିତ୍ୱ ବହୁଜନ-ସ୍ୱୀକୃତ । ଆପଣା ସଂଗୀତ-ସାଧନାର ସ୍ୱୀକୃତି ରୂପେ ସେ ଓ୍ୟାରଂଗଲ୍‌ସ୍ଥ ‘ବିଦ୍ୱତ୍‌ ସଭା’ ପକ୍ଷରୁ ‘ସଂଗୀତ ସୁଧାକର’ ଉପାଧିରେ ଭୂଷିତ ଓ ସମ୍ମାନିତ ହୋଇଛନ୍ତି । କାକିନାଡ଼ାର ‘ସରସ୍ୱତୀ ଗାନ’ ସଭାକୁ ବାର୍ଷକ ଦୁଇଶହ କରି ଅର୍ଥ ଦାନ ମଧ୍ୟ ତାଙ୍କର ସଂଗୀତ-ପ୍ରୀତିର ପରିଚାୟକ । ‘ଉଷାର ନିଷାଦ’ (୧୯୬୭) କାବ୍ୟଗ୍ରନ୍ଥର ପ୍ରକାଶକୀୟ ଅନୁଯାୟୀ—‘‘ସାହିତ୍ୟ ଓ ସଂଗୀତ ଦୁଇ ସଉତୁଣୀଙ୍କ ମଧ୍ୟରେ ସ୍ୱାଭାବିକ’’ ଯନ୍ତ୍ରଣା ପାଇଛନ୍ତି । ଉଭୟଙ୍କ ବିକଟରୁ ଅଭିମାନ ପାଇଁ କବିଙ୍କ ଜୀବନ ଉଭୟଙ୍କ ପ୍ରୀତି-କଷଟିରେ ରସାଣିତ ହୋଇଛି । ସଂଗୀତ ଠାରୁ ତାହାର ସ୍ନେହର ଭଉଣୀ କବିତାକୁ ସେ ବିଶେଷ ଭଲ ପାଆନ୍ତି-। ତେଣୁ କବିଙ୍କ କବିତାଗୁଡ଼ିକ ଛନ୍ଦୋବନ୍ଧ, ପ୍ରାକୃତିକ ଅନୁରୂପ, ଅନୁପମ ଓ ସମଧିକ ରସବନ୍ତ-।’’

 

ଜଗନ୍ନାଥ ମଧ୍ୟ ଜଣେ ଚିତ୍ର ଶିଳ୍ପୀ । ସୁବିଧା ଅନୁଯାୟୀ ଲେଖନୀ ସହିତ ସେ ତୂଳୀର ବ୍ୟବହାର କରି ଥାଆନ୍ତି । ୧୯୫୨-୫୩ ମସିହାରେ ଶ୍ରୀକାକୁଲମସ୍ଥ ‘ଲଳିତକଳା ସମିତି’ର ସଭାପତି ରୂପେ ସେଥିପାଇଁ ତାଙ୍କୁ ବରଣ କରାଯାଇଥିଲା । ନିଜର କେତେକ ପ୍ରକାଶିତ ଲେଖାକୁ ସେ ନିଜେ ରେଖାନ୍ୱିତ କରିଥିବାର ଜଣାପଡ଼େ । ସାହିତ୍ୟ-ସଂସ୍କୃତିର ସଂଗଠନକାରୀ ଓ ପୃଷ୍ଠପୋଷକ ଭାବରେ ମଧ୍ୟ ଜଗନ୍ନାଥଙ୍କର ଖ୍ୟାତି ରହିଛି । ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପ୍ରତି ତାଙ୍କର ଅକୁଣ୍ଠ ସାହାଯ୍ୟ ସହଯୋଗ ଏଯାଏଁ ଅବ୍ୟାହତ ରହିଛି ।

 

ବହୁ ପଣ୍ଡିତ, କବି, ସାଧୁସନ୍ନ୍ୟାସୀ ମଧ୍ୟ ତାଙ୍କର ପୃଷ୍ଠପୋକତା ଲାଭ କରିଛନ୍ତି । ଆଇନ୍ ପରୀକ୍ଷାରେ ସର୍ବୋତ୍କୃଷ୍ଟ ବିବେଚିତ ହୋଇଥିବା ଛାତ୍ରଙ୍କୁ ଏକ ସ୍ୱର୍ଣ୍ଣପଦକ ପ୍ରଦାନ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପାଞ୍ଚହଜାର ଟଙ୍କାର ଏକ ପାଣ୍ଠି ଖୋଲିଛନ୍ତି । ମାତୃଭାଷା ଓ ଜାତୀୟ ସାହିତ୍ୟର ପ୍ରସାର ପାଇଁ ସେ ‘ପ୍ରଭାତ ପ୍ରକାଶନୀ’ ନାମକ ଏକ ସଂସ୍ଥା ଟିକିଲିରେ ପ୍ରତିଷ୍ଠାକରି ତାହାରି ଜରିଆରେ ପ୍ରାୟ ତିରିଶଖଣ୍ଡ ଗ୍ରନ୍ଥ ପ୍ରକାଶ କରିଥିବାର ଜଣାପଡ଼ିଛି ।

 

କବିତା ଓ ଗଳ୍ପ—ସାହିତ୍ୟ ସୃଷ୍ଟିର ମୁଖ୍ୟତଃ ଏହି ଦୁଇଟି ଦିଗରେ ଜଗନ୍ନାଥଙ୍କ ପ୍ରତିଭା ବିକଶିତ ହୋଇଥିବାର ଦେଖାଯାଏ । ‘ଶଙ୍ଖ’, ‘ସହକର’ (ପ୍ରାଚୀନ ପ୍ରସ୍ଥ), ‘ଡଗର’ ‘ଝଙ୍କାର’ ‘ନବଜୀବନ’ ପ୍ରଭୃତି ପତ୍ରପତ୍ରିକାରେ ଏକଦା ସେ ନିୟମିତ ଆତ୍ମପ୍ରକାଶ କରୁଥିଲେ ।

 

ଏଯାବତ୍ ପ୍ରକାଶିତ ତାଙ୍କର ଗ୍ରନ୍ଥଗୁଡ଼ିକ ହେଉଛି :—

 

କାବ୍ୟସଞ୍ଚୟନ

 

୧.

ସପନତରୀ (୧୯୪୫ ?)

୪.

ଭଗ୍ନବେହୁଲା (୧୯୫୯)

୨.

ସ୍ମୃତି (୧୯୫୨)

୫.

ଉଷାର ନିଷାଦ (୧୯୬୭)

୩.

ନାଦଶ୍ରୀ (୧୯୫୬ ?)

୬.

ଶିଳାପ୍ରସ୍ତାର (୧୯୭୨) ଇତ୍ୟାଦି

 

ଗଳ୍ପଗ୍ରନ୍ଥ

 

୧.

ଉତ୍କଳିକା (ଦ୍ୱିତୀୟ ସଂସ୍କରଣ—୧୯୫୪)

 

 

୨.

ଛନ୍ଦ ଯାଇଛି ହଜି (୧୯୫୪)—ପ୍ରଥମ ପାଞ୍ଚଗୋଟି ଗଳ୍ପର ଲେଖିକା ସୁରତରଙ୍ଗିଣୀ ଦେବୀ ଏବଂ ଶେଷ ଦୁଇଟି ଗଳ୍ପର ଲେଖକ ଜଗନ୍ନାଥଦେବ ବର୍ମା ।

 

 

୩.

ଧୂସର (୧୯୫୭) ଇତ୍ୟାଦି

 

ଏହାବ୍ୟତୀତ ଜଗନ୍ନାଥ, କାଳିଦାସଙ୍କ ‘ଋତୁସଂହାର’ର ଅନୁବାଦ କରିଛନ୍ତି—କେତେଖଣ୍ଡି ଉପନ୍ୟାସ ଓ ଚରିତଗ୍ରନ୍ଥ ମଧ୍ୟ ଲେଖିଛନ୍ତି । କିନ୍ତୁ ଏହି ଆଲୋଚକ ତାହାସବୁ ଦେଖିବାର ସୁଯୋଗ ପାଇନାହିଁ ।

 

ଜଗନ୍ନାଥଙ୍କ କବି-ମାନସ ମୁଖ୍ୟତଃ ରୋମାଣ୍ଟିକ୍ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମାନବୀୟ ପ୍ରେମ ମଧ୍ୟରେ ସେ ମୁଗ୍‌ଧବିହ୍ୱଳ ହୋଇ ପଡ଼ିଛନ୍ତି । ‘ସପନତରୀ’ରେ ଶରତ୍ ସୁନ୍ଦରୀଙ୍କୁ ସ୍ୱାଗତ କରିବାଠାରୁ ନାଗାବଳୀ ତୀରରେ ଯଉବନ-କଳି ଫୁଟିବାଯାଏଁ ସର୍ବତ୍ର କବିଙ୍କର ଭାବପ୍ରବଣ ଦୃଷ୍ଟି ପ୍ରକଟିତ । ଶେଷରେ ପ୍ରେମିକା ବା ପ୍ରଣୟିନୀ ସହିତ କବିଙ୍କର ସପନତରୀରେ ନିରୁଦ୍ଧିଷ୍ଟ ଯାତ୍ରା—

 

ସୀମା ମଧ୍ୟେ ଆଜି ଅପଲୟ ଭାଜି କିଏ ଦୀର୍ଘ ଡାକ ଦିଏ

ଶୁଭ ପ୍ରୀତି ଗୀତ ସରସ ସଙ୍ଗିତ ମୁରଲୀ ନିନାଦେ ଗାଏ ।

ଲୋ କିଶୋରୀ, ନୀଳାବର୍ଣ୍ଣବେ ଭାସି ଭାସି

ଅସୀମେ ଆମରି ଏ ସପନତରୀ ମିଶିଯାଉ ହସିହସି ।।

 

‘ସ୍ମୃତି’ର କବିତାଗୁଡ଼ିକ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରରେ ଅନୁରଞ୍ଜିତ । ପ୍ରିୟା-ବିଚ୍ଛେଦର ଦୁଃସହ ବେଦନା ଏଥିରେ ଜୀବନ୍ତଭାବେ ଫୁଟିଛି । ଏହି କବିତାଗୁଡ଼ିକ ସମ୍ପର୍କରେ ମନ୍ତବ୍ୟ ପ୍ରକାଶକରି ଲକ୍ଷ୍ମୀନାରୟଣ ସାହୁ ଯଥାର୍ଥରେ ଲେଖିଛନ୍ତି—‘‘ଆପଣଙ୍କ କବିତା ଶାନ୍ତ ଓ ମଧୁର । ଏଥିରେ ପ୍ରବାହ ପ୍ରବଳ ନୁହେଁ ସତ୍ୟ, କିନ୍ତୁ ଚିତ୍ତରେ ପ୍ରସାଦ ଓ ପରିପୁଷ୍ଟି ଆସେ ତାହା ପାଠକରି । ଅବଶ୍ୟ କବିତାଗୁଡ଼ିକରେ ଯୌବନର ପିପାସା, ଦରଫୁଟା ଇଚ୍ଛାସବୁ ଅଛି, କିନ୍ତୁ ତାହାରି ଭିତରେ ଶାଶ୍ୱତକୁ ମଝିରେ ମଝିରେ ଛୁଇଁବାର କ୍ଷୁଧା ମଧ୍ୟ ରହିଛି ।’’

 

‘ନାଦଶ୍ରୀ’ ଓ ଭଗ୍ନବେହୁଲା’ରେ ରୋମାଣ୍ଟିକ୍ କବିମାନସ କ୍ରମଶଃ ପରିବର୍ତ୍ତିତ ହୋଇଥିବାର ଦେଖାଯାଏ । କବି ଧୀରେ ଧୀରେ ବାସ୍ତବ ସଂସାରର ଶୋକ ଦୁଃଖ, ଗ୍ଲାନି ପରାଜୟର ସମ୍ମୁଖୀନ ହୋଇଛନ୍ତି ଏବଂ ଅମାବାସ୍ୟା ରାତ୍ରିରେ ‘ବ୍ୟଥାର ସଂକ୍ରାନ୍ତି’ ପ୍ରତ୍ୟକ୍ଷ କରିଛନ୍ତି । ରୋମାଣ୍ଟିକ୍ ଚେତନାରୁ ବାସ୍ତବ ଚେତନାକୁ ରୂପାନ୍ତରିତ ହେବାରେ କିଛି ଅସ୍ୱାଭିବିକତା ନାହିଁ । ରୋମାଣ୍ଟିକ୍ ଭାବ ଓ ବାସ୍ତବତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱମାତ୍ର । ‘ଦିଅ ଆଜି ଭୂମି ଅଧିକାର’ କବିତାରେ ଜଗନ୍ନାଥଙ୍କ ବାସ୍ତବ ଦୃଷ୍ଟିକୋଣ ସୁପ୍‌କଟ—

 

ଜମିଦାର କର ଭୂମିଦାନ

ପୁଞ୍ଜିପତି ପୁଣି ସ୍ୱର୍ଣ୍ଣଦାନ

ଜନତାର ଅଧାପେଟ ପୂରୁ

ହେଉ ତାର ଶୋକ ଅବସାନ ।

 

‘ଉଷାର ନିଷାଦ’, ‘ଶିଳାପ୍ରସ୍ତାର’ ଆଦି ପରବର୍ତ୍ତୀ କାବ୍ୟସଞ୍ଚୟନରେ ସେହିପରି ବାସ୍ତବତା ଓ ରୋମାଣ୍ଟିକ୍ ଭାବର ଲୁଚକାଳି ଖେଳ ଦେଖିବାକୁ ମିଳେ ।

 

କବି ଜଗନ୍ନାଥ ପ୍ରାୟ ସର୍ବତ୍ର ଗୀତିମୟୀ ଛାନ୍ଦ ବ୍ୟବହାର କରିଛନ୍ତି । ଗଦ୍ୟଛନ୍ଦରେ ମଧ୍ୟ ହାତ-ପରଖ କରିବାପାଇଁ ପଛେଇ ନାହାନ୍ତି । କିନ୍ତୁ ଗଦ୍ୟଛନ୍ଦରେ ତାଙ୍କର ସାଫଲ୍ୟ ପରିଲକ୍ଷିତ ହୁଏନାହିଁ ; ଅନେକତ୍ର ତାଙ୍କର ଗଦ୍ୟକବିତା ପଦ୍ୟ ଧର୍ମ୍ମାକ୍ରାନ୍ତ ବା ମୁକ୍ତଛନ୍ଦର କବିତା ହୋଇପଡ଼ିଛି । କାବ୍ୟିକ ଭାଷାବିନ୍ୟାସରେ ଜଗନ୍ନାଥଙ୍କ ଦକ୍ଷତା ପରିସ୍ଫୁଟ । ଏଥିରେ ତେଲୁଗୁ ଭାଷାର ପ୍ରଭାବ ପଡ଼ିବା ସ୍ୱାଭାବିକ । କିନ୍ତୁ ସୁଖର କଥା, ସେ ପ୍ରଭାବକୁ କାଟି କବି ଜଗନ୍ନାଥ ଷ୍ଟାଣ୍ଡାର୍ଡ଼ ଓଡ଼ିଆ ଭାଷାରେ ହିଁ ଆତ୍ମପ୍ରକାଶ କରିବାକୁ ସମର୍ଥ ହୋଇଛନ୍ତି ।

 

ଜଗନ୍ନାଥ ବିଶେଷତଃ ପ୍ରେମ ଓ ପ୍ରଣୟର କବି—ପ୍ରେମ ସମ୍ପର୍କିତ ହାସ ଅଶ୍ରୁ ପୁଲକ କାରୁଣ୍ୟର ଗାୟକ । ମାୟାଧର ମାନସିଂହ, ନିତ୍ୟାନନ୍ଦ ମହାପାତ୍ର ପ୍ରମୁଖ କବିମାନେ ପ୍ରେମ କବିତାର ଯେଉଁ ସମୃଦ୍ଧ ପରମ୍ପରା ସୃଷ୍ଟି କରିଛନ୍ତି, କବି ଜଗନ୍ନାଥ ସେହି ପରମ୍ପରାର ଜଣେ ବଳିଷ୍ଠ ବାହକ । ତାଙ୍କର କବିତା ସମୂହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚିତ ହେଲେ, ଏକଥା ସୁସ୍ପଷ୍ଟ ହେବ-। ସେହିପରି ଜଗନ୍ନାଥଙ୍କର ବିଭିନ୍ନ ଗଳ୍ପ ବିଶ୍ଳେଷିତ ହେବାର ଅବକାଶ ରହିଛି । ଆଭିମୁଖ୍ୟ ଦିଗରୁ ‘ଉତ୍କଳିକା’ ଓ ‘ଧୂସର’ର ଗଳ୍ପରାଜି ରୋମାଣ୍ଟିକ୍ ତଥା ଆଦର୍ଶବାଦୀ । ବହୁ କ୍ଷୁଦ୍ର କ୍ଷୁଦ୍ର ମାନବୀୟ ଅନୁଭୂତି, ଜୀବନଚର୍ଯ୍ୟାର ବିଭିନ୍ନ ଦିଗ ଏଥିରେ ପ୍ରକଟିତ ହୋଇଛି । ଜଗନ୍ନାଥଙ୍କ କାବ୍ୟସୃଷ୍ଟିର ଚମତ୍କାର ଶୈଳୀ ଗଦ୍ୟରେ ଅଭାବ ଥିଲେ ହେଁ, ଏଥିରେ ଗଳ୍ପରସ ପ୍ରଚୁର । ଘଟଣାର ଜାଲବୁଣି ଗୋଟିଏ ଗୋଟିଏ ନିଖୁଣ ଗଳ୍ପ କହିବାରେ ଜଗନ୍ନାଥ ବେଶ୍ କୁଶଳୀ କଥାକାର । ସାଂପ୍ରତିକ ଗଳ୍ପରୁ ଗଳ୍ପରସ ଊଣା ହୋଇଯାଉଥିଲା ବେଳେ ଏହି ଗଳ୍ପଗୁଡ଼ିକ ଆମ ପାଠକସମାଜ ନିକଟରେ ସମାଦର ଲାଭକରିବ ।

 

ଶେଷରେ, ସାହିତ୍ୟ-ସମୀକ୍ଷକ ଶ୍ରୀ କପିଳେଶ୍ୱର ଦାସଙ୍କ ସହିତ କଣ୍ଠ ମିଳାଇ ବୋଲାଯାଉ—‘‘ଓଡ଼ିଶାରୁ ବିଚ୍ଛିନ୍ନ ରହି, ତରୁଣ ଜୀବନରୁ ମାତୃଭାଷା ତଥା ସଂସ୍କୃତି ସଂରକ୍ଷଣ ଓ ବିକାଶରେ ଅସଂଖ୍ୟ ବାଧାବିଘ୍ନ ସତ୍ତ୍ୱେ ଜଗନ୍ନାଥ ଯେପରି ମନପ୍ରାଣ ଢାଳି ଅପୂର୍ବ କୃତିତ୍ୱ ଅର୍ଜନ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ।’’ —‘ଶିଳାପ୍ରସ୍ତାର’ର ମୁଖବନ୍ଧ ।

Image

 

ଜନସେବୀ ନିତ୍ୟାନନ୍ଦ କାନୁନ୍‌ଗୋ

ଶ୍ରୀ ଯମ୍ୱେଶ୍ୱର ତ୍ରିପାଠୀ

 

ଧଉଳି ପାହାଡ଼—ଅତୀତର ଗୌରବ, ସଭ୍ୟତାର ମୂକ ସାକ୍ଷୀ, ପ୍ରାକୃତିକ ଦୃଶ୍ୟରାଜିରେ ସମୃଦ୍ଧ ଏକ ଦର୍ଶନୀୟ ସ୍ଥାନ । କିଛି ବର୍ଷ ପୂର୍ବରୁ ଏହି ପାହାଡ଼ର ରମଣୀୟ ଦୃଶ୍ୟ ସଂଦର୍ଶନ କରିବା ପାଇଁ ଯେଉଁ ପରିଭ୍ରମଣକାରୀମାନେ ଯାଉଥିଲେ, ସେହିମାନଙ୍କୁ ସେତେବେଳେ ଅଶେଷ କଷ୍ଟ ସହିବାକୁ ପଡ଼ୁଥିଲା । ପାହାଡ଼ ଉପରକୁ ଯିବା ପାଇଁ ରାସ୍ତା ନ ଥିଲା । ଏହାର ଚତୁଃପାର୍ଶ୍ୱ ଗୁଳ୍ମ ଲତା ଏବଂ କଣ୍ଟକାଦିରେ ଥିଲା ପରିବେଷ୍ଟିତ । ଓଡ଼ିଶାର ଅନ୍ୟ ପାହାଡ଼ ଯଥା—ଲଳିତଗିରି ଓ ଚତ୍ନଗିରି ପରି ଏହା ଏକ ବୌଦ୍ଧପୀଠ ରୂପେ ଖ୍ୟାତି ଅର୍ଜନ କରିଥିଲା ପ୍ରାଗ୍‌ଐତିହାସିକ ଯୁଗରୁ । ଏକଦା ଏହିଠାରେ ବୌଦ୍ଧ ଭିକ୍ଷୁମାନେ ସେମାନଙ୍କର ବିହାର ରଚନା କରି ବୁଦ୍ଧଦେବଙ୍କ ଅମରବାଣୀ ପ୍ରଚାର କରୁଥିଲେ ବୋଲି ଇତିହାସ କହେ । ଏବେ ମଧ୍ୟ ଏହି ପାହାଡ଼ର ତଟଦେଶରେ ସମ୍ରାଟ ଅଶୋକଙ୍କର ଶିଳାଲିପି ବିଦ୍ୟମାନ ।

 

କିମ୍ବଦନ୍ତୀ କହେ—ଚଣ୍ଡାଶୋକ ଏହି ପାହାଡ଼ ନିକଟରେ ଧର୍ମାଶୋକରେ ପରିଣତ ହୋଇଥିଲେ । ସେହି ଧଉଳି ପାହାଡ଼ର ଶୋଚନୀୟ ଅବସ୍ଥାକୁ ଲକ୍ଷ୍ୟ କରି ଓଡ଼ିଶାର ଜଣେ ପ୍ରଥିତଯଶା କବି ସ୍ୱର୍ଗତ ପଦ୍ମଚରଣ ପଟ୍ଟନାୟକ ଲେଖିଥିଲେ—

 

ଧଉଳି ପାହାଡ଼ ଧଉଳି ପାହାଡ଼

କାହିଁକି ମଉନ ରହିଛ ଆଜି

ଦଇଆ ବାଲିରେ କେତେ ଖୋଜୁଥିବ

ଅତୀତ ଗୌରବ ଗରବ ରାଜି ।

ଧଉଳି ପାହାଡ଼ ଧଉଳି ପାହାଡ଼

ରୁକ୍ଷ, ମୁଖ ଦୁଃଖ ଗୁଳ୍ମେ ଆବରି

ତପସ୍ୱୀ ପରାଏ ବସି ରହିଅଛି

କି ଭାବନା ଭାବି ଦିବା ଶର୍ବରୀ ।

 

ଧଉଳି ପାହାଡ଼କୁ ଦେଖି କବି ପଦ୍ମଚରଣ ଓଡ଼ିଶାର ଅତୀତ ଗୌରବ କାହାଣୀ ଜାଣିବା ପାଇଁ ଯେଉଁ ପ୍ରଶ୍ନ ପଚାରିଥିଲେ, ତାହାରି ଉତ୍ତରରେ ଧଉଳି ପାହାଡ଼ କହିଥିଲା—‘‘ଦିନେ ଭାରତ ସମ୍ରାଟ ଅଶୋକ କଳିଙ୍ଗ ବିଜୟ କରିବାକୁ ଆସି, ବହୁ ନରନାରୀଙ୍କୁ ଯୁଦ୍ଧରେ ହତାହତ କଲା ପରେ ମୋହରି ପାଦ ଦେଶରେ ଶିବିର ସ୍ଥାପନ କରି ବିଶ୍ରାମ ନେଉଥିବାବେଳେ ମୁଁ କହିଥିଲି—ତରବାରୀର ଜୟ-ପ୍ରକୃତ ଜୟ ନୁହେଁ । ମନୁଷ୍ୟର ହୃଦୟକୁ ଜୟ କରିବାହିଁ ପ୍ରକୃତ ବିଜୟୀର ଗୌରବ । ଯେଉଁ କୋଟି କୋଟି ଜୀବନ ତୁମେ ନଷ୍ଟ କଲ, ସେହିଭଳି ଗୋଟିଏ ତୁମେ ସୃଷ୍ଟି କରିପାରିବ କି ?’’

 

ସମ୍ରାଟଙ୍କୁ ପ୍ରଶ୍ନ କରିଥିଲେ ଧଉଳି ବିହାରର ଭିକ୍ଷୁ ଉପଗୁପ୍ତ—

 

ରକ୍ତ ଧାରେ ଧରଣୀ ଧୋଇ

ତୋଳିଲୁ ଯେଉଁ କୀର୍ତ୍ତିରାଜି

ବିନ୍ଦୁ ଏକ ରକ୍ତ ଲାଗି

ନଶ୍ୱର ସେ ପଡ଼ଇ ଭାଜି ।

କାହାରେ ତୁହି ନିଜର ଭାବୁ

ନିଜେ ଯେ ତୁହି ନିଜର ନୋହୂ

ଚଣ୍ଡାଶୋକ କି ଲଭ ଆଶେ

ରକ୍ତେ କହ ଧରଣୀ ଧୋଉ ?

 

ଉପଗୁପ୍ତଙ୍କ ଏହି ବାଣୀ ଅନୁରଣିତ ହୋଇଥିଲା ଅଶୋକଙ୍କ ଶିରାପ୍ରଶିରାରେ । ଥମକି ଦଣ୍ଡେ ଠିଆହେଲେ ସେ । ନିଜକୁ ନିଜେ ପ୍ରଶ୍ନ କଲେ—‘‘ପ୍ରକୃତରେ କ’ଣ ଜୀବନଟିଏ ସେ ସୃଷ୍ଟି କରି ପାରିବେ ? ଏ ମର ଶରୀର ଦିନେ ମାଟିରେ ମିଶିଯିବ । ଇତିହାସ ପୃଷ୍ଠାରେ ତାଙ୍କ ନାମ ରାଜ୍ୟଲିପ୍‌ସୁ ଏକ ନର-ହତ୍ୟାକାରୀ ସମ୍ରାଟରୂପେ ଲିପିବଦ୍ଧ ରହିବ । ଅପରର ଦୁଃଖରେ ଯାହାର ଅନ୍ତର କାନ୍ଦି ନାହିଁ, ସେ କ’ଣ ପ୍ରକୃତରେ ମନୁଷ୍ୟ ? ସମ୍ରାଟ ଅଶୋକଙ୍କର ଅନ୍ତର ତଳୁ ଗର୍ବ, ଅହଙ୍କାରର କଳା ପରଦା ଅପସରି ଗଲା । ଫଳରେ ସେ—

 

ଖଡ଼୍‌ଗ ରଖି ବକ୍ଷ ପରେ

କହିଲେ ରାଜା ଗର୍ବ ଭରେ

ରକ୍ଷା ଆଜି କରିବ ଶିଶୁ

ସନ୍ନ୍ୟାସୀ ହେ ରକ୍ତ ନିଅ, ମୃତ୍ତିକାରେ ଶରୀର ମିଶୁ

ଚଣ୍ଡାଶୋକ ଲଜ୍ଜାଭରେ

ପଡ଼ିଲେ ଶୋଇ ଧରଣୀ ତଳେ

ସନ୍ନ୍ୟାସୀର ପଦ୍ମପାଦ

ଧୋଇଲେ ଶୋକ-ଅଶ୍ରୁଜଳେ

 

ଉତ୍କଳର ଗୌରବ ଏବଂ ପ୍ରତ୍ୟେକ ଓଡ଼ିଆର ପୁଣ୍ୟତୀର୍ଥ ଧଉଳି ପାହାଡ଼ର ଶୋଚନୀୟ ଅବସ୍ଥା ଦେଖି କବି ପଦ୍ମଚରଣଙ୍କ କଣ୍ଠରୁ ଯେଉଁ ଅବଶୋଷର ବାଣୀ ଫୁଟି ଉଠିଥିଲା, ଠିକ୍ ସେହି ଦରଦ ପ୍ରକାଶ ପାଇଥିଲା ପରବର୍ତ୍ତୀ କାଳରେ ଆଉ ଜଣେ ଓଡ଼ିଆ ହୃଦୟରେ—ସେ ହେଉଛନ୍ତି ଆମ ଓଡ଼ିଶାର ଅତି ଜନପ୍ରିୟ ନେତା ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନ୍‌ଗୋ ।

 

ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନ୍‍ ଗୋ ବିହାରର ରାଜ୍ୟପାଳ ଥିବା ସମୟରେ ବୌଦ୍ଧଧର୍ମର ଗୁରୁ ମାନ୍ୟବର ଫୁଜି ମହାଶୟ ଜାପାନରୁ ବିହାର ଆସିଥିଲେ । ବିହାର ପ୍ରଦେଶର ରତ୍ନଗିରିଠାରେ ଏକ ସ୍ତୁପ ପ୍ରତିଷ୍ଠା ସଂକ୍ରାନ୍ତରେ ସେ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସହିତ ସାକ୍ଷାତ୍ କରନ୍ତି । ସେହି ସାକ୍ଷାତ୍ ସମୟରେ ପ୍ରାସଙ୍ଗିକ ଆଲୋଚନା କ୍ରମରେ ନିତ୍ୟାନନ୍ଦ ବାବୁ କହନ୍ତି ଯେ, ଚଣ୍ଡୋଶୋକଙ୍କୁ କଳିଙ୍ଗ ଯୁଦ୍ଧ ହିଁ ଧର୍ମା ଶୋକରେ ପରିଣତ କରିଥିଲା । ଏହା ଏକ ସର୍ବବାଦୀ ଏବଂ ବହୁ ପ୍ରଚାରିତ ସତ୍ୟ । ଏହା ଯଦି ମାନ୍ୟବର ଫୁଜି ମହାଶୟ ଜାଣନ୍ତି, ତେବେ ଓଡ଼ିଶାର ଧଉଳିଗିରି, ଯେଉଁଠାରେ ଦିନେ ବୁଦ୍ଧଦେବଙ୍କର ବିହାର ଥିଲା, ସେହିଠାରେ ଏକ ସ୍ତୁପ ତିଆରି କରିବା କ’ଣ ଉଚିତ ହେବ ନାହିଁ ?

 

ମାନ୍ୟବର ଫୁଜି ଇତିହାସର ଘଟଣା ବିଷୟରେ ପୂର୍ବରୁ ଅବହିତ ଥିଲେ । ସେ କେବଳ ଜଣେ ଦିଗ୍‌ଦର୍ଶକ ଚାହୁଁଥିଲେ । ତାହା ପାଇଗଲେ । ନିତ୍ୟାନନ୍ଦ ବାବୁ ତାହାଙ୍କୁ ସଙ୍ଗରେ ଆଣି ଓଡ଼ିଶାରେ ପହଞ୍ଚି ଧଉଳିଗିରି ପରିକ୍ରମା କରାଇଲେ । ଏହାପରେ ‘ସମାଜ’ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ସାହାଯ୍ୟ ସହଯୋଗ ଓ ପ୍ରେରଣାରେ ମାନ୍ୟବର ଫୁଜି ଧଉଳିଗିରିରେ ନିର୍ମାଣ କରାଇଲେ ବିରାଟ ବୌଦ୍ଧସ୍ତୂପ । ଯେଉଁ ଧଉଳି ଦିନେ ଅବହେଳିତ ଓ ଅଗମ୍ୟ ହୋଇଥିଲା, ତାହା ପୁଣି ଓଡ଼ିଶାର ଏକ ଚରମ ଦର୍ଶନୀୟ ସ୍ଥାନରେ ପରିଣତ ହେଲା । ପ୍ରତିଦିନ ଅସଂଖ୍ୟ ଯାତ୍ରୀ ଏହି ରମଣୀୟ ବୌଦ୍ଧସ୍ତୁପକୁ ଦର୍ଶନ କରିବାକୁ ଆସିଲେ ।

 

ସେହି ବରେଣ୍ୟ ଜନସେବୀ ଓ ପ୍ରଶାସନ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ—ରାଜନୀତିର ଉତ୍‌ଥାନ ପତନ, ଦାଉ ଧକ୍‌କା ଯାହାଙ୍କୁ ସ୍ପର୍ଶ କରିନାହିଁ, ଯେଉଁ ଜନସେବୀ ରାଜନୀତି-କ୍ଷେତ୍ରରେ ଆଦୌ ନିର୍ବାଚନ ଯୁଦ୍ଧରେ ପରାସ୍ତ ହୋଇ ନାହାଁନ୍ତି ଏବଂ ଯିଏ ନିରବଚ୍ଛିନ୍ନ ଭାବରେ ଶାସନ କ୍ଷେତ୍ରରେ ଯୋଗ ଦେଇ ଅଶେଷ ପ୍ରଶଂସା ଲାଭ କରିପାରିଛନ୍ତି, ସେହି ସର୍ବଜନଆଦୃତ ଜନସେବକ କଟକ ନଗରରେ ଊଣେଇଶହ ମସିହା ମଇ ମାସରେ ବାଳମୁକୁନ୍ଦ କାନୁନ୍‌ଗୋଙ୍କର ଏକମାତ୍ର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବାଳମୁକୁନ୍ଦ କାନୁନ୍‌ଗୋ ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟ କରୁଥିଲେ ।

 

ବାଳମୁକୁନ୍ଦ କାନୁନ୍‌ଗୋଙ୍କର ପୂର୍ବ ଜନ୍ମସ୍ଥାନ ହେଉଛି କଟକ ଜିଲ୍ଲା ବେଣାହାର ବାଲିକୁଦା ଅନ୍ତର୍ଗତ ନରିଲୋ ଗ୍ରାମରେ । ଏକ ଆଭିଜାତ୍ୟ-ଜମିଦାର ବଂଶର ଦାୟାଦ ସେ । ସରକାରୀ ଚାକିରୀ କ୍ଷେତ୍ରରେ ତାହାଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବାକୁ ହୋଇଥିଲା-। ତେଣୁ ନିତ୍ୟାନନ୍ଦ ବାବୁଙ୍କ ବାଲ୍ୟଶିକ୍ଷା ଜଣେ ଘରୋଇ ଶିକ୍ଷକଙ୍କ ଦ୍ୱାରା ସମହିତ ହୋଇଥିଲା । ସେ ପ୍ରାଥମିକ ବିଦ୍ୟା କୌଣସି ବିଦ୍ୟାଳୟରେ ଅଧ୍ୟୟନ କରି ସମାପ୍ତ କରି ନ ଥିଲେ-। ବାଳମୁକୁନ୍ଦ ବାବୁ ବାଙ୍କୀରେ ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟ କରୁଥିଲାବେଳେ ନିତ୍ୟାନନ୍ଦଙ୍କର ପ୍ରାଥମିକ ଶିକ୍ଷା ସେଠାକାର ଯଶସ୍ୱୀ ଶିକ୍ଷକ ଭାଗୀରଥି ପଣ୍ଡାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

 

ବାଙ୍କୀରୁ ଆସିବା ପରେ ସେ କଟକ ରେଭେନ୍‌ସା କଲିଜିଏଟ୍‌ରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ । ନେତାଜୀ ସୁବାସଚନ୍ଦ୍ର ବୋଷ ସେତେବେଳେ ତାହାଙ୍କଠାରୁ ମାତ୍ର ଗୋଟିଏ ଶ୍ରେଣୀ ଉପରେ ପଢ଼ୁଥିଲେ । କଲିଜିଏଟ୍ ସେତେବେଳେ କେବଳ ମେଧାବୀ ଛାତ୍ରମାନଙ୍କର ମିଳନସ୍ଥଳ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ବିଦ୍ୟାଳୟରେ ସେତେବେଳେ ପ୍ରଧାନ ଶିକ୍ଷକର ଦାୟିତ୍ୱ ତୁଲାଉଥିଲେ ବେଣୀମାଧବ ଦାସ । ବେଣୀମାଧବ ଦାସ ଜଣେ ପ୍ରଖ୍ୟାତ ଶିକ୍ଷାବିତ୍ ଥିଲେ ଓ ସୁବାସଚନ୍ଦ୍ର ବୋଷ ତାହାଙ୍କ ଦ୍ୱାରା ବିଶେଷ ଅନୁପ୍ରାଣିତ ହୋଇଥିଲେ । ପ୍ରଧାନ ଶିକ୍ଷକ ଭାବରେ ଶ୍ରୀ ଦାସ ପ୍ରତ୍ୟେକ ଛାତ୍ରଙ୍କୁ ନିଜର ପୁତ୍ରବତ୍ ସ୍ନେହ କରୁଥିଲେ ।

 

ଶ୍ରୀ ଦାସଙ୍କର ବ୍ୟକ୍ତିତ୍ୱର ପ୍ରଭାବ ନିତ୍ୟାନନ୍ଦ ବାବୁଙ୍କୁ ବିଶେଷ ପ୍ରଭାବିତ କରି ପାରିଥିଲା-। ପଟିଆଗଡ଼ ନିବାସୀ ଆଡ଼୍‌ଭୋକେଟ ସ୍ୱର୍ଗୀୟ ବ୍ରଜବନ୍ଧୁ ଦାସ ତାଙ୍କର ସେତେବେଳେ ସହପାଠୀ ଥିଲେ ।

 

ରେଭେନ୍‌ସା କଲେଜିଏଟ୍‌ରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ନିତ୍ୟାନନ୍ଦବାବୁ କଟକ ରେଭେନ୍‌ସା କଲେଜରେ ଉଚ୍ଚଶିକ୍ଷା ନିମିତ୍ତ ନାମ ଲେଖାଇଲେ । ଏହି କଲେଜ ଜୀବନରେ ସେ ଆଜିର ବିଶିଷ୍ଟ ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ ଏବଂ ଆଜିର ବିଶିଷ୍ଟ ସର୍ବୋଦୟୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କୁ ସହପାଠୀ ରୂପେ ପାଇପାରିଥିଲେ । ସେତେବେଳେ ରେଭେନ୍‌ସା କଲେଜର ଅଧ୍ୟକ୍ଷ ଥିଲେ ଲ୍ୟାବର୍ଟ ସାହେବ । ବି.ଏ ପାଶ ପରେ ନିତ୍ୟାନନ୍ଦ ବାବୁ ଆଇନ ପରୀକ୍ଷାରେ ମଧ୍ୟ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ ।

 

ନିତ୍ୟାନନ୍ଦବାବୁ ସ୍ୱାଧୀନ ଆଇନଜୀବୀ ଭାବରେ ନିଜର ଜୀବନ ବିତାଇବା ପାଇଁ ସ୍ୱପ୍ନ ଦେଖିଥିଲେ । ସେଥିପାଇଁ ତତ୍କାଳୀନ ବିଶିଷ୍ଟ ଓକିଲ ନେତାଜୀ ସୁବାସଚନ୍ଦ୍ର ବୋଷଙ୍କ ପିତା ସ୍ୱର୍ଗତ ଜାନକୀନାଥ ବୋଷଙ୍କ ଅଧୀନରେ ସେ ଜୁନିଏର ଓକିଲ ରୂପେ ତାହାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ବିବାହ ପୁରୀ ଜିଲ୍ଲା ଅନ୍ତର୍ଗତ ଚଣାହାଟ ଗ୍ରାମର ସ୍ୱର୍ଗତ ନରସିଂହ ଚରଣ ପଟ୍ଟନାୟକଙ୍କର କନ୍ୟା ଶ୍ରୀମତୀ ଶୈଳବାଳା ଦେବୀଙ୍କ ସହ ସଂପନ୍ନ ହୋଇଥିଲା ।

 

ଆଇନଜୀବୀ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଗୋଟିଏ ଦିନ ସୁଦ୍ଧା ନିତ୍ୟାନନ୍ଦ ବାବୁଙ୍କୁ କଳା କୋଟ୍ ପିନ୍ଧି କଚେରୀକୁ ଯିବାକୁ ପଡ଼ିଲା ନାହିଁ । ୧୯୨୦ ମସିହାରୁ ଦେଶରେ ଅସଯୋଗ ଆନ୍ଦୋଳନର ସୂତ୍ରପାତ ହୋଇସାରିଥାଏ । ମହାତ୍ମା ଗାନ୍ଧି ଏହି ଆନ୍ଦୋଳନର କର୍ଣ୍ଣଧର ହୋଇଥାନ୍ତି-। ବ୍ରିଟିଶ ଶାସନ ବିରୁଦ୍ଧରେ ଦେଶରେ ଏକ ଅଦ୍ଭୁତପୂର୍ବ ଜନଜାଗରଣ ଦେଖାଦେଇଥାଏ-

 

ସମସ୍ତ ପ୍ରକାର ହିଂସାତ୍ମକ ମନୋବୃତ୍ତି ପରିତ୍ୟାଗ କରିବା ଏବଂ ନିଜେ କଷ୍ଟ ଯନ୍ତ୍ରଣା ଭୋଗ କରି ଶତ୍ରୁର ହୃଦୟ ପରିବର୍ତ୍ତନ କରିବା ଉଦ୍ୟମକୁ ଗାନ୍ଧିଜୀ ସତ୍ୟାଗ୍ରହ ନାମରେ ନାମିତ କରିଥାନ୍ତି । ଅତି ଶ୍ରକ୍ତିଶାଳୀ ଇଂରେଜ ସାମ୍ରାଜ୍ୟବାଦୀଙ୍କ ବିରୁଦ୍ଧରେ କୋଟି କୋଟି ନିରସ୍ତ୍ର ଭାରତୀୟ କେବଳ ସତ୍ୟାଗ୍ରହ ଦ୍ୱାରାହିଁ ଲଢ଼ି ପାରିବେ ବୋଲି ଗାନ୍ଧିଜୀ ସିଦ୍ଧାନ୍ତ କରିଥାନ୍ତି । ସତ୍ୟାଗ୍ରହ ଯେ କେବଳ ଭାରତୀୟ ରାଜନୀତିକୁ ପ୍ରଭାବିତ କରିଥିଲା, ତାହାନୁହେଁ; ଏହା ବହୁ ଭାରତୀୟଙ୍କର ଜୀବନ-ଆଦର୍ଶକୁ ମଧ୍ୟ ପ୍ରଭାବିତ କରିଥିଲା । ଅବଶ୍ୟ ଏକଥା ସତ୍ୟ ଯେ, ସଂପୂର୍ଣ୍ଣ ଅହିଂସା ପନ୍ଥା ଅବଲମ୍ୱନ କରିବାକୁ ଗାନ୍ଧିଜୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚଉରୀଚଉରାଠାରେ ଜନତା ହିଂସା କାଣ୍ଡ ଘଟାଇଥିଲେ ଏବଂ ଇଂରେଜ ସରକାରଙ୍କର ନିର୍ମ୍ମମ ଅତ୍ୟାଚାରର ଶିକାର ହୋଇଥିଲେ । ସତ୍ୟ ଓ ଅହିଂସା ଉପରେ ପ୍ରତିଷ୍ଠିତ ଅସହଯୋଗ ଆନ୍ଦୋଳନ କଂଗ୍ରେସକୁ ଏକ ଗଣଅନୁଷ୍ଠାନରେ ପରିଣତ କରିଦେଲା ।

 

ଉତ୍କଳମଣି ଗୋପବନ୍ଧୁଙ୍କ ଉଦ୍ୟମରେ ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ସାରା ଓଡ଼ିଶାର ପୁରପଲ୍ଲୀରେ ପ୍ରଚାରିତ ହୋଇଥିଲା । ବହୁସଂଖ୍ୟାରେ ଓକିଲ, ଶିଳ୍ପପତି, ଶ୍ରମିକ, ଜମିଦାର, କୃଷକ, ଶିକ୍ଷକ, ଛାତ୍ର ଏପରିକି, ରାଜକର୍ମଚାରୀ ମଧ୍ୟ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହିଭଳି ଏକ ଜାତୀୟ ଜାଗରଣ ପରିସ୍ଥିତିରେ ନିତ୍ୟାନନ୍ଦବାବୁ କଳାକୋଟ ପିନ୍ଧି କଚେରୀକୁ ଯିବାକୁ ନିଜର କର୍ତ୍ତବ୍ୟ ବୋଲି ମନେକଲେ ନାହିଁ । ସହପାଠୀ ମହତାବ ଏବଂ ନବକୃଷ୍ଣ ଚୌଧୁରୀ ଏହା ପୂର୍ବରୁ ସ୍ୱାଧୀନତା ସଂଗ୍ରାମରେ ସୈନିକରୂପେ ଯୋଗ ଦେଇସାରିଥାନ୍ତି । ତେଣୁ ମାତୃଭୂମିର ସ୍ୱାଧୀନତାର ନିଶା ଯୁବକ ନିତ୍ୟାନନ୍ଦଙ୍କ ସ୍ୱାଧୀନ ମନକୁ ପାଗଳ କଲା । ଗାନ୍ଧିଜୀଙ୍କର ସତ୍ୟାଗ୍ରହ ଆନ୍ଦୋଳନର ଅଦମ୍ୟ ଆକର୍ଷଣକୁ ସେ ଏଡ଼ାଇ ପାରିଲେ ନାହିଁ । ଜମିଦାର ବଂଶର ଉତ୍ତରାଧିକାରୀ, ଡେପୁଟି ମ୍ୟାଜିଷ୍ଟ୍ରେଟଙ୍କର ଏକୋଇର ବାଳା ବିଶିକେସନ କଳାକୋର୍ଟକୁ ଦେହରୁ ଫିଙ୍ଗିଦେଇ ଖଦଡ଼ ଧୋତି ପଞ୍ଜାବୀ ପିନ୍ଧି ହାତରେ ତ୍ରିରଙ୍ଗା ଜାତୀୟ ପତାକା ଧରି କଟକ ରାଜପଥକୁ ସ୍ୱାଧୀନତା ସଂଗ୍ରାମୀରୂପେ ଓହ୍ଲାଇ ଆସିଲେ ।

 

ଅସଯୋଗ ଆନ୍ଦୋଳନକୁ ଇଂରେଜ ସରକାର ବିପ୍ଳବ ବୋଲି ନାମିତକରି କର୍ମୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ । ସେହିସବୁ କଷଣରୁ ଯୁବକ ନିତ୍ୟାନନ୍ଦ ତ୍ରାହି ପାଇ ପାରିନଥିଲେ । ଅଶେଷ କଷ୍ଟ ଯନ୍ତ୍ରଣା ସହିଲେ । ସେଥିପାଇଁ ବନ୍ଧୁ ପରିଜନ କାହାର ନିଷେଧାଜ୍ଞାକୁ ସେ ଖାତିର ମଧ୍ୟ କଲେନାହିଁ । ତାହାର କାରଣ ସେତେବେଳେ ମାତୃଭୂମିର ସ୍ୱାଧୀନତା ହାସଲ ତାଙ୍କ ଆଖି ଆଗରେ ପରମ କର୍ତ୍ତବ୍ୟରୂପେ ଦେଖାଦେଇଥିଲା ।

 

ନୈତିକତା ଦୃଷ୍ଟିରୁ ଇଂରେଜ ସରକାର, ଦୁର୍ବଳ ହେବାକୁ ଲାଗିଲେ । ୧୯୩୦ ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ ପରେ ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କରିବା ସଙ୍ଗେ ସଙ୍ଗେ ଭାରତୀୟମାନଙ୍କୁ ଶାସନ କ୍ଷେତ୍ରରେ ଅଧିକତର ସୁବିଧା ଦେବାପାଇଁ ଇଂରେଜ ସରକାର ଗୋଲଟେବୁଲ ବୈଠକ କଲେ । ପ୍ରଥମ ଓ ଦ୍ୱିତୀୟ ଗୋଲଟେବୁଲ ବୈଠକକୁ କଂଗ୍ରେସ ମଧ୍ୟ ପ୍ରତ୍ୟାଖ୍ୟାନ କଲା । ଫଳରେ ୧୯୩୫ ମସିହାରେ ଭାରତ ଶାସନ ଆଇନ ପ୍ରବର୍ତ୍ତିତ ହେଲା । ଏହାହିଁ ଆମ ଭାରତୀୟ ସମ୍ୱିଧାନର ମୂଳଭିତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଆଇନ ଦ୍ୱାରା ଭାରତ ଏକ ରାଷ୍ଟ୍ରସଂଘରୂପେ ପରିଚିତ ହେଲା ଓ ପ୍ରଦେଶମାନଙ୍କୁ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ଦିଆଗଲା । ରାଷ୍ଟ୍ରସଂଘରେ ଇଂରେଜ ଶାସିତ ପ୍ରଦେଶ ଓ ଦେଶୀୟ ରାଜ୍ୟମାନଙ୍କୁ ଯୋଗ ଦେବାର ବ୍ୟବସ୍ଥା ରଖାଗଲା । ପ୍ରଦେଶଗୁଡ଼ିକରେ ଲୋକପ୍ରତିନିଧିମୂଳକ ଶାସନ ପ୍ରଣାଳୀ ଅନୁସୃତ ହେବାର ବ୍ୟବସ୍ଥା ହେଲା ଓ ମନ୍ତ୍ରୀମଣ୍ଡଳ ଗଠନ କରାଯାଇ ଶାସନକାର୍ଯ୍ୟ ପରିଚାଳନା କରିବା ସମ୍ଭବପର ହେଲା। ଗଭର୍ଣ୍ଣର ପ୍ରଦେଶର ସର୍ବେସର୍ବା ହେଲେ । ସେ ମଧ୍ୟ ସାଧାରଣ ପରିସ୍ଥିତିରେ ଶାସନ ପରିଚାଳନା କ୍ଷେତ୍ରରେ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ ।

 

୧୯୩୫ର ଭାରତ ଶାସନ ଆଇନରେ ଭାରତୀୟମାନଙ୍କୁ ସ୍ୱାଧୀନତା ଦେବାର ପ୍ରସ୍ତାବ ନଥିଲେ ମଧ୍ୟ ପ୍ରଦେଶଗୁଡ଼ିକରେ ଶାସନ ଦାୟିତ୍ୱ ମିଳିବା ଆଶାରେ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳ ୧୯୩୭ ମସିହାର ନିର୍ବାଚନରେ ଅଂଶଗ୍ରହଣ କଲେ । ଭାରତରେ ଏଗାରଟି ପ୍ରଦେଶ ଭିତରୁ ଆଠୋଟି ପ୍ରଦେଶରେ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା । ତନ୍ମଧ୍ୟରୁ ଓଡ଼ିଶା ଅନ୍ୟତମ ।

 

ଏହି ସମୟରେ ଜଗତସିଂହପୁରର ବାଲିକୁଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ଯୁବକ ନିତ୍ୟାନନ୍ଦ ପ୍ରାଥୀପତ୍ର ଦାଖଲ କରିଥିଲେ । ବିପୁଳ ଜନସମର୍ଥନ ପାଇ ଏହି ନିର୍ବାଚନ ଯୁଦ୍ଧରେ ସେ ବିଜୟୀ ହୋଇଥିଲେ । ଓଡ଼ିଶାରେ ଶ୍ରୀଯୁକ୍ତ ବିଶ୍ୱନାଥ ଦାସଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଯେଉଁ ପ୍ରଥମ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା, ସେଥିରେ ଜଣେ ସଭ୍ୟରୂପେ ଯୋଗ ଦେଇଥିଲେ ସେ । ସମ୍ୱଲପୁରର ଶ୍ରୀ ବୋଧରାମ ଦୁବେ ମଧ୍ୟ ଅନ୍ୟଜଣେ ମନ୍ତ୍ରିଥିଲେ ଏହି ମନ୍ତ୍ରିମଣ୍ଡଳରେ ।

 

୧୯୩୯ ମସିହାରେ ୨ୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଥିଲା । ଏ ଯୁଦ୍ଧରେ ଏକ ପକ୍ଷରେ ଇଂଲଣ୍ଡ, ଫ୍ରାନ୍‌ସ, ଋଷ, ଆମେରିକା ପ୍ରଭୃତି ଦେଶ ଓ ଅପର ପକ୍ଷରେ ଜର୍ମାନୀ, ଇଟାଲୀ, ଓ ଜାପାନ ଦେଶ ଇତ୍ୟାଦି ଥିଲେ । ଭାରତୀୟଙ୍କର ମତାମତ ନନେଇ ଭାରତକୁ ଯୁଦ୍ଧରେ ଇଂରେଜଙ୍କ ସହଯୋଗୀ ରାଷ୍ଟ୍ରରୂପେ ଘୋଷଣା କରାଯିବାରୁ କଂଗ୍ରେସ ମନ୍ତ୍ରିମଣ୍ଡଳଗୁଡ଼ିକ ଇଂରେଜ ସରକାରଙ୍କ ଯୁଦ୍ଧନୀତିର ବିରୋଧ କରି ସେହି ବର୍ଷ ଇସ୍ତଫାଦେଲେ । ଫଳରେ, ଓଡ଼ିଶାରେ ପ୍ରଥମ ନିର୍ବାଚିତ ମନ୍ତ୍ରିମଣ୍ଡଳ ସେମାନଙ୍କର କ୍ଷମତାରୁ ଓହରି ଗଲେ ।

 

ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେଇ ନଥିବାରୁ ଗାନ୍ଧିଜୀଙ୍କ ନେତୃତ୍ୱରେ କଂଗ୍ରେସ ‘ଭାରତଛାଡ଼’ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କଲା । ଫଳରେ ୧୯୪୨ ଅଗଷ୍ଟ ନଅ ତାରିଖରେ ସାରା ଦେଶରେ ବିପ୍ଳବର ବହ୍ନି ଜଳି ଉଠିଲା । ଯାହାଫଳରେ ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ ଦିନ ସ୍ୱାଧୀନ ଭାରତ ଜନ୍ମଗ୍ରହଣ କଲା । ପଣ୍ଡିତ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ । ପୁଣି ପ୍ରାଦେଶିକ ସରକାର ଗଠିତ ହେଲା ।

 

ଏହିଥର ଯେଉଁ ନିର୍ବାଚନ କରାଗଲା, ନିତ୍ୟାନନ୍ଦ ବାବୁ ପୁଣି ବାଲିକୁଦା ନିର୍ବାଚନ ମଣ୍ଡଳରୁ ରାଜ୍ୟ ବିଧାନସଭାକୁ ନିଜର ପ୍ରାର୍ଥୀପତ୍ର କଂଗ୍ରେସ ତରଫରୁ ଦାଖଲ କଲେ ଏବଂ ବିପୁଳ ଜନସମର୍ଥନ ଲାଭକରି ନିର୍ବାଚିତ ହେଲେ । ଡକ୍‌ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଯେଉଁ ମନ୍ତ୍ରିମଣ୍ଡଳ ଗଠନ କରାଗଲା, ତହିଁରେ ନିତ୍ୟାନନ୍ଦ ବାବୁ ଯୋଗ ଦେଲେ ।

 

୧୯୫୧ ମସିହାରେ ଡକ୍‌ଟର ହରେକୃଷ୍ଣ ମହତାବ କେନ୍ଦ୍ରମନ୍ତ୍ରୀ ମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀରୂପେ ଯୋଗଦେବାକୁ ଦିଲ୍ଲୀଯିବାରୁ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ଏଥର ମଧ୍ୟ ନିତ୍ୟାନନ୍ଦ ବାବୁ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ ।

 

ଓଡ଼ିଶାରେ ସେ ମନ୍ତ୍ରୀରୂପେ କାର୍ଯ୍ୟ କରିବା ସମୟରେ ପ୍ରଚଳିତ ଥିବା ପ୍ରଜାସ୍ୱତ୍ୱ ଆଇନକୁ ପରିବର୍ତ୍ତନ କରି ଓଡ଼ିଶାର ଚାଷୀମାନଙ୍କୁ ଅଧିକ ଅଧିକାର ପ୍ରଦାନ କରିଥିଲେ ।

 

୧୯୫୨ ମସିହାରେ ଦେଶରେ ପୁଣି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଏଥର ନିତ୍ୟାନନ୍ଦ ବାବୁ କେନ୍ଦାପଡ଼ାରୁ କଂଗ୍ରେସ ତରଫରୁ ଲୋକସଭାକୁ ପ୍ରାର୍ଥୀହେଲେ ଏବଂ ବିପୁଳ ସଂଖ୍ୟାରେ ଭୋଟ ପାଇ ନିର୍ବାଚିତ ହେଲେ । ଲୋକସଭାର ସଭ୍ୟରୂପେ ଶପଥ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କ ମନ୍ତ୍ରିମଣ୍ଡଳରେ ୧୯୫୩ ମସିହାରେ ବାଣିଜ୍ୟ ବିଭାଗରେ ନିତ୍ୟାନନ୍ଦ ବାବୁଙ୍କୁ ଉପମନ୍ତ୍ରୀ ରୂପେ ଗ୍ରହଣ କଲେ ।

 

୧୯୫୩ ମସିହାରୁ ୧୯୬୫ ପର୍ଯ୍ୟନ୍ତ ଉପମନ୍ତ୍ରୀର ରାଷ୍ଟ୍ରମନ୍ତ୍ରୀ ରୂପେ ସେ ବାଣିଜ୍ୟ, ଶିଳ୍ପ, ଏବଂ ଜାହାଜଚଳାଚଳ ବିଭାଗରେ ସୁଚାରୁରୂପେ କାର୍ଯ୍ୟ କରିଆସିଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର କାର୍ଯ୍ୟଦକ୍ଷତା ସ୍ୱୀକୃତି ଲାଭ କରିଛି । ସେ ଶିଳ୍ପମନ୍ତ୍ରୀ ଥିଲାବେଳେ ଭାରତ ବର୍ଷରେ ତାଙ୍କରି ପ୍ରଚେଷ୍ଟାରେ ରାଉରକେଲା ଓ ଭିଲାଇରେ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇପାରିଥିଲା । ସେ ମନ୍ତ୍ରିମଣ୍ଡଳରେ ଯୋଗଦେଲାବେଳକୁ ସମଗ୍ର ଭାରତରେ Textile Industry ଅର୍ଥାତ୍ ଲୁଗାକଳ ସର୍ବମୋଟ ୪୨୦ଟି ଥିଲା । ୧୯୫୩ ମସିହାରେ ନୂତନ ଲୁଗାକଳ କରିବା ଯୋଜନାକୁ ସ୍ଥଗିତ କରାଯାଇଥିଲା । ତାଙ୍କରି ଉଦ୍ୟମ ଫଳରେ ଏହା ୬୦୦ କୁ ବୃଦ୍ଧି ପାଇଲା । ଏହି ବସ୍ତ୍ରଶିଳ୍ପ ସହିତ ସେ ଏତେ ସଂପୃକ୍ତ ଥିଲେ, ଯାହାଫଳରେ ଏହି ଛଅଶହ ଲୁଗାକଳର ଇତିବୃତ୍ତି ତାଙ୍କ ନଖ ଦର୍ପଣରେ ଥିଲା ।

 

କେମିକାଲ ଇଣ୍ତଷ୍ଟ୍ରି ବା ରାସାୟନିକ ଶିଳ୍ପ ଭାରତରେ ଆଦୌ ନଥିଲା । ସେ କେନ୍ଦ୍ରରେ ମନ୍ତ୍ରୀତ୍ୱ ଗ୍ରହଣ କରିବା ସମୟରେ ତାଙ୍କରି ଉଦ୍ୟମ ଓ ଚେଷ୍ଟା ଫଳରେ ଭାରତରେ ରାସାୟନିକ ଶିଳ୍ପ କାରଖାନା ସ୍ଥାପିତ ହେଲା । ତେଣୁ ସ୍ୱାଧୀନ ଭାରତର ରାସାୟନିକ ଶିଳ୍ପର ସେ ଜନ୍ମଦାତା କହିଲେ ଅତ୍ୟୁକ୍ତି ହେବନାହିଁ ।

 

୧୯୫୫ ମସିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ ସେ କମ୍ପାନୀ ନିୟମବିଧିର ସଂଚାଳକ ଥିଲେ ।

 

ତାଙ୍କର କୃତୀ ଏବଂ କୃତିତ୍ୱ ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ହୋଇପାରିଥିବାରୁ ସେ ନିରବଚ୍ଛିନ୍ନ ଭାବରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକମାତ୍ର ଓଡ଼ିଆରୂପେ କାର୍ଯ୍ୟ କରିପାରିବାର ସୁଯୋଗ ପାଇପାରି ଥିଲେ । କେବଳ ମନ୍ତ୍ରୀତ୍ୱ ନୁହେଁ, ଅନ୍ୟ ବିଭିନ୍ନ କ୍ଷେତ୍ରରେ ତାଙ୍କର କାର୍ଯ୍ୟର ପରିସର ବ୍ୟାପ୍ତ ଥିଲା । ସେ ନିଖିଳ ଭାରତ ବୁଣାଳୀ ସଂଘ, ଯାହାରକି ମହାତ୍ମା ଗାନ୍ଧି ଚେୟାରମ୍ୟାନ୍‌ ଥିଲେ, ତହିଁରେ ପ୍ରାଦେଶିକ ସଂପାଦକ ଏବଂ କାର୍ଯ୍ୟକାରୀ କମିଟିର ସଭ୍ୟରୂପେ କାର୍ଯ୍ୟ କରିଥିଲେ । ସେ ଅଖିଳ ଭାରତୀୟ କୁଟୀରଶିଳ୍ପ ସମିତିର ପ୍ରାଦେଶିକ ସଂପାଦକ ଏବଂ କାର୍ଯ୍ୟକାରୀ କମିଟିର ସଭ୍ୟ ମଧ୍ୟ ଥିଲେ । ଏହି ସଂସ୍ଥାର ସଭାପତି ଥିଲେ ଜାତିର ପିତା ମହାତ୍ମା ଗାନ୍ଧି ।

 

ଭାରତ ସରକାରଙ୍କର ପ୍ରତିନିଧି ରୂପେ ନିତ୍ୟାନନ୍ଦ ବାବୁ ଭାରତ ବାହାରକୁ ଯଥା—ୟୁରୋପ, ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ସୁଦୂର ମଧ୍ୟପ୍ରାଚ୍ୟକୁ ଯାଇଥିଲେ । ସେତେବେଳେ ସେ International Labour Organisation, General Agreement on Trade & Traffics and Leader of Indian Delegation to the Economic Council for Asia and Far East ପ୍ରଭୃତି ସଂସ୍ଥାରେ ଯୋଗ ଦେଇ ଭାରତର ଦାବୀ ଉପଯୁକ୍ତ ଏବଂ ଯଥାର୍ଥରୂପେ ପ୍ରତିପାଦିତ କରିପାରି ଜଣେ ସର୍ବଭାରତୀୟ ନେତା ଭାବରେ ସ୍ୱୀକୃତ ଲାଭ କରିଥିଲେ ।

 

ସବୁଠାରୁ ମଜାର କଥା, ଜୀବନରେ ଯିଏ ଦିନେ ହାରମୋନିୟମ ଧରି ନାହାନ୍ତି, ସେହି ନିତ୍ୟାନନ୍ଦବାବୁ ଭାରତ ସରକାରଙ୍କର ସଙ୍ଗୀତ, ନାଟକ ଏବଂ ନୃତ୍ୟ ଏକାଡ଼େମୀର କାର୍ଯ୍ୟକାରୀ କମିଟିରେ ୧୯୫୨ ମସିହାଠାରୁ ୧୯୬୧ ମସିହା ପର୍ଯ୍ୟନ୍ତ ସଭ୍ୟରୂପେ କାର୍ଯ୍ୟ କରିଥିଲେ । ସେ ନିଜେ ସିନା ସଙ୍ଗୀତଜ୍ଞ ନୁହଁନ୍ତି, କିନ୍ତୁ ସେ ଜଣେ କଳାପ୍ରେମୀ । କଥାରେ ଅଛି—‘‘ଚାଟଘର ପୁଅ ଚାଟ୍’’ ଭଳି ସଙ୍ଗୀତ ଚର୍ଚ୍ଚା ହେଉଛି ତାଙ୍କର ପାରିବାରିକ ପରମ୍ପରା । ନିତ୍ୟାନନ୍ଦବାବୁଙ୍କର ଜେଜେବାପା ଶ୍ରୀହରି କାନୁନ୍‌ଗୋ ଜଣେ ନାମୀ ସଙ୍ଗୀତ ଓସ୍ତାତ୍ ଥିଲେ । ସେତେବେଳେ ସେ ଅନେକ ଯୁବକଙ୍କୁ ସଙ୍ଗୀତ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଅନେକ ଯୁବତୀଙ୍କୁ ମଧ୍ୟ ଶିଷ୍ୟାରୂପେ ଗ୍ରହଣ କରିଥିଲେ । ଆଜିକାଲି ଭଳି ସେତେବେଳେ ସଂଭ୍ରାନ୍ତ ଘରର ଝିଅମାନେ ସଙ୍ଗୀତ ଚର୍ଚ୍ଚାକୁ ଋଚିସଂପନ୍ନ କଳା ବୋଲି ମନେ କରୁନଥିଲେ । ତେଣୁ ପ୍ରାୟତଃ ବାଈଜୀମାନେ ଏହି ସଙ୍ଗୀତକୁ ନିଜର ପେଷାରୂପେ ଗ୍ରହଣ କରିଥିଲେ । ଶ୍ରୀହରି ବାବୁ ଜମିଦାର ହେଲେ ମଧ୍ୟ କଳାକାର ଭାବରେ ଶିଷ୍ୟ ଓ ଶିଷ୍ୟା ଭିତରେ ଫରକ୍ ଦେଖି ନଥିଲେ । ଖୁବ୍ ଉଚ୍ଚ ଧରଣର ସଙ୍ଗୀତ ଓସ୍ତାଦ ଭାବରେ ନାମ ଥିବାରୁ ତାଙ୍କୁ ବିଭିନ୍ନ ରାଜଦରବାରରୁ ନିମନ୍ତ୍ରଣମାନ ଆସୁଥିଲା । ସେତେବେଳର ପ୍ରଚଳିତ ପଦ୍ଧତି ଅନୁଯାୟୀ ସେ ପାଲିଙ୍କି ଚଢ଼ି ବିଭିନ୍ନ ରାଜସଭାରେ ଯୋଗ ଦେଉଥିଲେ ।

 

ଶ୍ରୀହରିବାବୁ ଏତେଦୂର ସଙ୍ଗୀତ ରସିକ ଥିଲେ ଯେ, ନିଜର ଅତି ଆଦରର ନାତି ନିତ୍ୟାନନ୍ଦଙ୍କୁ ପିଲାଦିନେ ଘୁଙ୍ଘୁର ପିନ୍ଧାଇ ନଚାଉଥିଲେ । ହିହି ସଙ୍ଗୀତର ପ୍ରଭାବ ହେତୁ ନିତ୍ୟାନନ୍ଦଙ୍କର ସଙ୍ଗୀତ ପ୍ରତି ମମତା ବଢ଼ିଥିଲା । ପୈତୃକ ଗୁଣ ଅଧିକାରରେ ତାହାଙ୍କର ପୁତ୍ରମାନଙ୍କ ଭିତରୁ ସ୍ୱର୍ଗୀୟ ରାମାନନ୍ଦ କାନୁନ୍‌ଗୋ ତବଲା ବାଦକ ଭାବରେ ଓଡ଼ିଶାରେ ଖ୍ୟାତି ଅର୍ଜନ କରିପାରିଥିଲେ।

 

ନିତ୍ୟାନନ୍ଦ ବାବୁ ଏହି ସଙ୍ଗୀତ, ନୃତ୍ୟ, ନାଟକ ସହିତ ସଂପୃକ୍ତ ହେବା ଫଳରେ ଭାରତର ପ୍ରଖ୍ୟାତ ସଙ୍ଗୀତଜ୍ଞ ଯଥା—ଓସ୍ତାଦ୍‌ ବଡ଼େ ଗୁଲାମ ଅଲ୍ଲିଖାଁ, ଶୁଭଲକ୍ଷ୍ମୀ, ରୁକ୍ମିଣୀ ଦେବୀ ଅରୁଣ୍ଡଲେ, ବାଳସରସତ୍ୱୀ, ଏବଂ ଆଲ୍ଲାଉଦ୍ଦିନ ଖାଁ ଙ୍କ ସହିତ ପରିଚିତ ହେଉ ହେଉଁ, ଏହା ପରେ ଏକ ଘରୋଇ ସଂପର୍କରେ ପରିଣତ ହୋଇଛି ।

 

ସଙ୍ଗୀତଜ୍ଞ ଏବଂ କଳାକାରଙ୍କ ପ୍ରତି ନିତ୍ୟାନନ୍ଦ ବାବୁଙ୍କର ଅକୁଣ୍ଠ ସମର୍ଥନ ଏବଂ ସହାନୁଭୂତି ବିସ୍ମରଣ କରିହେବ ନାହିଁ । ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ ଏଠାରେ ଉଲ୍ଲେଖନୀୟ ।

 

ଘଟଣାଟି ହେଲା, ସ୍ୱାଧୀନତା ପୂର୍ବର । ଇଂରେଜ ସରକାର ଭାରତକୁ ଯେତେବେଳେ ହିନ୍ଦୁସ୍ଥାନ ଓ ପାକିସ୍ଥାନ କରି ଦୁଇ ଭାଗରେ ବିଭକ୍ତ କରିଦେଲେ, ସେତେବେଳେ ଅଖଣ୍ଡ ଭାରତର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଓସ୍ତାତ୍ ବଡ଼େଗୁଲାମ ଅଲ୍ଲୀଖାଁ ପାକିସ୍ଥାନର ଅଧିବାସୀରୂପେ ରହିଗଲେ। ସେ କିନ୍ତୁ ହିନ୍ଦୁସ୍ଥାନକୁ ଆନ୍ତରିକ ଭାବରେ ଭଲ ପାଉଥିଲେ । ବର୍ଷକୁ ଦୁଇଥର ପାଇଁ ସେ ଭାରତ ଆସୁଥିଲେ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ବାସଭବନରେ କେବଳ ଦୁଇଥର ସେ ତାହାଙ୍କୁ ସଙ୍ଗୀତ ଆସରରେ ଆପ୍ୟାୟିତ କରୁଥିଲେ । ଏଥିପାଇଁ ସେ ଭାରତ ସରାକର କିମ୍ୱା ପଣ୍ଡିତ ନେହେରୁଙ୍କଠାରୁ କୌଣସି ପାରିଶ୍ରମିକ ନେଉ ନ ଥିଲେ ।

 

ଭାରତବର୍ଷରେ ବମ୍ୱେ ସହର ତାଙ୍କର ଆଦି ନିବାସ ଥିଲା । ହିନ୍ଦୁସ୍ଥାନର ନାଗରିକତ୍ୱ ପାଇଁ ତାଙ୍କର ଅଭିଳାଷକୁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନିକଟରେ ବ୍ୟକ୍ତ କଲେ । ପଣ୍ଡିତ ନେହେରୁ ଯଦିଓ ବୈଦେଶିକ ବିଭାଗର ଦାୟିତ୍ୱରେ ଥାନ୍ତି ଏବଂ ସେ ଚାହିଁଥିଲେ ଯଦିଓ ବଡ଼େଗୁଲାମଙ୍କୁ ଭାରତୀୟ ନାଗରିକ କରିଦେଇ ପାରିଥାନ୍ତେ, ସେ କିନ୍ତୁ ନିତ୍ୟାନନ୍ଦ ବାବୁଙ୍କୁ ଏଥିପାଇଁ ଅନୁରୋଧ କଲେ ।

 

ନିତ୍ୟାନନ୍ଦ ବାବୁ ଅବଶ୍ୟ ବଡ଼େଗୁଲାମ ଅଲ୍ଲିଖାଁଙ୍କୁ ବ୍ୟକ୍ତିଗତ ଭାବରେ ଶ୍ରଦ୍ଧା କରୁଥିଲେ; କିନ୍ତୁ ପଣ୍ଡିତ ନେହେରୁ ତାହାଙ୍କୁ କାହିଁକି ଏହି ଦାୟିତ୍ୱ ଦେଲେ, ତାହାର ତାତ୍ପର୍ଯ୍ୟ ସେ ଉପଲବ୍‌ଧ କରିପାରିଲେ ନାହିଁ । ପଣ୍ଡିତ ନେହେରୁଙ୍କ ଅନୁରୋଧକୁ ସମ୍ମାନ ଜଣାଇ ନିତ୍ୟାନନ୍ଦ ବାବୁ ଯେତେବେଳେ ଚେଷ୍ଟା କଲେ, ସେତେବେଳେ ସେ ଜାଣିପାରିଲେ ଯେ, ବଡ଼େଗୁଲାମ ଅଲ୍ଲୀଖାଁ ଯେତେଥର ଏହା ପୂର୍ବରୁ ଦରଖାସ୍ତ କରିଛନ୍ତି, ସେସବୁକୁ ବମ୍ୱେ ପୋଲିସ ଆପତ୍ତି ଦର୍ଶାଇ ଫେରାଇ ଦେଇଛନ୍ତି ।

 

ନିତ୍ୟାନନ୍ଦ ବାବୁ ବିସ୍ମିତ ହେଲେ । ମନରେ ଚିନ୍ତାକଲେ, ଏଭଳି ଜଣେ ବିରାଟ କଳାକାର କ’ଣ ଦେଶର କ୍ଷତିକାରକ ହୋଇପାରନ୍ତି ? ସେଥିପାଇଁ ସେ ନିଜେ ଏହାର ଅନୁସନ୍ଧାନର ଦାୟିତ୍ୱ ନେଇ ବୁଝିପାରିଲେ ଯେ, ବଡ଼େଗୁଲାମଙ୍କୁ ଭାରତୀୟ ନାଗରିକତ୍ୱ ଦେବାରେ ବାଧା ସୃଷ୍ଟି କରୁଛନ୍ତି କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ । ସେମାନେ ହେଲେ ବମ୍ୱେର ରକ୍ଷଣଶୀଳ ଗାୟକ । ବଡ଼େଗୁଲାମ ପାକିସ୍ଥାନକୁ ଚାଲିଯିବା ପରେ ସେମାନଙ୍କର ବେଶ୍ ସୁନାମ ହୋଇଥିଲା । ସେମାନେ ମଧ୍ୟ ଭଲ ଅର୍ଥ ଉପାର୍ଜନ କରି ପାରୁଥିଲେ । ତେଣୁ ଯେତେବେଳେ ପୋଲିସ ଷ୍ଟେସନରୁ ତାଙ୍କ ଦରଖାସ୍ତ ଉପରେ କାହାର ଆପତ୍ତି ଅଛି କି ନାହିଁ ଜାଣିବା ପାଇଁ ଜନମତ ଆହ୍ୱାନ କରାଯାଉଥାଏ, ସେତେବେଳେ ଏହିମାନେ ବିରୁଦ୍ଧ ମତ ଦେଉଥାନ୍ତି ।

 

ସରକାରୀ କାର୍ଯ୍ୟରେ ବମ୍ୱେ ଯାଇଥିଲାବେଳେ ନିତ୍ୟାନନ୍ଦବାବୁ ବମ୍ୱେ ପୋଲିସ୍ କମିଶନରଙ୍କୁ ଏ କଥା କହି ବଡ଼େଗୁଲାମ ଅଲ୍ଲୀଖାଁ ଙ୍କୁ ଭାରତର ନାଗରିକତ୍ୱ ଦିଆଇପାରିଥିଲେ ।

 

ଏହାପରେ ପଣ୍ଡିତ ନେହେରୁଙ୍କ ସହିତ ତାହାଙ୍କର ଯେତେବେଳେ ସାକ୍ଷାତ୍ ହେଲା, ସେତେବେଳେ ସେ ହସି ହସି କହିଥିଲେ—ସଙ୍ଗୀତପ୍ରେମୀ ନ ହେଲେ ଜଣେ ସଙ୍ଗୀତଜ୍ଞ ପାଇଁ କେହି କେବେ ଏଡ଼ିକି କଷ୍ଟ କରି ପାରିବ ନାହିଁ, ଏହା ମୁଁ ବେଶ୍ ବୁଝିପାରିଥିଲି ।

 

ଏହି ନୃତ୍ୟ, ନାଟକ ଏବଂ ସଙ୍ଗୀତ ଏକାଡ଼େମୀର କାର୍ଯ୍ୟକାରୀ ସଭ୍ୟ ଥିବାବେଳେ ସେ ଓଡ଼ିଶୀ ସଙ୍ଗୀତକୁ ଭାରତୀୟ ନୃତ୍ୟ ହିସାବରେ ସ୍ୱୀକୃତି ଦେବାରେ ସାହାଯ୍ୟ କରିଥିଲେ ।

 

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେଇ ସେହିଠାରେ ବିଭିନ୍ନ ବିଭାଗର ଦାୟିତ୍ୱରେ ରହି ଦେଶ ପ୍ରତି ନିଜର କର୍ତ୍ତବ୍ୟ ସୁଚାରୁରୂପେ ସଂପାଦନ କରି ପାରିଥିବାରୁ ତାହାଙ୍କୁ ୧୯୬୫ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ବିହାର ଓ ପରେ ଗୁଜୁରାଟର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଥିଲା । ସେ ଯେତେବେଳେ ଯେଉଁ ପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ସେହି ସେହି ପ୍ରଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟି ଦେଇଥିଲେ । ତେଣୁ ରାଜ୍ୟପାଳ ଭାବରେ କେବଳ ନୁହେଁ, ଜଣେ ହିତାକାଂକ୍ଷୀ ବନ୍ଧୁ ଭାବରେ ସେ ଉଭୟ ପ୍ରଦେଶର ଜନତାଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି ।

 

୧୯୭୧ ମସିହାରୁ ସେହି ସ୍ୱନାମଧନ୍ୟ ଦେଶସେବକ ଅବସରଜୀବନ ଯାପନ କରୁଛନ୍ତି । ନିତ୍ୟାନନ୍ଦବାବୁ ଏକ ସୁଖୀ ପରିବାରର ଜନକ । ତାହାଙ୍କର ଚାରୋଟି ପୁତ୍ର ବର୍ତ୍ତମାନ ଜୀବିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀ ସଚ୍ଚିଦାନନ୍ଦ କାନୁନ୍‌ଗୋ ହେଉଛନ୍ତି ଓଡ଼ିଆ ଭାଷାର ବିଶିଷ୍ଟ ଜୀବନୀ ଲେଖକ । ଶ୍ରୀ କିଶାନ୍ କାନୁନ୍‌ଗୋ ବର୍ତ୍ତମାନ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି (Vice-Chancellor) ଅଛନ୍ତି । ଶ୍ରୀ ବିଜୟ କାନୁନ୍‌ଗୋ ଭାରତୀୟ କୋଇଲା କଂପାନୀର ଏକ ଉଚ୍ଚ ପଦବୀରେ ଅଧିଷ୍ଠିତ । ଶ୍ରୀ ଶୋଭନ କାନୁନ୍‌ଗୋ ଭାରତୀୟ ପ୍ରଶାସନ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗରେ ସେକ୍ରେଟାରୀ ରୂପେ କାର୍ଯ୍ୟ କରୁଛନ୍ତି ।

 

ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନ୍‌ଗୋଙ୍କର ନାତି ନାତୁଣୀ ସଂଖ୍ୟା ବର୍ତ୍ତମାନ ଚଉଦ । ନାତିଭିତରୁ ଶ୍ରୀମାନ୍ ପୁଷ୍ପରାଜ କାନୁନ୍‌ଗୋ ବର୍ତ୍ତମାନ ଆମେରିକାରେ ଗଣିତ ଶାସ୍ତ୍ରରେ ଅଧ୍ୟାପକ ଅଛନ୍ତି ଏବଂ ସେହିଠାରେ ବେଶ୍ ସୁନାମ ଅର୍ଜ୍ଜନ କରିଛନ୍ତି ।

 

ସ୍ୱର୍ଗୀୟା ହେମନ୍ତକୁମାରୀ ଦେବୀଙ୍କ ଏକମାତ୍ର ସୁପୁତ୍ର ନିତ୍ୟାନନ୍ଦ ବାବୁଙ୍କ ଜୀବନକୁ ପର୍ଯ୍ୟାଲୋଚନା କଲାବେଳେ ଚାଣକ୍ୟଙ୍କ ଶ୍ଳୋକରୁ ଗୋଟିଏ ପଙ୍‍କ୍ତି ମନେପଡ଼େ । ସେଇଟି ହେଲା—

 

ଏକନୈବ ସୁବୃକ୍ଷେଣ ପୁଷ୍ପିତେନ ସୁଗନ୍ଧିନା

ବାସିତଂ ତଦ୍‌ବନଂ ସର୍ବଂ ସୁପୂତ୍ରେଣ କୁଳଂଯଥା ।

 

ସେହିପରି, ବହୁ ଅଗୁଣର ପୁତ୍ର କନ୍ୟାଙ୍କ ଜନକ ଜନନୀ ହେବା ଅପେକ୍ଷା ଗୋଟିଏ ଗୁଣବାନ ପୁତ୍ରର ପିତା ମାତା ହେବା ବହୁ ସୌଭାଗ୍ୟର ବିଷୟ ।

 

ଜଣେ ଆଜୀବନ ଏକନିଷ୍ଠ ଦେଶସେବୀ ହିସାବରେ ନିତ୍ୟାନନ୍ଦ ବାବୁଙ୍କର ଦାନ କେବଳ ଓଡ଼ିଶା କାହିଁକି, ସମଗ୍ର ଭାରତବର୍ଷ ପାଇଁ ଅତୁଳନୀୟ ।

 

ଏବେ ମଧ୍ୟ ଦେଶ, ଜାତି, ଭାଷା ଏବଂ ସାଂସ୍କୃତିକ ବିକାଶ ପାଇଁ ତାଙ୍କ ପ୍ରାଣ ଆକୁଳ ଏବଂ ସେ ସଦା କର୍ମରତ ।

Image

 

ଶିକ୍ଷାବିଦ୍ ପ୍ରଫେସର ପ୍ରହ୍ଲାଦ ପ୍ରଧାନ

ଶ୍ରୀ ଭାଗୀରଥି ନେପାକ

 

ଖଣ୍ଡେ ଖଦଡ଼ ଧୋତି, ଖଣ୍ଡେ ପଞ୍ଜାବୀ, ହଳେ ଚଟି, ପଞ୍ଜାବୀ ପକେଟ୍‌ରେ ଚଷମା, ହାତରେ କିଛି ବହି ଓ ମୁହଁରେ କିଛି ହସ—ଏହାହିଁ ପ୍ରଫେସର ପ୍ରଧାନଙ୍କ ବାହାରର ପରିଚୟ ।

 

ସେଦିନ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ତଥା ରାଜଧାନୀର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସହଯୋଗକ୍ରମେ ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କୁ ରାଜଧାନୀର ‘ବିଦ୍ୟାଭବନ’ରେ ହାର୍ଦ୍ଦିକ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଉଥାଏ । ପ୍ରଫେସର ପ୍ରଧାନ ସମ୍ୱର୍ଦ୍ଧନାର ଉତ୍ତର ଦେବାକୁ ଛିଡ଼ାହୋଇ ଯୋଡ଼ ହସ୍ତରେ, ବିଗଳିତ କଣ୍ଠରେ କହିଲେ, ‘‘ମୁଁ ଏତେ ବଡ଼ ନୁହେଁ, ଆପଣମାନେ ଯେପରି ଭାବରେ କହିଲେ । ଆପଣମାନେ ମହାନ୍ ଓ ମୋ’ପରି ଅକିଞ୍ଚନର ପ୍ରଶଂସା କରି ନିଜ ନିଜର ମହନୀୟତାର ହିଁ ପରିଚୟ ଦେଲେ ।’’

 

ତାଙ୍କୁ ଯେତବେଳେ ଦାମିକା ‘‘ବଙ୍କୁଲି ବେତବାଡ଼ି’’ ଖଣ୍ଡେ ଉପହାର ଦିଆଗଲା, ସେ ହସି ହସି ମନ୍ତବ୍ୟ ଦେଲେ, ‘‘ମୁଁ ସତରେ କଣ ବୁଢ଼ା ହୋଇ ଗଲାଣି ଯେ, ମୋତେ ଆଶ୍ରା-ବାଡ଼ି ଉପହାର ଦେଲ ?’’

 

ପ୍ରଫେସର ପ୍ରଧାନଙ୍କ ଏ ମନ୍ତବ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ ସେ ଏପର୍ଯ୍ୟନ୍ତ ଚାଲିଲାବେଳେ ଆଶ୍ରାବାଡ଼ିର ସାହାଯ୍ୟ ନେଇ ନାହାନ୍ତି । ଚାଲିଲାବେଳେ କିମ୍ୱା ଲମ୍ୱା ପାଦ ପକାନ୍ତି-। କଥାବାର୍ତ୍ତା ସରସ ତଥା ଶାଣିତ । ଭାରତବର୍ଷର ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନନ୍ତି । ଓଡ଼ିଶାର ତିନୋଟିଯାକ ବିଶ୍ୱବିଦ୍ୟାଳୟ ଓ ସଂସ୍କୃତ ଅନୁଷ୍ଠାନ ସମେତ ଅସଂଖ୍ୟ ସାହିତ୍ୟିକ ତଥା ସାଂସ୍କୃତିକ ଅନୁଷ୍ଠାନ ସଙ୍ଗରେ ସେ ସଂପୃକ୍ତ । କେଉଁଠି ଉପଦେଷ୍ଟା ତ ଆଉ କେଉଁଠି ପୃଷ୍ଠପୋଷକ ବା ସଭାପତି । ଓଡ଼ିଶାର ଶିକ୍ଷା ଓ ଶିକ୍ଷାୟତନ ସଙ୍ଗରେ ସେ ବହୁଭାବରେ ଜଡ଼ିତ । ଓଡ଼ିଶାର ପ୍ରତ୍ୟେକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ତାଙ୍କର କେହି ନାଁ କେହି ଅଧ୍ୟାପକ, ପ୍ରାଧ୍ୟାପକ ଛାତ୍ର ଥିବେ । ତାଙ୍କର ତତ୍ତ୍ୱାବଧାନରେ ଓଡ଼ିଶା ଓ ଓଡ଼ିଶା ବାହାରର ବହୁ ଅଧ୍ୟାପକ ଗବେଷଣା କରି ଡକ୍‌ଟରେଟ ଡିଗ୍ରୀର ଅଧିକାରୀ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ବହୁ ପ୍ରଫେସର, ସିନେଟ-ସିଣ୍ଡିକେଟ ସଭ୍ୟ, ରାଜ୍ୟର ବହୁ ପ୍ରତିଷ୍ଠିତ ତଥା ଗଣମାନ୍ୟ ବ୍ୟକ୍ତି ତାଙ୍କର ଛାତ୍ର, ବନ୍ଧୁ ଅଥବା ଆତ୍ମୀୟ । ଅଥଚ ମନରେ ତାଙ୍କର ଏତିକି ଟିକିଏ ଅହଙ୍କାର ନାହିଁ, ଗର୍ବ ନାହିଁ, ଔଦ୍ଧତ୍ୟ ନାହିଁ ।

 

ଏକମାତ୍ର ପୁତ୍ର କୃଷିବିଭାଗର ଜଣେ ଦାୟିତ୍ୱ ସମ୍ପନ୍ନ ଅଫିସର ଏବଂ ତିନୋଟିଯାକ କନ୍ୟା ବିଭିନ୍ନ ବିଭାଗରେ ଅଧ୍ୟାପିକା । ଧର୍ମପତ୍ନୀ ପାରିବାରିକ ଜଞ୍ଜାଳରେ ନିଜକୁ ଗୋଟାପଣେ ବୁଡ଼ାଇ ରଖିଥାନ୍ତି ।

 

ପ୍ରଫେସର ପ୍ରଧାନ ସତୁରି ବର୍ଷରେ ବି ଯୁବକୋଚିତ ଉତ୍ସାହରେ ଭରପୂର । ବୟସ ତାଙ୍କ ଆଗରେ ନଇଁଯାଇଛି । ଭୁବନେଶ୍ୱରରେ ସେ ଅନ୍ୟତମ କର୍ମଚଞ୍ଚଳ, କର୍ମବ୍ୟସ୍ତ ବ୍ୟକ୍ତି । ସଭାସମିତି, ଭାଷଣ, ଗବେଷଣା, ପୁସ୍ତକରଚନା, ପୁରାତନ ଗ୍ରନ୍ଥ ଆଲୋଚନା, ସନ୍ଦର୍ଭ ପରୀକ୍ଷା, ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରଶ୍ନ ପ୍ରସ୍ତୁତି, ପରୀକ୍ଷା ଖାତା ନିରୀକ୍ଷଣ, ବିଭିନ୍ନ ସାହିତ୍ୟ ପତ୍ରପତ୍ରିକା ପାଇଁ ପ୍ରବନ୍ଧ ପ୍ରସ୍ତୁତି କାର୍ଯ୍ୟକ୍ରମ ଭିତରେ ସେ ସର୍ବଦା ବ୍ୟସ୍ତ । ଦେଶ ବିଦେଶର ପାଲି, ସଂସ୍କୃତ, ହିନ୍ଦୀ ଭାଷା-ସାହିତ୍ୟ ସମ୍ମିଳନୀ ଓ ବୌଦ୍ଧ ସମ୍ମିଳନୀରେ ଯୋଗ ଦେବାପାଇଁ ଓ ଲେଖା ପଠାଇବା ପାଇଁ ବରାବର ଅନୁରୋଧ ପାଆନ୍ତି ।

 

ଲେଖାଲେଖିର ଗୁରୁଦାୟିତ୍ୱ ନଥିଲେ ସେ ତାଙ୍କର ବ୍ୟକ୍ତିଗତ ପୁସ୍ତକାଗାରରେ ବସି ପାଲି, ସଂସ୍କୃତ କିମ୍ୱା ଚୀନା ସାହିତ୍ୟ ଅଧ୍ୟୟନ କରନ୍ତି । ଯଦି କେହି କୌତୁହଳୀହୋଇ ପ୍ରଶ୍ନକରେ–‘‘ଏ ବୟସରେ ପୁଣି ପାଠପଢ଼ା ?’’ ସେ ହସି ହସି କହନ୍ତି–‘କାହିଁକି, ମୁଁ କଣ ଛାତ୍ର ହେବାପାଇଁ ଉପଯୁକ୍ତ ନୁହେଁ ? ଅଧ୍ୟୟନ ଅତଳ ସାଗର । ମୁଁ ତ ଏଇମାତ୍ର ବେଳାଭୂମିରେ ପାଦ ଦେଇଛି !’

 

ଜନ୍ମସ୍ଥାନ :

 

ଏହି ମହାମନା ଶିକ୍ଷାବିଦ୍ ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଜନ୍ମସ୍ଥାନ ସମ୍ୱଲପୁର ଜିଲ୍ଲାର ବରଗଡ଼ ସହରଠାରୁ ମାତ୍ର ଆଠକି: ମି. ଦୂର ‘ଅନ୍ତପାଲି’ ଗ୍ରାମରେ ।

 

ଅନ୍ତପାଲି ଏକ ଛୋଟ ଗାଁ । ଅଧିକାଂଶ ଗୃହସ୍ଥ କୃଷିଜୀବୀ । ଏହିପରି ଏକ ଗାଁରୁ ପ୍ରଫେସର ପ୍ରଧାନଙ୍କପରି ବିରାଟ ପ୍ରତିଭାର ଜନ୍ମ । କୁହାଯାଏ, ପ୍ରତିଭାର ବିକାଶ ପାଇଁ ପରିବେଶର ପ୍ରଭାବ ସ୍ୱୀକାର୍ଯ୍ୟ । କିନ୍ତୁ ବେଳେବେଳେ ପରିବେଶ ନୁହେଁ, ପ୍ରତିଭା ଯେ ପରିବେଶକୁ ପ୍ରଭାବିତ କରେ, ପ୍ରଫେସର ପ୍ରଧାନ ତାର ଉଦାହରଣ ।

 

ପ୍ରଫେସର ପ୍ରଧାନ କିନ୍ତୁ ଭିନ୍ନ ଆଖିରେ ଅନ୍ତପାଲିକୁ ଦେଖନ୍ତି । ସେଇଠି ତାଙ୍କର ଘରଦ୍ୱାର, ଜମିବାଡ଼ି, ବନ୍ଧୁବାନ୍ଧବ ।

 

ଧାନ ଅମଳବେଳେ ବା ଧାନବୁଣାବେଳେ ସେ ଅନ୍ତପାଲିକୁ ସପରିବାର ଯାଆନ୍ତି । ସେଇଠି କିଛିଦିନ ଅବସ୍ଥାନ କରି, ଗାଁର ଭଲମନ୍ଦ କଥା ବୁଝନ୍ତି । କହନ୍ତି ‘ଅନ୍ତପାଲି’ ମୋର ଜନ୍ମସ୍ଥାନ, ନିଜଘର । ଅନ୍ୟସବୁ ବସାଘର । ନିଜ ଘରର ମମତା ଏଡ଼ାଇବା ସହଜ ନୁହେଁ ।

 

ଏହି ଅନ୍ତପାଲି ଗାଁରେ ୧୯୧୦ ମସିହା ଅଗଷ୍ଟମାସ ୨୮ ତାରିଖରେ ପ୍ରଫେସର ପ୍ରଧାନ ଜନ୍ମଗ୍ରହଣ କରିଥିଲେ । ସେଦିନ ଥିଲା ହିନ୍ଦୁ ଜଗତର ଅନ୍ୟତମ ପବିତ୍ରତିଥି ଜନ୍ମାଷ୍ଟମୀ ।

 

ସଂସ୍କୃତ ଟୋଲରେ ପିତାପୁତ୍ର

 

ଅନ୍ତପାଲିର ଅନ୍ୟାନ୍ୟ ପିଲାମାନଙ୍କ ପରି ଶିଶୁ ପ୍ରହ୍ଲାଦ ପ୍ରଥମେ ନିଜ ଗାଁରେ ଓ ପରେ ନିକଟସ୍ଥ କମଗାଁ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷାପାଇଁ ଭର୍ତ୍ତିହେଲେ ।

 

ପ୍ରାଥମିକ ସ୍କୁଲରେ ପଢ଼ିଲାବେଳେ ହିଁ ତାଙ୍କର ଶିକ୍ଷାପ୍ରତି ଗଭୀର ଅନୁରାଗ ପ୍ରକାଶ ପାଇଥିଲା । ସ୍କୁଲର ଶିକ୍ଷକମାନେ ତାଙ୍କ ଉପରେ ସନ୍ତୁଷ୍ଟ ଥିଲେ ଓ ଅଯାଚିତ ସ୍ନେହ ଅଜାଡ଼ି ଦେଉଥିଲେ ।

 

କମଗାଁ ଉଚ୍ଚ ପ୍ରାଥମିକ ସ୍କୁଲ ପରେ ସେ ନିକଟସ୍ଥ ବରଗଡ଼ ଜର୍ଜ ହାଇସ୍କୁଲରେ ନାଁ ଲେଖାଇଲେ । କିନ୍ତୁ ବର୍ଷଟିଏ ନପୁରୁଣୁ ତାଙ୍କ ପିତା ତାଙ୍କୁ କମଗାଁ ସଂସ୍କୃତ ଟୋଲକୁ ନେଇ ଆସିଲେ ।

 

କଥା ହେଲେ, ପ୍ରଫେସର ପ୍ରଧାନଙ୍କ ପିତା ଚିନ୍ତାମଣି ପ୍ରଧାନ ସଂସ୍କୃତପ୍ରେମୀ ଥିଲେ । ସଂସ୍କୃତ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । ତେଣୁ ଶିକ୍ଷା କର୍ତ୍ତୃପକ୍ଷଙ୍କୁ ବୁଝାଇ ସୁଝାଇ ସେ କମଗାଁରେ ଏକ ସଂସ୍କୃତ ଟୋଲ ଖୋଲାଇଦେଲେ। ନିଜେ ଯାଇ ଏହି ଟୋଲରେ ନାଁ ଲେଖାଇ ପଢ଼ିବା ଆରମ୍ଭ କଲେ । କିନ୍ତୁ ଟୋଲ ବସାଇବାପାଇଁ ଛାତ୍ର ଆବଶ୍ୟକ । ତେଣୁ ସେ ଠିକ୍ କଲେ, ପୁଅକୁ ବରଗଡ଼ ଜର୍ଜ ହାଇସ୍କୁଲରେ ଇଂରାଜୀ ପାଠ ନ ପଢ଼ାଇ କମଗାଁ ଟୋଲରେ ସଂସ୍କୃତପାଠ ପଢ଼ାଇବେ ।

 

ଏହାପରେ ବାପପୁଅ ଉଭୟେ କମଗାଁ ସଂସ୍କୃତ ଟୋଲର ଛାତ୍ର ହେଲେ ଓ ବହିବସ୍ତାନି ଧରି ପାଠପଢ଼ିବାକୁ ଗଲେ । ଏ ଦୃଶ୍ୟ ଛାତ୍ର, ଶିକ୍ଷକ ଓ ଗ୍ରାମବାସୀଙ୍କ ମନରେ ବେଶ୍ କୌତୁହଳ ସୃଷ୍ଟି କରିଥିଲା ।

 

ଏହାପରେ ଆଉ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଲା । ଏ ଘଟଣା ପ୍ରକାଶ କଲାବେଳେ ପ୍ରଫେସର ପ୍ରଧାନ ହସି ହସି କହନ୍ତି-ପାଠପଢ଼ାରେ ମୋ ବାପା ମୋତେ ପାରିଲେନାହିଁ । ସଂସ୍କୃତ ବ୍ୟାକରଣ ମୋର ଅଳ୍ପ ପରିଶ୍ରମରେ ମୁଖସ୍ଥ ହୋଇଯାଉଥିଲାବେଳେ, ବାପା ଅନେକ ଚେଷ୍ଟାକରି ମଧ୍ୟ ସେସବୁ ସହଜରେ ମୁଖସ୍ଥ କରିପାରୁ ନଥିଲେ । ସେଥିପାଇଁ ପରୀକ୍ଷାରେ ମୋର ଭଲ ଫଳ ହେଉଥିଲା ଓ ବାପା ଫେଲ ହେଉଥିଲେ । ତେଣୁ ଲାଜରେ ସେ ପାଠପଢ଼ା ଛାଡ଼ିଦେଲେ । ଏସବୁ ସତ୍ତ୍ୱେ ପିତା ଚିନ୍ତାମଣି ପ୍ରଧାନଙ୍କ ସଂସ୍କୃତ ବିଦ୍ୟାପାଇଁ ଗଭୀର ଅନୁରାଗ ପ୍ରକାଶ ପାଇଥାଏ ।

 

ପ୍ରଫେସର ପ୍ରଧାନ କମଗାଁ ସଂସ୍କୃତ ଟୋଲରୁ ପାଣିନୀ ବ୍ୟାକରଣ ଓ ମଧ୍ୟମା ପାଶ୍‌କଲେ । ଏହା ପରେପରେ ଉକ୍ତ ଟୋଲ ଭାଙ୍ଗିଯିବାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଗଲା । କିନ୍ତୁ ସଂସ୍କୃତ ଅଧ୍ୟୟନ ପାଇଁ ତାଙ୍କର ଆଗ୍ରହ ଅତ୍ୟଧିକ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସେ ନଈରୁ ଧରା ହୋଇଥିବା ମାଛପରି ଛଟପଟ ହେବାକୁ ଲାଗିଲେ । ଘରେ ଜିଦ୍ କଲେ, ଯେପରି ହେଉ ସଂସ୍କୃତ ପଢ଼ିବେ ।

 

ସେତେବେଳେ ସଂସ୍କୃତ ଭାଷାରେ ଉଚ୍ଚତର ଶିକ୍ଷାଲାଭ ନିମନ୍ତେ ପୁରୀ ଯିବାକୁ ପଡ଼ୁଥିଲା । ବରଗଡ଼ରୁ ପୁରୀ ଅନେକ ବାଟ । ଆଜିକାଲି ପରି ରେଳ ମୋଟରର ସୁବିଧା ସୁଯୋଗ ନଥାଏ । ତେଣୁ ପିତା ଓ ତାଙ୍କ ପରିବାରବର୍ଗ ବାଳକ ପ୍ରହ୍ଲାଦଙ୍କୁ ଏତେଦୂରକୁ ଏକୁଟିଆ ଛାଡ଼ି ଦେବାକୁ ରାଜିହେଲେ ନାହିଁ ।

 

ପ୍ରହ୍ଲାଦଙ୍କ ପଳାୟନ

 

କିନ୍ତୁ ପ୍ରହ୍ଲାଦଙ୍କ ମନ ତାଙ୍କ ପରିବାରର ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନଥିଲା । ଯେନତେନ ପ୍ରକାରେଣ ସେ ପୁରୀ ଯାଇ ସଂସ୍କୃତପାଠ ପଢ଼ିବାକୁ ମନସ୍ଥ କଲେ । ସେ ସ୍ଥିର କଲେ, ଘରେ ଯେତେବେଳେ ସମସ୍ତେ ତାଙ୍କ କଥାରୁ ବିରୋଧ କରୁଛନ୍ତି, କାହାରିକୁ କିଛି ନଜଣାଇ, ଏକା ଏକା ଘରଛାଡ଼ି ଚାଲିଯିବେ । ପୁରୀ ଯାଇ, ସଂସ୍କୃତ କଲେଜରେ ନାଁ ଲେଖାଇବା ପରେ ଘରକୁ ସବୁକଥା ଜଣାଇଦେବେ । ସେତେବେଳେ କାହାରି କିଛି କରିବାକୁ ନଥିବ । ତାଙ୍କ ଇଚ୍ଛା ପୂରଣ ହେବ ।

 

ଏଇଆ ଭାବି ସେ ଘରଛାଡ଼ି ଏକା ଏକା ପଳାୟନ କଲେ । ପ୍ରଥମଥର ଧରା ପଡ଼ିଗଲେ ଓ ଦ୍ୱିତୀୟଥର ସମ୍ୱଲପୁର ପର୍ଯ୍ୟନ୍ତ ଯାଇ ସେଠାରୁ ଧରାପଡ଼ି ଗ୍ରାମକୁ ଆସିଲେ । ଦ୍ୱିତୀୟ ଥରର ଅଭିଜ୍ଞତା ଅର୍ଜନ ପରେ ସେ ଅଧିକ ସତର୍କ ହୋଇ ଉଠିଲେ । ଭାବିଲେ, ଚିହ୍ନା ପରିଚିତ କାହାରି ମୁହଁରେ ପଡ଼ିବେ ନାହିଁ । କାହାକୁ ମଧ୍ୟ ଟଙ୍କା ପଇସା ବିଷୟରେ କିଛି କହିବେ ନାହିଁ । ବାପାଙ୍କ ସିନ୍ଦୁକ ଭାଙ୍ଗି ପାରିଲେ ହେଲା । ଏ କାର୍ଯ୍ୟ ସେ ଏକା ଏକା ନିରୋଳାରେ କରିବେ-। ତେଣୁ ସେ ସୁବିଧା ଓ ସୁଯୋଗ ଅପେକ୍ଷାରେ ହିଁ ରହିଲେ ।

ପୁରୀରେ ଶ୍ରୀଯୁକ୍ତ ପ୍ରଧାନ

କିଛିଦିନ ପରେ ବାଳକ ପ୍ରହ୍ଲାଦଙ୍କୁ ସୁବିଧା ଓ ସୁଯୋଗ ଯୁଟିଗଲା, ସେ ସତର୍କତାର ସହିତ ବାପାଙ୍କର ସିନ୍ଦୁକରୁ ଟଙ୍କା ଚୋରିକରି ଅଣ୍ଟାରେ ଖୋସିଲେ ଓ କାହାକୁ କିଛି ନଜଣାଇ, ଏକା ଏକା ଘର ଛାଡ଼ିଲେ । ଏହା ୧୯୨୭ ମସିହାର ଘଟଣା ।

ସେ ଘର ଛାଡ଼ି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲାବେଳେ ଭୀଷଣ ବର୍ଷା ଆରମ୍ଭ ହେଲା । ରାସ୍ତାଘାଟ ପାଣିରେ ବୁଡ଼ିଗଲା । ଆକାଶରେ ଭରାମେଘ । ସୂର୍ଯ୍ୟଙ୍କର ଦର୍ଶନ ନାହିଁ ।

ସେତେବେଳେ ଗାଁରୁ ବରଗଡ଼ ସମ୍ୱଲପୁରହୋଇ ଝାରସୁଗୁଡ଼ା ଆସିବାକୁ ପଡ଼ୁଥିଲା । ଝାରସୁଗୁଡ଼ାରୁ ଖଡ଼ଗ୍‌ପୁର-ପୁରୀ ରେଳପଥରେ ପୁରୀରେ ପହଞ୍ଚିବାକୁ ହେଉଥିଲା ।

ଆକାଶରେ ମେଘ ବର୍ଷା, ଝଡ଼ ତୋଫାନ ଛାତ୍ର ପ୍ରହ୍ଲାଦଙ୍କ ସିଦ୍ଧାନ୍ତରେ ବ୍ୟତିକ୍ରମ ସୃଷ୍ଟିକରି ପାରିଲା ନାହିଁ । ସେ ନିଜ ସଂକଳ୍ପରେ ଅଟଳ ରହିଲେ । ସେ ସମ୍ୱଲପୁର ପାରିହୋଇ ଝାରସୁଗୁଡ଼ାରେ ପହୁଞ୍ଚିଲେ ଓ ସେଇଠୁ ରେଳରେ ବସି ପୁରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲେ । ଏଇଠୁ ଖଡ଼ଗ୍‌ପୁର-କଟକହୋଇ ପୁରୀ ଯିବା କଥା । କିନ୍ତୁ ପ୍ରବଳ ବର୍ଷା ହେତୁ ରେଳପଥ ‘ହଳଦିପଦା’ ଷ୍ଟେସନରେ ଅଚଳ ହୋଇ ପଡ଼ିଥାଏ । ଷ୍ଟେସନ ସାରା ଜଳମୟ । ସେ ବାଧ୍ୟ ହୋଇ ରେଳରୁ ଓହ୍ଲାଇ ଅନ୍ୟ ଯାତ୍ରୀମାନଙ୍କ ସଙ୍ଗରେ ଚାଲି ଚାଲି ଆସିଲେ ଓ ବୈତରଣୀରୋଡ଼ରେ ପାଣି ରେଳ ଧରି ପୁରୀରେ ପହୁଞ୍ଚିଲେ ।

ପ୍ରହ୍ଲାଦ ପୁରୀରେ ପହଞ୍ଚିବା ପୂର୍ବରୁ ସେ ପୁରୀ ସଂସ୍କୃତ କଲେଜକୁ ଆସୁଥିବା ଜଣାପଡ଼ି ଯାଇଥାଏ । ପୁରୀ କଲେଜରେ ସମସ୍ତେ ତାଙ୍କ ନାଁ ଜାଣି ନେଇ ସାରିଥାନ୍ତି । ଚେହେରା କେମିତି ଦେଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଜାତ ହୋଇଥାଏ ।

ସେତେବେଳେ ପୁରୀ ସଂସ୍କୃତ କଲେଜର ଅଧ୍ୟକ୍ଷ ଥାଆନ୍ତି ପ୍ରବୀଣ ଅଧ୍ୟାପକ ଡକ୍‌ଟର କରୁଣାକର କର । ସଂସ୍କୃତ କଲେଜର ଅନ୍ୟତମ ଅଧ୍ୟାପକରୂପେ କାର୍ଯ୍ୟ କରୁଥାନ୍ତି ସଂସ୍କୃତ ପଣ୍ଡିତ ରାମାଜ୍ଞା ପାଣ୍ଡେ ।

ପ୍ରହ୍ଲାଦ କାହାକୁ କିଛି ନକହି ଘରଛାଡ଼ି ପଳାଇ ଆସିବାପରେ ତାଙ୍କ ଘରେ ଚହଳ ପଡ଼ିଗଲା । ତାଙ୍କର ଅନୁସନ୍ଧାନ ନେବାପାଇଁ ଚାରିଆଡ଼େ ଲୋକ ପଠାହେଲେ । ପିତା ଚିନ୍ତାମଣି ଦେଖିଲେ ତାଙ୍କ ସିନ୍ଦୁକରେ ଟଙ୍କା ନାହିଁ । ସେ ଅନୁମାନ କଲେ, ପୁଅ ସଂସ୍କୃତ ପଢ଼ିବା ପାଇଁ ହୁଏତ ପୁରୀ ଚାଲିଯାଇଛି । ପୁରୀ ସହରରେ କେବଳ ଜଗନ୍ନାଥଙ୍କୁ ଛାଡ଼ିଦେଲେ ଚିହ୍ନା ପରିଚିତ କେହି ନାହାନ୍ତି । ପୁରୀ ଭାଷା ବରଗଡ଼ ଭାଷାଠାରୁ ଅଲଗା । ଯଦି ପୁଅ ପୁରୀ ଚାଲି ଯାଇଥାଏ, ସେଇଠି ପହଞ୍ଚି ସେ କେଉଁଠି ରହିବ-କଣ କରିବ, ସେକଥା ଚିନ୍ତାକରି ପରିବାରର ସମସ୍ତେ ଆତଙ୍କିତ ହୋଇ ପଡ଼ିଥାନ୍ତି । ପୁଅ ପୁରୀରେ ପହୁଞ୍ଚିଛି କି ନାହିଁ ଜାଣିବା ପାଇଁ, ଚିନ୍ତାମଣିବାବୁ ସଂସ୍କୃତ କଲେଜର ଅଧ୍ୟକ୍ଷଙ୍କ ନିକଟକୁ ଟେଲିଗ୍ରାମ କଲେ । ପ୍ରହ୍ଲାଦବାବୁଙ୍କ ପୁରୀ ପହୁଞ୍ଚିବା ଖବର ସେହି ଟେଲିଗ୍ରାମ୍ ଜରିଆରେ ତାଙ୍କ ଘରକୁ ଜଣାଇ ଦିଆଗଲା ।

 

ଶୁଦ୍ରର ସଂସ୍କୃତ ଅଧ୍ୟୟନ ଅଧିକାର

 

ସେତେବେଳେ ସଂସ୍କୃତ ବିଦ୍ୟା ଅଧ୍ୟୟନ କେବଳ ବ୍ରାହ୍ମଣ ମାନଙ୍କର ଅଧିକାରଭୁକ୍ତ ଥିଲା । ପୁରୀ ସଂସ୍କୃତ କଲେଜରେ ନାମ ଲେଖାଇବାପାଇଁ କେବଳ ବ୍ରାହ୍ମଣ ଛାତ୍ରମାନେ ଯୋଗ୍ୟ ବିବେଚିତ ହେଉଥିଲେ ।

 

କିନ୍ତୁ ଛାତ୍ର ପ୍ରହ୍ଲାଦ ଅବ୍ରାହ୍ମଣ ଥିଲେ । ଅବ୍ରାହ୍ମଣ ପ୍ରହ୍ଲାଦଙ୍କୁ ପୁରୀ ସଂସ୍କୃତ କଲେଜରେ ପଢ଼ିବାପାଇଁ ଅନୁମତି ଦିଆଯିବ କି ନାହିଁ, ସେ ବିଷୟ ସଂସ୍କୃତ କଲେଜର ଅଧ୍ୟାପକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟିକଲା । ସଂସ୍କୃତ କଲେଜର ଅନ୍ୟତମ ପ୍ରବୀଣ ଅଧ୍ୟାପକ ରାମାଜ୍ଞା ପାଣ୍ଡେ ପ୍ରହ୍ଲାଦବାବୁଙ୍କୁ ସଂସ୍କୃତ କଲେଜରେ ସ୍ଥାନ ଦେବା ନିମନ୍ତେ ଦୃଢ଼ ଯୁକ୍ତି ଉପସ୍ଥାପନ କଲେ ।

 

ଜଗନ୍ନାଥଙ୍କ କରୁଣାରୁ ଓ ପଣ୍ଡିତ ରାମାଜ୍ଞା ପାଣ୍ଡେଙ୍କର ସହାନୁଭୂତିଶୀଳ ପଦକ୍ଷେପ ଯୋଗୁ ପ୍ରହ୍ଲାଦ ଅବଶେଷରେ ସଂସ୍କୃତ କଲେଜରେ ନାମ ଲେଖାଇବା ପାଇଁ ଅନୁମତି ପାଇଲେ । କେବଳ ସେତିକି ନୁହେଁ, ସେହି ମହାମନା ପଣ୍ଡିତ ପାଣ୍ଡେ ତାଙ୍କୁ ଅଧ୍ୟାପନା କରାଇବାର ଦାୟିତ୍ୱ ନିଜେ ଗ୍ରହଣ କଲେ । ପଣ୍ଡିତ ରାମାଜ୍ଞା ପାଣ୍ଡେ ଜାତିରେ ବ୍ରାହ୍ମଣ ଥିଲେ ମଧ୍ୟ ଅବ୍ରାହ୍ମଣମାନଙ୍କୁ ସଂସ୍କୃତ ଶିକ୍ଷା ଦାନ ସପକ୍ଷରେ ଦୃଢ଼ ପଦକ୍ଷେପ ନେଇଥିଲେ ।

 

ଗୁରୁ ଦକ୍ଷିଣା

 

ପୁରୀ ସଂସ୍କୃତ କଲେଜରେ ନାମ ଲେଖାଇବା ପରେ ଛାତ୍ର ପ୍ରହ୍ଲାଦଙ୍କ ଇଚ୍ଛା ପୂରଣ ହେଲା । ସେ ଏଥର ସନ୍ତୋଷ ମନରେ ପଢ଼ାଶୁଣା ଦିଗରେ ଧ୍ୟାନ ଦେଲେ । କହିବା ବାହୁଲ୍ୟ, ପଣ୍ଡିତ ରାମାଜ୍ଞା ପାଣ୍ଡେହିଁ ପ୍ରହ୍ଲାଦବାବୁଙ୍କ ପୁରୀ ରହଣି କାଳର ଶିକ୍ଷକ ଓ ଅଭିଭାବକ ଏହି ଉଭୟ ଦାୟିତ୍ୱ ନିର୍ବାହ କରୁଥିଲେ ।

 

ଛାତ୍ର ପ୍ରହ୍ଲାଦ ତାଙ୍କ ଅଧ୍ୟୟନ ତଥା ବ୍ୟବହାରରେ ଶିକ୍ଷକ ଓ ଛାତ୍ର ଉଭୟକୂଳର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଛାତ୍ର ପ୍ରହ୍ଲାଦଙ୍କ ଅମାୟିକ ବ୍ୟବହାର ଓ ସରଳ ଜୀବନ ଯାପନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୧୯୩୩ ମସିହାରେ ସେ ପୁରୀ ସଂସ୍କୃତ କଲେଜରୁ ଆଚାର୍ଯ୍ୟ ପରୀକ୍ଷାରେ ପାଶ୍‌କଲେ ।

 

କଲେଜରେ ଶିକ୍ଷା ସମାପ୍ତି ପରେ ଏହି ରାମାଜ୍ଞା ପାଣ୍ଡେ ସର୍ବାପେକ୍ଷା ଅଧିକ ଆନନ୍ଦ ପ୍ରକାଶ କରିଥିଲେ । ସେ କୃତୀଛାତ୍ର ପ୍ରହ୍ଲାଦ ବାବୁଙ୍କୁ ପାଖକୁ ଡାକି ହସି ହସି କହିଲେ, ‘‘ତୁମର ଶିକ୍ଷା ସମାପ୍ତ ହେଲା । ନିୟମ ଅନୁଯାୟୀ ତୁମକୁ ଗୁରୁଦକ୍ଷିଣା ଦେଇ ଏଠାରୁ ବିଦାୟ ନେବାକୁ ହେବ । କୁହ ପ୍ରହ୍ଲାଦ ! ମୋତେ କି ଦକ୍ଷିଣା ଦେବ ?’’

 

ନମସ୍ୟ ଅଧ୍ୟାପକ ପାଣ୍ଡେଙ୍କ ମୁହଁରୁ ଏପରି କଥା ଶୁଣି ପ୍ରହ୍ଲାଦ ବାବୁ ଆଶ୍ଚର୍ଯ୍ୟ-ଆଖିରେ ତାଙ୍କୁ ଚାହିଁ ରହିଲେ ଓ ମନକୁ ମନ ଭାବୁଥିଲେ, ଏପରି ଗୁରୁଙ୍କୁ ମୁଁ ବା’ କି ଦକ୍ଷିଣା ଦେଇପାରିବି ? ମୋ ପାଖରେ କଣ ଅଛି ଯେ, ତାଙ୍କୁ ଦକ୍ଷିଣାଦେଇ ସନ୍ତୁଷ୍ଟ କରିପାରିବି !

 

ପ୍ରବୀଣ ଅଧ୍ୟାପକ ପାଣ୍ଡେ କୃତୀଛାତ୍ର ପ୍ରହ୍ଲାଦଙ୍କ ଆଖିରେ ସେହି ବିସ୍ମୟଭରା ଚାହାଣୀ ଦେଖି ତାଙ୍କର ମନର କଥା ବୁଝିଗଲେ । ସେ ଆହୁରି ହସିଲେ ଓ ପ୍ରହ୍ଲାଦଙ୍କ ହାତଧରି କହିଲେ, ‘‘ଦେଖ ପ୍ରହ୍ଲାଦ ! ତୁମକୁ ଅବଶ୍ୟ ଗୁରୁ-ଦକ୍ଷିଣା ଦେବାକୁ ପଡ଼ିବ । ନହେଲେ ମୁଁ ସନ୍ତୁଷ୍ଟ ହେବିନାହିଁ-। ଆଉ ଜାଣ ସେ ଦକ୍ଷିଣାଟା କଣ ?’’

 

ପ୍ରହ୍ଲାଦଙ୍କ ମନ ରହସ୍ୟରେ ଛନ୍ଦୁରି ହୋଇ ଯାଉଥାଏ । ସେ ଯେ ଶିକ୍ଷକ ରାମାଜ୍ଞା ପାଣ୍ଡେଙ୍କ ପାଖରେ ବହୁ ଭାବରେ ଋଣୀ । ତାଙ୍କ ସାହାଯ୍ୟ ପାଇ ନଥିଲେ, ସେ କଣ ଆଚାର୍ଯ୍ୟ ପଢ଼ିପାରିଥାନ୍ତେ ନାଁ ପାଶ୍ କରିପାରିଥାନ୍ତେ ? ସେ କେବଳ ତାଙ୍କର ଶିକ୍ଷକ ନୁହନ୍ତି, ଉପଦେଷ୍ଟା, ଅଭିଭାବକ ସବୁକିଛି । ପୁରୀ ରହଣି କାଳ ମଧ୍ୟରେ ସେ ତାଙ୍କୁ ସାହସ, ଧୈର୍ଯ୍ୟ, ସାନ୍ତ୍ୱନା, ଉପଦେଶ, ବିଦ୍ୟା ପ୍ରଭୃତି ଅନେକ କିଛି ଦାନ କରିଛନ୍ତି । ଦିନେ କେବେହେଲେ କିଛି ମାଗି ନାହାନ୍ତି-

 

ଛାତ୍ର ପ୍ରହ୍ଲାଦଙ୍କର ମନେ ହେଉଥିଲା, ଶିକ୍ଷକ ପାଣ୍ଡେଙ୍କ ପାଦତଳେ ମଥା କଚାଡ଼ି କାନ୍ଦିବାକୁ । ଅଶ୍ରୁ ଦକ୍ଷିଣାଦେଇ ତାଙ୍କର ମନ ତୋଷ କରିବାକୁ ।

 

ଠିକ୍ ଏତିକିବେଳେ ମହାମାନ୍ୟ ପଣ୍ଡିତ ପାଣ୍ଡେ ପ୍ରହ୍ଲାଦଙ୍କୁ କହିଲେ, ‘ମୋର ଗୁରୁଦକ୍ଷିଣା ହେଲା, ତୁମେ ଅବଶ୍ୟ ଏମ୍.ଏ. ପଢ଼ି ପାଶ୍‍ କରିବାକୁ ପଡ଼ିବ । ତାହାହିଁ ମୋର ଗୁରୁଦକ୍ଷିଣା । ତା ନହେବା ପର୍ଯ୍ୟନ୍ତ ତୁମେ ତୁମର ଗୁରୁଦକ୍ଷିଣା ଦେଇନାହଁ ବୋଲି ଭାବିବ ।’

 

ରାମାଜ୍ଞା ପାଣ୍ଡେଙ୍କ କଥା ଶୁଣି ସେଦିନର ଛାତ୍ର ପ୍ରହ୍ଲାଦଙ୍କ ଶରୀର ରୋମାଞ୍ଚିତ ହେଲା । ସେ ଭାବିପାରିଲେ ନାହିଁ, ପାଣ୍ଡେ ମହାଶୟ ମନୁଷ୍ୟ କି ଦେବତା !

 

ତେବେ ଏହି ପାଣ୍ଡେ ଯେ ଛାତ୍ର ପ୍ରହ୍ଲାଦଙ୍କପାଇଁ ଜଣେ ମଙ୍ଗଳପ୍ରଦ ଦେବଦୂତ ଥିଲେ, ସେକଥା ଏବେ ମଧ୍ୟ ପ୍ରଫେସର ପ୍ରଧାନ ଗଦ୍‌ଗଦ କଣ୍ଠରେ ପ୍ରକାଶ କରନ୍ତି । କହନ୍ତି, ‘‘ତାଙ୍କରି ସ୍ନେହ, ତାଙ୍କରି ଶୁଭେଚ୍ଛା ଫଳରେ ମୁଁ ଜୀବନରେ ଏଇ ସ୍ଥାନକୁ ଆସିଛି । ତାଙ୍କର ଗୁରୁଦକ୍ଷିଣା ବିଷୟ ଶୁଣିବାପରେ ସଙ୍ଗେ ସଙ୍ଗେ ପ୍ରତିଜ୍ଞା କଲି, ଜୀବନରେ ନିଶ୍ଚୟ ଏମ୍.ଏ. ପାଶ୍ କରି ଗୁରୁ ଆଜ୍ଞା ପାଳନ କରିବି । ସେ ପ୍ରତିଜ୍ଞା ମଧ୍ୟ ପୂରଣ କରିଛି । ସଂସ୍କୃତ ଓ ଓଡ଼ିଆରେ ଏମ୍.ଏ. ପରୀକ୍ଷା ଦେଇ ପାଶ୍ କରିଛି । ଗୁରୁଦକ୍ଷିଣା ନୁହେଁ, ଗୁରୁ ଆର୍ଶୀବାଦ ଫଳରେ ଉତ୍କଳ ୟୁନିଭର୍‌ସିଟିର ସଂସ୍କୃତ ବିଭାଗର ପ୍ରଫେସର ଥିଲି । ଏବେ ସରକାରୀ ସଂସ୍ଥା Orissa Association of Sanskrit Learning Cultureର ସଭାପତି ଭାବରେ ଓଡ଼ିଶାରେ ସଂସ୍କୃତ ଶିକ୍ଷାର ପ୍ରସାର ଓ ପ୍ରଚାର ଉଦ୍ଦେଶ୍ୟରେ ଯଥାସାଧ୍ୟ ଚେଷ୍ଟା କରୁଛି । ଗୁରୁଦେବଙ୍କ କଥା ଭୁଲିନାହିଁ ।’’

 

ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଗୁରୁଦେବ ରାମାଜ୍ଞା ପାଣ୍ଡେଙ୍କର ମନ ଓ ବିବେକ ନେଇ ଯଦି ଆଜିର ଶିକ୍ଷକ ସମାଜ କାର୍ଯ୍ୟ କରନ୍ତେ, ତାହାହେଲେ ଶିକ୍ଷା ଓ ଶିକ୍ଷାୟତନ ପ୍ରକୃତରେ ଆଦର୍ଶ ହୋଇ ପାରନ୍ତା ।

 

ପାଟନା ଯାତ୍ରା

 

ପୁରୀ ସଂସ୍କୃତ କଲେଜରୁ ଆଚାର୍ଯ୍ୟ ପଢ଼ିସାରିବା ପରେ ଛାତ୍ର ପ୍ରହ୍ଲାଦ ମନ ଆନନ୍ଦରେ ନିଜ ଗାଁକୁ ଫେରିଆସିଲେ । ସେତେବଳେ ସେ ତେଇଶବର୍ଷ ବୟସର ଯୁବକ । ଘରେ ବସି କରିବେ କଣ ? ମାଟ୍ରିକ ପରୀକ୍ଷାଦେବେ ବୋଲି ସ୍ଥିର କରି ସେ ବରଗଡ଼ ଜର୍ଜ ହାଇସ୍କୁଲ ଯାଇ ନାଁ ଲେଖାଇଲେ । ସେଇଠି ମାତ୍ର ଏକବର୍ଷ ଅଧ୍ୟୟନ କରିବା ପରେ ତାଙ୍କୁ ମାଟ୍ରିକ୍ ପରୀକ୍ଷା ଦେବାର ସୁଯୋଗ ମିଳିଲା । ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ୱଲପୁର ଜିଲ୍ଲାର ମାଟ୍ରିକ ପରୀକ୍ଷା ନିୟନ୍ତ୍ରିତ ହେଉଥାଏ । ମାତ୍ର ଏକବର୍ଷ ଅଧ୍ୟୟନ କରିବାର ସୁଯୋଗ ପାଇ ସେ ମାଟ୍ରିକ ପରୀକ୍ଷା ଦେଲେ ଓ ସମଗ୍ର ସମ୍ୱଲପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ପାଶ୍ କଲେ ।

ଏହି ପରୀକ୍ଷା ଫଳ ଅଧିକ ଶିକ୍ଷାଲାଭ ପାଇଁ ତାଙ୍କୁ ଓ ତାଙ୍କର ପରିବାରବର୍ଗଙ୍କୁ ଉତ୍ସାହିତ କଲା । ସେତେବଳେ ଓଡ଼ିଶାରେ ତାଙ୍କ ପାଇଁ ସୁବିଧାଜନକ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିବାରୁ ସେ ପାଟନା ଯାତ୍ରା କରିବାକୁ ବାଧ୍ୟ ହେଲେ ଓ ସେହି ପାଟନାରେ ଆଇ.ଏ, ବି. ଏ. ଓ ଏମ୍. ଏ, ପଢ଼ି ସଫଳତା ହାସଲ କଲେ । ଏଥିପାଇଁ ତାଙ୍କୁ ପାଟନାରେ ଛ’ବର୍ଷକାଳ ରହିବାକୁ ପଡ଼ିଲା । ଏହି ସମୟରେ ସେ ସଂସ୍କୃତ ଓ ହିନ୍ଦୀ ଅଧ୍ୟୟନରେ ମନୋନିବେଶ କରିଥିବା ଜଣାଯାଏ । ପାଟନାରେ ଥିଲାବେଳେ ସେ ଓଡ଼ିଆରେ ମଧ୍ୟ ଏମ୍.ଏ. ପରୀକ୍ଷା ଦେଇ କୃତିତ୍ୱ ହାସଲ କରିଥିଲେ ।

ଶାନ୍ତିନିକେତନ ଯାତ୍ରା

ପାଟନାରୁ ଓଡ଼ିଶାକୁ ଫେରି ଆସିବା ପରେ ସେ ବିଶ୍ୱନାଥ ଦାଶଙ୍କ ଗବେଷଣାବୃତ୍ତି ଲାଭକରି ବୌଦ୍ଧଧର୍ମ ଓ ପାଲି ଉପରେ ବିଶେଷ ଜ୍ଞାନ ହାସଲ ନିମନ୍ତେ ଶାନ୍ତିନିକେତନ ଯାତ୍ରା କଲେ । ଏହି ବୃତ୍ତିର ପରିମାଣ ଥିଲା ପଚାଶଟଙ୍କା । ପ୍ରଫେସର ପ୍ରଧାନ ଶାନ୍ତିନିକେତନରେ ଦୁଇବର୍ଷ ଅବସ୍ଥାନ ଭିତରେ ବୌଦ୍ଧଧର୍ମ ଓ ପାଲି ଉପରେ ବିଶେଷ ଜ୍ଞାନ ହାସଲ କରିଥିଲେ । ଦୁଇବର୍ଷ ପରେ ଗବେଷଣା ବୃତ୍ତି ବନ୍ଦ ହୋଇଯିବାରୁ ପ୍ରଫେସର ପ୍ରଧାନଙ୍କୁ ଓଡ଼ିଶା ଫେରି ଆସିବାକୁ ପଡ଼ିଲା ।

ବାରିପଦାରେ ଶିକ୍ଷକତା

ଶାନ୍ତିନିକେତନରୁ ଫେରି ଆସିଛନ୍ତି, ଏହି ସମୟରେ ବାରିପଦାରେ ଶିକ୍ଷକତା କରିବାପାଇଁ ତାଙ୍କୁ ଡାକରା ଆସିଲା । ସଙ୍ଗେ ସଙ୍ଗେ ପ୍ରଫେସର ପ୍ରଧାନ ବାରିପଦା ଯାତ୍ରାକଲେ ଓ ଶିକ୍ଷକ ଜୀବନକୁ ଆଦରି ନେଲେ ବାରିପଦାରେ ତାଙ୍କୁ ପ୍ରାୟ ବର୍ଷେକାଳ କଟାଇବାକୁ ପଡ଼ିଥିଲା ।

ଠିକ୍ ଏହି ସମୟରେ କଟକ ରେଭେନ୍‌ସା କଲେଜରେ ସଂସ୍କୃତ ଅଧ୍ୟାପକ ପଦ ଖାଲି ପଡ଼ିଲା । ସେତେବେଳେ ଓଡ଼ିଶାର ଶିକ୍ଷା ନିର୍ଦ୍ଦେଶକ ଥାନ୍ତି ଶ୍ରୀଯୁକ୍ତ ଶ୍ୟାମଚରଣ ତ୍ରିପାଠୀ । ସେ ପ୍ରଫେସର ପ୍ରଧାନଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଶୁଣି ତାଙ୍କୁ ସଙ୍ଗେ ସଙ୍ଗେ ରେଭେନ୍‌ସା କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେବାକୁ ପରାମର୍ଶ ଦେଲେ ।

କଟକ ଓ ସମ୍ୱଲପୁର

ବାରିପଦାରେ ବର୍ଷଟିଏ ନ ପୁରୁଣୁ ସେ ବାରିପଦାର ଶିକ୍ଷକତା ଜୀବନରେ ଜଳାଞ୍ଜଳି ଦେଇ କଟକ ଆସିଲେ ଓ ରେଭେନ୍‌ସା କଲେଜରେ ସଂସ୍କୃତ ଓ ଓଡ଼ିଆ ଅଧ୍ୟାପକ ଭାବରେ ଯୋଗଦେଲେ । ସେତେବେଳେ ସଂସ୍କୃତରେ ଏମ୍.ଏ. ପାଶ୍ କରିଥିବା ଅଧ୍ୟାପକ ଓଡ଼ିଆ ପଢ଼ାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ପ୍ରଫେସର ପ୍ରଧାନ ଓଡ଼ିଆ ଓ ସଂସ୍କୃତ ଉଭୟ ଭାଷାରେ ଏମ୍.ଏ. ପାଶ୍ କରିଥିଲେ । ତେଣୁ ଉଭୟ ଭାଷା ପଢ଼ାଇବାରେ ତାଙ୍କର କୌଣସି ଅସୁବିଧା ଘଟିଲା ନାହିଁ । କିଛିଦିନ ରେଭନ୍‌ସା କଲେଜରେ ଅଧ୍ୟାପନା କରିବାପରେ, ନୂତନ ଭାବରେ ପ୍ରତିଷ୍ଠିତ ଗଙ୍ଗାଧର ମେହେର କଲେଜ, ସମ୍ୱଲପୁରରେ ଅଧ୍ୟାପକ ଭାବରେ ଶ୍ରୀଯୁକ୍ତ ପ୍ରଧାନ ଯୋଗଦେଲେ-। ଏହା ୧୯୪୩-୪୪ ମସିହାର କଥା ।

ପୁନର୍ବାର ଶାନ୍ତିନିକେତନ

ପ୍ରଫେସର ପ୍ରଧାନ ସମ୍ୱଲପୁର କଲେଜରେ ଅଧ୍ୟାପକ ଥିବାବେଳେ ତାଙ୍କୁ ଚୀନ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫେଲୋସିପ୍ ମିଳିଲା । ଏହି ଫେଲୋସିପ୍ ପାଇ ସେ ପୁନର୍ବାର ସମ୍ୱଲପୁରରୁ ଶାନ୍ତିନିକେତନ ଯାତ୍ରା କଲେ ।

ଶାନ୍ତିନିକେତନରେ ପ୍ରଥମ ରହଣିକାଳ ମଧ୍ୟରେ ଶ୍ରୀ ପ୍ରଧାନ ପାଲି ଓ ଚାଇନିଜ ଭାଷା ଶିକ୍ଷାକରି ସାରିଥିଲେ । ଏଥର ଶାନ୍ତିନିକେତନରେ ସେ ପ୍ରଥମ କରି ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆରମ୍ଭ କଲେ । ଏହି ସମୟରେ ତାଙ୍କର ବହୁମୂଲ୍ୟ ହିନ୍ଦୀ ସନ୍ଦର୍ଭ ମାନ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶ ପାଇବାକୁ ଲାଗିଲା ଓ ହିନ୍ଦୀ ସାହିତ୍ୟରେ ସେ ଜଣେ ପ୍ରତିଷ୍ଠିତ ଲେଖକ ଭାବରେ ଗଣ୍ୟ ହେଲେ ।

 

ଚୀନ୍‌ଯାତ୍ରା

 

୧୯୪୯ ମସିହାରେ ପ୍ରଫେସର ପ୍ରଧାନଙ୍କ ଚୀନ୍‌ ଯାତ୍ରା ତାଙ୍କ ଜୀବନର ଏକ ଉଲ୍ଲେଖନୀୟ ଘଟଣା । ସେ ହିନ୍ଦୀ ଓ ସଂସ୍କୃତ ଅଧ୍ୟାପକ ରୂପେ ଭାରତ ସରକାରଙ୍କ ସୁପାରିଶକ୍ରମେ ଚୀନ ସରକାରଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ଚୀନ ଯାତ୍ରା କରିଥିଲେ ।

 

ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ଯେ, ସେ ସମୟରେ ଭାରତ ସଙ୍ଗେ ଚୀନ ଦେଶର ଉତ୍ତମ ସମ୍ପର୍କ ସ୍ଥାପିତ ହୋଇଥିଲା ।

 

ଚୀନ ଦେଶରେ ପ୍ରଫେସର ପ୍ରଧାନ ତିନିବର୍ଷ ଛଅମାସ କାଳ ଅତିବାହିତ କରିଥିଲେ ଓ ୧୯୫୨ ମସିହାରେ ଭାରତକୁ ଫେରି ଆସିଲେ । ଚୀନ ଅବସ୍ଥାନ କାଳରେ ପ୍ରଫେସର ପ୍ରଧାନ ଚୀନ ଭାଷା ଓ ସାହିତ୍ୟ ଅଧ୍ୟୟନ କରି ତହିଁରେ ପାରଦର୍ଶିତା ହାସଲ କରିପାରିଥିଲେ । ଚୀନ ଦେଶରେ ରହି ସେ ଚୀନା ଭାଷାରେ ବିଭିନ୍ନ ସନ୍ଦର୍ଭ ଲେଖି ପ୍ରକାଶ କରାଇବାରେ ସକ୍ଷମ ହୋଇଥିଲେ । ବୌଦ୍ଧଧର୍ମ ଉପରେ ଚୀନ ଭାଷାରେ ରଚିତ ତାଙ୍କର ସନ୍ଦର୍ଭମାନ ଶିକ୍ଷାୟତନର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇଥିଲା ।

 

ଚୀନ ଅବସ୍ଥାନକାଳୀନ ଘଟଣାବଳୀ

 

ପ୍ରଫେସର ପ୍ରଧାନ ୧୯୪୯ ମସିହାରେ ଚୀନଯାତ୍ରା କରିଥିଲେ । ସେତେବେଳେ ଚୀନର ରାଜଧାନୀ ଥିଲା ନାନକିଂ ସହର । ସେ ଚୀନରେ ପହୁଞ୍ଚିବାପରେ ତାଙ୍କୁ ରାଜଧାନୀ ନାନକିଂ ସହରରେ ରଖାଇବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ସେ ନିର୍ଦ୍ଦିଷ୍ଟ ବାସଗୃହରେ ଅବସ୍ଥାନ କଲେ ।

 

ସେହି ସମୟରେ ଚୀନ ଦେଶରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । ତତ୍‌କାଳୀନ ଚ୍ୟାଂକାଇସେକଙ୍କ ପ୍ରତିଷ୍ଠିତ ଜାତୀୟବାଦୀ ସରକାର ଅଧୁନା ପ୍ରତିଷ୍ଠିତ କମ୍ୟୁନିଷ୍ଟ ସେନାବାହିନୀ ଦ୍ୱାରା ବିତାଡ଼ିତ ହେଲେ । ଏହି ଐତିହାସିକ ସଂଘର୍ଷବେଳେ ପ୍ରଫେସର ପ୍ରଧାନ ନାନକିଂ ସହରର ବାସିନ୍ଦା ଭାବରେ ରହି ଏସବୁ ନୀରବରେ ଲକ୍ଷ୍ୟ କରୁଥିଲେ । ସହରର ଅନେକ କ୍ଷତି ଘଟିଲା । ଜନଜୀବନର ସୁଖମୟ ଜୀବନଯାତ୍ରା କିଛିଦିନ ପାଇଁ ବ୍ୟାହତ ହେଲା । ସମସ୍ତ ସହରବାସୀ ଉଦ୍‌ବେଗରେ କାଳ କାଟୁଥାନ୍ତି । ସୌଭାଗ୍ୟକୁ ପ୍ରଫେସର ପ୍ରଧାନଙ୍କର କୌଣସି କ୍ଷତି ଘଟିନଥିଲା ଓ ସେ ନିରାପଦରେ ଥିଲେ ।

 

ଏହାପରେ କମ୍ୟୁନିଷ୍ଟ ସରକାର ପ୍ରତିଷ୍ଠିତ ହେଲା । ନୂତନ ପ୍ରତିଷ୍ଠିତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ନାନକିଂ ପରିତ୍ୟାଗ କରି ‘ପେଇକିମ୍’ (ପେକିଙ୍ଗ)ଯାତ୍ରା କରିଥିଲେ ଓ ସେଇଠି ରହିଲେ ।

 

ପ୍ରଫେସର ପ୍ରଧାନ ଚୀନ ଦେଶରେ ସଂସ୍କୃତ ଓ ହିନ୍ଦୀ ଅଧ୍ୟାପକ ଥିଲେ । ଏତଦ୍ ବ୍ୟତୀତ ବୌଦ୍ଧଧର୍ମର ‘ବସୁବନ୍ଧୁ’ ବିରଚିତ ‘ଅଭିଧର୍ମ କୋଷ ଭାଷ୍ୟ’ର ଚୀନା ଅନୁବାଦ ଓ ପାଠୋଦ୍ଧାର କରୁଥିଲେ । ଅନୁବାଦ ପାଠ କରାଉଥିଲେ ବୌଦ୍ଧଭିକ୍ଷୁ ‘ଚୁଂରନ’ ।

 

ଚୀନ ରହଣିକାଳର ସ୍ମୃତିଚାରଣ କରି ପ୍ରଫେସର ପ୍ରଧାନ କହନ୍ତି—ଚୀନରେ ତାଙ୍କର କୌଣସି ଅସୁବିଧା ଘଟି ନଥିଲା । ଚୀନ ଦେଶର ବିଭିନ୍ନ ସ୍ଥାନ ବୁଲି ସେ ଦେଖିଛନ୍ତି ଓ ସଭାସମିତି ତଥା ଆଲୋଚନାଚକ୍ରମାନଙ୍କରେ ଅଂଶ ଗ୍ରହଣ କରିଛନ୍ତି । ଚୀନ ଭାଷା ଶିକ୍ଷା କରିବା ପରେ ତାଙ୍କର ସବୁକିଛି ସୁବିଧା ହୋଇଯାଇଥିଲା । ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଚୀନ ଦେଶର ଲୋକ ବୋଲି ଭାବୁଥିଲେ ଓ ଚୀନା ଭାଷାରେ କଥାବାର୍ତ୍ତା କରୁଥିଲେ ।

 

ବୌଦ୍ଧଭିକ୍ଷୁ ‘ଚିଂରନ’ ଙ୍କ ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଧାନ କହନ୍ତି—ସେ ଜଣେ ଜ୍ଞାନୀ ବ୍ୟକ୍ତି ଥିଲେ । ବୌଦ୍ଧଧର୍ମ ଓ ସାହିତ୍ୟ ସମ୍ପର୍କରେ ତାଙ୍କର ଅଗାଧ ଜ୍ଞାନ ଥିଲା । ଏତଦ୍‌ବ୍ୟତୀତ ସେ ଜଣେ ଅମାୟିକ ଭଦ୍ରବ୍ୟକ୍ତି ଥିଲେ ।

 

୧୯୫୨ ମସିହାରେ ପ୍ରଫେସର ପ୍ରଧାନ ଭାରତ ପ୍ରତ୍ୟାବର୍ତ୍ତନ କଲେ । ଏହାପରେ ସେ ରେଭେନ୍‌ସା କଲେଜରେ ଯୋଗଦେଲେ ଓ ସେଇଠୁ ଶାନ୍ତିନିକେତନ, ବାଲେଶ୍ୱର ଓ ସମ୍ୱଲପୁର ଶିକ୍ଷାୟତନମାନଙ୍କରେ ଉଲ୍ଲେଖଯୋଗ୍ୟ କର୍ତ୍ତବ୍ୟ ସଂପାଦନ କରିବା ପରେ, ପରିଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଭାଗରେ ପ୍ରଫେସର ହୋଇ ରହିଲେ । ଏହି ପ୍ରଫେସର ପଦରେ ୧୯୫୮ ମସିହାରେ ଯୋଗଦେଇ ୧୯୭୦ ମସିହାରେ ସେ ଅବସର ଗ୍ରହଣ କରିଛନ୍ତି ।

 

ଏବେ ସେ ଭୁବନେଶ୍ୱରଠାରେ ନିଜ ବାସଗୃହରେ ଅବସ୍ଥାନ କରୁଛନ୍ତି ।

 

ସେ ସରକାରୀ କର୍ମରୁ ଅବସର ଗ୍ରହଣ କରିବାପରେ ଏବେ ମଧ୍ୟ ଏକ କର୍ମବହୁଳ ଜୀବନଯାପନ କରୁଛନ୍ତି । କିଛିବର୍ଷ ପାଇଁ ସେ ୟୁ. ଜି. ସି. ପ୍ରଫେସର ଭାବରେ ରେଭେନ୍‌ସା କଲେଜର ସଂସ୍କୃତ ବିଭାଗରେ ଶିକ୍ଷାଦାନ କରୁଥିଲେ । ଏବେ ସେ ଶିକ୍ଷା ବିଭାଗ କର୍ତ୍ତୃକ ପ୍ରତିଷ୍ଠିତ ସଂସ୍କୃତ-ଭାଷାଶିକ୍ଷା ଅନୁଷ୍ଠାନର ସଭାପତି । ପୁଣି ଭିଜିଟିଂ ପ୍ରଫେସର ଭାବରେ ସେ ବର୍ତ୍ତମାନ ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଅଛନ୍ତି ।

 

।। ଦୁଇ ।।

ପ୍ରଫେସର ପ୍ରଧାନଙ୍କ ରଚନାବଳୀ

 

ଓଡ଼ିଆ

 

ପାଲିଧମ୍ମପଦ : ଏହା ପାଲିଭାଷାରେ ରଚିତ ବୌଦ୍ଧଧର୍ମର ଏକ ବିଶିଷ୍ଟ ଗ୍ରନ୍ଥ । ଏହାକୁ ପାଲିରୁ ସଂସ୍କୃତ ଓ ଓଡ଼ିଆଭାଷାରେ ଅନୁବାଦ କରି ପ୍ରଫେସର ପ୍ରଧାନ ଏକ ମହାନ କର୍ତ୍ତବ୍ୟ ସଂପାଦନ କରିଅଛନ୍ତି ।

 

‘ପାଲି ଧର୍ମ୍ମପଦ’କୁ ବୌଦ୍ଧଧର୍ମର ଗୀତା କୁହାଯାଇଥାଏ । ଏଥିରେ ବୌଦ୍ଧଧର୍ମର ସାରନୀତିବାଣୀ ସବୁ ଉଲ୍ଲେଖ କରାଯାଇଛି ।

 

ଏ ପୁସ୍ତକ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗର ଆର୍ଥିକ ସାହାଯ୍ୟ ଲାଭ କରିଛି ଓ କଟକର ସୁପ୍ରତିଷ୍ଠିତ ପୁସ୍ତକ ପ୍ରତିଷ୍ଠାନ ‘ଫ୍ରେଣ୍ଡସ୍‌ ପବ୍ଲିଶର୍ସ’ ଏହାକୁ ପ୍ରକାଶ କରିଛନ୍ତି ।

 

‘ପାଲିଧମ୍ମପଦ’ ଓ ପାଲିଭାଷାର କେତୋଟି ସମସ୍ୟା :

 

ଏହା ୧୯୫୩-୫୪ ରେ ପ୍ରକାଶ ପାଇଥିଲା ଓ ଏମ୍. ଏ. ପରୀକ୍ଷାର୍ଥୀମାନଙ୍କପାଇଁ ପାଠ୍ୟପୁସ୍ତକ ରୂପେ ଅନୁମୋଦନ ଲାଭ କରିଥିଲା । ଏଥିରେ ପାଲିଭାଷା ସମ୍ପର୍କରେ ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ମୌଳିକ ଆଭିମୁଖ୍ୟ ପ୍ରକାଶ ପାଇଛି । ପାଲିଧମ୍ମପଦ ଓ ପାଲିଭାଷା ଅନୁରାଗୀମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ପୁସ୍ତକରୂପେ ବିବେଚିତ ।

 

ସାହିତ୍ୟାୟନ : ୧୯୫୮ ମସିହାରେ ପ୍ରକାଶିତ । ଏଥିରେ ‘ରୁଦ୍ର-ବଳଭଦ୍ର’ ପରି କେତୋଟି ଉକ୍ତଷ୍ଟ ଉପାଦେୟ ପ୍ରବନ୍ଧ ପ୍ରକାଶ ପାଇଛି । ଗବେଷକମାନଙ୍କ ପାଇଁ ଏହା ଏକ ଅବଶ୍ୟ ସଂଗ୍ରହଣୀୟ ପୁସ୍ତକ ।

 

ଏତଦ୍‌ ବ୍ୟତୀତ ସେ ଓଡ଼ିଆ ପତ୍ରପତ୍ରିକାରେ ରୀତିମତ ଲେଖାଲେଖି କରିଥାନ୍ତି । ତାଙ୍କର ମୌଳିକ ଲେଖାମାନ ଛାତ୍ର, ଶିକ୍ଷକ, ଗବେଷକ ତଥା ସାଧାରଣ ପାଠକ ପାଠିକାମାନଙ୍କପାଇଁ ଅନ୍ୟତମ ଆକର୍ଷଣ ରୂପେ ବିବେଚିତ ହୋଇଥାଏ । ଏହିପରି କେତୋଟି ପ୍ରକାଶିତ ଉପାଦେୟ ପ୍ରବନ୍ଧର ନମୁନା ଦିଆଗଲା—

 

‘ରୁଦ୍ର ସୁଧାନିଧି ଉପରେ ଗବେଷଣାତ୍ମକ ଆଲୋଚନା’ ।

 

ଏହା ସୁପ୍ରତିଷ୍ଠିତ ‘ଡଗର’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଉଛି । ‘ରୁଦ୍ର ସୁଧାନିଧି’ର ଲେଖକ ‘ନାରାୟଣ ପ୍ରକାଶ ପାଉଛି । ‘ରୁଦ୍ର ସୁଧାନିଧି’ର ଲେଖକ ‘ନାରାୟଣଅବଧୂତ’ ନାଁ ‘ନାରାୟଣ ଦାସ’, ପୁଣି ସେ ‘ଶୈବ’ ନାଁ ବୈଷ୍ଣବ ଇତ୍ୟାଦି କେତୋଟି ମୌଳିକ ପ୍ରଶ୍ନର ଅବତାରଣା କରି ସେ ଓଡ଼ିଆ ସାହିତ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ।

 

*

ଦୁଂ ଦୁର୍ଗେ ଦୁର୍ଗା (ପୌରୁଷରେ ପ୍ରକାଶିତ)

*

ମିତ୍ରତା ଏକ ଅମୂଲ୍ୟ ସମ୍ପଦ

*

ଦୁଇ ସଙ୍ଗାତ (FolkLore)

*

ରଥଯାତ୍ରା

*

ନବନାଥ ଚରିତ୍ର

*

ଉପନିଷଦର ଶାନ୍ତିବଚନ

*

ସା ମାଂ ପାତୁ (ସରସ୍ୱତୀ)

*

ଓଁ ଯୋ ହବୈ ଶ୍ରୀରାମଚନ୍ଦ୍ର

*

ଅକ୍ଷୟ ତୃତୀୟା

*

ଜଗନ୍ନାଥ ସ୍ୱାମୀ

*

ମାସାନାଂ ମାର୍ଗଶୀର୍ଷୋହମଂ

*

ଲୋକ କାହାଣୀ ଓ ଉପନିଷଦ

*

କାଳୀ କରାଳ ବଦନା

*

ବାଲିଯାତ୍ରା

*

ବିଷୁବ ଓ ଗ୍ରୀଷ୍ମଋତୁ...ଇତ୍ୟାଦି

 

ସଂସ୍କୃତ

 

‘‘ଅଭିଧର୍ମ ସମୁଚ୍ଚୟ’’ : ଏହା ଲେଖକ ଅସଂଗଙ୍କଦ୍ୱାରା ରଚିତ ହୋଇଥିଲା । ସଂସ୍କୃତ ଭାଷାରେ ରଚିତ ଏ ଗ୍ରନ୍ଥ ସଂସ୍କୃତ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଗ୍ରନ୍ଥରୂପେ ଗୃହୀତ ହୋଇଥାଏ । ଏହା ଶ୍ରୀ ପ୍ରଧାନଙ୍କ ମୌଳିକ ରଚନା ନ ହେଲେ ମଧ୍ୟ ସେ ଏହାର ସଫଳ ପାଠୋଦ୍ଧାର କରି ବିଶ୍ୱ ସଂସ୍କୃତଭାଷା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଅଛନ୍ତି ।

 

ଏ ଗ୍ରନ୍ଥର ଖଣ୍ଡିତ ପାଣ୍ଡୁ ଲିପି ତିଦ୍ଦତରେ ମିଳିଥିଲା ଓ ସଂସ୍କୃତ ଭାଷାବିଦ୍ ସ୍ୱନାମଧନ୍ୟ ରାହୁଲ ସାଂକୃତ୍ୟାୟନ ଏ ପୋଥି ତିଦ୍ଦତ ଦେଶରୁ ସଂଗ୍ରହ କରି ଆଣିଥିଲେ । ଏ ପୋଥିର ତିଦ୍ଦତ ଓ ଚୀନ ଭାଷାର ଅନୁବାଦ ଥିଲା । କିନ୍ତୁ ମୂଳ ସଂସ୍କୃତ ପୋଥି ଖଣ୍ଡିତ ଭାବରେ ଥିବାରୁ ଅବୋଧ୍ୟ ହୋଇ ପଡ଼ିଥିଲା ।

 

ପ୍ରଫେସର ପ୍ରଧାନ ଏହାର ସଫଳ ପାଠୋଦ୍ଧାର କରିଅଛନ୍ତି । ଏ ଗ୍ରନ୍ଥ ବିଶ୍ୱଭାରତୀ କର୍ତ୍ତୃକ ମୁଦ୍ରିତ ହୋଇଛି । ଚୀନ ! ଜାପାନୀ ଓ ସଂସ୍କୃତ ଭାଷାରେ ଏହି ଗ୍ରନ୍ଥର ଶଦ୍ଦସୂଚୀ ଗ୍ରହଣ କରାଯାଇଛି ।

 

ବହୁ ଅଧ୍ୟାପକ ପ୍ରଫେସର ପ୍ରଧାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଥିବା ‘ଅଭିଧର୍ମ ସମୁଚ୍ଚୟ’ ଉପରେ ଗବେଷଣା କରି ଡକ୍ଟରେଟ୍ ଉପାଧି ହାସଲ କରୁଛନ୍ତି ।

 

ଅଭିଧର୍ମ କୋଷ ଭାଷ୍ୟ : ପ୍ରଫେସର ପ୍ରହ୍ଲାଦ ପ୍ରଧାନ ଏହି ବୌଦ୍ଧଗ୍ରନ୍ଥର ମଧ୍ୟ ସଫଳ ପାଠୋଦ୍ଧାର କରି ଅଛନ୍ତି । ଖାଲି ସେତିକି ନୁହେଁ, ଏ ଗ୍ରନ୍ଥର ବିଶେଷ ଅଧ୍ୟୟନ ପାଇଁ ସେ ଚୀନ ଯାତ୍ରା କରିଥିଲେ ଓ ଚୀନ ଦେଶରେ ରହି ଏକ କାର୍ଯ୍ୟ ସମାପ୍ତ କରିଥିଲେ । ଏହାର ‘Negative’ ତିଦ୍ଦତରୁ ସଂଗ୍ରହ କରାହେଲା ଓ ମୂଳ ଲେଖା ହଜିଯାଇଛି ବୋଲି ଧରା ଯାଉଥିଲା।

 

‘ଅଭିଧର୍ମ ସମୁଚ୍ଚୟ’ ଓ ‘ଅଭିଧର୍ମ କୋଷ ଭାଷ୍ୟ’ ଗ୍ରନ୍ଥଦ୍ୱୟର ଚୀନା-ସଂସ୍କୃତ ସୂଚୀ ବା ଶଦ୍ଦକୋଷ ଜାପାନ ସଂସ୍ଥା ଦ୍ୱାରା କରାଯାଇ ସାରିଛି । ପ୍ରଫେସର ପ୍ରଧାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପାଠୋଦ୍ଧାର କରାଯାଇଥିବା ‘ଅଭିଧର୍ମ କୋଷ ଭାଷ୍ୟ’ କାଶୀପ୍ରସାଦ ଜୟସ୍ୱାଲ ଗବେଷଣା ସଂସ୍ଥା ଦ୍ୱାରା ମୁଦ୍ରିତ ହୋଇଛି ।

 

ଏ ଗ୍ରନ୍ଥ ପ୍ରଫେସର ପ୍ରଧାନଙ୍କୁ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ୱୀକୃତି ଓ ସମ୍ମାନ ଆଣିଦେଇଛି-

 

ଏ ଗ୍ରନ୍ଥର ଇତିହାସରୁ ଜଣାଯାଏ ଯେ, ‘ବସୁବନ୍ଧୁ’ ଅଭିଧର୍ମ କୋଷ କାରିକା ଶ୍ଳୋକ ଲେଖିଥିଲେ । ‘ସଂଘଭଦ୍ର’ ଏହାର ସମାଲୋଚନା କଲେ । ବସୁବନ୍ଧୁ ଉତ୍ତର ଦେବା ପାଇଁ ନିଜେ କାରିକା ଉପରେ ଭାଷ୍ୟ ଲେଖିଲେ ।

 

‘ଯଶୋମିତ୍ର’ ସ୍ଫୁଟାର୍ଥା ଟୀକା ଲେଖିଲେ ।

 

‘କାରିକା’ ଓ ‘ଭାଷ୍ୟ ଟୀକା’ ମିଳିଲେ ମଧ୍ୟ ମୂଳ ଲେଖା କିନ୍ତୁ ମିଳିଲା ନାହିଁ । ଏହି ଭାଷ୍ୟ ଚାଇନିଜ୍‌ରୁ ଫ୍ରେଞ୍ଚ୍ କୁ ଗଲା । ଆଚାର୍ଯ୍ୟ ନରେନ୍ଦ୍ର ଫ୍ରେଞ୍ଚରୁ ହିନ୍ଦୀକୁ ଆଣିଲେ ।

 

ପରେ ପ୍ରଫେସର ପ୍ରଧାନ ଏହାକୁ ସଂପୂର୍ଣ୍ଣ କଲେ ।

 

ଗୁହ୍ୟସିଦ୍ଧି : ବୌଦ୍ଧ ପଦ୍ମସମ୍ଭବଙ୍କ ଦ୍ୱାରା ଲେଖାଯାଇଥିଲା । ଏହା ବଜ୍ରଯାନର ମୂଳଗ୍ରନ୍ଥରୂପେ ଗୃହୀତ ହୋଇଥାଏ । ପ୍ରଫେସର ପ୍ରଧାନ ଏ ଗ୍ରନ୍ଥର ସଫଳ ସଂପାଦନା କରିଛନ୍ତି । ବର୍ତ୍ତମାନ ଏହା ବରୋଦାରେ ଥିବା Oriental Research Institute ଦ୍ୱାରା ଛାପା ହେଉଛି-

 

ଅଭିଧର୍ମ ସମୁଚ୍ଚୟ ଭାଷ୍ୟ :

 

ପ୍ରଫେସର ପ୍ରଧାନ ଏହାର ସଂପାଦନା କରୁଅଛନ୍ତି ।

 

ହିନ୍ଦୀ

 

ହିନ୍ଦୀ ଭାଷାରେ ପ୍ରକାଶିତ ‘କବିଶ୍ରୀମାଳା’ରେ ସେ ଓଡ଼ିଶାର ସ୍ୱାଭାବକବି ଗଙ୍ଗାଧର ମେହେରଙ୍କ ଉପରେ ପୁସ୍ତକ ରଚନା କରିଅଛନ୍ତି । ଏ ପୁସ୍ତକ ‘ଗଙ୍ଗାଧର ମେହେର’ ନାମରେ ପ୍ରକାଶିତ ।

 

।। ତିନି ।।

ଅନ୍ୟାନ୍ୟ କୃତି

 

ପ୍ରଫେସର ପ୍ରଧାନ ହିନ୍ଦୀ, ଓଡ଼ିଆ ଓ ସଂସ୍କୃତ ଭାଷାରେ ଜଣେ ଅସାଧାରଣ ପଣ୍ଡିତ । ହିନ୍ଦୀ ସାହିତ୍ୟ ଜଗତରେ ଜଣେ ଖ୍ୟାତନାମା ଲେଖକ ଓ ପ୍ରାବନ୍ଧିକ ଭାବରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି । ପ୍ରଫେସର ପ୍ରଧାନ ପାଟନା ସହରରେ ଆଇ.ଏ, ବି.ଏ. ଓ ଏମ.ଏ. ପାଶ୍ କରିଥିଲେ । ବି.ଏ. ଅନର୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରି ସେ ପାଟନା ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣପଦକ ହାସଲ କରିବାରେ ସମର୍ଥ ହୋଇଥିଲେ । ସେହିପରି ସଂସ୍କୃତ ଏମ.ଏ. ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଏଭଳି ସଫଳତା ହାସଲ କରିବା ଖୁବ୍ କମ୍ ଛାତ୍ରଙ୍କ ଭାଗ୍ୟରେ ଜୁଟିଛି ।

 

ପାଟନାରୁ ସଂସ୍କୃତ ଏମ.ଏ. ପାଶ୍‌କରି ଫେରିବା ପରେ ପରେ ବାରିପଦାରେ ତାଙ୍କୁ ଶିକ୍ଷକତା କରିବାକୁ ପଡ଼ିଥିଲା । ବାରିପଦାରେ ଅବଲୀଳାକ୍ରମେ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟଙ୍କ ସଙ୍ଗରେ ତାଙ୍କର ବନ୍ଧୁତା ସ୍ଥାପନ ହେଲା । ‘ଗୁଣ ଚିହ୍ନେ ଗୁଣିଆ’ ନ୍ୟାୟରେ ଉଭୟ ପରସ୍ପରର ବନ୍ଧୁତାରେ ଆବଦ୍ଧ ହୋଇପଡ଼ିଲେ । ଏକଥା ସ୍ମରଣକରି ପ୍ରଫେସର ପ୍ରଧାନ କହନ୍ତି, ‘‘ବାରିପଦାରେ ଆୟୋଜିତ ଏକ ସାହିତ୍ୟ ସଭାରେ ‘କବି ପ୍ରସିଦ୍ଧି’ ନାମରେ ଏକ ସନ୍ଦର୍ଭ ପାଠ କରି ମୁଁ ପରମାନନ୍ଦ ଆଚାର୍ଯ୍ୟଙ୍କ ନିକଟ ସମ୍ପର୍କରେ ଆସିପାରିଥିଲି । ସେଇଠି ଓଡ଼ିଶାର ଅନ୍ୟତମ କୃତୀ ସନ୍ତାନ ଗୋକୁଳାନନ୍ଦ ଶତପଥିଙ୍କ ସଙ୍ଗରେ ମୋର ସାକ୍ଷାତ ପରିଚୟ ଘଟିଥିଲା । ବାରିପଦାରୁ ପ୍ରକାଶିତ ‘ଭଞ୍ଜ ପ୍ରଦୀପ’ର ଆମେ ନିୟମିତ ଲେଖକ ପାଲଟିଗଲୁ ।’’

 

କହିବା ବାହୁଲ୍ୟ ଯେ, ପ୍ରଫେସର ପ୍ରଧାନଙ୍କ ରଚନାବଳୀ ବାରିପଦାର ସ୍ୱନାମଧନ୍ୟ ପତ୍ରିକା ‘ଭଞ୍ଜ ପ୍ରଦୀପ’ର ଅନ୍ୟତମ ଆକର୍ଷଣ ଥିଲା ।

 

ମାନସମ୍ମାନ

 

୧୯୭୮ ମସିହାରେ ନାଗପୁରରେ ଅନୁଷ୍ଠିତ ବିଶ୍ୱ ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସେ ଓଡ଼ିଶା ପ୍ରଦେଶର ବିଶିଷ୍ଟ ହିନ୍ଦୀ ଲେଖକ ରୂପେ ନିମନ୍ତ୍ରିତ ହୋଇଥିଲେ ଓ ବିଶ୍ୱହିନ୍ଦୀ ସାହିତ୍ୟ ସମ୍ମିଳନୀ ଦ୍ୱାରା ସମ୍ମାନିତ ହୋଇଥିଲେ ।

 

ପ୍ରଫେସର ପ୍ରହ୍ଲାଦ ପ୍ରଧାନ ବହୁକାଳଧରି କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀର ସଦସ୍ୟ ରୂପେ କାର୍ଯ୍ୟ କରିଛନ୍ତି । ରାଜ୍ୟ ସାହିତ୍ୟ ଏକାଡ଼େମୀର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ବର୍ତ୍ତମାନ Orissa Association of Sanskrit Learning and Cultureର ସଭାପତି ପଦରେ ଅଧିଷ୍ଠିତ ଅଛନ୍ତି । ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସରକାରୀ ସଂସ୍ଥା । ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘ଝଙ୍କାର’ର ଅନ୍ୟତମ ସଂପାଦକ ଭାବରେ ସେ ବହୁବର୍ଷ ଯାଏ ଅଧିଷ୍ଠିତ ଥିଲେ ।

 

ବର୍ତ୍ତମାନ ସେ ବହୁ ସାହିତ୍ୟ, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି, ପୃଷ୍ଠପୋଷକ, ପରାମର୍ଶଦାତା ଓ ସଦସ୍ୟ ଭାବରେ କାର୍ଯ୍ୟ ତୁଲାଉଛନ୍ତି । ସର୍ବଶେଷରେ, ସଂସ୍କୃତ ଭାଷା ଓ ସାହିତ୍ୟରେ ତାଙ୍କର ବିଶେଷ ଅବଦାନ ହେତୁ ସେ ଏବେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇ ବାର୍ଷିକ ତିନିହଜାର ଟଙ୍କା ଆର୍ଥିକ ସାହାଯ୍ୟ ଲାଭ କରୁଅଛନ୍ତି ।

 

ଆଲିଗଡ଼ରେ ଅନୁଷ୍ଠିତ ପ୍ରାଚ୍ୟ ସମ୍ମିଳନୀରେ (୧୯୬୮) ତାଙ୍କୁ ‘ପାଲି ଓ ବୌଦ୍ଧଧର୍ମ’ ଆଲୋଚନାଚକ୍ରର ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା ।

 

ଶିକ୍ଷାବିଦ୍ ପ୍ରଫେସର ପ୍ରଧାନ କେବଳ ଓଡ଼ିଶାର ନୁହନ୍ତି, ସମଗ୍ର ଭାରତବର୍ଷର ଗର୍ବ ଓ ଗୌରବ ।

Image

 

ସାରସ୍ୱତ ସାଧକ ଶ୍ରଦ୍ଧାକର

(ଜୀବନ ଚରିତର ମମ୍‌ର୍ମ କଥା)

ଡକ୍ଟର କ୍ଷେତ୍ରବାସୀ ନାୟକ

 

ଓଡ଼ିଶା ହେଉଛି ପ୍ରତିଭାଧର ସୁପୁରୁଷଙ୍କ ଲୀଳାଭୂମି । ଯୁଗ ଯୁଗରୁ ବହୁ ପ୍ରତିଭାବାନ ବ୍ୟକ୍ତି ଏ ଦେଶର ସାଂସ୍କୃତିକ ପରିଧିକୁ ନାନାମତେ ପରିପୁଷ୍ଟ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଅନୁକୂଳ ପରିବେଶରେ ଥାଇ ଆପଣାର ସୃଷ୍ଟିକର୍ମକୁ ଆଲୋକତୀର୍ଥ ଆଡ଼କୁ ଘେନି ଯାଇଛନ୍ତି । କେତେକ ମଧ୍ୟ ଅଜ୍ଞାତ ଅନ୍ଧାରରେ ସଢ଼ି ସଢ଼ି ଜୀବନ ବିତେଇଛନ୍ତି । କିନ୍ତୁ ଜାତିର ଦାୟାଦ ହିସାବରେ ଜ୍ଞାତ, ଅଜ୍ଞାତ ସବୁ ପ୍ରତିଭାବାନ ସାରଥିଙ୍କ ସଂଚିତ ଭାବ-ଧନକୁ ଆବିଷ୍କାର କରିବା ଏବଂ ସେମାନଙ୍କର ଜୀବନର ରୂପରୀତିକୁ ଅନୁପ୍ରେରଣା ଲାଭ କରିବା ହେଉଛି ଆମ ସମସ୍ତଙ୍କର ଜାତୀୟ ଦାୟିତ୍ୱ । କାରଣ ପ୍ରତିଭା-ସ୍ମରଣର ପୁଣ୍ୟ ସଂକଳ୍ପ ଯେଉଁ ଜାତିର ବ୍ୟକ୍ତିବର୍ଗଙ୍କଠାରେ ପ୍ରକାଶ ପାଏ ନାହିଁ, ସେ ଜାତି ଇତିହାସ ବୁକୁରେ ମହତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହୋଇଥାଏ । ଯଶସ୍ୱୀ ପ୍ରତିଭାବାନ ବ୍ୟକ୍ତିଙ୍କର କୃତି ସ୍ମରଣ ଓ ଜୀବନଚରିତ ଅନୁସରଣ ଦ୍ୱାରା ଜାତୀୟ ମମତା-ବୋଧର ସ୍ଫୁରଣ ଘଟିଥାଏ ।

 

ଲୋକେ କହନ୍ତି, ମୃତ୍ୟୁ ପରେ କୃତବିଦ୍ୟା ବ୍ୟକ୍ତିର ଜୀବନ ମୂଲ୍ୟବାନ୍ ହୋଇଯାଏ । ଏପରି ଏକ ମଧ୍ୟଯୁଗୀୟ ଚିନ୍ତାଧାରା, ଊଣାଅଧିକେ ଆମ୍ଭମାନଙ୍କର ମାନସଭୂମିକୁ ଆଚ୍ଛନ୍ନ କରି ରଖିଛି । ପ୍ରକୃତରେ ଯେଉଁ ବ୍ୟକ୍ତି ସୃଷ୍ଟିକାମୀ, ଯିଏ ଖାଇପିଇ ଜୀବନ ବଞ୍ଚିବା ଅପେକ୍ଷା ଜୀବନକୁ ଅନାଗତ ଲାଗି ବାଗେଇ ଯାଏ, ତା’ରି ପାଇଁ ଦେଶ ମାଟିର ମାୟା ବେଶୀ । ଦେଶ ମାତୃକା ବଡ଼ପଣ ଏମାନଙ୍କ ଦାନର ମୂଳ ଧନରେ ପ୍ରକାଶ ପାଏ; ଆଖି ଖୋଲିଯାଏ । କୃତୀ ସନ୍ତାନର ଦେୟରପୁଞ୍ଜି ଉପରେ ସିନା ଜାତିର ମହତ ବଢ଼େ । ଯେଉଁମାନେ ଜାତିର ମୂଳଧନକୁ ଶୋଷି ଶୋଷି ଆପଣାର ବୁଭୁକ୍ଷା ମେଣ୍ଟାନ୍ତି, ସେମାନେ ଭିକ୍ଷୁ; କିନ୍ତୁ ଯେଉଁମାନଙ୍କର ଦହନର ଜ୍ୟୋତିରେ ଜାତିର ମାନସ-ଭୂମି ଆଲୋକିତ, ସେମାନେ ସୂର୍ଯ୍ୟ-ଶିଶୁ । ଅନ୍ଧାର ସହ ଯୁଗପତ୍ ଲଢ଼ି ଜୀବନକୁ ଆଲୋକ ଭାସ୍ୱର କରନ୍ତି, ଦେଶ ମାଟିର ମନନ ପୀଠକୁ ଅନିର୍ବାଣ ଭାବାଲୋକରେ ସତେଜ ସଂଦୀପ୍ତ କରି ଯାଆନ୍ତି କାଳ କାଳକୁ । ଏହା ଏକପ୍ରକାର ଯୋଗ । ସେମାନଙ୍କ ଯୋଗର ପୁଣ୍ୟଫଳରୁ ଆମେ ଯାହା ଭୋଗ କରୁ ତାହା ହେଉଛି—ଜୀବନ ବେଦ, ଜାତିର ଯୌବନ ଶୋଣିମା । ଏହାର କ୍ଷୟ ନାହିଁ, ଯେପରି ନାହିଁ ପ୍ରକୃତ ପ୍ରତିଭାର ପତନ । ପ୍ରତିଭା ତ କାଳଜୟୀ, ମୃତ୍ୟୁର ଦଂଶନ ବା ଆଘାତର ନିର୍ମମ ପ୍ରହାର ଏହାର ଗତିପଥକୁ କିମ୍ୱା ସଂକଳ୍ପର ତେଜ ପ୍ରବାହକୁ ଶିଥିଳ କରିପାରେ ନାହିଁ । ସେ ନିଜ ତେଜରେ ତେଜିୟାନ୍, ଆପଣା ଶକ୍ତିର; ଭାସ୍ୱର । କି ବିପଦ କି ସମ୍ପଦ, ସବୁ ତ ତା’ ପାଇଁ ଶାଳଗ୍ରାମ । ତାହାରି ପାଦୋଦକ ଘେନି ଜାତିର ଲୋକେ ଆମେ ହେଉ ପୁଣ୍ୟାର୍ଥୀ । କାରଣ ପ୍ରତିଭାର ପ୍ରଭୁ ନାହିଁ । ସେ ଉପାସ୍ୟ, ଆମେ ଉପାସକ । ବ୍ୟକ୍ତିର ଜୀବନ ଓ କର୍ମ, ତାହାର ଅକ୍ଷର କୀର୍ତ୍ତି ହିଁ ପ୍ରତିଭାର ଏକ ସାକାର ମୂର୍ତ୍ତି ଗଠନ କରିଥାଏ । ଏଇ ମର୍ମରେ ଜୀବନ-ତାପସୀ ପ୍ରତିଭାଧରଙ୍କୁ ବୁଝି ବୁଝାଇବାର ଅଭିଳାଷରେ ଯାହାଙ୍କ ଜୀବନ ଚର୍ଯ୍ୟା କରିବାକୁ ମୁଁ ଉଦ୍ୟତ, ସେ ମୋର ସମବୟସ୍କ ନୁହଁନ୍ତି କିମ୍ୱା ତାଙ୍କ ସାଧନାର ମୁକ୍ତିଧାମରେ ପ୍ରବେଶ କରି ଯୋଗନିଷ୍ଠଙ୍କୁ ଯୋଗଭ୍ରଷ୍ଟ କରିବାତ୍ୱ ଅପ୍‌ସରୀ ଇଚ୍ଛା ମୋର ନାହିଁ । ବରଂ ଏକ ପ୍ରକାର ତଟସ୍ଥ ତନ୍ମୟତାର ଅନୁପ୍ରେରଣାରେ ପ୍ରଭାଦୀପ୍ତ ଏଇ ବ୍ୟକ୍ତି-ଭାସ୍କରଙ୍କୁ ନାନଆଡ଼ୁ ଅବଲୋକନ କରିବାର ଅନାବିଳ, ଅଭୀପ୍‌ସା ଘେନି ମୁଁ ତତ୍ପର ।

 

ଜୀବନ-ଚର୍ଚ୍ଚା ହେଉଛି ମୋର ଉଦ୍ଦେଶ୍ୟ, ସାରସ୍ୱତ-ସାଧକ ଶ୍ରଦ୍ଧାକର ସୂପକାରଙ୍କର ଜୀବନ ଚରିତର ମର୍ମ୍ମ କଥା–ତାହାହିଁ ମୋର ବକ୍ତବ୍ୟ ।

 

ଜନ୍ମ ଯାହାର ନିରାଭରଣ, ସାମାନ୍ୟ ବା ସାଧାରଣର ଧୂସର ଭୂମିକା ଯାହାର ଲାଳନ ପାଳନ, ପରମ୍ପରାର ଅନୁରାଗରେ ଯାହାର କୁଳତୀର୍ଥ ଅନୁଲିପ୍ତ, ସ୍ୱାଧୀନତାର ମନ୍ତ୍ରୋଦକରେ ଯାହାର ମାନସଭୂମି ଚିର-ସେଚିତ-ସେପରି ଜଣେ ଉତ୍ତରଣଶୀଳ ମଣିଷଙ୍କ କଥା କହୁଛି, ଯାହାଙ୍କୁ ଦୂରରୁ ଥାଇ ଅନୁଭବ କରିବା କଠିନ, ପାଖରୁ ଦେଖିଲେ ମନରେ ଜନ୍ମିବ ସଂଶୟ ! ଏଇ ସାଧାରଣ ମଣିଷଟିର ବ୍ୟକ୍ତିତ୍ୱ ଏତେ ଉଜ୍ଜ୍ୱଳ, ଏତେ ପୁଣି ସ୍ମରଣୀୟ ଆମ ଜାତିର ଜିଜ୍ଞାସୁ ମାନଙ୍କ ପାଇଁ ! କୌଣସି ଉତ୍ତର ଦେଇ ଏଇ ବିସ୍ମୟକୁ ବୁଝେଇ ହେବ ନାହିଁ । କାରଣ ଯେଉଁମାନେ ଆପଣା ହାତରେ ଆପଣାର ପୁରୁଷକାର ଗଢ଼ିଥା’ନ୍ତି, ସେମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଜୀବନକୁ ବୁଝିହୁଏ ସିନା, ବୁଝେଇ ହୁଏ ନାହିଁ । ସେମାନେ ସାଧାରଣରୁ ଉଠି ଉଠି ଅସାଧାରଣ ଗୌରବର ଶିଖରରେ ପହଞ୍ଚି ଯାଇଛନ୍ତି । ଅନ୍ୟ ଲୋକଙ୍କୁ ଏମାନଙ୍କ ପ୍ରତିଭା ରହସ୍ୟ ଭଳି ପ୍ରତୀତ ହୁଏ । ଏହା ବ୍ୟକ୍ତିର ପୁଞ୍ଜି ନୁହେଁ, ବ୍ୟକ୍ତିତ୍ୱର ଗୁଣ-ଏଇ ରହସ୍ୟର ନିର୍ବେଦ ପ୍ରତିମୂର୍ତ୍ତି ଯେଉଁ ଜୀବନ, ସେ ହୁଅନ୍ତି ଆମର ସ୍ମରଣୀୟ ।

 

ମୁଁ ସେମିତି ସ୍ମରଣୀୟ ଓ ନମସ୍ୟ ବ୍ୟକ୍ତିତ୍ୱର କଥା କହୁଛି । କିଏ ଜାଣିଥିଲା ସମ୍ୱଲପୁରର ଅଖ୍ୟାତ ପଲ୍ଲୀ ଝାଡ଼ୁଆପଡ଼ାର ଏକ ବ୍ରାହ୍ମଣ ପରିବାରରେ ପିତା ଜନାର୍ଦ୍ଦନ ସୂପକାର ଏବଂ ମାତା ତ୍ରିବେଣୀ ଦେବୀଙ୍କ ଆନନ୍ଦ-କୁମର ଶ୍ରଦ୍ଧାକର (ଜନ୍ମ ସେପ୍‌ଟେମ୍ୱର ୧୪, ୧୯୧୪) ଓଡ଼ିଶାର ଜଣେ ଶ୍ରଦ୍ଧେୟ ବ୍ୟକ୍ତିତ୍ୱରୂପେ ଅକୁଣ୍ଠ ସମ୍ମାନ ଓ ଅମଳିନ ମର୍ଯ୍ୟାଦାର ରତ୍ନହାରରେ ବିମଣ୍ଡିତ ହେବେ । ଏ କଥା କଣ ବୁଝିଥିଲେ ତାଙ୍କର ବାଲ୍ୟଶିକ୍ଷା-ଗୁରୁ ସମ୍ୱଲପୁର ଗୁରୁପଡ଼ା ନିମ୍ନ ପ୍ରାଥମିକ ବିଦ୍ୟାଳୟର ଅବଧାନ ମହୋଦୟ !

 

ବିଦ୍ୟାଳୟର ଶିଶୁ ଛାତ୍ର ଶ୍ରଦ୍ଧାକର ଜୀବନରେ ସଂଗ୍ରାମର ଅର୍ଥ କଣ, ସ୍ୱାବଲମ୍ୱୀ ହେବାର ଆବଶ୍ୟକତା କଣ-ଏସବୁ ବୁଝିବା ଲାଗି ହୁଏତ ଇଚ୍ଛା କରି ନଥିବେ । କିନ୍ତୁ ପାରିବାରିକ ଆଦର୍ଶର ପ୍ରଭାବରେ ବାପାଙ୍କର ଜାତୀୟବାଦୀ ଚିନ୍ତାଧାରାର ପ୍ରେରଣାରେ ଶ୍ରଦ୍ଧାକର ପିଲାଦିନୁ ସ୍ୱଦେଶୀ ଭାବନାର ପଥଚାରୀ ହେବାକୁ ଶ୍ରେୟ ମଣିଲେ । ସୂତାକଟା ଠାରୁ ଖଦଡ଼ ବିକ୍ରୀ ପର୍ଯ୍ୟନ୍ତ, ଛାତ୍ର ଜୀବନରୁ, ଆପଣା ଛାଏଁ ତୁଲାଇ ନେବାର ଶୁଦ୍ଧ ସଂକଳ୍ପ ପୋଷିଥିଲେ ଶ୍ରଦ୍ଧାକର । ପିଲାଦିନରୁ ଜାତ ହୋଇଥିବା ସ୍ୱଦେଶୀ ମୋହ, ପରିଣତ ବୟସରେ ମଧ୍ୟ ତାଙ୍କ ମନରୁ ବିଦାୟ ନେଇ ନଥିଲା ।

 

ମୋର ମନେ ପଡ଼ୁଛି, ୧୯୬୪-୬୫ ବେଳେ ମୁଁ ତାଙ୍କୁ ସମ୍ୱଲପୁରରେ ବିଭିନ୍ନ କର୍ମର ଆଳରେ ଭେଟିଛି; ବହୁ ସାରସ୍ୱତ ସଂଗଠନରେ ତାଙ୍କ ସହିତ କାମ କରିଛି । ସେତେବେଳେ ତାଙ୍କୁ ଯେଉଁ ବେଶ, ପୋଷାକରେ ଦେଖିଛି ତାହା କୌଣସି ବିଦେଶୀ ଆଭରଣ ମଣ୍ଡିତ ନୁହେଁ । ସେଇ ଖଦଡ଼ ଓ ସୂତାର ପୋଷାକ । ତାହାହିଁ ତାଙ୍କର ପ୍ରିୟ ପରିଧାନ । ମୁଁ ଲକ୍ଷ୍ୟ କରିଛି; ନିରାଡ଼ମ୍ୱର ପରିଧାନ ଅନ୍ତରାଳରେ ସତେ ଯେପରି ଲୁଚି ରହିଥିଲା ଜଣେ ପ୍ରାଜ୍ଞ ବୁଦ୍ଧିଜୀବୀର ନିଷ୍କପଟ ସାରଲ୍ୟ । ସେ ନିହାତି ସରଳ ବୋଧହେଉଥିଲେ ମୋପରି ଜଣେ ତରୁଣ ନିକଟରେ ଏବଂ ସହଜଗମ୍ୟ ହେଉଥିଲେ ଆମରି ପରି ଅଗଣିତ ତରୁଣମାନଙ୍କ ପାଇଁ । ମୋର ଧାରଣା ହେଉଥିଲା, ସତେ ଅବା ସେ ଥିଲେ ତରୁଣ ଶକ୍ତିର ଉତ୍ସ । ସୃଷ୍ଟିକାମୀ ଯୁବକର ପଥଦ୍ରଷ୍ଟା । ତାଙ୍କର ସ୍ୱାଧୀନ ଚିନ୍ତା ଏବଂ ବୌଦ୍ଧିକ ଗାମ୍ଭୀର୍ଯ୍ୟ ମୋତେ ବିସ୍ମିତ କରିଥିଲା । ମୁଁ ସେତେବେଳେ ଖିଅ ଖୋଜୁଥିଲି ଏଇ ବ୍ୟକ୍ତି ଜଣକଙ୍କର ସ୍ୱାଧୀନଚିନ୍ତା ଏବଂ ଏଥିପାଇଁ ତାଙ୍କର ଯେଉଁ ସ୍ୱାଧ୍ୟାୟ, ତାର ଉତ୍ପତ୍ତି କେଉଁଠି ? କ୍ରମେ କ୍ରମେ ଜାଣିଲି, ସେ ଯେତେବେଳେ ସମ୍ୱଲପୁର ଜିଲ୍ଲା ସ୍କୁଲରେ ଛାତ୍ର ଥିଲେ (୧୯୨୩-୧୯୩୦) ସ୍ୱାଧୀନତାବୋଧ ତାଙ୍କୁ ଏପରି ବ୍ୟସ୍ତ ଓ ତତ୍ପର କରିଥିଲା ଯେ, ସେ ଗାନ୍ଧିଜୀଙ୍କର ଦାଣ୍ଡିଯାତ୍ରାରେ (ମାର୍ଚ୍ଚ ୧୨, ୧୯୩୦) ଯୋଗଦେବା ଲାଗି ସ୍କୁଲ ବର୍ଜନ କରିବାକୁ ଛାତ୍ର-ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଏବଂ ଏହାର ନେତୃତ୍ୱ ମଧ୍ୟ ନେଇଥିଲେ । ଏହା ଅନ୍ତରାଳରେ କେଉଁ ପାଗଳାମୀ ଥିଲା କେଜାଣି, ତାର ଏକ ରୂପାନ୍ତର ପ୍ରକାଶ ପାଇଲା ଯେତେବେଳେ କି ସେ ସମ୍ୱଲପୁର ସହରରେ ମଦ ଦୋକାନ ଆଗରେ ପିକେଟିଙ୍ଗ ଆରମ୍ଭ କଲେ । ଛାତ୍ରର ଅଧ୍ୟାୟୀ ମନ ସ୍ୱାଧୀନଚେତନା ହେବା ସଙ୍ଗେ ସଙ୍ଗେ ବିଦ୍ରୋହୀ ହୋଇ ଉଠିଲା । ତାର ଅର୍ଥ ନୁହେଁ, ଛାତ୍ରର ମେଧାଶକ୍ତି ବିଦ୍ରୋହୀର ପଟୁଆର ଓ କଳରବର ଉଚ୍ଚ ଉନ୍ମାଦନା ଭିତରେ କାହିଁ କେଉଁଠି ହଜିଗଲା । ପୁଣି ସେଇ ବିସ୍ମୟ ବିସ୍ମୟର ନିତ୍ୟ ନୂତନ ପରିଚୟ ଦେବାରେ ଶ୍ରଦ୍ଧାକରଙ୍କର ବିରତି ନାହିଁ। ମେଟ୍ରିକ୍ ପରୀକ୍ଷାରେ ସେ ସମଗ୍ର ବିହାର-ଓଡ଼ିଶାରୁ ପଞ୍ଚମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେଲେ (୧୯୩୧) । ଏହା ଛାତ୍ରନେତାର ଗୌରବ ନା ଗ୍ରନ୍ଥକୀଟ ବିଦ୍ୟାର୍ଥୀର ସଫଳତା-? ମନେହୁଏ, ଉଭୟ ଯୋଗ୍ୟତାର ସମ୍ଭ୍ରାନ୍ତ ପ୍ରତିମୂର୍ତ୍ତି ହେଉଛନ୍ତି ଏଇ ବ୍ୟକ୍ତି ।

 

ତାଙ୍କ ପାଇଁ କୌଣସି ଶିକ୍ଷାୟତନ ନିଷିଦ୍ଧ ନୁହେଁ, ତଥାପି ସେ ରେଭେନ୍‌ସାର ହେବେ ଛାତ୍ର । ଏହି ଆଭିଜାତ ଶିକ୍ଷାୟତନ, ଯାହାର ଉତ୍ସଙ୍ଗରୁ ବୌଦ୍ଧିକ ବିସ୍ମୟ ଓ ଜ୍ଞାନର ପ୍ରଦୀପ ଶିଖା ଅନିର୍ବାଣ ଗତି ବେଗରେ ବିଚ୍ଛୁରିତ, ସେହି ଅନୁଷ୍ଠାନରେ ସେ ହେବେ ଅଧ୍ୟାୟୀ । ଏହି ପୂତପିପାସାକୁ ଚରିତାର୍ଥ କରିବାର ସଂକଳ୍ପ ନେଇ ସେ ୧୯୩୧-୩୫ ପର୍ଯ୍ୟନ୍ତ ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ବିଜ୍ଞାନର ଛାତ୍ର ହେଉଁ ହେଉଁ ସେ ହେଲେ କଳାର ସ୍ନାତକ । ଗଣିତ ହେଲା ତାଙ୍କର ପ୍ରିୟ ବିଷୟ । ଗଣିତରେ ଅନର୍ସ ନେଇ ସେ ୧୯୩୫ ରେ ରେଭେନ୍‌ସା କଲେଜରୁ ଉତ୍ତୀର୍ଣ୍ଣ ହେଲେ । କିନ୍ତୁ ତାଙ୍କର ଜ୍ଞାନ-ପିପାସୁ ମନ ଏତିକିରେ ତୃପ୍ତ ହେଲା ନାହିଁ । ପାଟଣାରେ ସେ ପୁଣି ଛାତ୍ରତ୍ୱ ଗ୍ରହଣ କଲେ (୧୯୩୫-୩୮) । ଇଂରାଜୀରେ ଏମ୍.ଏ. ଏବଂ ଆଇନ ବିଦ୍ୟାରେ ଉତ୍ତୀର୍ଣ୍ଣ ହୋଇ ସେ ଫେରି ଆସିଲେ ନିଜର ଜନ୍ମଭୂମିକୁ । ଅବଶ୍ୟ ଏଥିପୂର୍ବରୁ ତାଙ୍କ ଜୀବନରେ ବିବାହର ମହୋତ୍ସବ (୧୯୩୪) ସରିଯାଇଥିଲା ।

 

ଏତେବେଳକୁ ଅଧ୍ୟାୟୀର ଜୀବନ ବିତିଛି, ସଂସାରୀ ଜୀବନ ଆରମ୍ଭ ହୋଇଛି । କର୍ମ ଜୀବନର ନୂତନ ରାହା ଖୋଜି ଅଧ୍ୟବସାୟୀ ତରୁଣ ଶ୍ରଦ୍ଧାକର ଆପଣାକୁ ଆଗେଇ ନେଉଥାନ୍ତି । ୧୯୩୯ ରୁ ଆରମ୍ଭ ହୁଏ ତାଙ୍କର ଆଇନଜୀବୀ ଜୀବନ । କିନ୍ତୁ ଏହା ତ ତାଙ୍କ ଜୀବିକାର ସମ୍ୱଳ । ଜୀବିକାର ମାୟା ବନ୍ଧନରେ ଆପଣାକୁ ନ ବାନ୍ଧି ମୁକ୍ତି-ପ୍ରୟାସୀ ପଥିକ ଶ୍ରଦ୍ଧାକର ଆପଣା ଜୀବନର ଅସୀମ ଇଲାକାର ଅନ୍ୱେଷଣରେ ପ୍ରବୃତ୍ତ ହୋଇଛନ୍ତି । ଏଇ ପ୍ରବୃତ୍ତିର ଆଲୋଡ଼ନକୁ ସେ ହୁଏତ ଚିହ୍ନିଥିଲେ ପାଟଣାରେ ଛାତ୍ର ଥିଲାବେଳେ । ସେତିକିବେଳେ ସେ ସାହିତ୍ୟକୁ ବରଣ କରିଥିଲେ ଜୀବନର ଆଶ୍ରୟ ପାଦପ ରୂପେ । ଏତେବେଳେ ତାଙ୍କର ପ୍ରଥମ ଲେଖା, ରମ୍ୟରଚନା–‘ଚତୁର୍ଥଧାରା’ ‘ସହକାର’ ପତ୍ରିକାରେ ପ୍ରକାଶ ପାଇଲା । ପରେ ପରେ ‘ନବଭାରତ’ରେ ପ୍ରକାଶ ପାଇଲା ଦୁଇଟି ପ୍ରବନ୍ଧ–‘ଲୁଣକର’ ଏବଂ ‘ବିଗତ ମହାଯୁଦ୍ଧ ଓ ଭାରତ’ ।

 

ସାହିତ୍ୟକୁ ଜୀବନର ଶ୍ରେଷ୍ଠ ସମ୍ୱଳରୂପେ ବୁଝିଥିବା ଏଇ ଯୁବକ, ଆପଣା କୃତିତ୍ୱର ପ୍ରମାଣପତ୍ର ବଳରେ ସେତେବଳେ ଓଡ଼ିଶା ସରକାରଙ୍କ ପାଠ୍ୟପୁସ୍ତକ କମିଟିର ସଭ୍ୟରୂପେ ମନୋନୀତ ହେଲେ । ସେତେବେଳକୁ ତାଙ୍କ ବୟସ ମାତ୍ର ପଚିଶ ବର୍ଷ । ବୁଢ଼ା ବୁଢ଼ାଙ୍କ ଆଖିରେ ସେ ନିହାତି ଛୁଆ । ଗୋଦାବରୀଶ ମହାପାତ୍ର, ‘ନିଆଁଖୁଣ୍ଟା’ରେ ସରକାରଙ୍କର ପାଠ୍ୟପୁସ୍ତକ ସମିତି ପ୍ରତି ତିର୍ଯ୍ୟକ ଦୃଷ୍ଟି ଦେଇ ‘ପାଠ୍ୟପୁସ୍ତକ ରୋଷେଇ’ ନାମକ ଲେଖାଟିଏ ଲେଖିଲେ। ଅବଶ୍ୟ ଏପରି ଲେଖାର ପ୍ରାସଙ୍ଗିକ ଯଥାର୍ଥତା ପାଇଁ ମହାପାତ୍ର ମହାଶୟ କମିଟିର ଅନ୍ୟତମ ସଦସ୍ୟା ଜାହ୍ନବୀ ଦେବୀଙ୍କୁ ଆଖି ଆଗରେ ରଖିଥିଲେ । ଏକ ଦିଗରେ କମିଟିରେ ମହିଳା ସଦସ୍ୟା ନିଯୁକ୍ତି, ଅନ୍ୟ ଦିଗରେ ଜଣେ ଅପରିପକ୍ୱ ତରୁଣର ଯୋଗ୍ୟତମ ସମ୍ମାନ—ଏହା ନିଆଁଖୁଣ୍ଟା ସଂପାଦକଙ୍କ ମନକୁ ମାନିଲା ନାହିଁ । ତଥାପି ଏପରି ଏକ କୌତୁକିଆ ଲେଖା ଯେ, କୌଣସି ପ୍ରକାରେ ଶ୍ରଦ୍ଧାକରଙ୍କର ବ୍ୟକ୍ତିତ୍ୱର ଗୁଣାଭରଣ ଲାଗି ସାହାଯ୍ୟ କରିଥିଲା, ଏଥିରେ କୌଣସି ସନ୍ଦେହ ନାହିଁ ।

 

୧୯୩୯ ପରେ ପରେ ଶ୍ରଦ୍ଧାକର ସୁପକାରଙ୍କର ଜୀବନର ଗତି ପଥ ବିଭିନ୍ନ ଅଧିକାର ଘେନିବାକୁ ଇଚ୍ଛା କଲା । ତାଙ୍କ ଜୀବନ ରାଜନୀତି କ୍ଷେତ୍ରକୁ ସ୍ପର୍ଶ କରିବା ପାଇଁ ଉଦ୍ୟତ ହୋଇ ଉଠିଲା । ସମ୍ୱଲପୁର ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ି ସେ ହାରିଗଲେ । ମାତ୍ର ତହିଁ ଆରବର୍ଷ ସମ୍ୱଲପୁର ଜିଲ୍ଲା ବୋର୍ଡ଼କୁ ସେ ନିର୍ବାଚିତ ହେଲେ । ୧୯୪୬ରୁ ୧୯୪୭ ହୀରାକୁଦ ବନ୍ଧ ଆନ୍ଦୋଳନର ସଂଗଠକ ସେକ୍ରେଟେରୀ ଥିଲେ; ସେଥିପାଇଁ ସେ ଜେଲ ଭୋଗିଲେ । ୧୯୪୯ରେ ସ୍ୱାଧୀନ ସଭ୍ୟ ରୂପେ ସେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୨ରେ ଗଣତନ୍ତ୍ର ପରିଷଦ ତରଫରୁ ଲଢ଼ି ଓଡ଼ିଶା ବିଧାନସଭାକୁ ପୁନଃ ନିର୍ବାଚିତ ହେଲେ ଏବଂ ବିରୋଧୀ ଦଳର ନେତା ହେଲେ । ୧୯୫୭ରେ ସମ୍ୱଲପୁରରୁ ସେ ଲୋକସଭାକୁ ନିର୍ବାଚିତ ହେଲେ । କିନ୍ତୁ ୧୯୬୧ର ମଧ୍ୟବର୍ତ୍ତୀ ନିର୍ବାଚନରେ ହାରିଯାଇ ରାଜନୀତିରୁ ଓହରି ଗଲେ ଏବଂ ଆପଣା ଆଇନବୃତ୍ତି ଆଶ୍ରୟରେ ଜୀବନ ବଞ୍ଚିବାକୁ ଶ୍ରେୟ ମଣିଲେ । ଏପରି ଉତ୍‌ଥାନ ପତନ ମଧ୍ୟରେ ଗତି କରିଥିବା ତାଙ୍କର ରାଜନୀତିକ ଜୀବନ ଯେତିକି ମୂଲ୍ୟବାନ ନୁହେଁ, ତାଠୁଁ ଅଧିକ ମୂଲ୍ୟବାନ ହେଉଛି ତାଙ୍କର ସାରସ୍ୱତ ସାଧନା । କର୍ମଜୀବନର ବୈଚିତ୍ର୍ୟ ଭିତରୁ ସେ ଅନୁଭୂତିର ଯେଉଁ ଅମୃତ ନିଧି ସଂଗ୍ରହ କରିଛନ୍ତି, ତାହାର ଅକ୍ଷୟ କଣିକା ସାଇତି ଯାଇଛନ୍ତି ସାହିତ୍ୟର ମାଳାଞ୍ଚରେ ।

 

ତେଣୁ ତାଙ୍କର ସାରସ୍ୱତ ସାଧନା ହୋଇଛି ବିଚିତ୍ର ବର୍ଣ୍ଣ ବିଭାରେ ଭାସ୍ୱର । ଏକାବେଳକେ ସେ, ଆମ ସାହିତ୍ୟର ବିଭିନ୍ନ ବିଭାଗକୁ ଆପଣା ଶକ୍ତିମତେ ପୁଷ୍ଟ କରିଛନ୍ତି । ତାଙ୍କର କଥାଶିଳ୍ପୀ-ମାନସ—ଗଳ୍ପାଞ୍ଜଳି, ବିଷକନ୍ୟା, ଜୁଆରଭଟ୍ଟା, ଗୋଟିଏ କରୁଣ ରାତି, ପ୍ରଭୃତି ଗଳ୍ପ ସଂଗ୍ରହର ଜନକ ହୋଇଛି । ଗାଳ୍ପିକ ଶ୍ରଦ୍ଧାକର, ସଂସ୍କୃତିର ପଟ୍ଟଭୂମିରେ ଜୀବନର ବାସ୍ତବତାକୁ ଆନ୍ତରିକ ଭାବେ ରୂପାୟିତ କରିଛନ୍ତି । ଲେଖକଙ୍କର କର୍ମଜୀବନ ଯେହେତୁ ବ୍ୟାପକ ଓ ବିଚିତ୍ର, ସେହି ବ୍ୟାପକ ଅନୁଭୂତି ଜଗତରୁ ତାଙ୍କ ଗଳ୍ପଗୁଡ଼ିକର ଜନ୍ମ । ନାଟ୍ୟକାରରୂପେ ମଧ୍ୟ ଶ୍ରଦ୍ଧାକରଙ୍କର କୃତିତ୍ୱ ନଗଣ୍ୟ ନୁହେଁ । ଜାତୀୟମନା ବୀରପୁରୁଷ ‘ସୁରେନ୍ଦ୍ର ସାଏ’ଙ୍କ ଜୀବନଚରିତକୁ ଭିତ୍ତିକରି ତାଙ୍କର ‘ସୁରେନ୍ଦ୍ର ସାଏ’ ନାଟକ ରଚିତ ଏବଂ ସଫଳ ଐତିହାସିକ ଚରିତମୂଳକ ନାଟକ ହିସାବରେ ଏହା ଜନ ଜୀବନରେ ବେଶ୍ ପରିଚିତ ।

 

ଏକାଂକିକା ରଚନା କ୍ଷେତ୍ରରେ ତାଙ୍କର ସୃଷ୍ଟି ପ୍ରଚୁର ନହେଲେ ବି ନଗଣ୍ୟ ନୁହେଁ । ‘କସ୍ତୁରୀମୃଗ’ ନାମକ ତାଙ୍କର ଏକ ଏକାଙ୍କିକା ଗ୍ରନ୍ଥ ବହୁକାଳରୁ ପ୍ରକାଶିତ ହୋଇଥିବା ଜଣାଯାଏ ।

 

ଜନସେବା ଓ ଜାତୀୟଚେତା ସୁପୁରୁଷମାନଙ୍କର ଜୀବନ ରଚନା କରିବା ସତେଯେପରି ଶ୍ରଦ୍ଧାକରଙ୍କର ଆନ୍ତରିକ ଅଭ୍ୟାସ । ସେଇ ଅଭ୍ୟାସର ତାଡ଼ନାରେ ସେ ସମ୍ୱଲପୁରର ପ୍ରଖ୍ୟାତ ଜନସେବୀ ଡାକ୍ତର ଜନାର୍ଦ୍ଦନ ପୂଜାରୀ ଓ ଡାକ୍ତର ଆଇଜାକ୍ ସାତ୍ରାଙ୍କର ଜୀବନଚରିତ ଅବଲମ୍ୱନରେ ଦୁଇଟି ଜୀବନଗ୍ରନ୍ଥ ଲେଖିଅଛନ୍ତି । ‘ଅମରଜୀବନ’ ଗ୍ରନ୍ଥାକାରରେ ପ୍ରକାଶ ପାଇଛି । କିନ୍ତୁ ଆଇଜାକ୍ ସାତ୍ରାଙ୍କର ଜୀବନୀ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପତ୍ରିକା ‘ସପ୍ତର୍ଷି’ରେ ମାତ୍ର ପ୍ରକାଶ ପାଇଥିଲା । ଶ୍ରୀଯୁକ୍ତ ସୂପକାର ମଧ୍ୟ ୧୯୭୦ ମସୀହାରେ ଲେନିନ୍ ଶତବାର୍ଷିକୀ ଉପଲକ୍ଷେ ରୁଷନେତା ‘ଲେନିନ୍’ଙ୍କର ଏକ ଜୀବନୀ ଲେଖି ପ୍ରକାଶ କରିଥିଲେ ।

 

ଏତଦ୍ ବ୍ୟତୀତ ତାର ସାରସ୍ୱତ ସାଧନାର ଅନ୍ୟ ଏକ ଦିଗନ୍ତ ହେଉଛି ଭ୍ରମଣ-ସାହିତ୍ୟ ରଚନା । ଏ କ୍ଷେତ୍ରରେ ତାଙ୍କର କୃତିତ୍ୱକୁ ମୂଲ୍ୟ ଦିଆଯାଇପାରେ । ଭାରତର ବିଭିନ୍ନ ତୀର୍ଥସ୍ଥାନକୁ ମୂଳକରି ତହିଁରେ ଆପଣାର ଅନୁଭୂତି ମିଶାଇ ସେ ‘ତୀର୍ଥପଥେ’ ନାମକ ଯେଉଁ ଗ୍ରନ୍ଥଟି ରଚନା କରିଛନ୍ତି, ଓ ଯାହା ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ହୋଇଛି, ତାହାର ପରିବେଷଣ ଶୈଳୀ ବେଶ୍ ଆମୋଦଦାୟକ ଓ ସ୍ୱାଦ୍ୟ । ଶ୍ରୀଯୁକ୍ତ ସୂପକାର ୧୯୬୫ ମସୀହାରେ କଂଗ୍ରେସ ଦଳ ତରଫରୁ ରାଜ୍ୟସଭାକୁ ଏବଂ ୧୯୬୭ ମସୀହାରେ ଲୋକସଭାକୁ ନିର୍ବାଚିତ ହୋଇଗଲା ପରେ ରୁଷିଆ, ହଙ୍ଗେରୀ ଯାତ୍ରାର ସୁଯୋଗ ପାଇଥିଲେ । ସେଠାରୁ ଫେରିଲା ପରେ ‘ରୁଷିଆଭ୍ରମଣ’ ନାମକ ଏକ ଗ୍ରନ୍ଥ ପ୍ରକାଶ କଲେ ଏବଂ ହଙ୍ଗେରିୀଭ୍ରମଣ ସମ୍ପର୍କୀୟ ବିଭିନ୍ନ ବୃତ୍ତାନ୍ତ ‘ନବଜୀବନ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ କରିଥିଲେ । ଏଥିରୁ ମନେହୁଏ, ଶ୍ରଦ୍ଧାକରଙ୍କର ଦୃଷ୍ଟିକୋଣ ସାହିତ୍ୟ ପ୍ରତି କେତେ ଅନୁକୂଳ ।

 

ଜୀବନର କୌଣସି ମୁହୂର୍ତ୍ତକୁ କିମ୍ୱା କୌଣସି କର୍ମପ୍ରସଙ୍ଗକୁ ସାହିତ୍ୟ ଭିତରେ ନ ସାଇତି ତାହାକୁ ସେ ଆଦୌ ବାଦ୍‌ ଦେଇନାହାନ୍ତି । ସେ ଯେଉଁ କ୍ଷେତ୍ରରେ ଯାହା ଭୋଗ କରିଛନ୍ତି, ତାହାହିଁ ହୋଇଛି ତାଙ୍କ ସାହିତ୍ୟପାଇଁ ଶ୍ରେଷ୍ଠ ଉପାଦାନ । ସାହିତ୍ୟ ଭିତରେ ବଞ୍ଚିବାର ଅଭିଳାଷ ଏଠି ବଡ଼ । କର୍ମ ବା ସାଧାରଣ ନିଯୁକ୍ତିର ଆଡ଼ମ୍ୱରରେ ବ୍ୟକ୍ତିର ମହତ ଯୁଗ ଯୁଗକୁ ସାଇତା ହୋଇ ରହେ ନାହିଁ । ଏଇ ବିଚାରର ପ୍ରେରଣାରେ ସେ ଆପଣା ମନୋଭୂମିକୁ ଗଢ଼ିଛନ୍ତି । ଯେଉଁଠି ସୁଯୋଗ ପାଇଛନ୍ତି, ସେଠି ବିଶ୍ୱର ପ୍ରତି ଛାତ୍ରକୁ ହୃଦୟଦେଇ ବୁଝିବାର ଯତ୍ନ କରିଛନ୍ତି । ୧୯୭୦ ମସିହାରେ ସେ ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ଭ୍ରମଣର ସୁଯୋଗ ପାଇଥିଲେ, ଏହାର ଏକ ଚମତ୍କାରୀ କାହାଣୀ ସେ ଧାରାବାହିକ ଭାବେ ‘ନବଜୀବନ’ ପତ୍ରିକାରେ ପ୍ରକାଶ କରିଥିଲେ । ପରିମାଣ ଦୃଷ୍ଟିର ବିଚାରକଲେ ତାଙ୍କ ଲେଖା ଭିତରୁ ଗଳ୍ପ, ଭ୍ରମଣ କାହାଣୀଳ, ରମ୍ୟରଚନାର ସଂଖ୍ୟା ବେଶୀ ହେବ । ତଥାପି କେବଳ ସୃଷ୍ଟିର ପ୍ରାଚୁର୍ଯ୍ୟ ଭିତରେ ତାଙ୍କର କୃତି ଯେ ନିହିତ, ତାହା ନୁହେଁ । ବସ୍ତୁତଃ ଏଇ ତିନୋଟି କ୍ଷେତ୍ରକୁ ଶ୍ରଦ୍ଧାକରଙ୍କର ଦାନ ଆମ ସାହିତ୍ୟର ଇତିହାସ ପାଇଁ ସ୍ମରଣୀୟ । ଆମପାଇଁ ରାଜନୀତିଜ୍ଞ ଶ୍ରଦ୍ଧାକର ଅପରିହାର୍ଯ୍ୟ ନୁହନ୍ତି କିମ୍ୱା ତାଙ୍କର ଜନସେବୀ ବ୍ୟକ୍ତିତ୍ୱ ମଧ୍ୟ ଆମପାଇଁ ଲୋଭନୀୟ ନୁହେଁ । ସେ ସ୍ମରଣୀୟ କେବଳମାତ୍ର ତାଙ୍କର ସାହିତ୍ୟ କୀର୍ତ୍ତିପାଇଁ ।

 

ସାହିତ୍ୟର ଅନ୍ୟତମ ବିଭାଗ ରମ୍ୟରଚନା କ୍ଷେତ୍ରକୁ ଶ୍ରଦ୍ଧାକରଙ୍କର ଯୋଗ ପ୍ରଶଂସନୀୟ । ସେ ‘ଡଗର’ ପତ୍ରିକାରେ ନିୟମିତ ରମ୍ୟରଚନା ଲେଖୁଥିଲେ । ଏଗୁଡ଼ିକ ଇଂରାଜୀରେ ମଧ୍ୟ ପ୍ରସିଦ୍ଧ Shanker’s Weekly ପତ୍ରିକାରେ ପ୍ରକାଶ ପାଉଥିଲା । ସେଗୁଡ଼ିକ ‘ସୂପ’ ନାମରେ ସଂକଳିତ ହୋଇ ମଧ୍ୟ ଏଯାବତ୍ ଗ୍ରନ୍ଥର କଳେବର ଧାରଣ କରି ପାରିନାହିଁ ।

 

ଅଧ୍ୟବସାୟ ହେଉଛି, ଶ୍ରଦ୍ଧାକରଙ୍କର ଜୀବନର ଐଶ୍ୱର୍ଯ୍ୟ । ପରିଣତ ବୟସରେ ମଧ୍ୟ ସେ ଜ୍ଞାନ-ପିପାସୁ ମନଟିକୁ ତ୍ୟାଗ କରିପାରି ନଥିଲେ । ୧୯୭୧ ଲୋକସଭା ନିର୍ବାଚନରେ ପରାଜିତ ହେବାପରେ ରାଜନୀତିରୁ ବିଦାୟଘେନି ସେ ଆଇନ ଶିକ୍ଷକରୂପେ ଲଜପତ୍ ରାୟ ମହାବିଶ୍ୱବିଦ୍ୟାଳୟରେ ଯୋଗଦେଲେ । ସମ୍ୱଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ସପ୍ତର୍ଷି’ରେ ସେ ‘ମନସ୍ମୃତିରେ ଆଇନ’ ଶୀର୍ଷକ ପ୍ରାୟ ୨୪ ଟି ପ୍ରବନ୍ଧ ଧାରାବାହିକଭାବେ ପ୍ରକାଶ କରିଥିଲେ । ୧୯୭୩ ମସୀହାରେ ଏଲ.ଏଲ..ଏମ. ପରୀକ୍ଷାଦେଇ ଉତ୍ତୀର୍ଣ୍ଣହେଲେ ଏବଂ ୧୯୭୬ ରେThe Law of Procedure in Ancient India. (ପ୍ରାଚୀନ ଭାରତରେ ବ୍ୟବହାର ବିଧି) ଶୀର୍ଷକ ଗବେଷଣା ପ୍ରବନ୍ଧ ଲେଖି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌ଡ଼ି. ଡିଗ୍ରୀ ହାସଲ କରିଥିଲେ । ତାଙ୍କୁ ଯେତେବେଳେ ୬୨ ବର୍ଷ ଏବଂ ଜୀବନର ଉଦ୍ଦାମ ପ୍ରହରଗୁଡ଼ିକୁ ବିଭିନ୍ନ କର୍ମପରିସରରେ ବିତେଇସାରି ମଣିଷ ଯେତେବେଳେ ଆପଣାକୁ ବିଶ୍ରାମର ନିର୍ଜନ ନିଳୟରେ ଆଶ୍ରିତ କରିବାଲାଗି ଅଭିଳାଷୀ ହୋଇଥାଏ, ସେହି ସମୟରେ ଜିଜ୍ଞାସୁ ଶ୍ରଦ୍ଧାକର ପୁନଶ୍ଚ ଜ୍ଞାନ-ଭୋଗର ଅମିତ ପିପାସା ନେଇ ସତେଜ ହୋଇ ଉଠିଥିଲେ । ଯାହାର ଫଳଶ୍ରୁତି ହେଲା ତାଙ୍କର ଡକ୍‌ଟରେଟ ଡିଗ୍ରୀ ପ୍ରାପ୍ତି । ଏହା ଅଧ୍ୟବସାୟୀ ଜୀବନର ଏକ ଉତ୍ସାହଦୀପ୍ତ କାହାଣୀ ନୁହେଁକି ?

 

ସେ କିଛିକାଳ ପାଇଁ ୬୦ବର୍ଷ ବୟସରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ । ତାହା ହେଉଛି କେନ୍ଦ୍ର ଆଇନ ବିଭାଗରେ ଭାଷା କମିଶନର ଭାବରେ ନିଯୁକ୍ତି । ଏଠାରେ ୧୩ ମାସ କାର୍ଯ୍ୟ କରିବାପରେ ୧୯୭୭ ମସୀହାରେ ସମ୍ୱଲପୁର ଲଜପତ୍ ରାୟ ଆଇନ ମହାବିଦ୍ୟାଳୟକୁ ଦୁଇବର୍ଷ ପାଇଁ ଅଧ୍ୟକ୍ଷ ହୋଇ ସେ ଫେରିଆସିଲେ । ଏଠାରୁ ତାଙ୍କର କାର୍ଯ୍ୟକାଳ ପୂରିଗଲାପରେ ସେ ୧୯୭୯ ମସୀହା ଜାନୁଆରୀ ମାସରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଗୃହବିଜ୍ଞାନ ବିଭାଗରେ ପରିଦର୍ଶୀ ଅଧ୍ୟାପକରୂପେ କାର୍ଯ୍ୟ କରୁଛନ୍ତି ।

 

ଏଥିରୁ ସ୍ପଷ୍ଟଯେ, ଶ୍ରଦ୍ଧାକରଙ୍କ ଜୀବନ ସାଧନାର ଅମୃତ ରାଗରେ ଅଭିରଞ୍ଜିତ । ସେ ଜଣେ ଜ୍ଞାନ-ତପସ୍ୱୀ, କିନ୍ତୁ ବିଳାସ-ତ୍ୟାଗୀ । ତାଙ୍କ ଜୀବନର ଶ୍ରେଷ୍ଠ ପ୍ରତ୍ୟୟ ହେଉଛି—ପ୍ରଜ୍ଞା; ତାହାରି ଶକ୍ତିରେ ସେ ଶକ୍ତିମାନ । ଅନୁଭୂତିର ନିର୍ମଳ ଜ୍ୟୋତିରେ ତାଙ୍କର ଦୃଷ୍ଟି ଜଗତ ପରିଚ୍ଛନ୍ନ, ତେଣୁ ତାଙ୍କର ସାରସ୍ୱତ ଜଗତ ନିରଞ୍ଜନ ଜ୍ଞାନ ଓ ନିଷ୍ପାପ ହୃଦୟାବେଗର ଐଶ୍ୱର୍ଯ୍ୟ ବିକୀରଣରେ ତତ୍ପର । ଏହାକୁ ଜଣେ ନିର୍ମାତାର ଜୀବନ-ଦୃଷ୍ଟି ନକହି ଜଣେ ସ୍ରଷ୍ଟାର ଜୀବନସଙ୍ଗୀତ କହିବା ନାହିଁକି ?

Image

 

ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ରଚନାବଳି

 

(କ)

ଗଳ୍ପ ସଂଗ୍ରହ

 

 

 

 

୧.

ଗଳ୍ପାଞ୍ଜଳି

 

୨.

ବିଷକନ୍ୟା

 

୩.

ଜୁଆରଭଟ୍ଟା

 

୪.

ଗୋଟିଏ କରୁଣ ରାତି

 

 

 

(ଖ)

ଚରିତ ସାହିତ୍ୟ ଜୀବନୀ

 

 

 

 

୧.

ଅମର ଜୀବନ

 

୨.

ଲେନିନ୍

 

୩.

ଆର୍ତ୍ତବନ୍ଧୁ ଆଇଜାକ୍ ସାନ୍ତ୍ରା

 

 

 

(ଗ)

ଭ୍ରମଣ ସାହିତ୍ୟ

 

 

 

 

୧.

ତୀର୍ଥ ପଥେ

 

୨.

ରୁଷିଆ ଭ୍ରମଣ

 

୩.

ହଙ୍ଗେରୀ ଭ୍ରମଣ

 

୪.

ଆଣ୍ଡାମାନ ନିକୋବର କଥା

 

 

 

(ଘ)

ନାଟକ-ଏକାଙ୍କିକା

 

 

 

 

୧.

ସୁରେନ୍ଦ୍ର ସାଏ

 

୨.

କସ୍ତୁରୀ ମୃଗ—ଏକାଙ୍କିକା

 

 

 

(ଙ)

ପ୍ରବନ୍ଧ

 

 

 

 

୧.

ହୀରାକୁଦ ବୁଡ଼ିଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା

 

 

 

ଗ୍ରନ୍ଥାକାରେ ଅପ୍ରକାଶିତ ରଚନା

 

 

 

 

1.

The Law of Procedure In Ancient India. (Thesis)

 

2.

The Law of Evidence In Ancient India. (Thesis)

 

୩.

ଆଇନ ଓ ଆମେ (ପ୍ରବନ୍ଧ) (ମାନସ ପତ୍ରିକାରେ ପ୍ରକାଶିତ, କିନ୍ତୁ ଗ୍ରନ୍ଥସ୍ଥ ହୋଇନାହିଁ)

 

୪.

ମନୁ ସ୍ମୃତିରେ ଆଇନ

 

୫.

ମୂପ (ରମ୍ୟରଚନା)

 

୬.

ଓଡ଼ିଶା ବିଧାନସଭାରେ ପାଞ୍ଚବର୍ଷ

 

୭.

ଲୋକସଭାରେ ପାଞ୍ଚବର୍ଷ

 

୮.

ହଙ୍ଗେରୀୟ ଗଳ୍ପମାଳା

 

୯.

ଦେଶ ବିଦେଶର ଗଳ୍ପ

 

୧୦.

ପ୍ରେମର ଅନେକ ରଙ୍ଗ (କବିତା ଗୁଚ୍ଛ)

Image